ମହିଳା ଋତୁମତୀ ହେବା ପଛରେ ରହିଛି ଏହି ପୌରାଣିକ ଆଖ୍ୟାନ !

ସଂପ୍ରତି ଜୀବନର ସବୁ କ୍ଷେତ୍ରରେ ମହିଳାମାନେ ପୁରୁଷଙ୍କ ସମକକ୍ଷ ହେବାକୁ ଚାହୁଁଛନ୍ତି ଏବଂ ପୁରୁଷମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ, ଆମ ଦେଶର ସଂସ୍କୃତି ଓ ପରମ୍ପରା ଦୃଷ୍ଟିରୁ ଯେତେ ଯାହା ଚେଷ୍ଟା କଲେ ବି ମହିଳାମାନେ କେବେ ହେଲେ ପୁରୁଷଙ୍କ ସମତୁଲ୍ୟ ହୋଇପାରିବେ ନାହିଁ। ଏହି କାରଣରୁ ସୃଷ୍ଟି କର୍ତ୍ତା ପୁରୁଷ ଓ ମହିଳାଙ୍କ ଶରୀର ଗଠନ ଭିନ୍ନ ଭିନ୍ନ କରିବା ସହ ଉଭୟଙ୍କ ଶରୀର ବିଜ୍ଞାନକୁ ମଧ୍ୟ ଭିନ୍ନ ଭିନ୍ନ କରିଛନ୍ତି। ଏ ଦୃଷ୍ଟିରୁ ବିଚାର କଲେ, ମହିଳାମାନଙ୍କ କ୍ଷେତ୍ରରେ ଘଟୁଥିବା ମାସିକ ଋତୁସ୍ରାବ ବା ମାସିକ ଧର୍ମ ହେଉଛି ଗୋଟିଏ। ଏହି କାରଣରୁ ମହିଳାମାନେ ପୁରୁଷଙ୍କ ଠାରୁ ନିଜକୁ ଟିକିଏ ଅଲଗା ବୋଲି ବିବେଚନା କରିବା ପାଇଁ ବାଧ୍ୟ ହୋଇ ଥାଆନ୍ତି। ତେବେ, ମହିଳାମାନଙ୍କ କ୍ଷେତ୍ରରେ ମାସିକ ଋତୁସ୍ରାବ ବା ମାସିକ ଧର୍ମ କାହିଁକି ଘଟିଥାଏ? ଏହା ପଛରେ ରହିଥିବା ଘଟଣା ଓ କାରଣ ସଂପର୍କରେ ପୁରାଣରେ ବର୍ଣ୍ଣିତ ଅଛି ଏକ ପୌରାଣିକ ଆଲେଖ୍ୟ। ଆଜି ଆମେ ଏଠାରେ ପ୍ରସ୍ତୁତ କରୁଛୁ ସେଇ ପୌରାଣିକ ଆଖ୍ୟାନ…

ଥରେ ଦେବଗୁରୁ ବୃହସ୍ପତି ଦେବରାଜ ଇନ୍ଦ୍ରଙ୍କ ଉପରେ ରାଗିଗଲେ। ଏହାର ସୁଯୋଗ ନେଇ ଏଥିରୁ ଫାଇଦା ଉଠାଇବା ଲକ୍ଷ୍ୟରେ ଅସୁରମାନେ ଦେବଲୋକ ଉପରେ ଆକ୍ରମଣ ଆରମ୍ଭ କରିଦେଲେ। ଅସୁରଙ୍କ ଆକ୍ରମଣରେ ଭୟଭୀତ ଇନ୍ଦ୍ରଦେବ ଦେବଲୋକ ଛାଡ଼ି ଅନ୍ୟତ୍ର ପଳାୟନ କଲେ। ଏପରିସ୍ଥିତିରେ ଏ ବିପତ୍ତିରୁ କିପରି ଉଦ୍ଧାର ପାଇବେ, ସେ ସଂପର୍କରେ କୌଣସି ବୁଦ୍ଧିବାଟ ନପାଇ ଇନ୍ଦ୍ରଦେବ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କର ଶରଣାପନ୍ନ ହେଲେ। ସୃଷ୍ଟିକର୍ତ୍ତା ବ୍ରହ୍ମା ଇନ୍ଦ୍ରଙ୍କୁ ଉପାୟ ବତାଇ କହିଲେ ଯେ ଯଦି ତୁମେ ଦେବଲୋକ ଫେରି ପାଇବାକୁ ଚାହୁଁଛ ତେବେ ତୁମକୁ ଜଣେ ସାଧୁଙ୍କ ସେବା କରିବାକୁ ପଡ଼ିବ। ତୁମ ସେବାରେ ସାଧୁ ଯଦି ପ୍ରସନ୍ନ ହୁଅନ୍ତି, ତେବେ ସେ ତୁମକୁ ଦେବଲୋକ ଫେରାଇ ଦେଇ ପାରିବେ।

ବ୍ରହ୍ମାଙ୍କ ଠାରୁ ଏ ଉପଦେଶ ପାଇବା ପରେ ଇନ୍ଦ୍ରଦେବ ଆଉ କାଳ ବିଳମ୍ବ ନକରି ଯାଇ ପହଞ୍ଚିଲେ ସେଇ ସାଧୁଙ୍କ ନିକଟରେ ଆଉ ତାଙ୍କର ସେବା କରିବା ଆରମ୍ଭ କରିଦେଲେ। ହେଲେ, ଇନ୍ଦ୍ରଦେବ ଜାଣି ନଥିଲେ ଯେ ସାଧୁଙ୍କର ମା’ ହେଉଛନ୍ତି ଜଣେ ଅସୁରୁଣୀ; ଆଉ ସେଇ କାରଣରୁ ସାଧୁଙ୍କର ଅସୁରମାନଙ୍କ ସହ ସଂପର୍କ ରହିଛି। ସେଥିପାଇଁ ଯଜ୍ଞ ଉଦ୍ଦେଶ୍ୟରେ ଇନ୍ଦ୍ର ସାଧୁଙ୍କୁ ଯେଉଁସବୁ ଯଜ୍ଞ ସାମଗ୍ରୀ ଆଣି ଦେଉଥିଲେ, ସେସବୁକୁ ସାଧୁ ଈଶ୍ୱରଙ୍କୁ ପ୍ରଦାନ କରିବା ପରିବର୍ତ୍ତେ ଅସୁରମାନଙ୍କୁ ଦେଇ ଦେଉଥିଲେ। ଏ ଘଟଣା ସଂପର୍କରେ ଇନ୍ଦ୍ରଦେବ ଯେତେବେଳେ ଅବଗତ ହେଲେ, ସେତେବେଳେ ସେ ଅତ୍ୟନ୍ତ କ୍ରୋଧିତ ହୋଇ ସେଇ ବ୍ରାହ୍ମଣ ସାଧୁଙ୍କର ହତ୍ୟା କରିଦେଲେ। ହେଲେ, ନିଜର ଗୁରୁ ବୋଲି ବିବେଚନା କରି ସେବା କରୁଥିବା ବ୍ରାହ୍ମଣ ସାଧୁଙ୍କୁ ହତ୍ୟା କରିବା ପରେ ଇନ୍ଦ୍ରଙ୍କ ଠାରେ ପାତକ ଯୋଗ ଲାଗିଗଲା। ଏଥିରୁ ବଞ୍ଚିବା ପାଇଁ ସେ ଏକ ଫୁଲ ମଧ୍ୟରେ ଆତ୍ମଗୋପନ କରିବା ସହ ଏଥିରୁ ମୁକୁଳାଇବା ପାଇଁ ଭଗବାନ ବିଷ୍ଣୁଙ୍କୁ ସୁମରଣା କଲେ। ତହୁଁ ବିଷ୍ଣୁ ତାଙ୍କର ଉଦ୍ଧାର ପାଇଁ ଆଗେଇ ଆସିବା ସହ ତାଙ୍କୁ ପରାମର୍ଶ ଦେଇ କହିଲେ ଯେ ତାଙ୍କ ଠାରେ ଲାଗିଥିବା ପାତକ ଯୋଗକୁ ଚାରି ଭାଗ କରି ତାହାକୁ ବୃକ୍ଷ, ପୃଥିବୀ, ଜଳ ଓ ମହିଳାଙ୍କ ମଧ୍ୟରେ ସମାନ ସମାନ ଭାବେ ବାଣ୍ଟିଦେବା ସହ ସମସ୍ତ ଚାରି ଜଣଙ୍କୁ ଗୋଟିଏ ଗୋଟିଏ ବର ବା ଆର୍ଶିବାଦ ପ୍ରଦାନ କରିବା ପାଇଁ।

ବିଷ୍ଣୁଙ୍କ ପରାମର୍ଶ ମାନି ଇନ୍ଦ୍ର ତାଙ୍କ ପାତକ ଯୋଗର ପ୍ରଥମ ଚତୁର୍ଥାଂଶ ବୃକ୍ଷକୁ ପ୍ରଦାନ କଲେ ଏବଂ ବୃକ୍ଷକୁ ବର ଦେଇ କହିଲେ, ମୃତ୍ୟୁ ପରେ ଚାହିଁଲେ ଆଉ ଥରେ ବଞ୍ଚି ପାରିବେ। ଦ୍ୱିତୀୟ ଚତୁର୍ଥାଂଶ ଜଳକୁ ଦେଲେ ଏବଂ ଏଥିସହ ବର ଦେଇ କହିଲେ ଜଳ ନିଜେ ସିନା ଦୂଷିତ ହେବ, ହେଲେ ତା’ର ସାହାଯ୍ୟ ନେଇ ଅନ୍ୟମାନେ ପବିତ୍ର ହେବେ। ସେଥିପାଇଁ ହିନ୍ଦୁ ଶାସ୍ତ୍ରରେ ଜଳକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରା ଯାଇଥାଏ ଏବଂ ସମସ୍ତ ପବିତ୍ର କାର୍ଯ୍ୟରେ ଜଳର ବ୍ୟବହାର କରା ଯାଇଥାଏ। ତୃତୀୟ ଚତୁର୍ଥାଂଶ ପାତକ ଯୋଗ ପୃଥିବୀକୁ ପ୍ରଦାନ କରିବା ସହ ଇନ୍ଦ୍ର, ଆରୋଗ୍ୟ କ୍ଷମତା ଲାଭ କରିବାକୁ ପୃଥିବୀକୁ ବର ଦେଲେ। ସବାଶେଷରେ ଇନ୍ଦ୍ର ମହିଳାଙ୍କୁ ନିଜର ଶେଷଭାଗ ପାତକ ଯୋଗକୁ ପ୍ରଦାନ କରିବା ସହ ମାସିକ ଧର୍ମ ସାହାଯ୍ୟରେ ଋତୁମତୀ ହେବା ସହ ପ୍ରଜନନକ୍ଷମ ହେବାକୁ ବର ପ୍ରଦାନ କରିଥିଲେ। ଇନ୍ଦ୍ରଙ୍କ ଏହି ବର ପରଠାରୁ ମହିଳାମାନଙ୍କ ଠାରେ ମାସିକ ଧର୍ମ ବା ଋତୁସ୍ରାବ ହେବା ସହ ମହିଳାମାନେ ଋତୁମତୀ ହୋଇ ପ୍ରଜନନକ୍ଷମ ହେଲେ ବୋଲି ଆଖ୍ୟାନ ରହିଛି।

ସମ୍ବନ୍ଧିତ ଖବର