‘ମାଇନ୍କ୍ରାଫ୍ଟ’ ହେଉଛି ପୃଥିବୀର ସର୍ବକାଳୀନ ସର୍ବାଧିକ ଲୋକପ୍ରିୟ ଭିଡିଓଗେମ୍। କଳ୍ପନାଶକ୍ତି ଓ ସୃଜନଶୀଳତା ବଢ଼ାଉଥିବା ଏହି ଗେମ୍କୁ ଆଜି ବି ମାସକୁ ହାରାହାରି ୧୭ କୋଟି ଲୋକ ଖେଳନ୍ତି। ସେ ଦୃଷ୍ଟିରୁ ଏହାକୁ ନେଇ ପୂର୍ବରୁ କୌଣସି ସିନେମା ନିର୍ମିତ ହୋଇ ନ ହୋଇଥିବା କଥା ଚକିତ କରେ। ତେବେ ଏବେ ଏହି ଭିଡିଓଗେମ୍ର ଦୁନିଆକୁ ନେଇ ମୁକ୍ତିଲାଭ କରିଛି ଏକ ରୋଚକ ହଲିଉଡ୍ ଚଳଚ୍ଚିତ୍ର ‘ଏ ମାଇନ୍କ୍ରାଫ୍ଟ ମୁଭି’। ଏହି ଚଳଚ୍ଚିତ୍ରର କାହାଣୀରେ ବିଶେଷ ନୂତନତ୍ବ ନଥିବା ବେଳେ ଏହାକୁ ଉପଭୋଗ କରିବାକୁ ହେଲେ ମାଇନ୍କ୍ରାଫ୍ଟ ଭିଡିଓଗେମ୍ର ଦୁନିଆ ସହ ପରିଚିତି ଜରୁରି ଭଳି ମନେ ହୁଏ। ତଥାପି ଏହାର ଅବଧି ମାତ୍ର ୧ ଘଣ୍ଟା ୪୦ ମିନିଟ୍ ହୋଇଥିବାରୁ ଉଭୟ ଶିଶୁ ଓ ପ୍ରାପ୍ତବୟସ୍କ ଦର୍ଶକ ଏଥିରୁ ମନୋରଂଜନ ପାଇପାରିବେ।
ଚଳଚ୍ଚିତ୍ର ପ୍ରାରମ୍ଭରେ ୧୯୮୦ ଦଶକରେ ମୁଖ୍ୟ ଚରିତ୍ର ‘ଷ୍ଟିଭ୍’ (ଜ୍ୟାକ୍ ବ୍ଲାକ୍) ଖଣି ଖନନକାରୀ ହେବାର ବାଲ୍ୟ ସ୍ବପ୍ନ ପୂରଣ କରିବାକୁ ଏକ ପରିତ୍ୟକ୍ତ ଖଣିରେ ପହଞ୍ଚି ‘ଓଭର୍ଵାର୍ଲଡ୍’କୁ ପ୍ରବେଶ କରିବାର ପଥ ଆବିଷ୍କାର କରିବା ପରର କାହାଣୀ ପ୍ରଦର୍ଶିତ ହୁଏ। ସେ ଦୁନିଆରେ ସୃଜନଶୀଳତାର ଅବାଧ ସମ୍ଭାବନାକୁ ଉପଭୋଗ କରିବା ପରେ ଷ୍ଟିଭ୍ ‘ନେଦର୍ଵାର୍ଲଡ୍’ ଦୁନିଆକୁ ପ୍ରବେଶ କରେ। ତେବେ ସେଠାକାର ନିଷ୍ଠୁର ଶାସକ ‘ମାଲଗୋସା’, ଷ୍ଟିଭ୍କୁ ବନ୍ଦୀ କରିନିଏ ଏବଂ ସୃଜନଶୀଳତା ପ୍ରତି ବିଦ୍ବେଷ ଯୋଗୁଁ ‘ଓଭର୍ଵର୍ଲଡ୍’କୁ ଧ୍ବଂସ କରିବାକୁ ଚାହେଁ। ତେବେ ସେଠାକୁ ଯିବା ପାଇଁ ଆବଶ୍ୟକ ‘ଅର୍ବ ଓ କ୍ରିଷ୍ଟାଲ୍’କୁ ଷ୍ଟିଭ୍ ନିଜ ପୋଷା କୁକୁର ଜରିଆରେ ପୃଥିବୀସ୍ଥିତ ଘରେ ଲୁଚାଇଦିଏ।
ଏହା ପରେ ସିନେମାର କାହାଣୀ ବର୍ତ୍ତମାନ ସମୟକୁ ଫେରିଆସେ। ଗ୍ୟାରେଟ୍ ଗ୍ୟାରିସନ୍ ଚରିତ୍ର (‘ଆକ୍ବାମ୍ୟାନ୍’ ଭାବେ ପ୍ରସିଦ୍ଧ ଜାସନ୍ ମୋମୋଆ) ଘଟଣାକ୍ରମେ ଷ୍ଟିଭ୍ର ଘରୁ ଉକ୍ତ ଅର୍ବ ଓ କ୍ରିଷ୍ଟାଲ୍ ଆବିଷ୍କାର କରିବା ପରେ ହେନ୍ରି (ସେବାଷ୍ଟିଆନ୍ ହାନ୍ସେନ୍) ଦୁର୍ଘଟଣାବଶତଃ ‘ଓଭର୍ଵାର୍ଲଡ୍’ର ପ୍ରବେଶପଥକୁ ସକ୍ରିୟ କରିଦିଏ ଏବଂ ହେନ୍ରିର ଭଉଣୀ ନାଟାଲୀ (ଏମ୍ମା ମାୟର୍ସ) ଓ ଡନ୍ (ଡାନିଏଲ୍ ବ୍ରୁକ୍ସ) ମଧ୍ୟ ଓଭର୍ଵାର୍ଲଡ୍କୁ ପ୍ରବେଶ କରନ୍ତି। ଷ୍ଟିଭ୍ ଏ ଚାରିଜଣଙ୍କୁ ‘ମାଇନ୍କ୍ରାଫ୍ଟ’ ଦୁନିଆ ସମ୍ପର୍କରେ ବୁଝାଇବା ପରେ ପୃଥିବୀକୁ ଫେରିବାର ଯୋଜନା ପ୍ରସ୍ତୁତ କରନ୍ତି। ତେବେ ଏ ଦୀର୍ଘ ଓ ସଂଘର୍ଷପୂର୍ଣ୍ଣ ଯାତ୍ରାରେ ସେମାନଙ୍କୁ ମାଲଗୋସାର ଆକ୍ରମଣ ପରି ବାଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ଭିତରେ କେତେକ ଚିତ୍ତାକର୍ଷକ ଆକ୍ସନ୍ ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଠି ଅଭିନେତା ଓ ଆନିମେସନ୍ ଚରିତ୍ରଙ୍କୁ ଖୁବ୍ ଭଲଭାବେ ଏକତ୍ର ପ୍ରଦର୍ଶନ କରାଯାଇଛି। ଅଭିନୟ ଓ ବୈଷୟିକ ଦୃଷ୍ଟିକୌଣରୁ ଏହି ସିନେମାର ମାନ ଉଚ୍ଚା, କିନ୍ତୁ ଏହାର ଚିତ୍ରନାଟ୍ୟରେ ‘ଜୁମାଞ୍ଜି’ ଓ ‘ଲର୍ଡ ଅଫ୍ ଦି ରିଙ୍ଗସ୍’ ଚଳଚ୍ଚିତ୍ରର ଛାପ ସ୍ପଷ୍ଟ ବାରି ହୋଇପଡ଼େ। ତେଣୁ ମୂଳ ଭିଡିଓଗେମ୍ ପରି ‘ଏ ମାଇନ୍କ୍ରାଫ୍ଟ ମୁଭି’ର କାହାଣୀରେ ମୌଳିକତା ନାହିଁ। ତଥାପି ଛୋଟ ପିଲାମାନେ ସିନେମାଟି ଦେଖି ଯଦି ମାଇନ୍କ୍ରାଫ୍ଟ ଭିଡିଓଗେମ୍ ଖେଳିବା ଲାଗି ଉତ୍ସାହିତ ହୁଅନ୍ତେ ତେବେ ଆସକ୍ତି ସୃଷ୍ଟିକାରୀ ଗେମ୍ଗୁଡ଼ିକର ମୋହରୁ ମୁକ୍ତ ହେବା ସହ ସେମାନଙ୍କ ଜ୍ଞାନାତ୍ମକ ବିକାଶ ହୋଇପାରନ୍ତା।
‘ଏ ମାଇନ୍କ୍ରାଫ୍ଟ ମୁଭି’
ନିର୍ଦେଶକ: ଜାରେଡ୍ ହେସ୍
ମୁଖ୍ୟ ଚରିତ୍ରରେ: ଜାସନ୍ ମୋମୋଆ, ଜ୍ୟାକ୍ ବ୍ଲାକ୍, ଡାନିଏଲ୍ ବ୍ରୁକ୍ସ, ଏମ୍ମା ମାୟର୍ସ, ସେବାଷ୍ଟିଆନ୍ ହାନ୍ସେନ୍