ଆମେରିକାର ଅବସରପ୍ରାପ୍ତ ନୌସେନା ଅଧିକାରୀ ତଥା ଦକ୍ଷିଣ ଫ୍ଲୋରିଡା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଜୋ ଡାଇଟୁରି ଏକ ଅଭିନବ ଗବେଷଣା ପାଇଁ ତିରିଶ ଫୁଟ ଗଭୀର ପାଣିତଳେ ଶହେ ଦିନ ରହିବାକୁ ପଦକ୍ଷେପ ନେଇଛନ୍ତି। ମନୁଷ୍ୟ ଶରୀର ଉପରେ ସଲିଳ ପରିବେଶ କି ପ୍ରଭାବ ପକାଉଛି ତାହାର ପରୀକ୍ଷା ନିରୀକ୍ଷା ପାଇଁ ‘ଡକ୍ଟର ଡିପ୍ ସି’ ଭାବେ ପରିଚିତ ଡାଇଟୁରି ଗତ ମାର୍ଚ୍ଚ ପହିଲାରୁ ଏପରି ନିଆରା ଅଭିଯାନ ଆରମ୍ଭ କରିଛନ୍ତି। ଜୈବଭେଷଜ ଜ୍ଞାନକୌଶଳରେ ପିଏଚ୍ଡି ହାସଲ କରିଥିବା ଡାଇଟୁରି ମନୁଷ୍ୟକୁ ଆକ୍ରାନ୍ତ କରୁଥିବା ବିଭିନ୍ନ ରୋଗର ପ୍ରଭାବକୁ ଅନୁଧ୍ୟାନ କରିବେ। ‘ନେପଚ୍ୟୁନ୍ ୧୦୦’ ନାମକ ଗବେଷଣାର ଅଂଶବିଶେଷ ଏହି ଅଭିଯାନ ସଂପୂର୍ଣ୍ଣ ହେଲେ ଜଳ ଭିତରେ ଦୀର୍ଘ ସମୟ ବିତାଇବାର ବିଶ୍ବ ରେକର୍ଡ ମଧ୍ୟ ସେ ସ୍ଥାପନ କରିବେ। ମହାକାଶ ଯାତ୍ରା ଅନୁରୂପ ପରିବେଶରେ ସେ ପାଣି ତଳେ ଏକ ନିବୁଜ ସମ୍ପୁଟ ବା କ୍ୟାପସୁଲ ଭିତରେ ଅବସ୍ଥାନ କରୁଥିବା ବେଳେ ତାଙ୍କ ଉପରେ ପଡୁଥିବା ବିଭିନ୍ନ ଜୈବିକ ପ୍ରଭାବକୁ ଏକ ମନସ୍ତତ୍ତ୍ବବିତ୍ ଓ ମାନସିକ ରୋଗ ବିଶେଷଜ୍ଞ ଦଳ ତର୍ଜମା କରୁଛନ୍ତି।
ଏହି ପରୀକ୍ଷଣର ଉଦ୍ଦେଶ୍ୟ ହେଉଛି, ଆମେ ଯଦି ଆମ ଗ୍ରହ ବାହାରକୁ ସମ୍ପ୍ରସାରଣ କରନ୍ତି ବା ଅନ୍ୟ ଗ୍ରହରେ ଜୀବନଯାପନ ପାଇଁ ମନ ବଳାନ୍ତି, ତେବେ ଆମ ଶରୀରକୁ କିଭଳି ପ୍ରସ୍ତୁତ ହେବାକୁ ପଡ଼ିବ, ତାହା ନିର୍ଦ୍ଧାରଣ କରିବା। ଆମେ ଭୂପୃଷ୍ଠରେ କେବଳ ବାୟୁମଣ୍ଡଳୀୟ ଚାପ ଅନୁଭବ କରୁଥିବା ବେଳେ ୩୦ ଫୁଟ ପାଣି ତଳେ ପ୍ରାୟ ୧.୬ ଗୁଣ ଅଧିକ ଚାପ ତାଙ୍କ ଶରୀରକୁ ଅଧିକ ସତେଜ, କାର୍ଯ୍ୟକ୍ଷମ ଓ ଅତିମାନବ କରିବ ବୋଲି ପାଣି ଭିତରେ ପଶିବା ଆଗରୁ ଡାଇଟୁରି ଆଶାବାଦୀ ଥିବା କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/56fs4h65hhffhhf.jpg)