ସମ୍ପ୍ରତି ସାମୁଦ୍ରିକ ତାପମାତ୍ରା ଆଶାତୀତ ଭାବେ ବଢ଼ିବାରେ ଲାଗିଛି। ୨୦୨୩ ମାର୍ଚ୍ଚ ପରଠାରୁ କ୍ରମାଗତ ଭାବେ ସମୁଦ୍ରର ହାରାହାରି ତାପମାତ୍ରା ଅସ୍ବାଭାବିକ ଭାବେ ଉଚ୍ଚ ରହି ଆସିଛି। ଚଳିତବର୍ଷ ମାର୍ଚ୍ଚ ମାସରେ ଏହା ରେକର୍ଡ ୨୧.୦୭ ଡିଗ୍ରି ସେଲସିଅସ୍ରେ ପହଞ୍ଚିଥିଲା। ଏପରି ତାପମାତ୍ରା ବୃଦ୍ଧି ଯୋଗୁଁ ସମୁଦ୍ର ଶଯ୍ୟାରେ ଥିବା ପ୍ରବାଳ ପାହାଡ଼ଗୁଡ଼ିକ ଧବଳ ହେବାରେ ଲାଗିଛନ୍ତି।
ଚତୁର୍ଥ ଥର ପାଇଁ ଏପରି ‘ସାମୂହିକ ବୈଶ୍ବିକ ପ୍ରବାଳ ଧବଳୀକରଣ’ ଆରମ୍ଭ ହୋଇଯାଇଛି। ଏହାର ପରିଣତି ସ୍ବରୂପ ସମୁଦ୍ର ଉପରେ ନିର୍ଭର କରୁଥିବା କୋଟି କୋଟି ସାମୁଦ୍ରିକ ପ୍ରାଣୀ ଓ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଓ ଜୀବିକା ପ୍ରତି ବିପଦ ସୃଷ୍ଟି ହୋଇଛି। ଉଲ୍ଲେଖଯୋଗ୍ୟ, ସାମୁଦ୍ରିକ ପରିବେଶ ପ୍ରଣାଳୀର ସନ୍ତୁଳନରେ ପ୍ରବାଳ ପାହାଡ଼ଗୁଡ଼ିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହଛି। ଗୋଟିଏ ଗୋଟିଏ ପ୍ରବାଳ ପାହାଡ଼ ଉପରେ ହଜାର ହଜାର ପ୍ରଜାତିର ସାମୁଦ୍ରିକ ପ୍ରାଣୀ ନିର୍ଭର କରିଥା’ନ୍ତି। ଉଦାହରଣ ସ୍ବରୂପ, ଅଷ୍ଟ୍ରେଲିଆର ଉତ୍ତର-ପୂର୍ବ ଉପକୂଳ ସମୁଦ୍ରରେ ଥିବା ୨,୦୨୮ କି.ମି. ବ୍ୟାପୀ ବିଶ୍ବର ବୃହତ୍ତମ ‘ଗ୍ରେଟ୍ ବାରିଅର’ ପ୍ରବାଳ ପାହାଡ଼ରେ ୪୦୦ରୁ ଅଧିକ ପ୍ରଜାତିର ପ୍ରବାଳ, ୧,୫୦୦ ପ୍ରଜାତିର ମାଛ ଓ ୪,୦୦୦ ପ୍ରଜାତିର ଶାମୁକା ରହିଛନ୍ତି। ଏଥିସହ ସେଠାରେ ପୃଥିବୀର ୭ଟି ସାମୁଦ୍ରିକ କଇଁଛ ପ୍ରଜାତି ମଧ୍ୟରୁ ଛଅଟି ପ୍ରଜାତି ରହି ଆସୁଥିବା ଜଣାଯାଇଛି। ଏହାର ଆଖପାଖ ଇଲାକାରେ ମଧ୍ୟ ଲକ୍ଷାଧିକ ଅନାବିଷ୍କୃତ ଜୀବ ରହିଥିବା ଅନୁମାନ କରାଯାଏ। ଏହି ପ୍ରବାଳ ପାହାଡ଼ ବାର୍ଷିକ ୩୭,୫୦୦ କୋଟି ଡଲାରର ପଣ୍ୟ ଓ ସେବା ଯୋଗାଉଛି। ମୋଟାମୋଟି ପୃଥିବୀର ବିଭିନ୍ନ ପ୍ରବାଳ ପାହାଡ଼ଗୁଡ଼ିକ ପ୍ରାୟ ୫୦ କୋଟି ଲୋକଙ୍କୁ ଖାଦ୍ୟ ଓ ଜୀବିକା ଯୋଗାଇବା ସହ ବିଭିନ୍ନ ସାମୁଦ୍ରିକ ଝଡ଼ ଓ ବନ୍ୟାରୁ ସୁରକ୍ଷା ମଧ୍ୟ ପ୍ରଦାନ କରୁଛି। ଏଥିରୁ ପ୍ରବାଳଗୁଡ଼ିକର ଗୁରୁତ୍ବ ସହଜରେ ଅନୁମେୟ।
ଚତୁର୍ଥ ‘ବୈଶ୍ବିକ ପ୍ରବାଳ ଧବଳୀକରଣ’ ଆରମ୍ଭ ହୋଇଯାଇଛି, ଯାହା ସାମୁଦ୍ରିକ ପ୍ରାଣୀଙ୍କ ସମେତ ଲକ୍ଷ ଲକ୍ଷ ଲୋକଙ୍କ ଜୀବନଜୀବିକାକୁ ବିପନ୍ନ କରିପାରେ।
ସୂଚନାଯୋଗ୍ୟ, ଅଧିକାଂଶ ପ୍ରବାଳରେ ସାଧାରଣତଃ ‘ଜୁକ୍ସାନ୍ଥେଲି’ ନାମକ ଏକ ପ୍ରକାର ଶୈବାଳ ଭରି ରହିଥାଏ, ଯାହା ପ୍ରବାଳକୁ ଅମ୍ଳଜାନ ଯୋଗାଇ ତାହାର ଖାଦ୍ୟ ପ୍ରସ୍ତୁତି ଓ ବଂଶବୃଦ୍ଧିରେ ସାହାଯ୍ୟ କରିଥାଏ। ଏଥି ସହିତ ଏହା ପ୍ରବାଳକୁ ଉଜ୍ଜ୍ବଳ ତଥା ସ୍ବତନ୍ତ୍ର ରଙ୍ଗ ପ୍ରବାନ କରିଥାଏ। ଏଣେ ପ୍ରବାଳଗୁଡ଼ିକ ଆଲୋକରଶ୍ମି ପ୍ରତି ଭୀଷଣ ଭାବରେ ସମ୍ବେଦନଶୀଳ। ତାପମାତ୍ରାର ସାମାନ୍ୟତମ ପରିବର୍ତ୍ତନ ବି ପ୍ରବାଳଗୁଡ଼ିକୁ ଚାପରେ ପକାଇଥାଏ, ଫଳରେ ସେମାନଙ୍କ ଶରୀରରୁ‘ଜୁକ୍ସାନ୍ଥେଲି’ କ୍ଷରଣ ହୁଏ ଏବଂ ପ୍ରବାଳର ରଙ୍ଗ ଧଳା ହୋଇଯାଏ। ଏହାକୁ ପ୍ରବାଳ ଧବଳୀକରଣ କୁହାଯାଏ। ଏହା ପ୍ରବାଳଗୁଡ଼ିକର କେବଳ ଆଶୁ ମୃତ୍ୟୁ ଆଣିନଥାଏ, ଏଥି ସହିତ ସେମାନଙ୍କର ପ୍ରଜନନ କ୍ଷମତା ମଧ୍ୟ କମାଇ ବିଭିନ୍ନ ମରଣାନ୍ତକ ରୋଗର କାରଣ ସାଜିଥାଏ। ବିଶେଷ କରି ଆଟ୍ଲାଣ୍ଟିକ୍ ମହାସାଗର, ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରରେ ଦେଖାଦେଉଥିବା ଏଭଳି ଉଲ୍ଲେଖନୀୟ ପରିବର୍ତ୍ତନକୁ ‘ସାମୂହିକ ବୈଶ୍ବିକ ପ୍ରବାଳ ଧବଳୀକରଣ’ କୁହାଯାଏ। ଏପରି ପ୍ରଥମ ଘଟଣା ୧୯୯୮ରେ ଦେଖାଯାଇଥିଲା ଯେଉଁଥିରେ ବିଶ୍ବର ୨୦% ପ୍ରବାଳ ପାହାଡ଼ ପ୍ରଭାବିତ ହୋଇଥିଲେ। ଦ୍ବିତୀୟ ଘଟଣା ୨୦୧୦ରେ (୩୫% ପ୍ରଭାବିତ) ଓ ତୃତୀୟ ସାମୁହିକ ଧବଳୀକରଣ ୨୦୧୪ରୁ ୨୦୧୭ ଭିତରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ପ୍ରାୟ ୫୬ ପ୍ରତିଶତ ପ୍ରବାଳ କ୍ଷତିଗ୍ରସ୍ତ ହୋଇଥିଲେ। ସମ୍ପ୍ରତି ୫୪ଟି ଦେଶରୁ ମିଳିଥିବା ତଥ୍ୟ ମୁତାବକ ଚତୁର୍ଥ ସାମୂହିକ ପ୍ରବାଳ ସଫେଦୀକରଣ ଆରମ୍ଭ ହୋଇଯାଇଛି।