ଓଡ଼ିଶାର ଖେଳ ଦୁନିଆରେ ଅନେକ କ୍ରୀଡ଼ା ଦମ୍ପତି ଅଛନ୍ତି। କିନ୍ତୁ, ଦୁଇ ଲୋକପ୍ରିୟ ଖେଳ କ୍ରିକେଟ୍ ଓ ଚେସ୍ର ମହାମିଳନ ଘଟିଛି ଶ୍ରୀକ୍ଷେତ୍ର ପୁରୀରେ। ଚେସ୍ ରାଣୀ ଅପରାଜିତା ଗୋଚ୍ଛିକାର ଏବଂ କ୍ରିକେଟ୍ ଖେଳାଳି, ଲେଖକ ତଥା ଉଦ୍ୟୋଗୀ ସୌରଜିତ ପ୍ରଧାନୀଙ୍କ ଯୋଡ଼ି ରାଜ୍ୟ ଖେଳ ଜଗତରେ ବିରଳ ଓ ଚର୍ଚ୍ଚିତ। ଏହି କ୍ରୀଡ଼ା ଦମ୍ପତିଙ୍କ କାହାଣୀ ବେଶ୍ ନିଆରା।
ସଂସ୍କୃତି ଓ ପରମ୍ପରାରେ ସମୃଦ୍ଧ ଓଡିଶାର ପ୍ରାଣକେନ୍ଦ୍ରରେ ଦେଖିବାକୁ ମିଳିଛି ଖେଳ, ସାହିତ୍ୟ, ଉଦ୍ୟମିତାର ଅପୂର୍ବ ସମନ୍ବୟ। ଜଣେ ଦକ୍ଷ ଲେଖକ, ସ୍ତମ୍ଭକାର ଓ ଉଦୀୟମାନ ଉଦ୍ୟୋଗୀ ସୌରଜିତ ପ୍ରଧାନୀ ଓ ଅନ୍ୟ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚେସ୍ ଖେଳାଳି ଅପରାଜିତା ଗୋଚ୍ଛିକାର। ଦୁହେଁ ବହୁ ଦୃଷ୍ଟିରୁ ଭିନ୍ନ ହୋଇଥିଲେ ବି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ସେମାନଙ୍କ ମିଳନ ଓ କର୍ମଧାରା ପାରମ୍ପରିକ ଧାରଣାକୁ ପ୍ରତ୍ୟାଖ୍ୟାନ କରିବା ସହ ପ୍ରତିବନ୍ଧକକୁ ଭାଙ୍ଗିଛି ଏବଂ ଅନେକଙ୍କୁ ପ୍ରେରଣା ଯୋଗାଇଛି।
ରାଜ୍ୟ ଚେସ୍ରେ ଅପରାଜିତାଙ୍କ ସ୍ବତନ୍ତ୍ର ପରିଚୟ ରହିଛି। ଅପରାଜିତା ସୌନ୍ଦର୍ଯ୍ୟ ଓ ରଣନୈତିକ ପ୍ରତିଭା ବଳରେ ଚେସ୍ ବୋର୍ଡକୁ ଜିତିଛନ୍ତି। ଖେଳ ପ୍ରତି ଆଗ୍ରହ ଓ ଉତ୍କର୍ଷର ଅବିରତ ସାଧନାରେ ଇନ୍ଧନ ଯୋଗାଇ ଯୁବାବସ୍ଥାରୁ ଚେସ୍ ଦୁନିଆରେ ଅପରାଜିତାଙ୍କ ଯାତ୍ରା ଆରମ୍ଭ ହୋଇଥିଲା। ତାଙ୍କର ନିଷ୍ଠା ଓ କଠିନ ପରିଶ୍ରମ ଫଳରେ ସେ ଜାତୀୟ ଏବଂ ପରେ ଅନ୍ତର୍ଜାତୀୟ ସ୍ତରରେ ଭାରତକୁ ବିଶ୍ୱ ମଞ୍ଚରେ ପ୍ରତିନିଧିତ୍ୱ କରି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି। ଅପରାଜିତାଙ୍କ ସଫଳତା ମଧ୍ୟରେ ରହିଛି ଅସଂଖ୍ୟ ଉପାଧି ଓ ପ୍ରଶଂସା, ଯାହା ଭାରତୀୟ ଚେସ୍ ଇତିହାସରେ ତାଙ୍କ ନାଁ ସହ ଯୋଡ଼ି ହୋଇ ରହିଛି। ରାଜ୍ୟଗୋଷ୍ଠୀ ଓ ଏସିଆନ୍ ଚାମ୍ପିଅନସିପ୍ ଆଦିରେ ସେ ପଦକ ଜିତିଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ଚେସ୍ ଅଲିମ୍ପିଆଡ୍ରେ ଫିଡେ ଫେୟାର୍ ପ୍ଲେ ପ୍ୟାନେଲ୍ର ସଦସ୍ୟ ଭାବେ ଅଂଶଗ୍ରହଣ କରିଛନ୍ତି। ତାଙ୍କର ରଣନୈତିକ ଦକ୍ଷତା ଏବଂ ଅବିଚଳିତ ଧ୍ୟାନ କେବଳ ତାଙ୍କ ସମକକ୍ଷ ଖେଳାଳିଙ୍କ ପ୍ରଶଂସା ଅର୍ଜନ କରି ନାହିଁ, ବରଂ ଓଡ଼ିଶା ତଥା ଓଡ଼ିଶା ବାହାରେ ଏକ ନୂଆ ପିଢ଼ିର ଆଶାୟୀ ଚେସ୍ ଖେଳାଳିଙ୍କୁ ପ୍ରେରଣା ଯୋଗାଇଛି।
ପୁରୀ ଜଗନ୍ନାଥ ମନ୍ଦିରର ସେବାୟତ ସମ୍ପ୍ରଦାୟର ଦାୟାଦ ସୌରଜିତ ଜଣେ ସୁଲେଖକ। ତାଙ୍କର ପ୍ରଥମ ପୁସ୍ତକ ‘‘ଏନ୍ ଇନ୍ଟ୍ରୋସ୍ପେକଟିଭ୍ ମାଇଣ୍ଡ୍- କ୍ରିକେଟର୍ ଟର୍ଣ୍ଣଡ୍ ରାଇଟର୍’ ସୌରଜିତଙ୍କ ଲେଖକୀୟ ଦକ୍ଷତା ପ୍ରତିପାଦିତ କରେ। ଏହା ତାଙ୍କର କ୍ରିକେଟର୍ ହେବା ଏବଂ ସାମାଜିକ-ଅର୍ଥନୈତିକ ନିରୀକ୍ଷଣର ଅନୁଭୂତି ଉପରେ ଆଲୋକପାତ କରେ। ମାନବୀୟ ଭାବନାର ମର୍ମକୁ ଧରିବାର ଦକ୍ଷତା ତାଙ୍କୁ ନିଷ୍ଠାପର ପାଠକୀୟ ଆଦୃତି ପ୍ରଦାନ କରିଛି। ସେ ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାର ବହୁ ଖବରକାଗଜରେ ସ୍ତମ୍ଭକାର ଭାବେ କାର୍ଯ୍ୟ କରିଛନ୍ତି। ସାହିତ୍ୟ ସାଧନା ସହିତ ସୌରଜିତ ଫିନ୍ଟେକ୍ ଷ୍ଟାର୍ଟଅପ୍ ‘ଫିନ୍ସିଷ୍ଟ୍’ର ପ୍ରତିଷ୍ଠାତା ମଧ୍ୟ।
ଆଜିର ଆର୍ଥିକ ଦୃଶ୍ୟପଟ୍ଟରେ ଟେକ୍ନୋଲୋଜିର ଗୁରୁତ୍ୱକୁ ସ୍ୱୀକୃତି ପ୍ରଦାନ କରି ଫିନ୍ସିଷ୍ଟ୍ ଏକ ବ୍ୟବହାରକାରୀ ଅନୁକୂଳ ପ୍ଲାଟ୍ଫର୍ମ, ଯାହା ବିବିଧ ଗ୍ରାହକଙ୍କୁ ସେବା ଯୋଗାଇବ। ଫିନ୍ସିଷ୍ଟ୍ ଏକ ଆଲୋକବର୍ତ୍ତିକା ଭାବେ ଉଭା ହୋଇଛି, ଯାହା ନିବେଶ ପାଇଁ ଏକ ଅଭିନବ ଓ ବ୍ୟକ୍ତିଗତ ଦୃଷ୍ଟିକୋଣ ପ୍ରଦାନ କରୁଛି। କେବଳ ଏକ ପ୍ଲାଟ୍ଫର୍ମ ଠାରୁ ଅଧିକ ଫିନ୍ସିଷ୍ଟ୍ ‘‘ମାନବୀୟ ସ୍ପର୍ଶ ସହିତ ସେବା’’ ପ୍ରଦାନ କରିଥାଏ। ଏହା ବ୍ୟକ୍ତି ଓ ବ୍ୟବସାୟ ପାଇଁ ସମାନ ଭାବରେ ଆର୍ଥିକ ପରିଦୃଶ୍ୟରେ ବୈପ୍ଳବିକ ପରିବର୍ତ୍ତନ ଆଣିଥାଏ।
ସୌରଜିତଙ୍କ ଉଦ୍ୟମିତାରେ ପ୍ରବେଶର ଉଦ୍ଦେଶ୍ୟ ଥିଲା ବାସ୍ତବ ଦୁନିଆର ସମସ୍ୟା ସମାଧାନ ପାଇଁ ଅଭିନବ ଉପାୟ ବାହାର କରିବା। ଟେକ୍ନୋଲୋଜି ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବ୍ୟବହାର କରି ଦେଶର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆର୍ଥିକ ଦୃଷ୍ଟିରୁ ସ୍ବାକ୍ଷର କରିବା ତାଙ୍କର ଲକ୍ଷ୍ୟ। ସାହିତ୍ୟିକ ଓ ବ୍ୟାବସାୟିକ କ୍ଷେତ୍ର ସହ ନିରବଚ୍ଛିନ୍ନ ଭାବେ ଯୋଡ଼ି ହୋଇ ରହିବାର ଦକ୍ଷତା ସୌରଜିତଙ୍କୁ ଯଥେଷ୍ଟ ପରିଚୟ ଦେଇଛି। ସୌରଜିତ ଓ ଅପରାଜିତାଙ୍କ ମିଳନକୁ ପ୍ରକୃତରେ ଅନନ୍ୟ କରି ତୋଳିଛି ସେମାନଙ୍କର ନିଆରା ସମନ୍ୱୟ। ସାହିତ୍ୟ ଓ ଚେସ୍ କ୍ଷେତ୍ର ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ଥିଲେ ମଧ୍ୟ ଏହି ଦମ୍ପତି ସେମାନଙ୍କ ଶୃଙ୍ଖଳା, ସମର୍ପଣ ଓ ଉତ୍କର୍ଷର ଅବିରତ ସାଧନାରେ ମଗ୍ନ। ସାହିତ୍ୟ ହେଉ କି ଖେଳ, ପ୍ରେମ ଓ ଆବେଗର ଶକ୍ତି ଯେ ଅପରିସୀମ, ସେ କଥାର ପ୍ରମାଣ ଦେଉଛି ଏମାନଙ୍କ ସଫଳ ଯାତ୍ରା। ଯେଉଁଠାରେ ସମାଜ ବ୍ୟକ୍ତିର ବୃତ୍ତି ବା ରୁଚି ଆଧାରରେ ଭାଗବଣ୍ଟା ହୋଇଥାଏ, ସେହି ସମାଜରେ ସୌରଜିତ୍ ଓ ଅପରାଜିତାଙ୍କ ଜୀବନଧାରା ପ୍ରେରଣାର ଆଲୋକବର୍ତ୍ତିକା ଭାବେ କାର୍ଯ୍ୟ କରୁଛି।