ସାଧାରଣତଃ ରେଡିଓ ତରଙ୍ଗ ମାଧ୍ୟମରେ ବୈଜ୍ଞାନିକମାନେ ଭୂପୃଷ୍ଠରୁ ବିଭିନ୍ନ ମହାକାଶ ଯାନ ସହ ବେତାର ଯୋଗାଯୋଗ ରଖିଥାନ୍ତି। ତେବେ ଭବିଷ୍ୟତରେ ମଙ୍ଗଳ ପୃଷ୍ଠ ପରି ସୁଦୂର ଗ୍ରହରେ ବସତି ସ୍ଥାପନର ପରିକଳ୍ପନା କରାଯିବା ପୂର୍ବରୁ ସେଠାରେ ମାନବୀୟ ସ୍ଥିତିର ନିରାପତ୍ତା ନିଶ୍ଚିତ କରିବା ପାଇଁ ସଫଳ ବେତାର ଯୋଗାଯୋଗର ଆବଶ୍ୟକତା ରହିଛି। ଏ ପରିପ୍ରେକ୍ଷୀରେ କେତେ ଦୂର ଯାଏ ଆମେ ବେତାର ଯୋଗାଯୋଗ ରଖିବାରେ ସମ୍ଭବ ବୋଲି ଏକ ପ୍ରଶ୍ନ ବାରମ୍ବାର ଉଚ୍ଚାଟିତ ହୋଇ ଚାଲିଥିଲା। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଦ୍ବାରା ନିକଟରେ ୧.୬ କୋଟି କିଲୋମିଟର ବା ଏକ କୋଟି ମାଇଲ୍ ଦୂର ଯାଏ ପରୀକ୍ଷାମୂଳକ ଭାବେ ବେତାର ଯୋଗାଯୋଗ ସମ୍ଭବ କରାଇ ଦୀର୍ଘତମ ଯୋଗାଯୋଗ ରେକର୍ଡ ସୃଷ୍ଟି ହୋଇଛି। ଏହି ଦୂରତା ପୃଥିବୀଠାରୁ ଚନ୍ଦ୍ର ଦୂରତାର ପ୍ରାୟ ୪୦ ଗୁଣ ହେବ।
‘ନାସା’ର ଏହି ପରୀକ୍ଷଣରେ ମଙ୍ଗଳ ଓ ବୃହସ୍ପତି ମଧ୍ୟସ୍ଥ ଆଷ୍ଟିରଏଡ୍ ବେଲ୍ଟ ଇଲାକାରେ ପରିକ୍ରମଣ କରୁଥିବା ମହାକାଶ ଯାନ ‘ସାଇକ୍’ରେ ଖଚିତ ଏକ ଟ୍ରାନ୍ସରିସିଭର କାଲିଫର୍ଣ୍ଣିଆ ସ୍ଥିତ ‘ହେଲ୍’ ଦୂରବୀକ୍ଷଣ ସହ ଯୋଗାଯୋଗ ରକ୍ଷା କରି ଏହି ଉପଲବ୍ଧି ହାସଲ କରିଛି। ଇନ୍ଫ୍ରାରେଡ୍ ତରଙ୍ଗ ମାଧ୍ୟମରେ ଖୁବ୍ କମ୍ ସମୟ ପାଇଁ ସୁଦୂର ଇଲାକା ସହ ପ୍ରଥମ ଥର ପାଇଁ ଅପ୍ଟିକାଲ୍ ଯୋଗାଯୋଗର ଭିତ୍ତି ପଡ଼ିପାରିଛି, ତେବେ ଆଗକୁ ‘ସାଇକ୍’ ଯେତେବେଳେ ମଙ୍ଗଳର ଆହୁରି ନିକଟବର୍ତ୍ତୀ ହେବ, ସେତେବେଳେ ଅଧିକ ପରୀକ୍ଷାନିରୀକ୍ଷା କରାଯିବ। ସଦ୍ୟ ପରୀକ୍ଷଣରେ କେବଳ ଏତେ ଦୂରରୁ ବେତାର ତରଙ୍ଗ ପହଞ୍ଚିପାରୁଥିବା ସ୍ପଷ୍ଟ ହୋଇଥିବା ବେଳେ ପରବର୍ତ୍ତୀ ପରୀକ୍ଷଣରେ ଅଧିକ ସଂକେତ ପ୍ରେରଣ କରି ଦ୍ରୁତ ତଥ୍ୟ ବିଶ୍ଳେଷଣ କରାଯାଇ ପୃଥିବୀ ଓ ଅନ୍ୟ କୌଣସି ସୁଦୂର ଗ୍ରହ-ଉପଗ୍ରହ ମଧ୍ୟରେ ଯୋଗାଯୋଗ ସ୍ଥାପନ କରାଯାଇପାରିବ ବୋଲି ଆଶା ରଖାଯାଇଛି।