ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଗଣନା କରାଯାଇଛି କି, ଭବିଷ୍ୟତରେ ଏକ ବିଶାଳ ମହାଜାଗତିକ ପିଣ୍ଡ ପୃଥିବୀପୃଷ୍ଠରେ ମାଡ଼ ହେବ। ଆଜିଠୁ ୧୫୯ ବର୍ଷ ପରେ ଅର୍ଥାତ୍‌ ୨୧୮୨ ମସିହା ସେପ୍ଟେମ୍ବର ୨୪ ତାରିଖରେ ଭୂପୃଷ୍ଠରେ ପିଟିହେବାକୁ ଥିବା ‘ବେନ୍ନୁ’ ନାମକ ଏହି ଗ୍ରହଖଣ୍ଡରୁ ଏତେ ପରିମାଣର ଶକ୍ତି ନିର୍ଗତ ହେବ ଯେ ତାହା ୨୨ଟି ପରମାଣୁ ବୋମା ବିସ୍ଫୋରଣ ସହ ସମାନ ବୋଲି ବୈଜ୍ଞାନିକମାନେ ଆକଳନ କରିଛନ୍ତି। ତେବେ ଏଥିରେ ବିଚଳିତ ହେବାର ସେଭଳି ଦୃଢ଼ କାରଣ ନାହିଁ। କାରଣ ପୃଥିବୀ ଦେହରେ ଏହା ଧକ୍କା ଖାଇବାର ସମ୍ଭାବନା ୨,୭୦୦ ଭାଗରୁ ଭାଗେ ବୋଲି ‘ନାସା’ ସ୍ପଷ୍ଟ କରିଛି। ତଥାପି ସାମାନ୍ୟତମ ଆଶଙ୍କାକୁ ଏଡ଼ାଇବା ଲାଗି ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିଛନ୍ତି।

Advertisment

ଏପରି ବିପର୍ଯ୍ୟୟକୁ ରୋକିବା ଉଦ୍ଦେଶ୍ୟରେ ‘ବେନ୍ନୁ’ରୁ ନମୁନା ସଂଗ୍ରହ ପାଇଁ ‘ନାସା’ ପକ୍ଷରୁ ୭ ବର୍ଷ ତଳେ ମହାକାଶଯାନ ‘ଓସିରିସ-ରେକ୍ସ’କୁ ପଠାଯାଇଥିଲା। ‘ବେନ୍ନୁ’ର ଗତିବିଧିକୁ ବିଶ୍ଳେଷଣ କରି ସେମାନେ ଏହି ଧକ୍କା ବାବଦରେ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୧୯୯୯ ମସିହାରେ ପୃଥିବୀ କକ୍ଷପଥ ନିକଟରେ ‘ବେନ୍ନୁ’କୁ ଆବିଷ୍କାର କରାଯାଇଥିଲା। ହୀରା ଆକୃତିର ଏହି ମହାକାଶୀୟ ପିଣ୍ଡର ବ୍ୟାସ ପ୍ରାୟ ୫୦୦ ମିଟର। ସୂର୍ଯ୍ୟକୁ ଏହା ଏପରି ଏକ କକ୍ଷପଥରେ ପରିକ୍ରମଣ କରୁଛି, ଯଦ୍ଦ୍ବାରା ପ୍ରତି ଛଅ ବର୍ଷରେ ଥରେ ଏହା ପୃଥିବୀର ନିକଟତର ହେଉଛି।