ଆହାର ନିଦ୍ରା ଭୟ ମୈଥୁନଞ୍ଚ
ସାମାନ୍ୟମେତତ୍ ପଶୁଭିର୍ନରାଣାମ୍‌,
ଧର୍ମୋ ହି ତେଷାମଧିକୋ ବିଶେଷୋ
ଧର୍ମେଣ ହୀନାଃ ପଶୁଭିଃ ସମାନାଃ।
-ପଣ୍ଡିତ ନାରାୟଣ, ହିତୋପଦେଶ-ମିତ୍ରଲାଭ, ୨୫
ଭାରତର ଓ ବିଶ୍ୱର କଥା-ସାହିତ୍ୟରେ ‘ହିତୋପଦେଶ’ର ରହିଛି ସ୍ୱତନ୍ତ୍ର ସ୍ଥାନ। ପଣ୍ଡିତ ନାରାୟଣ ଏହାର ରଚୟିତା। ଏହା ଚାରିଭାଗରେ ବିଭକ୍ତ ଏବଂ ଏହି ଚାରିଭାଗ ହେଉଛି- ମିତ୍ରଲାଭ, ସୁହୃଦ୍‌ଭେଦ, ବିଗ୍ରହ ଓ ସନ୍ଧି। କାକ, କୂର୍ମ, ମୃଗ ଓ ମୂଷିକ ମାଧ୍ୟମରେ ଏହି ଚାରିଭାଗର କାହାଣୀଗୁଡ଼ିକର ଅବତାରଣା କରାଯାଇଛି। ଏହି କାହାଣୀସବୁର ସାରମର୍ମ ହେଉଛି- ଜଣେ ସାଧନହୀନ ଓ ଧନହୀନ ହେଲେ ମଧ୍ୟ, ବୁଦ୍ଧି ଓ ମିତ୍ରତା ବଳରେ ଅସାଧ୍ୟ ସାଧନ କରିପାରେ। ପାଞ୍ଚଟି ତନ୍ତ୍ର, ଶାସ୍ତ୍ର ବା ସିଦ୍ଧାନ୍ତକୁ ନେଇ ଏହା ରଚିତ ହୋଇଥିବାରୁ ଏହାର ନାମ ‘ପଞ୍ଚତନ୍ତ୍ର’। ଏହା ହିତସାଧନକାରୀ ହୋଇଥିବାରୁ ଏହାର ନାମ ‘ହିତୋପଦେଶ’।
ଉପରୋକ୍ତ ସୁଭାଷିତ, ‘ହିତୋପଦେଶ’ର ‘ମିତ୍ରଲାଭ’ ଭାଗରୁ ସଂଗୃହୀତ। ଏଥିରେ ପଶୁ ଓ ମନୁଷ୍ୟ ମଧ୍ୟରେ ପ୍ରଭେଦ କ’ଣ ତାହା ବର୍ଣ୍ଣିତ ହୋଇଛି।
ଏଥିରେ କୁହାଯାଇଛି- ପଶୁ ଖାଏ, ନିଦ୍ରା ଯାଏ, ଭୟ କରେ ଏବଂ ମୈଥୁନରତ ହୁଏ। ମନୁଷ୍ୟ ମଧ୍ୟ ଏହି ଚାରିଟି ଆଚରଣ କରିଥାଏ। ଏଣୁ ଏହି ଚାରି ଦୃଷ୍ଟିରୁ ପଶୁ ଓ ମନୁଷ୍ୟ ମଧ୍ୟରେ କୌଣସି ପ୍ରଭେଦ ନାହିଁ। କିନ୍ତୁ ଗୋଟିଏ ଦୃଷ୍ଟିରୁ ମନୁଷ୍ୟ ପଶୁଠାରୁ ଭିନ୍ନ ହୋଇପାରେ। ତାହା ହେଉଛି- ଧର୍ମ ଆଚରଣ। ଯେଉଁ ମନୁଷ୍ୟ ଧର୍ମାଚରଣ କରେ, ସେ ପଶୁଠାରୁ ଉନ୍ନତ ଓ ଭିନ୍ନ। କିନ୍ତୁ ଯେଉଁ ମନୁଷ୍ୟ ଧର୍ମାଚରଣ କରେ ନାହିଁ, ସେ ପଶୁ ସହ ସମାନ। ପଶୁଠାରୁ ତାର କୌଣସି ପାର୍ଥକ୍ୟ ରହେ ନାହିଁ।