ସ୍ବାସ୍ଥ୍ୟ ଉପଯୋଗୀ ପୋଷାକ କ୍ରମରେ ପଶୁ ଚମଡ଼ାରୁ ପ୍ରସ୍ତୁତ ସୌଖୀନ ଜ୍ୟାକେଟ୍‌ର ଚାହିଦା ବହୁତ ବେଶୀ। ତେବେ ଏଭଳି ପୋଷାକ ପ୍ରସ୍ତୁତି ପଛରେ ପଶୁହତ୍ୟା ପରି ଜଘନ୍ୟ କାର୍ଯ୍ୟ ଜଡ଼ିତ ଥିବାରୁ ଅନେକ ବିଳାସୀ ବ୍ୟକ୍ତି ମଧ୍ୟ ଚମଡ଼ା ଜ୍ୟାକେଟ୍‌କୁ ସହଜରେ ଗ୍ରହଣ କରିପାରନ୍ତିନି। ତେବେ ସେମାନଙ୍କ ପାଇଁ ଖ୍ୟାତନାମା ପୋଷାକ କମ୍ପାନି ଗାନ୍ନି ପକ୍ଷରୁ ଏକ ସର୍ବଗ୍ରାହ୍ୟ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଜ୍ୟାକେଟ୍ ପ୍ରସ୍ତୁତିରେ ଆଉ ଚମଡ଼ା ବ୍ୟବହାର ନକରି ବୀଜାଣୁ ବା ବ୍ୟାକ୍ଟେରିଆ ପରି ଇତର ଅଣୁଜୀବଙ୍କ ଶରୀରରୁ ସେଲୁଲୋଜ୍ କାଢ଼ି ଏକ ପ୍ରକାର ବିକଶିତ ବସ୍ତ୍ରରେ ଚମଡ଼ା ଅନୁରୂପ ଜ୍ୟାକେଟ୍ ପ୍ରସ୍ତୁତ ହୋଇଛି।

Advertisment

ନିକଟରେ କୋପେନହେଗେନ୍ ଠାରେ ଅନୁଷ୍ଠିତ ବିଶ୍ବସ୍ତରୀୟ ପରିପାଟୀ ପ୍ରଦର୍ଶନୀରେ ଗାନ୍ନି କମ୍ପାନିର ଏହି ଅଭିନବ ଜ୍ୟାକେଟ୍ ଶୋଭା ପାଇଥିଲା। ତାହା ଚିକ୍କଣ କାଗଜ ବା ପ୍ଳାଷ୍ଟିକ୍‌ ପରି ଦେଖାଯାଉଥିବା ବେଳେ ଅବିକଳ ଚମଡ଼ା ପରି ହାତକୁ ଲାଗିବା ସହ ତାହାର ଅନ୍ୟାନ୍ୟ ଗୁଣଗୁଡ଼ିକ ମଧ୍ୟ ଅକ୍ଷୁଣ୍ଣ ରହିଛି। ଏହାର ପ୍ରସ୍ତୁତି ସ୍ବରୂପ, କୃଷି ଉଦ୍ୟୋଗରେ ପରିତ୍ୟକ୍ତ ଆମ୍ବ ଚୋପା ଓ ଟାକୁଆକୁ ଖାଦ୍ୟ ଭାବେ ଗ୍ରହଣ କରୁଥିବା ବୀଜାଣୁମାନେ ତହିଁରେ ଥିବା ଶର୍କରାକୁ ସେଲୁଲୋଜ୍‌ରେ ରୂପାନ୍ତରିତ କରିଥା’ନ୍ତି। ଏହି ସେଲୁଲୋଜ୍‌ର ମୋଟା ଝିଲ୍ଲୀକୁ ନରମ ପଶୁ ଚମଡ଼ାର ବିକଳ୍ପ ଭାବେ ବ୍ୟବହାର କରି ଏହି ଜ୍ୟାକେଟ୍ ପ୍ରସ୍ତୁତ ହୋଇଛି। ବିଭିନ୍ନ ନାମୀ ଦାମୀ ଆନ୍ତର୍ଜାତିକ ପୋଷାକ କମ୍ପାନି ଚମଡ଼ା ବ୍ୟବହାରକୁ ହ୍ରାସ କରିବା ପାଇଁ ବିକଳ୍ପ ଉପାଦାନ ଅନ୍ବେଷଣରେ ରହିଛନ୍ତି। ଏହି କ୍ରମରେ ବିଭିନ୍ନ ପ୍ରକାର ଫିମ୍ପିରୁ ବିକଶିତ ମାଇକେଲିଅମ୍ ନାମକ ଏକପ୍ରକାର ବସ୍ତ୍ରୋପଯୋଗୀ ଉପାଦାନ ଉପରେ ମଧ୍ୟ ପରୀକ୍ଷା ନିରୀକ୍ଷା ଜାରି ରହିଛି। ତେବେ ଗାନ୍ନି ଦ୍ବାରା ବଜାରକୁ ଆସିଥିବା ଏହି ସେଲୁଲୋଜ୍ ନିର୍ମିତ ଜ୍ୟାକେଟ୍ ପଶୁ ଚମଡ଼ାଠାରୁ ମଧ୍ୟ ଅଧିକ ଶକ୍ତ ବୋଲି କମ୍ପାନି ଦାବି କରିଛି।