ଜୀବନରେ ଦୀର୍ଘସ୍ଥାୟୀ ବନ୍ଧୁତ୍ବ ‌ଶ୍ରେଷ୍ଠ ଆଶୀର୍ବାଦଠାରୁ କୌଣସି ଗୁଣରେ କମ୍‌ ନୁହେଁ। ବନ୍ଧୁତ୍ବ ହିଁ ଜୀବନକୁ ସୁନ୍ଦର ଓ ସୁଖମୟ କରେ। ଅସୁବିଧାରେ ପଡ଼ିଲେ ଆଗ ଖୋଜାପଡ଼େ ବନ୍ଧୁ। ଇତିହାସରେ ଏମିତି ଅନେକ ବନ୍ଧୁତ୍ବର ନିଦର୍ଶନ ରହିଛି। ସମୟ, ବୟସ ଓ ସୀମା ସରହଦ ଡେଇଁ ଗଢ଼ି ଉଠିଥିବା କିଛି ବନ୍ଧୁତ୍ବର କାହାଣୀର ସ୍ଥାୟିତ୍ବ କଥା ସହଜରେ ବିଶ୍ବାସ କରିହୁଏ ନାହିଁ। ‘ବନ୍ଧୁତ୍ବ ଦିବସ’ରେ ସେଭଳି କେତୋଟି ବନ୍ଧୁତ୍ବର କଥା...

Advertisment

ବାଲ୍‌ ଗଙ୍ଗାଧର ତିଲକ ଓ ମହମ୍ମଦ୍‌ ଅଲୀ ଜିନ୍ନା
ଲୋକମାନ୍ୟ ବାଲ୍‌ ଗଙ୍ଗାଧର ତିଲକ ଓ ମହମ୍ମଦ ଅଲୀ ଜିନ୍ନାଙ୍କ ବନ୍ଧୁତ୍ବକୁ ଭାରତର ସବୁଠୁ ଚିତ୍ତାକର୍ଷକ ଐତିହାସିକ ବନ୍ଧୁତ୍ବ କୁହାଯାଏ। ଲକ୍ଷ୍ୟ ଗୋଟିଏ ରହିଲେ ବନ୍ଧୁତ୍ବ ଜାତିଧର୍ମ ବାଛବିଚାର କରେ ନାହିଁ। ଏ ଦୁହିଁଙ୍କ କ୍ଷେତ୍ରରେ ସାଧାରଣ ଲକ୍ଷ୍ୟ ଥିଲା ଭାରତରୁ ବ୍ରିଟିସ୍‌ ଶାସନ ହଟାଇ ସ୍ବ-ଶାସନ ଚଳାଇବା। ଦୁହିଁଙ୍କ ମଧ୍ୟରେ ପରିଚୟ ହେବା ପରେ ସେମାନେ ତିଲକଙ୍କ ଘରେ ଓ ଜିନ୍ନାଙ୍କ ହାଇକୋର୍ଟ ଚେମ୍ବର୍‌ରେ ଦୀର୍ଘ ସମୟ ଧରି ଆଳାପ ଆଲୋଚନା କରୁଥିଲେ। ଆଲୋଚନାର ବିଷୟ ଥିଲା, ଭାରତର ସ୍ବାଧୀନତା ସଂଗ୍ରାମ ନିମନ୍ତେ ରାଜନୈତିକ ରଣନୀତି ଓ ଦୈନନ୍ଦିନ କାର୍ଯ୍ୟକଳାପର ଯୋଜନା। କ୍ରମେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ଏତେ ନିବିଡ଼ ହୋଇଯାଇଥିଲା ଯେ, ସାଧାରଣ ସଭାରେ ମଧ୍ୟ ଜିନ୍ନା ଭାଷଣ ଦେଉ ଦେଉ ତିଲକ୍‌ଙ୍କ କଥା କହିପକାଉଥିଲେ। ଦେଶରେ ଶାନ୍ତିପୂର୍ଣ୍ଣ ଶାସନ ନିମନ୍ତେ ଦୁହେଁ ହିନ୍ଦୁ-ମୁସଲମାନ୍‌ ଏକତା ଉପରେ ବିଶ୍ବାସ କରୁଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଜିନ୍ନା ତାଙ୍କର ରାଜନୈତିକ ମୂଲ୍ୟବୋଧ ପରିବର୍ତ୍ତନ କରି ସ୍ବତନ୍ତ୍ର ମୁସଲିମ୍‌ ରାଷ୍ଟ୍ର ଗଠନର ଜିଦ୍‌ କରିଥିଲେ ମଧ୍ୟ ତିଲକ୍‌ଙ୍କ ସହିତ ବନ୍ଧୁତା ଅତୁଟ ଥିଲା। ଘଟଣାକ୍ରମେ ଦୁହେଁ ଦୁଇଟି ଭିନ୍ନ ଦେଶର ନାଗରିକ ହୋଇ ଯାଇଥିଲେ।

ରତନ ଟାଟା ଓ ଶାନ୍ତନୁ ନାଇଡୁ
ଘନିଷ୍ଠ ବନ୍ଧୁତା କଥା ଉଠିଲେ ମନକୁ ଆସେ ରତନ ଟାଟା ଓ ଶାନ୍ତନୁ ନାଇଡୁଙ୍କ ମଧ୍ୟରେ ଗଢ଼ି ଉଠିଥିବା ଅସମ୍ଭାବ୍ୟ ବନ୍ଧୁତାର କଥା। କୁକୁର ପ୍ରୀତି ହିଁ ଥିଲା ସେମାନଙ୍କ ବନ୍ଧୁତ୍ବର ଆଧାର। ଟାଟା କମ୍ପାନିର ନିଉଜ୍‌ଲେଟର୍‌ରେ ଆମେରିକା ବାସିନ୍ଦା ଶାନ୍ତନୁ ବୁଲା କୁକୁରଙ୍କ ପାଇଁ ‘ଗ୍ଲୋ-ଇନ୍‌-ଦି-ଡାର୍କ କଲର୍ସ’ ଅଭିଯାନ ଚଳାଇଥିବା କଥା ପ୍ରକାଶ କରିବା ପରେ ରତନ ଟାଟା ତାଙ୍କ ସହିତ ଯୋଗାଯୋଗ କରିଥିଲେ। ତା’ପରେ ଦୁହିଁଙ୍କ ମଧ୍ୟରେ ଇ-ମେଲ୍‌ ବିନିମୟ ଚାଲିଲା। ଶେଷରେ ଆମେରିକାର କର୍ଣ୍ଣେଲ୍‌ ୟୁନିଭର୍ସିଟିରେ ନାଇଡୁଙ୍କ ସ୍ନାତକ ସମାରୋହ ଅବସରରେ ମଧ୍ୟ ରତନ ଟାଟା ଯୋଗ ଦେଲେ। ଆଜିକାଲିର ତରୁଣ ପିଢ଼ିଙ୍କ ସହିତ ଯୋଗସୂତ୍ର ରକ୍ଷା କରିବା ଲାଗି ନାଇଡୁ ଟାଟାଙ୍କର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ ଖୋଲି ଦେଇଥିଲେ। ସମୟକ୍ରମେ ନାଇଡୁ ଟାଟା କମ୍ପାନିର ବିଜ୍‌ନେସ୍‌ ଆସିଷ୍ଟାଣ୍ଟ୍‌ ପଦବିରେ ନିଯୁକ୍ତି ପାଇଲେ। ବୟସଗତ ତାରତମ୍ୟ ଅଧିକ ଥିଲେ ବି ଆଜି ପର୍ଯ୍ୟନ୍ତ ଦୁହିଁଙ୍କ ବନ୍ଧୁତ୍ବ ଅତୁଟ ରହିଛି। ଏହା ବନ୍ଧୁତ୍ବର ଏକ ଭିନ୍ନ ନିଦର୍ଶନ।

publive-image

ଗାନ୍ଧୀଜୀ ଏବଂ ଇଂରେଜ ଦମ୍ପତି ହେନେରି ଓ ମିଲି ପୋଲାକ୍‌
ଗାନ୍ଧୀଜୀଙ୍କ ଦକ୍ଷିଣ ଆଫ୍ରିକା ରହଣି ସମୟର ଅନେକ ଗୁରୁତ୍ବପୂର୍ଣ୍ଣ ଘଟଣା ବିଭିନ୍ନ ପୁସ୍ତକରେ ଉଲ୍ଲେଖ ରହିଛି। କିନ୍ତୁ, ଲେଖକମାନେ ନଜର ଅନ୍ଦାଜ କରିଥିବା ମନଛୁଆଁ କାହାଣୀଟିଏ ହେଉଛି ଇଂରେଜ ଦମ୍ପତି ହେନେରି ଓ ମିଲି ପୋଲାକ୍‌ଙ୍କ ସହିତ ଗାନ୍ଧୀଜୀଙ୍କ ବନ୍ଧୁତା। ହେନେରି ଥିଲେ ଉଗ୍ର ଇହୁଦୀ ଏବଂ ମିଲି ଥିଲେ ଖ୍ରୀଷ୍ଟିଆନ୍‌ ନାରୀବାଦୀ। ସେମାନଙ୍କ ପରିବାର ଦୁହିଁଙ୍କ ବିବାହକୁ ବିରୋଧ କରୁଥିଲେ। ବିବାହ ବିଭ୍ରାଟ ନିମନ୍ତେ ହେନେରିଙ୍କୁ ପରିବାର ଲୋକେ ଦକ୍ଷିଣ ଆଫ୍ରିକା ପଠାଇ ଦେଇଥିଲେ। ଜୋହାନସ୍‌ବର୍ଗସ୍ଥିତ ଗୋଟାଏ ନିରାମିଷ ରେସ୍ତୋରାଁରେ ହେନେରିଙ୍କର ଭେଟ ହୋଇଥିଲା ଗାନ୍ଧୀଜୀଙ୍କ ସହିତ। ଆଲୋଚନା କାଳରେ ହେନରିଙ୍କ ସମସ୍ୟା ବୁଝି ଗାନ୍ଧୀଜୀ ମିଲିଙ୍କ ପିତାମାତାଙ୍କୁ ବୁଝାଶୁଝା କରାଇ ତାଙ୍କୁ ଦକ୍ଷିଣ ଆଫ୍ରିକା ଅଣାଇବା ସହିତ ହେନେରିଙ୍କ ସଙ୍ଗେ ବିବାହ କରାଇଥିଲେ। ‘ରେଜିଷ୍ଟର୍‌ ଅଫ୍‌ ୟୁରୋପିୟାନ୍‌ ମ୍ୟାରେଜେସ୍‌’ରେ ଗାନ୍ଧୀଜୀ ସେମାନଙ୍କ ବିବାହ ବେଳର ସାକ୍ଷୀ ମଧ୍ୟ ପଡ଼ିଥିଲେ। ଦୁହେଁ ଗାନ୍ଧୀଜୀ ଓ କସ୍ତୁରବାଙ୍କ ସହିତ ସେଠାକୁ ଯାଇ ବିବାହ କରିଥିଲେ। ତା’ପରେ ହେନେରି ଓ ମିଲିଙ୍କ ସହିତ ଗାନ୍ଧୀଜୀଙ୍କର ବନ୍ଧୁତା ଆହୁରି ନିବିଡ଼ ହୋଇଗଲା। ପରିଶେଷରେ ହେନେରି ଓ ମିଲି ଭାରତୀୟ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେ‌ଇଥିଲେ ଓ ଗାନ୍ଧୀଜୀଙ୍କୁ ସକ୍ରିୟ ସହଯୋଗ କରିଥିଲେ।

publive-image

ପଣ୍ଡିତ ରବିଶଙ୍କର ଓ ଜର୍ଜ ହ୍ୟାରିସନ୍‌
ବିଶ୍ବବିଦିତ ସିତାରବାଦକ ପଣ୍ଡିତ ରବି ଶଙ୍କର ଓ ପାଶ୍ଚାତ୍ୟ ସଂଗୀତଜ୍ଞ ଜର୍ଜ ହ୍ୟାରିସନ୍‌ଙ୍କ ବନ୍ଧୁତ୍ବ ବିଶ୍ବ ସଙ୍ଗୀତ ଶିଳ୍ପ ଲାଗି ଖୁବ୍‌ ଲାଭପ୍ରଦ ହୋଇଥିଲା। ୧୯୬୫ରେ ଲଣ୍ଡନ୍‌ର ଗୋଟାଏ ଷ୍ଟୋର୍‌ରୁ ହ୍ୟାରିସନ୍‌ ସିତାରଟିଏ କିଣି ତାହାକୁ ‘ରବର୍‌ ସୋଲ୍‌’ ଆଲ୍‌ବମ୍‌ର ‘ନର୍‌ୱେଜିଆନ୍‌ ଉଡ୍‌’ ଗୀତରେ ବଜାଇଥିଲେ। କିଛିଦିନ ପରେ ଉକ୍ତ ସିତାରର ଗୋଟାଏ ତାର ଛିଡ଼ି ଯିବାରୁ ଏହାର ମରାମତି ଲାଗି ହ୍ୟାରିସନ୍‌ ‘ଏସିଆନ୍‌ ମ୍ୟୁଜିକ ସର୍କଲ୍‌’ ସଂସ୍ପର୍ଶରେ ଆସିଲେ। କାଳକ୍ରମେ ସେ ‘ଏସିଆନ୍‌ ମ୍ୟୁଜିକ ସର୍କଲ୍‌’ ଜରିଆରେ ପଣ୍ଡିତ ରବିଶଙ୍କରଙ୍କ ସିତାର ବାଦନ ବିଷୟରେ ଜ୍ଞାତ ହେଲେ। ତା’ପରେ ୧୯୬୬ରେ ଦୁହେଁ ପରସ୍ପରଙ୍କୁ ଭେଟିବାର ସୁଯୋଗ ପାଇଲେ। ପ୍ରଥମ ସାକ୍ଷାତ୍‌ରୁ ହିଁ ଆରମ୍ଭ ହୋଇଗଲା ବନ୍ଧୁତ୍ବ। ସେମାନଙ୍କ ବନ୍ଧୁତ୍ବ ସଙ୍ଗୀତ ଦୁନିଆରେ ଚହଳ ପକାଇଲା। ଦୁଇ ଭିନ୍ନ ସଙ୍ଗୀତ ଶୈଳୀ ସମ୍ମିଶ୍ରଣରୁ ଯେଉଁ ସବୁ ଶ୍ରେଷ୍ଠ ସଙ୍ଗୀତ ସୃଷ୍ଟି ହେଲା ତାହା ଆଜି ମଧ୍ୟ ଲୋକପ୍ରିୟ ହୋଇ ରହିଛି।

publive-image

ଇନ୍ଦିରା ଗାନ୍ଧୀ ଓ ପୁପୁଲ ଜୟକର
ଭାରତ ଇତିହାସରେ ଶ୍ରେଷ୍ଠ ବନ୍ଧୁତ୍ବ ପ୍ରସଙ୍ଗ ଆସିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବିଶିଷ୍ଟ ଲେଖିକା ଓ ସଂପାଦକ ପୁପୁଲ ଜୟକରଙ୍କୁ ଏଡ଼ାଇ ହେବନାହିଁ। ଦୁହେଁ ପାରିବାରିକ ସୂତ୍ରରୁ ପରିଚିତ ହୋଇଥିଲେ। ଉଭୟଙ୍କ ପିଲାଦିନ ଆହ୍ଲାବାଦରେ ଅତିବାହିତ ହୋଇଥିଲା ଏବଂ ସେମାନଙ୍କ ବନ୍ଧୁତ୍ବ ଥିଲା ଖୁବ୍‌ ନିବିଡ଼। ପରସ୍ପର ସହ ସମୟ ବିତାଇବାରୁ ସେମାନେ ପାଉଥିଲେ ଅପାର ଆନନ୍ଦ। ପାଠପଢ଼ା ଲାଗି ପୁପୁଲ୍ ଇଂଲଣ୍ଡ ଯିବା ପରେ ମଧ୍ୟ ସଂପର୍କ ଜାରି ରହିଥିଲା। ପୁପୁଲ୍‌ ଭାରତ ଫେରିବା ପରେ ସାମ୍ବାଦିକତା ବୃତ୍ତି ଆପଣାଇଥିଲେ। ପୁଣି ଇନ୍ଦିରାଙ୍କ ସହ ତାଙ୍କ ଦେଖାସାକ୍ଷାତ୍‌ ଓ ମିଳାମିଶା ନିୟମିତ ହୋଇଥିଲା। ଦୁହିଁଙ୍କ ସଂପର୍କ ଏତେ ଘନିଷ୍ଠ ଥିଲା ଯେ ଆତ୍ମଜୀବନୀ ଲେଖିଦେବା ପାଇଁ ଇନ୍ଦିରା ଜୟକରଙ୍କୁ ୧୯୭୦ ଦଶକରୁ କହି ଆସୁଥିଲେ। କିନ୍ତୁ, ଇନ୍ଦିରାଙ୍କ ଦୁଃଖଦ ମୃତ୍ୟୁ ପରେ ପୁପୁଲ୍‌ ‘ଇନ୍ଦିରା ଗାନ୍ଧୀ-ଏ ବାୟୋଗ୍ରାଫି’ ପୁସ୍ତକ ରଚନା କରିଥିଲେ। ସେ ଯାହାହେଉ ଇନ୍ଦିରାଙ୍କ ସୁଖଦୁଃଖରେ ଜୟକର ସବୁବେଳେ ଆସି ଠିଆ ହେଉଥିଲେ।