ପୁଷ୍ଟିହୀନତା ଯୋଗୁଁ ଏକ ନୂତନ ଧରଣର ମଧୁମେହ ସୃଷ୍ଟି ହୋଇଥାଏ, ଯାହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ‘ଟାଇପ୍ ୫’ ମଧୁମେହ ଭାବେ ନାମିତ କରିଛନ୍ତି। ଏହା ସହଜରେ ଚିହ୍ନଟ ହୋଇପାରୁ ନଥିବା ବେଳେ ଦାରିଦ୍ର୍ୟ ଓ ଅନାହାର ପୀଡ଼ିତ ଦେଶଗୁଡ଼ିକରେ ଏହା ସହିତ ଲଢ଼ିବା ପାଇଁ ବିଶ୍ୱ ସ୍ତରରେ ‘ଟାଇପ୍ ୫ ମଧୁମେହ’କୁ ସ୍ୱୀକୃତି ଦେବାକୁ ବିଶେଷଜ୍ଞମାନେ ଆହ୍ୱାନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ମଧୁମେହ ରୋଗର ସବୁଠୁ ସାଧାରଣ ସ୍ବରୂପ ହେଉଛି ‘ଟାଇପ୍ ୨ ମଧୁମେହ’ ଯାହା ବୟସ୍କମାନେ ଇନସୁଲିନ୍ ହରମୋନ୍ ପ୍ରତି ପ୍ରତିରୋଧୀ ହୋଇଯିବା ଅବସ୍ଥାରେ ଦେଖାଦେଇଥାଏ। ସେହିପରି ‘ଟାଇପ୍ ୧ ମଧୁମେହ’ ସାଧାରଣତଃ ପିଲାଦିନରେ ନିରୂପଣ ହୋଇଥାଏ, ଯେତେବେଳେ ଆମର ଅଗ୍ନ୍ୟାଶୟରୁ ଯଥେଷ୍ଟ ଇନ୍ସୁଲିନ୍ ଉତ୍ପନ୍ନ ହୋଇ ନଥାଏ। ତେବେ ମଧୁମେହର ଏହି ଦୁଇ ସାଧାରଣ ରୂପ ବାଦ୍ ଗବେଷକମାନେ ଆଉ ଏକ ସ୍ବରୂପକୁ ନିରୀକ୍ଷଣ କରିଛନ୍ତି, ଯାହା ସାଧାରଣତଃ ୩୦ ବର୍ଷରୁ କମ୍ ବୟସର ଲୋକଙ୍କଠାରେ ଦେଖାଦେଇଥାଏ। ଏହା ଇନସୁଲିନ୍ ଉତ୍ପାଦନକୁ ପ୍ରଭାବିତ କରିଥାଏ, କିନ୍ତୁ ‘ଟାଇପ୍ ୧ ମଧୁମେହ’ ଅପେକ୍ଷା କମ୍ ଗମ୍ଭୀର ବୋଲି କୁହାଯାଉଛି। ଏହା ‘ଟାଇପ୍ ୨ ମଧୁମେହ’ ପରି ମୋଟାପଣ ବା ମେଦବହୁଳତା ସହିତ ଜଡ଼ିତ ହେବା ପରିବର୍ତ୍ତେ ଏହା ବହୁତ କମ୍ ଖାଦ୍ୟ ଖାଉଥିବା ତଥା କମ୍ ଓଜନ ଥିବା ଲୋକଙ୍କୁ ପ୍ରଭାବିତ କରେ। ସମ୍ପ୍ରତି ସାରା ବିଶ୍ବରେ ଅଢ଼େଇ କୋଟିରୁ ଅଧିକ ଲୋକ ‘ଟାଇପ୍ ୫ ମଧୁମେହ’ରେ ପୀଡ଼ିତ ବୋଲି ‘ଦି ଲାନସେଟ୍ ଗ୍ଲୋବାଲ୍ ହେଲ୍ଥ’ ପତ୍ରିକାରେ ପ୍ରକାଶ ପାଇଛି। ପୀଡ଼ିତମାନଙ୍କ ମଧ୍ୟରୁ ସିଂହଭାଗ ବିକାଶଶୀଳ ଦେଶଗୁଡ଼ିକରେ ଥିବା କୁହାଯାଇଛି।
ମଧୁମେହର ଦୁଇ ସାଧାରଣ ରୂପ ବାଦ୍ ଗବେଷକମାନେ ଆଉ ଏକ ସ୍ବରୂପକୁ ନିରୀକ୍ଷଣ କରିଛନ୍ତି, ଯାହା ୩୦ ବର୍ଷରୁ କମ୍ ବୟସର ଲୋକଙ୍କଠାରେ ଦେଖାଦେଇଥାଏ। ତେବେ ଏହା ‘ଟାଇପ୍ ୧ ମଧୁମେହ’ ଅପେକ୍ଷା କମ୍ ଗମ୍ଭୀର ବୋଲି କୁହାଯାଉଛି।
ଯଦିଓ ଟାଇପ୍ ୧ ଓ ଟାଇପ୍ ୨ ପରେ ଟାଇପ୍ ୩ ବା ଟାଇପ୍ ୪ ମଧୁମେହ ସ୍ବୀକୃତ ହୋଇନାହିଁ, ତେବେ ବିଶେଷଜ୍ଞମାନେ ଏହି ପ୍ରକାର ମଧୁମେହକୁ ଟାଇପ୍ ୫ ଭାବରେ ପରିଗଣିତ କରିବାକୁ ସ୍ଥିର କରିଛନ୍ତି। ପୁଷ୍ଟିହୀନତା ଯୋଗୁଁ ସୃଷ୍ଟ ଏହି ପ୍ରକାରର ମଧୁମେହ ନୂଆ କଥା ନୁହେଁ। କାରଣ ୧୯୮୦ ଓ ୧୯୯୦ ଦଶକରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ‘ପୁଷ୍ଟିହୀନତା ସହ ଜଡ଼ିତ ମଧୁମେହ’ର ଏକ ସ୍ବରୂପକୁ ବର୍ଗୀକୃତ କରିଥିଲା। ତେବେ ମଧୁମେହ ପାଇଁ ପୁଷ୍ଟିହୀନତାର ଭୂମିକା ଯଥେଷ୍ଟ କି ନୁହେଁ, ସେ ନେଇ ସହମତି ଅଭାବରୁ ୧୯୯୯ ମସିହାରେ ଏହି ବର୍ଗୀକରଣକୁ ଅଗ୍ରାହ୍ୟ କରିଦିଆଯାଇଥିଲା। ମାତ୍ର ସେବେଠାରୁ ବାଂଲାଦେଶ, ଇଥିଓପିଆ, ଭାରତ, ଇଣ୍ଡୋନେସିଆ, ନାଇଜେରିଆ, ଉଗାଣ୍ଡା, ପାକିସ୍ତାନ ଓ ରୁୱାଣ୍ଡା ଆଦି ଦେଶଗୁଡ଼ିକରେ ପୁଷ୍ଟିହୀନତା ଯୋଗୁଁ ଏହି ମଧୁମେହ ସମ୍ଭବ ବୋଲି ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ରୋଗ ସହିତ ଲଢ଼ିବାର ସର୍ବୋତ୍ତମ ଉପାୟ ହେଉଛି ଦାରିଦ୍ର୍ୟ ଓ କ୍ଷୁଧା ନିବାରଣ। ଲୋକଙ୍କୁ କମ୍ ମୂଲ୍ୟରେ ପୁଷ୍ଟିସାର ଓ ଶ୍ବେତସାରଯୁକ୍ତ ଖାଦ୍ୟ ଯୋଗାଇବା ହିଁ ଶ୍ରେଷ୍ଠ ସମାଧାନ ହୋଇପାରିବ।