ବିଶ୍ବବ୍ୟାପୀ ସମ୍ପ୍ରତି ଯୁବପିଢ଼ିଙ୍କର ଶ୍ରବଣଶକ୍ତି ହାନି ଆଶଙ୍କା ଚିନ୍ତାର ବିଷୟ ହୋଇଛି। ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଧାରା ଜାରି ରହିଲେ ୨୦୫୦ ମସିହା ସୁଦ୍ଧା ବିଶ୍ବର ଶହେ କୋଟି ୧୨ରୁ ୩୫ ବର୍ଷ ବୟସର କିଶୋର ଓ ଯୁବା ଶ୍ରବଣ ଶକ୍ତି ହରାଇବେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଆଶଙ୍କା ବ୍ୟକ୍ତ କରିବା ସହ ସତର୍କ କରାଇଦେଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ନିରାପଦ ଶ୍ରବଣ’ ମାର୍ଗଦର୍ଶିକା ଅନୁଯାୟୀ, ଉପରୋକ୍ତ ସଂକଟଜନକ ସ୍ଥିତି ବିଶେଷ କରି ଯୁବପିଢ଼ିଙ୍କ ଦ୍ବାରା ବହୁଳ ଭାବରେ ଇଅରଫୋନ୍‌ ଓ ଇଅରବଡ୍‌ର ବ୍ୟବହାର ସାଙ୍ଗକୁ ଅନ୍ୟାନ୍ୟ ବ୍ୟକ୍ତିଗତ ଯନ୍ତ୍ରରୁ ଅତ୍ୟୁଚ୍ଚ ଧ୍ବନି ଶ୍ରବଣ ଯୋଗୁଁ ଉପୁଜିଥିବା ଜଣାଯାଇଛି। ବର୍ତ୍ତମାନ ଏହି ବୟସର ୫୦ କୋଟି ଲୋକଙ୍କର ଶ୍ରବଣଶକ୍ତିରେ ହ୍ରାସ ଦେଖାଦେଇଥିବା ଆକଳନ କରାଯାଉଥିବା ବେଳେ ସେମାନଙ୍କ ଭିତରୁ ୨୫ ପ୍ରତିଶତଙ୍କର ଶ୍ରବଣଶକ୍ତି ହ୍ରାସ ଅତ୍ୟୁଚ୍ଚ ଭଲ୍ୟୁମ୍‌ରେ ଗୀତ ଶୁଣିବା ଯୋଗୁଁ ହୋଇଥିବା ସ୍ପଷ୍ଟ ହୋଇଛି। ପୁଣି ସେମାନଙ୍କ ଭିତରୁ ୫୦ ପ୍ରତିଶତଙ୍କର ଶ୍ରବଣଶକ୍ତି ହ୍ରାସ କେବଳ କ୍ଲବ୍‌, ସିନେମା ହଲ୍‌ ଓ ଫିଟ୍‌ନେସ୍‌ କେନ୍ଦ୍ରମାନଙ୍କରେ ଉଚ୍ଚ ଧ୍ବନିର ସଂଗୀତ ଶୁଣିବା ଯୋଗୁଁ ହୋଇଛି।

Advertisment

ଦୀର୍ଘ ସମୟ ଧରି ଉଚ୍ଚ ତୀବ୍ରତାର ଶବ୍ଦ ଶୁଣିବା ଦ୍ବାରା କାନ ଭିତରେ ଥିବା ସମ୍ବେଦନଶୀଳ କୋଷଗୁଡ଼ିକ ନଷ୍ଟ ହୋଇଥାଏ, ଯାହାର ପୁନଃମରାମତି
ସମ୍ଭବ ନୁହେଁ

ସାଧାରଣତଃ ମନୁଷ୍ୟର କାନ ୨୦ ଡେସିବଲ୍‌ରୁ ୩୦ ଡେସିବଲ୍‌ ତୀବ୍ରତା ବିଶିଷ୍ଟ ଧ୍ବନି ଗ୍ରହଣ କଲେ ଶ୍ରବଣଶକ୍ତି ନିରାପଦ ରହିଥାଏ। ତେବେ ସାମୟିକ ଭାବେ ୭୫ ଡେସିବଲ୍‌ରୁ ୧୩୦ ଡେସିବଲ୍‌ ତୀବ୍ରତା ଯାଏ ଶବ୍ଦ କାନରେ ବାଜିଲେ ସେଭଳି କିଛି ଗୁରୁତର କ୍ଷତି ହେବନାହିଁ। ମାତ୍ର ଯୁବପିଢ଼ି ତାହାଠାରୁ ଅଧିକ ତୀବ୍ରତାର ଶବ୍ଦ ଶୁଣିବାକୁ ପସନ୍ଦ କରି ଏପରି ବିପଦକୁ ଆମନ୍ତ୍ରଣ କରି ଚାଲିଛନ୍ତି। ଦୀର୍ଘ ସମୟ ଧରି ଉଚ୍ଚ ତୀବ୍ରତାର ଶବ୍ଦ ଶୁଣିବା ଦ୍ବାରା କାନ ଭିତରେ ଥିବା ସମ୍ବେଦନଶୀଳ କୋଷଗୁଡ଼ିକ ନଷ୍ଟ ହୋଇଯାଇଥାଏ, ଯାହାର ଆଉ ପୁନଃମରାମତି ସମ୍ଭବ ନୁହେଁ, କାରଣ ସେଥିପାଇଁ କୌଣସି ପ୍ରକାର ଭେଷଜ ଚିକିତ୍ସା କି ଅସ୍ତ୍ରୋପଚାର ବିକଳ୍ପ ଉପଲବ୍‌ଧ ନାହିଁ। ତେଣୁ ସ୍ବୟଂକୃତ ଶ୍ରବଣଶକ୍ତି ହ୍ରାସକୁ ରୋକିବା ପାଇଁ ନିରାପଦ ତୀବ୍ରତା ସୀମା ଭିତରେ ଗୀତ ଶୁଣିବା ସହ ଆବଶ୍ୟକ ହେଲେ ଖୁବ୍‌ କମ୍‌ ସମୟ ପାଇଁ ୭୫ରୁ ୧୨୫ ଡେସିବଲ୍‌ ତୀବ୍ରତାର ଧ୍ବନି ଗ୍ରହଣ କରିବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ କରିଛି।