ଆମେରିକାର ଜୋବି ଏଭିଏସନ୍ ଦ୍ବାରା ବିକଶିତ ଏକ ଉଦ୍ଜାନ ଚାଳିତ ଏୟାର ଟାକ୍ସି କାଲିଫର୍ଣ୍ଣିଆ ଆକାଶରେ ୫୨୩ ମାଇଲ୍ ବା ୮୪୨ କି.ମି. ଯାତ୍ରା କରି କୀର୍ତ୍ତିମାନ ସ୍ଥାପନ କରିଛି। ଏହି ଉଦ୍ଜାନ ଚାଳିତ ବିମାନଟି ପୂର୍ବରୁ ଜୋବି ଏଭିଏସନ୍ ଦ୍ବାରା ବିକଶିତ ଅନ୍ୟ ଏକ ବିଦ୍ୟୁତ୍ ଚାଳିତ ବିମାନ ଦ୍ବାରା ଅତିକ୍ରାନ୍ତ ସର୍ବାଧିକ ଦୂରତାର ତିନି ଗୁଣ ପଥ ଅତିକ୍ରମ କରିଛି।
ଉକ୍ତ କମ୍ପାନିର ବୈଷୟିକ ବିଶେଷଜ୍ଞମାନେ ପୂର୍ବର ବିଦ୍ୟୁତ୍ (ବ୍ୟାଟେରି) ଚାଳିତ ବିମାନରେ ୪୦ କେ.ଜି. ଓଜନର ତରଳ ଉଦ୍ଜାନ ଟାଙ୍କି ଖଞ୍ଜି ତାହାର ପରୀକ୍ଷା ନିରୀକ୍ଷା କରିଥିଲେ। ଏଥିରେ ଖଚିତ ଫୁଏଲ୍ ସେଲ୍ଗୁଡ଼ିକ ଅମ୍ଳଜାନ ଉପସ୍ଥିତିରେ ଉଦ୍ଜାନକୁ ଦହନ କରି ଜଳ ଅଣୁରେ ପରିଣତ କରିବା ସହ ପ୍ରଭୂତ ପରିମାଣର ବିଦ୍ୟୁତ୍ ଶକ୍ତି ଉତ୍ପନ୍ନ କରିପାରିଥିଲା। ଉଦ୍ଜାନ ଜାଳେଣିରୁ ବର୍ଜ୍ୟ ଭାବେ କେବଳ ଜଳ ଅଣୁ ନିର୍ଗତ ହେଉଥିବାରୁ ତାହା ପରିବେଶ ପ୍ରଦୂଷଣ ସୃଷ୍ଟି କରିବାର ଆଶଙ୍କା ନ ଥାଏ। ଏହି ବିମାନଟି ହେଲିକପ୍ଟର୍ ପରି ସିଧାସଳଖ ଟେକ୍ ଅଫ୍ ଓ ଅବତରଣ କରିପାରୁଥିବାରୁ ସହରୀ ପରିବେଶରେ କମ୍ ଦୂରତା ଯାତ୍ରା କରିବା ଲାଗି ଏହା ବେଶ୍ ଉପାଦେୟ ହୋଇପାରିବ।
ଉଦ୍ଜାନ ଚାଳିତ ଏୟାର୍ ଟାକ୍ସି ହେଲିକପ୍ଟର୍ ପରି ସିଧାସଳଖ ଟେକ୍ ଅଫ୍ ଓ ଅବତରଣ କରିପାରୁଛି। ୨୦୨୬ରୁ ଏହାର ବିକ୍ରି ଆରମ୍ଭ ହେବାର ସୂଚନା ରହିଛି।
ଉଲ୍ଲେଖଯୋଗ୍ୟ, ସାଧାରଣ ବିମାନ ଚଳାଚଳ ଯୋଗୁଁ ବାୟୁମଣ୍ଡଳରେ ପ୍ରଭୂତ ପରିମାଣର ବିଷାକ୍ତ ଅଙ୍ଗାରକାମ୍ଳ ବାଷ୍ପ ମିଶିବାରେ ଲାଗିଛି। ଏହା ବାୟୁର ମାନ ହ୍ରାସ କରିବା ସହ ଆମକୁ ସୂର୍ଯ୍ୟର ଅତିବାଇଗଣୀ ରଶ୍ମିଠାରୁ ସୁରକ୍ଷା ଦେଉଥିବା ଓଜୋନ୍ ସ୍ତରରେ ଗର୍ତ୍ତ ସୃଷ୍ଟିର ଅନ୍ୟତମ କାରଣ। ତେବେ ଜୋବି ଏଭିଏସନ୍ର ଏହି ଅଭିଯାନ ଭବିଷ୍ୟତରେ ଉଦ୍ଜାନ ଚାଳିତ ଯାନର ବହୁଳ ବ୍ୟବହାର ପାଇଁ ପଥ ପରିଷ୍କାର କରିଦେଇଛି। ଉଦ୍ଜାନକୁ ଇନ୍ଧନ ରୂପେ ବ୍ୟବହାର କରିବା ଦ୍ବାରା ଜାଳେଣି ଖର୍ଚ୍ଚ ହ୍ରାସ ପାଇବା ସହ ପ୍ରଦୂଷଣମୁକ୍ତ ବିମାନ ପରିବହନ ସୁଗମ ହୋଇପାରିବ ବୋଲି ଆଶା କରାଯାଉଛି। ଏହି ଉଡ଼ନ୍ତା ଟାକ୍ସି ଏବେ ଆକାଶମାର୍ଗରେ ସୁରକ୍ଷିତ ତଥା ନିରାପଦ ଯାତ୍ରୀ ପରିବହନ ପାଇଁ ଆବଶ୍ୟକ ପଡୁଥିବା ପାଞ୍ଚସ୍ତରୀୟ ସାର୍ଟିଫିକେସନ୍ ମଧ୍ୟରୁ ତୃତୀୟ ସ୍ତରରେ ପହଞ୍ଚିଛି। ଜୋଭି ଏଭିଏସନ୍ ୨୦୨୬ ମସିହାରୁ ଏହି ଏୟାର୍ ଟାକ୍ସି ବିକ୍ରି ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।