ଅକ୍ଟୋବର ୨, ଜାତିର ଜନକ ମହାତ୍ମାଗାନ୍ଧୀଙ୍କର ପବିତ୍ର ଜନ୍ମଦିନ। ଏହିଦିନଟି ମଧ୍ୟ ଲାଲବାହାଦୁର ଶାସ୍ତ୍ରୀଙ୍କର ଜନ୍ମଦିନ। ଶାସ୍ତ୍ରୀଜୀଙ୍କ ପରି ଗାନ୍ଧୀଜୀ ଅବଶ୍ୟ ଅତି ଦରିଦ୍ର ପରିବାରରୁ ଆସି ନଥିଲେ; କିନ୍ତୁ ସ୍ୱଭାବରେ ସେ ଥିଲେ ମିତବ୍ୟୟୀ। ସବୁ ଜିନିଷର ଉଚିତ ଉପଯୋଗ ହେଉ; ଅପବ୍ୟୟ ଆଦୌ ନହେଉ; ଏହା ସେ ଚାହୁଁଥିଲେ।

Advertisment

ତାଙ୍କ ଜୀବନର ଛୋଟ ଘଟଣାଟିଏ। ସେଦିନ ସେ ଥିଲେ ନୂଆଖାଲିରେ। ସାଙ୍ଗରେ ଥିଲେ ତାଙ୍କର ନାତୁଣୀ ମନୁ ବେନ୍ ଗାନ୍ଧୀ।
ଗାନ୍ଧୀଜୀ ସବୁବେଳେ ଫୁଟାପାଣି ପିଉଥିଲେ। ସେଦିନ ସକାଳେ ପାଣି ଫୁଟାଇବା ଟିକିଏ ଡେରି ହୋଇଯାଇଥିଲା। କାଉଁଳିଆ ପାଗ ଥିଲା। ତେଣୁ ନିଆଁ ଧରାଇବାରେ ଅସୁବିଧା ହେଉଥିଲା। ସେଥିପାଇଁ ମନୁ ଗୋଟିଏ ଶାଢ଼ିର ଧଡ଼ିକୁ ଚିରି, ତାକୁ ଚଉତି, କିରୋସିନିରେ ବୁଡ଼ାଇ, ନିଆଁ ଧରାଇବାକୁ ଉଦ୍ୟମ କଲେ।
ତାହା ଦେଖି ଗାନ୍ଧୀଜୀ ମନୁଙ୍କ ହାତରୁ ସେଇ ଧଡ଼ି ଖଣ୍ଡିକ ମାଗିନେଲେ। କହିଲେ- “ଏହାର ଭାଗ୍ୟ ଭଲ। ମୁଁ ଦେଖିଲି ବୋଲି ସିନା! ନହେଲେ ଏଯାଏ ନ ଜଳି କ’ଣ ରହିଥାନ୍ତା? ତା’ପରେ କହିଲେ- ନିଆଁ ଧରାଇବା ପାଇଁ ଏଇ ଲମ୍ବା ଧଡ଼ିଟିର ବ୍ୟବହାର କ’ଣ ନିହାତି ଦରକାର? ଏହାକୁ ତ ସୁନ୍ଦର ଭାବେ ଗୋଟିଏ ଫିତା ରୂପେ ବ୍ୟବହାର କରାଯାଇପାରିବ! ପୁଣି, କେତେ କିରୋସିନି ଅଯଥାରେ ନଷ୍ଟ ହେଲା?”

publive-image

ତାହା ଶୁଣି ମନୁ କହିଲେ- “ବାପୁ, ଆମେ କାହିଁକି ଏତେ କୃପଣ ପରି ଚଳିବା?” ଗାନ୍ଧୀଜୀ ଉତ୍ତର ଦେଲେ- “ତୁମେ ସିନା ଜଣେ ଧନୀ ବାପାର ଝିଅ। ମୋର ସେମିତି ଜଣେ ବାପା କାହାନ୍ତି- ଯିଏ କି ମୋତେ ଏତେ କଥା ଦେବେ?”

ତା’ପରେ ଗାନ୍ଧୀଜୀ ପାଖରେ ପଡ଼ିଥିବା କାଠି, କୁଟା ଆଦି ସାଉଁଟି ଆଣି, ସେଥିରେ ନିଆଁ ଧରାଇଲେ। ସେଇ ଶାଢ଼ିର ଧଡ଼ିଖଣ୍ଡିକୁ ସଫା କରି ଶୁଖାଇ ଦିଆଗଲା ଏବଂ ପରେ ଫିତା ରୂପେ ବ୍ୟବହାର କରାଗଲା।

ଦେଶ ଓ ଜାତିର ସେବାରେ ବଡ଼ ବଡ଼ କାମ କରିବା ଭିତରେ ବି ଗାନ୍ଧୀଜୀ ଏହିପରି ଛୋଟ ଛୋଟ ଶିକ୍ଷା ଦେବାରେ ଆନନ୍ଦ ପାଉଥିଲେ।