ଜାପାନର ରାଜଧାନୀ ସହର ଟୋକିଓ ଓ ଅନ୍ୟତମ ବ୍ୟାବସାୟିକ ପେଣ୍ଠସ୍ଥଳୀ ଓସାକା ମଧ୍ୟରେ ପଣ୍ୟ ପରିବହନ ପାଇଁ ସରକାର ଏକ ଅଭିନବ ରାସ୍ତା ଆପଣେଇବାକୁ ଯାଉଛନ୍ତି। କୌଣସି ସ୍ବତନ୍ତ୍ର ରାଜପଥ ନିର୍ମାଣ ନୁହେଁ, ବରଂ ୩୧୦ ମାଇଲ ବା ୫୦୦ କି.ମି. ଦୀର୍ଘ ଏକ କନଭେୟର୍ ବେଲ୍‌ଟ ସ୍ଥାପନ କରି ପରିବହନ ସମସ୍ୟାର ସମୟୋଚିତ ସମାଧାନ କରିବାକୁ ଜାପାନ ସରକାର ଯୋଜନା କରିଛନ୍ତି। ଗୋଟିଏ ଗୁଳିରେ ଦୁଇଟି ଶିକାର କଲା ଭଳି ଏହାଦ୍ବାରା ଜାପାନରେ ଦେଖାଦେଇଥିବା ଟ୍ରକ୍ ଚାଳକଙ୍କ ଘୋର ଅଭାବ ଜନିତ ସମସ୍ୟାର ସମାଧାନ ସହ ଟ୍ରକ୍ ଧୂଆଁ ହେତୁ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକିବାର ପରିକଳ୍ପନା କରାଯାଇଛି।

Advertisment

ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି ସ୍ବୟଂଚାଳିତ କନଭେୟର ବେଲ୍‌ଟରେ ଦୈନିକ ୨୫ ହଜାର ଟ୍ରକଭର୍ତ୍ତି ପରିମାଣର ପଣ୍ୟ ପରିବହନ ହୋଇପାରିବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଜାପାନ ପରି ଉନ୍ନତ ଦେଶରେ ପଣ୍ୟ ପରିବହନ ପାଇଁ ଆବଶ୍ୟକ ସଂଖ୍ୟକ ଗାଡ଼ି ଚାଳକଙ୍କ ଅଭାବ ଲାଗି ରହିଛି। ଏକ ପରିସଂଖ୍ୟାନ ଅନୁଯାୟୀ, ୨୦୨୦ ମସିହାରେ ଦେଶର ମୋଟ ପଣ୍ୟ ପରିବହନ ପାଇଁ ୬.୬ ଲକ୍ଷ ମାଲବାହୀ ଗାଡ଼ି ଚାଳକ ରହିଥିବା ବେଳେ ତାହା ପର୍ଯ୍ୟାପ୍ତ ନୁହେଁ। ଏପରିକି ୨୦୩୦ ବେଳକୁ ସେହି ସଂଖ୍ୟା ୩୬ ପ୍ରତିଶତ ହ୍ରାସ ପାଇ ପ୍ରାୟ ୪.୮ ଲକ୍ଷରେ ପହଞ୍ଚିବ। ଅର୍ଥାତ୍ ୨୦୨୦ ମସିହାରେ ଦେଶର ମୋଟ ୧୪୩ କୋଟି ଟନ୍ ଓଜନର ପଣ୍ୟ ପରିବହନ ହୋଇଥିବା ବେଳେ ୨୦୩୦ ବେଳକୁ ଉପଲବ୍ଧ ଗାଡ଼ିଚାଳକଙ୍କ ଦ୍ବାରା ୧୪୦ କୋଟି ଟନ୍ ମାଲ୍ ପରିବହନ ହୋଇପାରିବ।

ଏହି ସ୍ବୟଂଚାଳିତ ରାସ୍ତା ଜାପାନରେ ଦେଖାଦେଇଥିବା ଟ୍ରକ୍ ଚାଳକଙ୍କ ଅଭାବ ଜନିତ ସମସ୍ୟାର ସମାଧାନ ସହ ଟ୍ରକ୍ ଧୂଆଁ ହେତୁ ହେଉଥିବା ପରିବେଶ ପ୍ରଦୂଷଣକୁ ମଧ୍ୟ ଦୂର କରିବ।

ଏପରି ମାଲ୍ ପରିବହନରେ ହ୍ରାସ ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଭାବିତ କରିବାର ଆଶଙ୍କା ରହିଛି। ତେଣୁ ତାହାର ମୁକାବିଲା ପାଇଁ ସରକାର ଏପରି ଏକ ସୁଦୀର୍ଘ କନ୍‌ଭେୟର୍‌ ବେଲ୍‌ଟ ସ୍ଥାପନ ପାଇଁ ଯୋଜନା କରିଛନ୍ତି। ଦିନକୁ ଚବିଶଘଣ୍ଟା ସ୍ବୟଂଚାଳିତ ଭାବେ ଏହି ବେଲ୍‌ଟ ମାଧ୍ୟମରେ ଯେତିକି ମାଲ୍ ପରିବହନ ହୋଇପାରିବ ତାହା ଦୈନିକ ୨୫ ହଜାର ଟ୍ରକ୍ ତଥା ଗାଡ଼ିଚାଳକଙ୍କ କାମ ସଙ୍ଗେ ସମାନ ହେବ ବୋଲି ଆକଳନ କରାଯାଉଛି। ଏଥି ସହିତ ପାରମ୍ପରିକ ଟ୍ରକ୍ ପରିବହନ ଜନିତ ଏତେ ସଂଖ୍ୟକ ଟ୍ରକ୍‌ରୁ ନିଷ୍କାସିତ ପ୍ରଭୂତ ପରିମାଣର ଅଙ୍ଗାରକାମ୍ଳ ବାଷ୍ପ ମଧ୍ୟ ଆଉ ବାୟୁମଣ୍ଡଳରେ ମିଶିବାର ସମ୍ଭାବନା ରହିବନି। ସୁତରାଂ ଏହି ସୁଦକ୍ଷ ତଥା ସବୁଜ ପ୍ରକଳ୍ପ ସରକାରଙ୍କୁ ଉଭୟ ଦିଗରୁ ଆଶ୍ବସ୍ତ କରିବ ବୋଲି ଆଶା କରାଯାଉଛି।