କଳାହାଣ୍ଡିଜିଲ୍ଲା ଧର୍ମଗଡ଼ର ଶୈଳେଶ ଭୋଇ ଓସିଏସ୍ରେ ୭ମ ସ୍ଥାନ ଅଧିକାର କରିଛନ୍ତି। ଶ୍ରୀ ଭୋଇ ଧର୍ମଗଡ଼ ସରସ୍ୱତୀ ଶିଶୁମନ୍ଦିରରୁ ମାଟ୍ରିକ୍, ବ୍ରହ୍ମପୁର ଶିଶୁମନ୍ଦିରରୁ ଯୁକ୍ତ ଦୁଇ ଓ ଭୁବନେଶ୍ୱର ବିଜେବି କଲେଜରୁ ଯୁକ୍ତ ତିନି ପାସ୍ କରିଥିଲେ। ଗୋଲାମୁଣ୍ଡା ବ୍ଲକ୍ ଚପ୍ରିଆ ହାଇସ୍କୁଲର ଶିକ୍ଷକ ନିରଞ୍ଜନ ଭୋଇ ଓ ଗୀତାଞ୍ଜଳି ଭୋଇଙ୍କର ସେ ବଡ଼ପୁଅ ଅଟନ୍ତି। ପ୍ରିଲିମ୍ସଠାରୁ ମେନ୍ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାରେ ଆପ୍ଟିପ୍ଲସ୍ରେ ହେଉଥିବା ସମସ୍ତ ପରୀକ୍ଷା ମୋତେ ଏଦିଗରେ ସହାୟକ ହୋଇଥିଲା।
-ଶୈଳେଶ କୁମାର ଭୋଇ, ରାଙ୍କ୍ ୭
ସଫଳତାର ଶ୍ରେୟ ଅଭିଭାବକ, ଶିକ୍ଷକ ଓ ଯେଉଁମାନେ ମୋ କଠିନ ସମୟରେ ସହଯୋଗ କରିଛନ୍ତି ସେମାନଙ୍କୁ ଦେବାକୁ ଚାହିଁବି। ଲମ୍ବା ପ୍ରକ୍ରିୟାର ଏହି ପରୀକ୍ଷାରେ ପ୍ରଥମ ପ୍ରୟାସରେ ସଫଳ ହୋଇଛି। କଷ୍ଟ କଣ ମୁଁ ଜାଣିଛି। ତେଣୁ ଅନ୍ୟମାନଙ୍କ ପାଇଁ ସେଭଳି କିଛି କରିବାର ଇଚ୍ଛା ଅଛି। ପ୍ରଥମ ପ୍ରୟାସ ହୋଇଥିବାରୁ ପ୍ରଥମେ ଡରି ଯାଇଥିଲି, ମାତ୍ର ଆପ୍ଟିପ୍ଲସ ମୋତେ ସାହସ ଯୋଗାଇ ଦେଇଥିଲା। ଶିକ୍ଷା କ୍ଷେତ୍ରରେ କାମ କରିବାକୁ ଲକ୍ଷ୍ୟ ରହିଛି।
-ଦୀପ୍ସିତା ବେହେରା, ରାଙ୍କ୍ ୧୬
ସମାଜ ପାଇଁ କିଛି କରିବାର ଇଚ୍ଛା ଥିଲା। ଆଜି ତାହା ପୂରଣ ହୋଇଛି। ୩ୟ ପ୍ରୟାସରେ ସଫଳତା ମିଳିଛି। ପ୍ରତିବର୍ଷ ପରୀକ୍ଷା ସମୟରେ ପୂର୍ବ ବର୍ଷର ତ୍ରୁଟି ଧରିବା ସହ ସେଥିରେ ସୁଧାରିବାକୁ ପ୍ରୟାସ କରୁଥିଲି। ପରୀକ୍ଷା ଆସିଲେ ପଢ଼ିବାକୁ ଆଗ୍ରହ ବଢିଯାଏ। ସାମାଜିକ ଗଣମାଧ୍ୟମଠାରୁ ଦୂରରେ ଥିଲି। ଅଭିଭାବକଙ୍କ ସହାୟତା ସହ ଅପ୍ଟିପ୍ଲସର କୋଚିଂ ମୋତେ ଏହି ସଫଳତା ଆଣି ଦେଇଛି। ଏଠାରେ କୋଚିଂ ନେବା ପରେ ଅଧ୍ୟାପକମାନେ ବହୁତ ସହଯୋଗୀ। ଯେକୌଣସି ସମୟରେ ଦ୍ୱନ୍ଦ ଦୂର କରନ୍ତି। ଟପ୍ପରଙ୍କଠାରୁ ଏଠାରେ ଶିକ୍ଷା ମିଳିଥିଲା ଏବଂ ଭିଡିଓ ଦେଖିଥିଲି। ଜଳବାୟୁ ପରିବର୍ତ୍ତନ ଦିଗରେ କାମ କରିବି।
-ଜ୍ୟୋତିର୍ମୟୀ ସ୍ବାଇଁ, ରାଙ୍କ୍ ୪୯
ଏହି ସଫଳତାର ଶ୍ରେୟ ପରିବାରର ସମସ୍ତ ସଦସ୍ୟଙ୍କୁ ହିଁ ଦେବି। ବିଜ୍ଞାନ ବିଭାଗରେ ପାଠ ପଢ଼ିଥିବାରୁ ବିଜ୍ଞାନର ଉନ୍ନତି ପାଇଁ ଯଦି କିଛି କାମ କରିବାର ସୁଯୋଗ ମିଳେ ତେବେ ଭଲ ହେବ। ଆପ୍ଟିପ୍ଲସ୍ର କ୍ଲାସରୁମ୍ ପ୍ରୋଗ୍ରାମ ଓ ଟେଷ୍ଟ୍ ସିରିଜ୍ ମୋତେ ମୋର ସଫଳତାରେ ବହୁତ୍ ସହାୟ ହୋଇଛି।
-ସିଦ୍ଧାନ୍ତ ମିଶ୍ର, ରାଙ୍କ୍ ୫୩
୬ବର୍ଷ ହେଲା ପଢ଼ାପଢ଼ି କରୁଥିଲି ଏବଂ ୩ୟ ପ୍ରୟାସରେ ସଫଳ ହୋଇଛି। ପ୍ରଥମେ କଣ ପଢିବି ଜାଣିପାରୁ ନ ଥିଲି। ମାତ୍ର ଧୀରେ ଧୀରେ ସବୁ ଜାଣିବା ସହ ଭଲ କରିବାକୁ ସାର୍ମାନଙ୍କଠାରୁ କ୍ଲାସରେ ପରାମର୍ଶ ପାଇଲି। ଯେତିକି ଆବଶ୍ୟକ ସାମାଜିକ ଗଣମାଧ୍ୟମକୁ ସେତିକି ବ୍ୟବହାର କରେ। ଠିକ୍ ଭାବେ ଗାଇଡ ପାଇଲେ ସଫଳତା ମିଳିବ। ଏଥିପାଇଁ କୋଚିଂ ନିହାତି ଆବଶ୍ୟକ। ଆଗକୁ ଯେଉଁ କ୍ୟାଡ଼ର ମିଳିବ ମୁଁ କାମ କରିବି।
-ବିଶ୍ୱଜିତ୍ ମହାନ୍ତି, ରାଙ୍କ୍ ୫୭
କଲେଜରେ ପଢ଼ିବା ଦିନରୁ ହିଁ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲି। ପ୍ରଥମ ଥରରେ ସଫଳତା ପାଇଥିବାରୁ ଖୁସି। ସାଙ୍ଗ, ମା, ବାପାଙ୍କ ମାନସିକ ସହଯୋଗ ସଫଳତା ପାଇଁ ବେଶ ସହାୟକ ହେଇଚି। ଜଣେ ଭଲ ବନ୍ଧୁ ମିଳିଲେ ସେ ନିଜେ ସଫଳ ହେବା ସହ ଆପଣଙ୍କୁ ବି ବାଟ ଦେଖାଇଦିଏ। ସେଭଳି ଜଣେ ସାଙ୍ଗମାନଙ୍କ ପରାମର୍ଶରେ ଆଜି ଏହି ସଫଳତା ପାଇଛି। ପରୀକ୍ଷା ପାଇଁ ୬ ଘଣ୍ଟା ପଢ଼ୁଥିଲି।
-ଅଂଶୁମାନ ସାହୁ, ରାଙ୍କ୍ ୮୬
ଏହା ମୋର ପ୍ରଥମ ପ୍ରୟାସ ଥିଲା। ତେଣୁ ପରିବାର ସଦସ୍ୟମାନେ ଉତ୍ସାହିତ କରିଥିଲେ। ତିନି ଚାରି ଥର ରିଭିଜନ୍ କରିପାରିଲେ ପରୀକ୍ଷା ସହଜ ଲାଗିବ। ପୂର୍ବବର୍ଷ ପ୍ରଶ୍ନଗୁଡ଼ିକୁ ବାରମ୍ବାର ଅଭ୍ୟାସ କରିବାକୁ ପଡ଼ିବ। ପାଠପଢ଼ା ସହ ଅଭ୍ୟାସ ନିହାତି ଦରକାର। ଏଥର ପ୍ରଶ୍ନର ଗୁଣବତ୍ତା ବହୁତ ଭଲ ଥିଲା। କୋଚିଂ ବେଳେ ମଧ୍ୟ ଦ୍ବନ୍ଦ୍ବ ଦୂର କରିଥିବାରୁ ସଫଳତା ମିଳିଲା।
-ରାଜଶ୍ରୀ ଓଝା, ରାଙ୍କ୍ ୧୭୮
ପରୀକ୍ଷା ପାଇଁ ୧୦ଘଣ୍ଟା ପଢ଼ୁଥିଲି। ଆବଶ୍ୟକତା ଅନୁଯାୟୀ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲି। ମୋ ଭଉଣୀ ପ୍ରେରଣା ଦେଉଥିଲା। ହେଲେ ସେ ଏବେ ନାହିଁ। ତିନିବର୍ଷ ବହୁ ଦୋଦୂଲ୍ୟମାନ ସ୍ଥିତି ଦେଇ ଗତି କରିବା ପରେ ଆଜି ସଫଳ ହୋଇଛି। ପ୍ରିଲିମ୍ ବେଳେ ଭଉଣୀକୁ ହରାଇଛି। ଏବେ ସେ ଖୁସିରେ ସାମିଲ ହୋଇପାରି ନ ଥିବାରୁ ମୋତେ ଦୁଃଖ ଲାଗୁଛି।
-ସସ୍ମିତା ସେଠୀ, ରାଙ୍କ୍ ୩୨୫
ପୁରୀ ଜିଲ୍ଲା କଣାସ ବ୍ଲକ ତ୍ରିଲୋଚନପୁର ଗ୍ରାମର କୁଳମଣି ଦାସଙ୍କ ଜ୍ୟେଷ୍ଠା କନ୍ୟା ଶକ୍ତିଶୁଧା ଦାସ ୨୦୨୩-୨୪ ମସିହା ସିଭିଲ ସର୍ଭିସ୍ ପରୀକ୍ଷାରେ ୫୯ ରୢାଙ୍କ ରଖି କୃତକାର୍ଯ୍ୟ ହୋଇ ହୋଇଛନ୍ତି। ଶକ୍ତିସୁଧା ପିଲାଟି ବେଳୁ ଜଣେ ମେଧାବୀ ଛାତ୍ରୀ ଥିଲେ। ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇ ସେବା କରିବା ପାଇଁ ତାଙ୍କ ଇଚ୍ଛା ଥିଲା। ଆଜି ତାହା ସଫଳ ହେବା ସହିତ ତାଙ୍କ ଇଚ୍ଛା ପୂରଣ ହୋଇଛି ବୋଲି ଶକ୍ତିସୁଧା କହିଛନ୍ତି। ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
ଶକ୍ତିସୁଧା, ରୢାଙ୍କ ୫୯
ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ବାଲେଶ୍ବର ଭୋଗରାଇ ବ୍ଲକ୍ ଗୋବର୍ଦ୍ଧନପୁର ଗ୍ରାମର କଲ୍ୟାଣୀ ସାହୁ ୨୯ ରୢାଙ୍କ୍ ହାସଲ କରିଛନ୍ତି। ବାପା ରବୀନ୍ଦ୍ରନାଥ ସାହୁ ରେଳବାଇରେ ଚାକିରି କରିଥିବା ବେଳେ ମାଆ ଇନ୍ଦୁବାଳା ସାହୁ ଗୃହିଣୀ। କଲ୍ୟାଣୀ କଲିକତାର ଏକ କନ୍ଭେଣ୍ଟ ସ୍କୁଲରୁ ମାଟ୍ରିକ୍ ପାସ୍ କରିବା ପରେ ବାଲେଶ୍ବର ଫକୀରମୋହନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଯୁକ୍ତ ଦୁଇ ବିଜ୍ଞାନ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ଯୁକ୍ତ ତିନି ବିଜ୍ଞାନ ଓ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ପାସ୍ କରିଛନ୍ତି। ଦ୍ବିତୀୟ ଉଦ୍ୟମରେ ସେ ଏହି ସଫଳତା ପାଇଛନ୍ତି।
କଲ୍ୟାଣୀ ସାହୁ, ରାଙ୍କ ୨୯
ରାଉରକେଲାର ଚିନ୍ମୟ ସାହୁ ୫ମ ସ୍ଥାନରେ ରହିଛନ୍ତି। ମା’ ଅନ୍ନପୂର୍ଣ୍ଣା ସାହୁ ଓ ବାପା ବସନ୍ତ କୁମାର ସାହୁଙ୍କ ସୁପୁତ୍ର ଚିନ୍ମୟ ତୃତୀୟଥର ପ୍ରଚେଷ୍ଟାରେ ଏହି ସଫଳତା ପାଇଛନ୍ତି। ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ସ୍କୁଲରୁ ଦଶମ ଓ ଦ୍ବାଦଶ ପାସ୍ ପରେ ୨୦୧୯ରେ ଆଇଆଇଟି ଧାନବାଦରୁ ମେକାନିକାଲ ଇଂଜିନିୟରିଂରେ ସ୍ନାତକ ହାସଲ କରିଥିଲେ ଚିନ୍ମୟ। ସରକାରୀସ୍ତରରେ ଯେଉଁ ଦାୟିତ୍ବ ମିଳିବ ତାକୁ ନିଷ୍ଠାର ସହ ନିର୍ବାହ କରିବି ବୋଲି ସେ ପ୍ରକାଶ କରିଛନ୍ତି। ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ତାଙ୍କ ସଫଳତାର ଚାବିକାଠି ବୋଲି ଚିନ୍ମୟ କହିଛନ୍ତି।
ଚିନ୍ମୟ ସାହୁ, ରାଙ୍କ୍ ୫
୪୫ ବର୍ଷରେ ସଫଳତା
ପାଠପଢ଼ାରେ ବୟସ କୌଣସି ବାଧା ସୃଷ୍ଟି କରେ ନାହିଁ। ବରଂ ଦୃଢ଼ ଇଚ୍ଛାଶକ୍ତି ଥିଲେ ସଫଳତାର ଗୋଟିଏ ପରେ ଗୋଟିଏ ସିଢ଼ି ଚଢ଼ି ହେବ। ଯାହାକୁ କରି ଦେଖାଇଛନ୍ତି ୪୫ ବର୍ଷ ବୟସ୍କ ମହେନ୍ଦ୍ର କୁମାର ଜେନା। ସେନାରୁ ଅବସର ପରେ ପାଠପଢ଼ାରେ ଡୋରୀ ବାନ୍ଧି ନ ଥିଲେ। ପ୍ରଶାସନିକ ସେବାରେ କାମ କରିବାର ଦୃଢ଼ମନୋବଳ ତାଙ୍କୁ ଆପ୍ଟିପ୍ଲସରେ କୋଚିଂ ନେବାକୁ ଟାଣି ଆଣିଥିଲା। ତିନିଥର ପରୀକ୍ଷା ଦେବା ପରେ ୪୫ ବର୍ଷ ବୟସରେ ସଫଳତା ହାସଲ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଏନେଇ ମହେନ୍ଦ୍ର କୁହନ୍ତି, ଆର୍ମି ଏଜୁକେସନରେ ୧୬ ବର୍ଷ ୩ ମାସ ଚାକିରି କରିଥିଲି। ଦିନକୁ ୭ରୁ ୮ ଘଣ୍ଟା ପଢ଼ା ପଢ଼ି କରିବା ପରେ ସଫଳତା ହାସଲ କରିଛି।
ଦୃଷ୍ଟିବାଧିତ ମହେଶ ପଣ୍ଡାଙ୍କ ସଫଳତା
କୋରେଇ: ଦୃଢ଼ ଇଚ୍ଛାଶକ୍ତି ଆଗରେ ଶାରୀରିକ ଅକ୍ଷମତା ତୁଚ୍ଛ, ଏ କଥାକୁ ପ୍ରମାଣିତ କରିଛନ୍ତି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ବିରୁହାଁପଡ଼ା ଗ୍ରାମର ସ୍ବର୍ଗତ ଲକ୍ଷ୍ମୀନାରାୟଣ ପଣ୍ତାଙ୍କ ପୁଅ ମହେଶ ପଣ୍ଡା। ସେ ଓସିଏସ୍ ପରୀକ୍ଷାରେ ୩୦୦ ରୢାଙ୍କ୍ ହାସଲ କରିଛନ୍ତି। ମହେଶ ଜନ୍ମରୁ ଦୃଷ୍ଟିବାଧିତ। ପିଲାଟି ଦିନରୁ ପ୍ରଶାସନିକ ସେବା ପ୍ରତି ଆଗ୍ରହୀ ଥିଲେ। ବାପାଙ୍କ ମୃତ୍ୟୁ ପରେ ବିଧବା ମା’ ଓ ୪ ଭଉଣୀଙ୍କର ଦାୟିତ୍ବ ମହେଶଙ୍କ ମୁଣ୍ତ ଉପରେ ରହିଥିଲା। ପରବର୍ତ୍ତୀ ସମୟରେ ସେ ଆଠଗଡ଼ରେ ଶିକ୍ଷକତା କରିଥିଲେ। ଦିନରେ ପିଲାଙ୍କୁ ପଢ଼ାଇବା ପରେ ରାତିରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ପୂର୍ବରୁ ଦୁଇଥର ଅସଫଳ ହେବା ପରେ ଯୁବ ଶିକ୍ଷାବିତ୍ ଡ. ଆଲେକଜାଣ୍ତାର ଦାସଙ୍କ ସଂସ୍ପର୍ଶରେ ଆସି ଆଗକୁ ବଢ଼ିଥିଲେ। ଏକବର୍ଷର ଅକ୍ଳାନ୍ତ ପରିଶ୍ରମ ପରେ ତାଙ୍କୁ ଏହି ସଫଳତା ମିଳିଛି। ମହାପ୍ରଭୁ ଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦ ତାଙ୍କୁ ସଫଳତା ଆଣି ଦେଇଛି ବୋଲି କହିଛନ୍ତି ମହେଶ।
ଗ୍ରାମାଞ୍ଚଳର ବିକାଶକୁ ଗୁରୁତ୍ବ ଦେବି: ପ୍ରିୟାଂଶୁ
ଅନୁଗୁଳ: ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଅନୁଗୁଳର ପ୍ରିୟାଂଶୁ ପାଳ ଟପର୍ ହୋଇଛନ୍ତି। ନିଜ ଚତୁର୍ଥ ପ୍ରଚେଷ୍ଟାରେ ସେ ଏହି ସଫଳତା ପାଇଛନ୍ତି। ଚାକିରି ଜୀବନରେ ଗ୍ରାମାଞ୍ଚଳର ବିକାଶକୁ ସେ ପ୍ରାଥମିକତା ଦେବେ ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି। ଅନୁଗୁଳ ବ୍ଲକ୍ ପୁରୁଣାଗଡ଼ର ସନ୍ତୋଷ କୁମାର ପାଳ ଓ ସ୍ବର୍ଣ୍ଣଲତା ପାଳଙ୍କ ଏକମାତ୍ର ପୁଅ ପ୍ରିୟାଂଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ଯୁକ୍ତ ଦୁଇ ସମାପ୍ତ କରିବା ପରେ ମାଇନିଂରେ ବି.ଟେକ୍ କରି ଏକ କର୍ପୋରେଟ୍ କଂପାନିରେ ଚାକିରି କରୁଥିଲେ। ପରେ ସେ ଚାକିରି ଛାଡ଼ି ପ୍ରଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ପୂର୍ବରୁ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୩ ଥର ଭାଗ ନେଇଥିଲେ ମଧ୍ୟ ରୢାଙ୍କ୍ ପାଇ ନ ଥିଲେ। ପରିବାରରେ ବଡ଼ ଦିଦିଙ୍କୁ ଦେଖି ସେ ପ୍ରଶାସନିକ ସେବା ପ୍ରତି ଆକୃଷ୍ଟ ହୋଇଥିବା ପ୍ରିୟାଂଶୁ କହିଛନ୍ତି। ତାଙ୍କର ଦୁଇ ଭଉଣୀ ପ୍ରଶାସନିକ ସେବାରେ ଅଛନ୍ତି। ଓଡ଼ିଶା ଖଣିଖାଦାନ ଭରା ରାଜ୍ୟ ହୋଇଥିଲା ବେଳେ ଏ କ୍ଷେତ୍ରରେ ତାଙ୍କର ଅଭିଜ୍ଞତାକୁ ସେ ବିନିଯୋଗ କରିବେ। ସେହିପରି ଗାଁର ବିକାଶ ହେଲେ ଓଡ଼ିଶାର ବିକାଶ ହୋଇପାରିବ। ତେବେ ସେ ଯେଉଁ ଅଞ୍ଚଳରେ ଓ ଯେଉଁ ପଦରେ ରହିଲେ ମଧ୍ୟ ତୃଣମୂଳସ୍ତରରେ ଲୋକଙ୍କ ବିକାଶକୁ ଗୁରୁତ୍ବ ଦେବେ। ଏହି ସଫଳତା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଓ ପରିବାରର ସମର୍ଥନ ରହିଛି। କୌଣସି ବିଫଳତାରେ ଭାଙ୍ଗି ନ ପଡ଼ି ପରିଶ୍ରମ ଜାରି ରଖିଲେ ସଫଳତା ନିଶ୍ଚିତ ମିଳିବ ବୋଲି ପ୍ରିୟାଂଶୁ କହିଛନ୍ତି।