‘ମାତାଜୀ, ଏ ସବୁ ଛାଡ଼ି ଭଗବାନଙ୍କ ନାମ ଜପ’, ‘ଏ ବୁଢ଼ୀ, ଘରେ ବସ!’, ‘ହାଡ଼ ଭାଙ୍ଗିଯିବ’- ୫୮ ବର୍ଷ ବୟସରେ ମଡେଲିଂ କ୍ୟାରିଅର୍ ଆରମ୍ଭ କରିବା ପରେ ମୁକ୍ତା ସିଂହ ସାମାଜିକ ଗଣମାଧ୍ୟମରେ ଏହିପରି ଅନେକ ମନ୍ତବ୍ୟର ଶରବ୍ୟ ହୋଇଥିଲେ। ବିଶେଷ କରି ଯୁବପିଢ଼ି ଦ୍ବାରା ବ୍ୟଙ୍ଗବିଦ୍ରୂପର ଶିକାର ହେବା ସତ୍ତ୍ବେ ମୁକ୍ତା ହତୋତ୍ସାହିତ ନ ହୋଇ ନିଜ ଫ୍ୟାସନ୍ କ୍ୟାରିଅର୍ରେ ଆଗକୁ ବଢ଼ିବା ଜାରି ରଖିଲେ। ଏବେ ୬୧ ବର୍ଷ ବୟସରେ ସେ ନିଜ ଧଳା ବାଳକୁ ଦୁର୍ବଳତା ପରିବର୍ତ୍ତେ ଆତ୍ମବିଶ୍ବାସର ପ୍ରତୀକ ରୂପେ ପ୍ରଦର୍ଶନ କରିବା ଶିଖିଯାଇଛନ୍ତି।
ମୁକ୍ତା ଯୁବ ବୟସରେ ଷ୍ଟାଇଲ୍ପ୍ରିୟ ବୟସ୍କ ମହିଳାଙ୍କୁ ଖୁବ୍ ପସନ୍ଦ କରୁଥିଲେ। ତାଙ୍କ ଜେଜେମାଆ ଜୀବନର ପଞ୍ଚମ ଦଶକରେ ସୂତା ଶାଢ଼ୀରେ ଶୋଭାମୟ ଦିଶୁଥିଲେ ତ ମାଆ ମୃତ୍ୟୁ ଶଯ୍ୟାରେ ସୁଦ୍ଧା ନିଜର ସାଜସଜ୍ଜା ପ୍ରତି ବିଶେଷ ଧ୍ୟାନ ଦେଉଥିଲେ। ଉଭୟଙ୍କ ଜୀବନରୁ ପ୍ରେରଣା ନେଇ ସେ ନିଜ ବୟସକୁ ଷ୍ଟାଇଲ୍ ପାଇଁ ବାଧକ ହେବାକୁ ନ ଦେବାର ନିଷ୍ପତ୍ତି ନେଇଥିଲେ। ଆମ ସମାଜର ଏକ ପରମ୍ପରାଗତ ଧାରଣା ହେଲା ବୟସ ବଢ଼ିଗଲା ପରେ ମହିଳାମାନେ ଆଉ ବେଶପୋଷାକ ପ୍ରତି ଯତ୍ନଶୀଳ ହେବା ଅନୁଚିତ। ଏହି ଧାରଣାକୁ ଖାରଜ କରି ମୁକ୍ତା ଦୁନିଆକୁ ଦେଖାଇଦେବାକୁ ଚାହାନ୍ତି ଯେ ସେ ନିଜକୁ ନେଇ ଗର୍ବିତ ଏବଂ ସେ ନିଜକୁ ଖୁବ୍ ସମ୍ମାନ କରନ୍ତି। ତାଙ୍କ ମତରେ ଫ୍ୟାସନ୍ ହେଉଛି ଆତ୍ମସମ୍ମାନର କଥା।
ଇଂରେଜୀରେ ସ୍ନାତକୋତ୍ତର କରିବା ପରେ ମୁକ୍ତା ଜଣେ ଫାଇଟର୍ ପାଇଲଟ୍ଙ୍କୁ ବିବାହ କରିଥିଲେ। ଦୁଇ ପୁଅଙ୍କ ଜନନୀ ହୋଇ ସେମାନଙ୍କୁ ବଡ଼ କରିବାରେ ତାଙ୍କର ଯୌବନ ବିତିଯାଇଥିଲା। ଏଥି ସହିତ ସେ ଇଂରେଜୀ ପଢ଼ାଇବା ଜାରି ରଖିଥିଲେ। ଏ ସବୁ ଭିତରେ ସେ ନିଜ ବେଶପୋଷାକ ପ୍ରତି ବିଶେଷ ଧ୍ୟାନ ଦେଇପାରୁନଥିଲେ। ପିଲାମାନେ ବଡ଼ ହୋଇଯିବା ପରେ ତାଙ୍କ ଉପରେ ବୟସର ଛାପ ସ୍ପଷ୍ଟ ହୋଇସାରିଥିଲା। ତାକୁ ଲୁଚାଇବାକୁ ଉଦ୍ୟମ କରିବା ବଦଳରେ ସେ ନିଜ ରୂପକୁ ସଶକ୍ତୀକରଣର ମାଧ୍ୟମରେ ବଦଳାଇବା ଆରମ୍ଭ କଲେ। ଇନ୍ଷ୍ଟାଗ୍ରାମ୍ରେ ତାଙ୍କର ଏକ ଫଟୋ ଦେଖି ଜଣେ ଡିଜାଇନର୍ ତାଙ୍କୁ ମଡେଲ୍ ଭାବେ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ଅନେକ ଡିଜାଇନର୍ ତାଙ୍କୁ ମଡେଲିଂର ସୁଯୋଗ ଦେଇଆସୁଛନ୍ତି।
ବୟସ୍କ ମହିଳାଙ୍କୁ କମ୍ ଗୁରୁତ୍ବପୂର୍ଣ୍ଣ ଓ କମ୍ ସୁନ୍ଦର ଦର୍ଶାଉଥିବା ଭେଦଭାବପୂର୍ଣ୍ଣ ବିଚାର ସହ ଲଢ଼ିବାରେ ମୁକ୍ତାଙ୍କ କାହାଣୀ ଆମକୁ ପ୍ରେରଣା ଦେଇଥାଏ। ସମାଜକୁ ମୁକ୍ତାଙ୍କ ବାର୍ତ୍ତା ହେଲା- ଜୀବନର ସବୁ ପର୍ଯ୍ୟାୟକୁ ଖୁସି ଓ ଆତ୍ମସମ୍ମାନର ସହ ବଞ୍ଚିବା ଆବଶ୍ୟକ। ଜଣେ ମହିଳା ପରିବାରର ଯତ୍ନ ନେଉ ବୋଲି ସାମାଜିକ ପ୍ରତ୍ୟାଶା ଯୋଗୁଁ ସେ ନିଜକୁ ସଂପୂର୍ଣ୍ଣ ଅବହେଳା କରିବା ଅନୁଚିତ। ଶାରୀରିକ ସ୍ବାସ୍ଥ୍ୟ ଓ ସାଜସଜ୍ଜା ଗୁରୁତ୍ବହୀନ ଲାଗିପାରେ, କିନ୍ତୁ ବାସ୍ତବରେ ମହିଳାଙ୍କ ଆତ୍ମମୂଲ୍ୟାୟନରେ ଉଭୟଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ସେ କହନ୍ତି ଯେ ପୂର୍ବରୁ ଲୋକଙ୍କ ବିଦ୍ରୂପ ତାଙ୍କୁ କଷ୍ଟ ଦେଉଥିଲା, କିନ୍ତୁ ଆଉ ନୁହେଁ। ଅନ୍ୟମାନଙ୍କ ମନ୍ତବ୍ୟ ତାଙ୍କୁ ଏବେ ରୋକିପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/04/swOJ9jMdlATIyoJzn2LT.jpg)