ଦେଶ ଠାରୁ ବଡ଼ ଜାତୀୟ ଉଦ୍ୟାନ

ବିଶ୍ବର ଦ୍ବିତୀୟ ବୃହତ୍ତମ ଦେଶର ମାନ୍ୟତା ରଖିଥିବା କାନାଡ଼ା ସମ୍ପର୍କରେ ଅନେକ ରୋଚକ ତଥ୍ୟ ରହିଛି। ପୃଥିବୀ ମାନଚିତ୍ରକୁ ଲକ୍ଷ୍ୟ କଲେ ଏହାର ଭୌଗୋଳିକ ପରିସୀମାର ବିଶାଳତା ଆପେ ଜଣାପଡ଼ିଥାଏ। ତିନି ତିନିଟି ମହାସାଗର ଯଥା: ପୂର୍ବରେ ଆଟଲାଣ୍ଟିକ୍‌ ମହାସାଗର, ପଶ୍ଚିମରେ ପ୍ରଶାନ୍ତ ମହାସାଗର ଓ ଉତ୍ତରରେ ଉତ୍ତର ମହା (ମେରୁ)ସାଗର ଦ୍ବାରା ଏହା ପରିବେଷ୍ଟିତ। ଜଣେ ଯଦି ଏହାର ସମୁଦ୍ରକୂଳରେ ନିରନ୍ତର ଚାଲିବାକୁ ଆରମ୍ଭ କରେ, ତେବେ ସମଗ୍ର ଉପକୂଳ ସଂପୂର୍ଣ୍ଣ କରିବା ଲାଗି ଦୀର୍ଘ ସାଢ଼େ ଚାରି ବର୍ଷ ଲାଗିଯିବ। କାନାଡ଼ା ଓ ଆମେରିକା ମଧ୍ୟରେ ରହିଥିବା ସୀମା ହେଉଛି ବିଶ୍ବର ବୃହତ୍ତମ ଅସଂରକ୍ଷିତ ଇଲାକା ଯାହାର ମାତ୍ର ୧୬୦ କି.ମି. ଭିତରେ କାନାଡ଼ାର ୯୦ ପ୍ରତିଶତ ଲୋକ ବାସ କରନ୍ତି। ଏତେ ବିଶାଳ ହୋଇ ମଧ୍ୟ କାନାଡ଼ାର ଜନସଂଖ୍ୟା ଘନତ୍ବ ବହୁତ କମ୍‌ (ବର୍ଗ କି.ମି. ପିଛା ମାତ୍ର ୩ ଜଣ)। କାନାଡ଼ାର ପ୍ରାୟ ଅଧାଅଧି ଲୋକ ଅନ୍ୟ ଦେଶରେ ଜନ୍ମିତ। ସବୁଠୁ ରୋଚକ କଥାଟି ହେଉଛି, କାନାଡ଼ା ଧାରଣ କରିଥିବା ଜାତୀୟ ଉଦ୍ୟାନ ଓ ସେଗୁଡ଼ିକର କଳେବର।

କାନାଡ଼ାରେ ୪୨ଟି ଜାତୀୟ ଉଦ୍ୟାନ ରହିଥିବା ବେଳେ ସେଗୁଡ଼ିକ ମଧ୍ୟରୁ ଏମିତି ଉଦ୍ୟାନ ରହିଛି ଯାହାର କ୍ଷେତ୍ରଫଳ କିଛି ଦେଶଠାରୁ ମଧ୍ୟ ବଡ଼। ଉଦାହରଣ ସ୍ବରୂପ, ଏହାର ଉତ୍ତରପଶ୍ଚିମ ଭାଗରେ ରହିଥିବା ୩୦,୦୫୦ ବର୍ଗ କି.ମି. ପରିମିତ ନହନ୍ନି ଜାତୀୟ ଉଦ୍ୟାନ ଇସ୍ରାଏଲ ଓ ଆଲବେନିଆ ଠାରୁ ବଡ଼। ସେହିପରି ୪୪,୮୦୭ ବର୍ଗ କି.ମି. ପରିମିତ ଉଡ୍‌ ବୁଫାଲୋ ଜାତୀୟ ଉଦ୍ୟାନ ହେଉଛି ସ୍ବିଜରଲାଣ୍ଡ୍‌ ଓ ଡେନ୍‌ମାର୍କ ଠାରୁ ବଡ଼। କାନାଡ଼ା ସମ୍ପର୍କିତ ସବୁଠୁ ଆଶ୍ଚର୍ଯ୍ୟଜନକ କଥାଟି ହେଲା, ଏହାର ଏକ କ୍ଷୁଦ୍ର ଗ୍ରାମ ସ୍ନାଗ୍‌ରେ ଏକଦା (୧୯୪୭ ଫେବ୍ରୁଆରି) ରେକର୍ଡ କରାଯାଇଥିବା ସର୍ବନିମ୍ନ ତାପମାତ୍ରା (-୬୩ ଡିଗ୍ରି ସେଲସିଅସ) ହେଉଛି ମଙ୍ଗଳ ଗ୍ରହର ହାରାହାରି ତାପମାତ୍ରା (-୬୦ ଡିଗ୍ରି ସେଲସିଅସ) ଠାରୁ ବି କମ୍‌।

ସମ୍ବନ୍ଧିତ ଖବର