ଆଗରୁ ମହିଳାମାନେ ଋତୁସ୍ରାବ ସମୟରେ କପଡ଼ା ବ୍ୟବହାର କରୁଥିଲେ। ତାକୁ ପୁଣିଥରେ ଧୋଇ ଶୁଖାଇ ପୁନଃ ବ୍ୟବହାରଯୋଗ୍ୟ କରୁଥିଲେ। ସାନିଟାରି ପ୍ୟାଡ୍ର ବ୍ୟବହାର ପ୍ରଥମେ ସହରାଞ୍ଚଳରେ ଅଧିକ ପରିମାଣରେ ହେଉଥିଲା। ଧୀରେ ଧୀରେ ଏହା ଗ୍ରାମାଞ୍ଚଳକୁ ବ୍ୟାପିଲାଣି। ତେବେ ନ୍ୟାପ୍କିନ୍ର ବହୁଳ ବ୍ୟବହାର ହେଉଥିଲେ ମଧ୍ୟ ଏବେ ବି ଅନେକ ମହିଳା କପଡ଼ା ବ୍ୟବହାର ଭୁଲିନାହାନ୍ତି କହିଲେ ଚଳେ। କିନ୍ତୁ କିଛି ମହିଳାଙ୍କ ପାଇଁ ଏହା ସହଜଲବ୍ଧ ନୁହେଁ ତ ଆଉ କେହି ଏଥିପାଇଁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ଚାହାନ୍ତିନାହିଁ। ମନେପକାନ୍ତୁ ଅକ୍ଷୟ କୁମାରଙ୍କ ସେହି ସଚେତନତାଧର୍ମୀ ବିଜ୍ଞାପନ ଯେଉଁଥିରେ ସିଗାରେଟ୍ ପିଇ ପରିବାରର ସ୍ବାସ୍ଥ୍ୟ ଖରାପ ନକରି ସେହି ପଇସାରେ ସାନିଟାରି ନ୍ୟାପ୍କିନ୍ କିଣିଦେବାକୁ ଅନୁରୋଧ କରିଛନ୍ତି। ଏକ ରିପୋର୍ଟ ଅନୁସାରେ, କେରଳ ଗ୍ରାମାଞ୍ଚଳର େଗାଟିଏ ଗ୍ରାମର ମହିଳା କପଡ଼ା ବଦଳରେ ବିଘଟନକ୍ଷମ ସାନିଟାରି ପ୍ୟାଡ୍ ବ୍ୟବହାର କରୁଛନ୍ତି, ଯାହାର ମୂଲ୍ୟ ସାଧାରଣ କପଡ଼ା ଠାରୁ ଯଥେଷ୍ଟ ଅଧିକ। କିନ୍ତୁ ସଚେତନତା ହେତୁ ଉକ୍ତ ଅଞ୍ଚଳର ପ୍ରାୟ ସମସ୍ତ ପରିବାରର ମୋଟ୍ ଆୟ ମାସିକ ୧୦ ହଜାରରୁ କମ୍ ହେଲେ ବି ସେଠି ପାଖାପାଖି ୭୬.୮% ମହିଳା ଏପରି ପ୍ୟାଡ୍ ବ୍ୟବହାର କରୁଛନ୍ତି। ବର୍ତ୍ତମାନ ବିଶେଷ କରି ସ୍କୁଲ୍ ପିଲାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ମାଗଣାରେ ସାନିଟାରି ପ୍ୟାଡ୍ ବଣ୍ଟନର ବ୍ୟବସ୍ଥା ରହିଛି। ବିଭିନ୍ନ ବିମାନବନ୍ଦର, ରେଳଷ୍ଟେସନ୍, କିଛି ସରକାରୀ ଓ ବେସରକାରୀ ସଂସ୍ଥାରେ ମହିଳାମାନଙ୍କ ପାଇଁ ସହଜରେ ଓ ସୁଲଭ ମୂଲ୍ୟରେ ଭେଣ୍ଡିଂ ମେସିନ୍ ମାଧ୍ୟମରେ ସାନିଟାରି ନ୍ୟାପ୍କିନ୍ ମିଳିବାର ବ୍ୟବସ୍ଥା ହେଲାଣି।
ସାନିଟାରି ନ୍ୟାପ୍କିନ୍କୁ ନେଇ ଯୋଜନା
ସର୍ବଭାରତୀୟ ସ୍ତରରେ ଜାତୀୟ ସ୍ବାସ୍ଥ୍ୟ ମିଶନ ତରଫରୁ ସାନିଟାରି ପ୍ୟାଡ୍ ବଣ୍ଟନର ଯୋଜନା ରହିଥିବା ବେଳେ ଓଡ଼ିଶାରେ ଓଡ଼ିଶା ସରକାରଙ୍କ ତରଫରୁ ‘ଖୁସି’ ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ଆଧାରରେ ସ୍କୁଲ୍ ପିଲାଙ୍କୁ ମାଗଣାରେ ପ୍ୟାଡ୍ ବଣ୍ଟାଯାଉଛି ଏବଂ ଋତୁସ୍ରାବ ସଂପର୍କିତ ସଚେତନତା ସୃଷ୍ଟି କରାଯାଉଛି। ସାଧାରଣତଃ ପ୍ୟାଡ୍ରେ ପ୍ଲାଷ୍ଟିକ୍, ତୁଳା, ସୁପର୍-ଅାବ୍ଜର୍ଭାଣ୍ଟ୍ ପଲିମର୍ ବ୍ୟବହାର କରାଯାଏ। ଫଳେର ପରିବେଶ ଉପେର ଖରାପ ପ୍ରଭାବ ପଡ଼ିବା ସହିତ ମାଟି ତଳେ ମଧ୍ୟ ବର୍ଜ୍ୟ ଭର୍ତ୍ତି ହୋଇଯାଏ। ଏହି ପ୍ୟାଡ୍ ବିଘଟିତ ହେବାକୁ ବର୍ଷ ବର୍ଷ ଲାଗିଯାଏ। ସେଥିପାଇଁ ବର୍ତ୍ତମାନ ପରିବେଶ ଉପଯୋଗୀ ପ୍ୟାଡ୍ ଉପରେ ବେଶି ଗୁରୁତ୍ବ ଦିଆଯାଉଛି। ଦେଶରେ ଅନେକ ସରକାରୀ ଓ ବେସରକାରୀ ଅନୁଷ୍ଠାନ ସ୍ବଚ୍ଛ ଓ ସୁଲଭ ମୂଲ୍ୟର ପରିବେଶ ଉପଯୋଗୀ ନ୍ୟାପ୍କିନ୍ ତିଆରି କରୁଛନ୍ତି। ଏବେ କଦଳୀଗଛ ପାଟୁଆରୁ ପରିବେଶ ଉପଯୋଗୀ ପ୍ୟାଡ୍ ପ୍ରସ୍ତୁତି ପାଇଁ ଯୋଜନା ଚାଲିଛି। ‘ଟକ୍ସିକ୍ ଲିଙ୍କ୍ ଇନ୍ ଇଣ୍ଡିଆ’ ଦ୍ବାରା କରାଯାଇଥିବା ଏକ ଗବେଷଣା ଆଧାରରେ, ନ୍ୟାପ୍କିନ୍ ସଂପୂର୍ଣ୍ଣ ବିଘଟିତ ହେବାକୁ ପାଖାପାଖି ୫୦୦ରୁ ୮୦୦ ବର୍ଷ ଲାଗିଯାଏ। ଯାହାକି ପରିବେଶ ପାଇଁ ଚିନ୍ତାର କାରଣ। ସେହିପରି ମେନ୍ଷ୍ଟ୍ରୁଆଲ୍ ହେଲ୍ଥ ଆଲାଏନ୍ସ ଇଣ୍ଡିଆ (ଏମ୍ଏଚ୍ଏଆଇ)ର ରିପୋର୍ଟକୁ ହିସାବକୁ ନେଲେ, ୧୨୧ ମିଲିୟନ୍ ଭାରତୀୟ ମହିଳା ଡିସ୍ପୋଜାଲ୍ ସାନିଟାରି ପ୍ୟାଡ୍ ବ୍ୟବହାର କରୁଛନ୍ତି ଏବଂ ବାର୍ଷିକ ପ୍ରାୟ ୧୧୩,୦୦୦ ଟନ୍ ବ୍ୟବହୃତ ପ୍ୟାଡ୍ ଆବର୍ଜନା ଭାବେ ଜମା ହେଉଛି।
ଋତୁସ୍ରାବକୁ ନେଇ ଅନ୍ଧବିଶ୍ବାସ ଓ ରୀତିନୀତି
ଋତୁସ୍ରାବ ମହିଳା ଶରୀରର ଏକ ସ୍ବାଭାବିକ ଓ ପ୍ରାକୃତିକ ପ୍ରକ୍ରିୟା। ମହିଳା ଓ କିଶୋରୀମାନେ ସେମାନଙ୍କ ମାସିକ ଧର୍ମ ସଂପର୍କରେ ଏବେ ବି ସମସ୍ତଙ୍କ ସହିତ ଖୋଲାଖୋଲି ଆଲୋଚନା କରିପାରୁନାହାନ୍ତି। କାରଣ ଋତୁସ୍ରାବ ଏକ ଲଜ୍ଜାଜନକ କଥା ବୋଲି ସେମାନଙ୍କ ମନ ଭିତରେ ବସା ବାନ୍ଧି ରହିଯାଇଛି। ସମାଜର ଅନେକ ପୁରୁଷ ଏହାକୁ ଗୋଟିଏ ଅଛୁଆଁ କଥା ଭାବେ ପ୍ରତିପାଦିତ କରୁଥିବା ବେଳେ ଏହି ସମୟରେ ମହିଳାମାନେ ମନ୍ଦିର ଯାଇପାରିବେ ନାହିଁ କିମ୍ବା ରୋଷେଇ ଘରେ ପଶିପାରିବେ ନାହିଁ, ବିିଭିନ୍ନ ଆସବାବପତ୍ର, ଗଛ, ଆଚାର ଡବା ଆଦିକୁ ଛୁଇଁ ପାରିବେନାହିଁ। ଏମିତିକି ଋତୁସ୍ରାବ ହେଲେ ମହିଳାଟିଏ ଖଟ ଶେଯରେ ନ ଶୋଇ ଭୂଇଁରେ ଶୋଇବାର ବିଧି କିଛି ଅଞ୍ଚଳରେ ଏବେ ବି ରହିଛି। ଯାହାକି ଏକବିଂଶ ଶତାବ୍ଦୀରେ ମଧ୍ୟ ଏକ ଭ୍ରମ ଧାରଣା ସୃଷ୍ଟି କରୁଛି।
ଶରୀରର ଯତ୍ନ ଓ ସ୍ବଚ୍ଛତା
ମୁଖ୍ୟତଃ ଋତୁସ୍ରାବ ସମୟରେ ମହିଳାମାନଙ୍କ ଦେହରେ ହର୍ମୋନାଲ୍ ପରିବର୍ତ୍ତନ ଦେଖାଦେଇଥାଏ। ପେଟ କାଟିବା, ଦରଜ ହେବା, ରକ୍ତସ୍ରାବ ଅଧିକ କାରଣରୁ ହାଲିଆ ଲାଗିବା, ଚିଡ଼ିଚିଡ଼ାପଣ ବୃଦ୍ଧି ପାଇବା ସ୍ବାଭାବିକ କଥା। ଏସବୁକୁ ଦୂରେଇବା ପାଇଁ ପେଟ କାଟିଲେ ବା ଦରଜ ହେଲେ ପ୍ରାକୃତିକ ଉପାୟ ଅନୁସାରେ ଉଷୁମ ପାଣିରେ ଗୋଲମରିଚ ପକାଇ ପିଇପାରିବେ। ପେଟରେ ହଟ୍ ୱାଟର୍ ବ୍ୟାଗ୍ ଥେରାପି ନେଇପାରିବେ। ସବୁଠୁ ସୁନ୍ଦର ଉପାୟରେ ଆପଣ ମ୍ୟୁଜିକ୍ ଥେରାପିର ଉପଯୋଗ ମଧ୍ୟ କରିପାରିବେ। ଏହି ସମୟରେ ତେଲ ମସଲା ଜାତୀୟ ଖାଦ୍ୟ ବଦଳରେ ପୁଷ୍ଟିକର ଖାଦ୍ୟ ଖାଇବା ଓ ପ୍ରଚୁର ପାଣି ପିଇବା ଜରୁରି। ନିଜରୁ ପରିଷ୍କାର ରଖିବା ସହ କପଡ଼ା କିମ୍ବା ପ୍ୟାଡ୍କୁ ୪ଘଣ୍ଟାରୁ ଅଧିକ ସମୟ ପିନ୍ଧନ୍ତୁ ନାହିଁ। ନଚେତ୍ ଉକ୍ତ ସ୍ଥାନ କୁଣ୍ଡାଇ ହେବା ସହିତ ସଂକ୍ରମଣ ସୃଷ୍ଟି ହେବ।
ବିଭିନ୍ନ ପ୍ରକାର ସାନିଟାରି ନ୍ୟାପ୍କିନ୍
ଏବେ ବଜାରରେ ଭଳିକି ଭଳି ସାନିଟାରି ନ୍ୟାପ୍କିନ୍ ମିଳିଯାଉଛି। ଛୋଟ, ମଧ୍ୟମ, ବଡ଼ ଆକାରର ପ୍ୟାଡ୍ ବଜାରରେ ଉପଲବ୍ଧ। ଏହାସହିତ ସୁଗନ୍ଧଯୁକ୍ତ ଓ ମୁଲାୟମ୍ ପ୍ୟାଡ୍ ବି ମିଳୁଛି। ଶରୀରକୁ ଆଉଟିକେ ଆରାମଦାୟକ କରିବା ପାଇଁ ବର୍ତ୍ତମାନ ନ୍ୟାପ୍କିନ୍ ପ୍ୟାଣ୍ଟ୍, ମେନ୍ଷ୍ଟ୍ରୁଆଲ୍ କପ୍ ଇତ୍ୟାଦି ବଜାରରେ ସହଜରେ ଓ ସୁଲଭ ମୂଲ୍ୟରେ ମିଳିଯାଉଛି। ଯଦିଓ ଏସବୁର ମୂଲ୍ୟ ଟିକେ ଅଧିକ ରହୁଛି, ତଥାପି ମହିଳାମାନେ ଏହାକୁ କିଣିବାକୁ ପଛଘୁଞ୍ଚା ଦେଉନାହାନ୍ତି।
ଋତୁସ୍ରାବ ସମୟରେ ମହିଳାଙ୍କ ପାଇଁ ଅାଇନ କାନୁନ୍
ଋତୁସ୍ରାବ ସମୟରେ କର୍ମଜୀବୀ ମହିଳାମାନଙ୍କୁ ସବେତନ ଛୁଟି ଦେବାକୁ ଦାବି ଉଠିଥିଲା। ଏହାକୁ କିଛି ଲୋକ ସପକ୍ଷ କରୁଥିବା ବେଳେ କିଛି ବିରୋଧ କରୁଛନ୍ତି। ଭାରତରେ ଯଦିଓ ଋତୁସ୍ରାବ ଜନିତ ଛୁଟି ଘୋଷଣାକୁ ଗୁରୁତ୍ବ ଦିଆଯାଇନାହିଁ, ତଥାପି ବିହାର ଓ କେରଳ ଋତୁସ୍ରାବ ଛୁଟିକୁ ଅନୁମୋଦନ କରିଛନ୍ତି। ବିହାରରେ ପ୍ରତ୍ୟେକ କର୍ମଜୀବୀ ମହିଳାଙ୍କୁ ମାସିକ ଦୁଇଦିନ ସବେତନ ଛୁଟି ଦିଆଯାଉଥିବା ବେଳେ କେରଳ ମଧ୍ୟ ରାଜ୍ୟ ସରକାରଙ୍କ ଅଧୀନରେ ଆସୁଥିବା ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ ଦୁଇଦିନ ଛୁଟି ଦେବାର ନିୟମ କରିଛନ୍ତି। ଏହିକ୍ରମରେ ଖାଦ୍ୟଯୋଗାଣ ସଂସ୍ଥା ଜୋମାଟୋ ବାର୍ଷିକ ୧୦ ଦିନର ଛୁଟି ଦେଉଥିବା ବେଳେ ସ୍ବିଗି ତା’ର ମହିଳା ସହକର୍ମୀମାନଙ୍କୁ ‘ଟାଇମ୍ ଅଫ୍’ ପଲିସି ମାଧ୍ୟମରେ ଛୁଟି ଦେବାର ବ୍ୟବସ୍ଥା କରିଛି। ବର୍ତ୍ତମାନ ବିଶ୍ବକୁ ହିସାବକୁ ନେଲେ ଜାମ୍ବିଆ, ତାଇୱାନ୍, ଦକ୍ଷିଣ କୋରିଆ, ଫିଲିପାଇନ୍ସ, ସ୍ପେନ୍, ଇଣ୍ଡୋନେସିଆ, ଜାପାନ ଓ ଭିଏତନାମ୍ ପରି ଦେଶ ଋତୁସ୍ରାବ ଛୁଟି ଘୋଷଣା କରିଛନ୍ତି।
ସଚେତନତାଧର୍ମୀ ସିନେମା
ପ୍ୟାଡ୍କୁ ନେଇ ଥିବା ବିଭିନ୍ନ ପ୍ରତିବନ୍ଧକକୁ ଏଡ଼ାଇବା ପାଇଁ ଅନେକ ଯୋଜନା ହେଉଛି। ସେହି ଭିତ୍ତିରେ ସିନେଶିଳ୍ପ ଜଗତ ବି େଲାକମାନଙ୍କୁ ମନରୁ ଏସବୁ କୁପ୍ରଥା ଦୂରେଇବା ପାଇଁ ସିନେମା ବିକଳ୍ପ ଆପଣାଇଛି। କାରଣ ଲୋକମାନେ କଥାରେ ଯେତିକି ବିଶ୍ବାସ ନ କରନ୍ତି ସିନେମାକୁ େସତିକି ଗ୍ରହଣ କରନ୍ତି। ଏଣୁ ଏହି ଆଧାରରେ ଅକ୍ଷୟ କୁମାରଙ୍କ ଅଭିନୀତ ‘ପ୍ୟାଡ୍ମ୍ୟାନ୍’ ସିନେମାଟି ବେଶ୍ ଲୋକପ୍ରିୟତା ସାଉଁଟିଥିଲା ଏବଂ ଜାତୀୟ ପୁରସ୍କାର ହାସଲ କରିଥିଲା।