ପହଲ୍ଗାମ୍ସ୍ଥିତ ବୈଶନାରରେ ଆତଙ୍କବାଦୀଙ୍କ ନରସଂହାର ପରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଏକ ସପ୍ତାହ ହେଲା (ଏହି ରିପୋର୍ଟ ଲେଖାହେବା ବେଳକୁ) ସୀମାରେ ଗୁଳିଗୋଳା ବର୍ଷୁଛି। ଖୋଲା ଆକାଶ ତଳେ ଓ ବଙ୍କର୍ ଭିତରେ ୨୪ ଘଣ୍ଟା ସଜାଗ ହୋଇ ରହିଛନ୍ତି ଭାରତୀୟ ଯବାନ। ତାଙ୍କୁ ସହାୟତା ଯୋଗାଇବାକୁ ଇଂଜିନିୟର୍, ଡାକ୍ତର, ନର୍ସ ଓ ଆମ୍ବୁଲାନ୍ସ ମଧ୍ୟ ସୀମାରେ ଦିନରାତି ଜଗି ରହିଛନ୍ତି। ଯୁଦ୍ଧ ଘନଘଟା ଭିତରେ ଭାରତ-ପାକ୍ ସୀମା କାଶ୍ମୀରର କେରନ୍ ସେକ୍ଟର୍ରେ ଥିବା ଭାରତୀୟ ବଙ୍କର୍ରେ ଯବାନମାନଙ୍କର ଦିନରାତି କିଭଳି କଟୁଛି ତାହା ନିକଟରୁ ପରଖିଥିଲା ‘ରବିବାର ସମ୍ବାଦ’। ତିତୁୱାଲ୍, ମିଲିୟଲ୍, ରାଜାରାମ୍, ଫିର୍କିନ୍, କାଲ୍ପୋରା ଏବଂ ନିକଟରେ ପ୍ରବାହିତ କିଶନଗଙ୍ଗା ନଦୀକୂଳରେ ପହରା ଦେଉଥିବା ଯବାନଙ୍କ ଜୀବନଚର୍ଯ୍ୟା ଯେତିକି ଦୁଃସାହସିକ, ସେତିକି କଷ୍ଟଦାୟକ ମଧ୍ୟ। ଗ୍ରାଉଣ୍ଡ୍ ଜିରୋରୁ ବିଭୂତି ପତିଙ୍କ ରିପୋର୍ଟ।
ପହଲଗାମ୍ ନରସଂହାର ପରେ ଭାରତୀୟ ସୁରକ୍ଷା ବାହିନୀ ଦିବାରାତ୍ର ସଜାଗ ହୋଇରହିଛି। କୌଣସି ବି ମୁହୂର୍ତ୍ତରେ ଆକ୍ରମଣର ନିର୍ଦ୍ଦେଶ ଆସିପାରେ କିମ୍ବା ଶତ୍ରୁପକ୍ଷରୁ ଆକ୍ରମଣ ହୋଇପାରେ। ସେନାର ଯେଉଁ ଯବାନମାନେ ଭାରତ-ପାକ୍ ସୀମାରେ ମୁତୟନ ହୋଇଛନ୍ତି, ସେମାନଙ୍କୁ ୨୪ ଘଣ୍ଟା ଅତ୍ୟନ୍ତ ସତର୍କତାର ସହ ରହିବାକୁ କୁହାଯାଇଛି। ମେସିନ୍ ଗନ୍ର ଟ୍ରିଗର୍ ଉପରୁ ମୁହୂର୍ତ୍ତେ ବି ହାତ ଉଠାଇବା ମହଙ୍ଗା ସାବ୍ୟସ୍ତ ହୋଇପାରେ। ଯୁଦ୍ଧଭୂମିରେ କେବଳ ଯେ ଯବାନ ଲଢ଼ନ୍ତି ତାହା ନୁହେଁ, ସେମାନଙ୍କୁ ଲଢ଼ିବା ଲାଗି ବିଭିନ୍ନ ସମର୍ଥନ ଯୋଗାଉଥିବା ସେନାର କର୍ମଚାରୀ ମଧ୍ୟ ଉପସ୍ଥିତ ଥାଆନ୍ତି। ଖାଦ୍ୟଯୋଗାଣଠାରୁ ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସହାୟତା ଲାଗି ସେନାର ସ୍ବତନ୍ତ୍ର ଟିମ୍ ରହିଛି। ସେମାନେ ମଧ୍ୟ ଯୁଦ୍ଧକ୍ଷେତ୍ରରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଆନ୍ତି। ପହଲଗାମ୍ ଆକ୍ରମଣ ପରେ ସୀମାରେ ନିୟମିତ ଗୁଳିଗୋଳା ବିନିମୟ ଲାଗିରହିଛି। ଏଥିପାଇଁ ସୀମା ନିକଟରେ ନିର୍ମିତ ବଙ୍କର୍ରେ ଯବାନମାନେ ଅହରହଃ ଜଗିରହିଛନ୍ତି। ଏହି ବଙ୍କର୍ ଭିତରେ ବିତୁଛି ସେମାନଙ୍କ ଜୀବନ। ଏହାବାଦ୍ ସେନା ପୋଷ୍ଟ୍ଗୁଡ଼ିକରେ ବି ମୁତୟନ ହୋଇଛନ୍ତି ଲଢୁଆ ସୈନିକ। ଏହି ପୋଷ୍ଟ୍ରେ ୨୪ଘଣ୍ଟିଆ ପହରା ଜାରିରହିଛି। ସାଧାରଣତଃ ଆଗୁଆ ଅଞ୍ଚଳରେ ଥିବା ପୋଷ୍ଟ୍ଗୁଡ଼ିକୁ ଶତ୍ରୁପକ୍ଷ ଟାର୍ଗେଟ୍ କରିଥାଆନ୍ତି। ସମୟ ଅନୁସାରେ ପୋଷ୍ଟ୍ରେ ମୁତୟନ ଥିବା ଯବାନଙ୍କ ଡ୍ୟୁଟି ବଦଳେ। ଏହାପରେ ସେମାନେ ନିକଟସ୍ଥ ବଙ୍କର୍କୁ ଆସି ବିଶ୍ରାମ ନେବା ସହ ଦୈନନ୍ଦିନ କାର୍ଯ୍ୟ ସଂପାଦନ କରିଥାଆନ୍ତି। ଯୁଦ୍ଧର ଘନଘଟା ଭିତରେ ଯବାନମାନଙ୍କ ବଙ୍କର୍ ଜୀବନର ମହତ୍ତ୍ବ ଯେଥଷ୍ଟ ଅଧିକ। ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଲେ ବଙ୍କର୍ ହିଁ ସେମାନଙ୍କ ପାଇଁ କ୍ଷୁଦ୍ର ଦୁର୍ଗ ଭଳି କାର୍ଯ୍ୟକରେ। ସେଇଠାରୁ ସେମାନେ ଶତ୍ରୁକୁ ନିଶାଣ ଲଗାନ୍ତି।
ଜମ୍ମୁ-କାଶ୍ମୀରର କୁପ୍ୱାରା ଜିଲ୍ଲାର ଭାରତ-ପାକିସ୍ତାନ ସୀମାର ଲାଇନ୍ ଅଫ୍ କଣ୍ଟ୍ରୋଲ୍ (ଏଲ୍ଓସି) ନିକଟରେ ଥିବା କେରନ୍ଘାଟି ଗାଁ’ରେ ରହିଛି ଅନେକ ବଙ୍କର୍। ଶତ୍ରୁପକ୍ଷ ଗୁଳିମାଡ଼ରୁ ଗ୍ରାମବାସୀ ଓ ସୈନ୍ୟଙ୍କୁ ସୁରକ୍ଷା ଦେବା ସହ ସେଇଠାରୁ ପାଲଟା ଗୁଳିଚାଳନା କରାଯାଏ। ଯୁଦ୍ଧ ଘନଘଟା ଭିତରେ ‘ରବିବାର ସମ୍ବାଦ’ ପହଞ୍ଚିଥିଲା ଏଭଳି ବଙ୍କର୍ରେ।
ସେତେବେଳକୁ ସମୟ ପାଖାପାଖି ସନ୍ଧ୍ୟା ୭ଟା। ସୀମାନ୍ତର ତିତ୍ୱାଲ୍ ଗଁା ନିକଟରେ ଥିବା ଭାରତୀୟ ସେନା ଶିବିରରେ ଆମେ ପହଞ୍ଚି ଯାଇଥିଲୁ। ଶ୍ରୀନଗରରୁ ଏ ଅଞ୍ଚଳର ଦୂରତା ପ୍ରାୟ ୮୫ରୁ ୯୦ କିଲୋମିଟର। କୁପ୍ୱାରାରୁ ଯାଇଥିଲୁ ମୁରି ଏବଂ ମୁରିରୁ ତିତ୍ୱାଲ୍। ତେବେ ମୁରିରେ ପହଞ୍ଚିବା ବେଳକୁ ଅପରାହ୍ଣ ହୋଇଯାଇଥିଲା। ଆମ ଗାଡ଼ିସବୁ ଏଇଠି ରହିଲା। ସଞ୍ଜ ନଇଁବା ପରେ ଆରମ୍ଭ ହେଲା ଅଭିଯାନ। ଅତ୍ୟନ୍ତ ଦୁର୍ଗମ ପଥ ଦେଇ ବିନା ଲାଇଟ୍ରେ ୪୫ ମିନିଟ୍ର କଷ୍ଟକର ପଦଯାତ୍ରା ପରେ ଆମେ ମାଛିଲ୍ ପୋଷ୍ଟ୍ରେ ପହଞ୍ଚିଥିଲୁ। ସେନା ଛାଉଣୀ ନିକଟରେ ପହଞ୍ଚିବା ପରେ ସୁରକ୍ଷାକର୍ମୀମାନେ ତନ୍ନ ତନ୍ନ କରି ଆମକୁ ଯାଞ୍ଚ କଲେ।
ଆମ ପାସ୍ ଦେଖିବା ପରେ ସେଠାରେ ଦାୟିତ୍ବରେ ଥିବା ଜନୈକ ହାବିଲ୍ଦାର୍ ଆମକୁ ପୋଷ୍ଟ୍ ଦାୟିତ୍ବରେ ଥିବା ମେଜର୍ଙ୍କ ନିକଟରେ ପହଞ୍ଚାଇଲେ। ତାଙ୍କ ଅନୁମତି ପରେ ଆମକୁ ନିକଟସ୍ଥ ବଙ୍କର୍କୁ ଯିବାକୁ ଅନୁମତି ଦିଆଗଲା। ବଙ୍କର୍ରେ ସୁରକ୍ଷାକର୍ମୀମାନେ କିଭଳି ଭାବେ ସଜାଗ ରହିଛନ୍ତି ଏବଂ ଯୁଦ୍ଧ ପ୍ରସ୍ତୁତି ଚଳାଇଛନ୍ତି ତାହା ଆମକୁ ସେଇ ରାତି ଅନ୍ଧାର ଭିତରେ ଦେଖାଇ ଦେବାକୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଥିଲା। ଚଉଦିଗ ଅନ୍ଧକାର। ଆମେ ଏକ ପାହାଡ଼ର ଉଚ୍ଚତମ ଶୃଙ୍ଗର ଧାରେ ଧାରେ ବଙ୍କର୍ ଆଡ଼କୁ ଯାଉଥିଲୁ। ଆମ ସୁରକ୍ଷା ଦାୟିତ୍ବରେ ଥିବା ମେଜର୍ ମହୋଦୟ ସିଧା ସିଧା ଗୋଟିଏ ଧାଡ଼ିରେ ଚାଲିବା ପାଇଁ ପରାମର୍ଶ ଦେଉଥିଲେ। କାରଣ ରାସ୍ତାର ଉଭୟ ପାର୍ଶ୍ବରେ ଥିବା ଢାଲୁରେ ଲ୍ୟାଣ୍ଡ୍ ମାଇନ୍ସ୍ ବିଛାଯାଇଥିବା ଆଶଙ୍କା ମଧ୍ୟ ଥିଲା। ଆତଙ୍କବାଦୀମାନେ ସେନା କାର୍ଯ୍ୟଧାରାରେ ବ୍ୟାଘାତ ସୃଷ୍ଟି କରିବାକୁ ଲ୍ୟାଣ୍ଡମାଇନ୍ସ୍ ବିଛାଇଥାଆନ୍ତି ବୋଲି ସେ ଆମକୁ ସୂଚନା ଦେଲେ। କିନ୍ତୁ ସଙ୍ଗେ ସଙ୍ଗେ ଏଥିପାଇଁ ଚିନ୍ତିତ ହେବାର କାରଣ ନାହିଁ ବୋଲି ଜଣାଇଦେଲେ। ବଙ୍କର୍ ନିକଟକୁ ଯିବା ସମୟରେ ଆମ ସାଥିରେ ସେନାବାହିନୀର ସ୍ବତନ୍ତ୍ର ତାଲିମପ୍ରାପ୍ତ ତିନିଟି ପାହାଡ଼ୀ କୁକୁର ମଧ୍ୟ ଯାଉଥିଲେ। ସାମାନ୍ୟ ବିପଦର ଆଭାସ ମିଳିଲେ ସେମାନେ ତତ୍କ୍ଷଣାତ୍ ସଙ୍କେତ ଦିଅନ୍ତି ବୋଲି ମେଜର୍ ସୂଚିତ କରିଦେଲେ।
କାଶ୍ମୀରର ପାର୍ବତ୍ୟ ଉପତ୍ୟକାରେ ବହଳ ଅନ୍ଧାର ଭିତରେ ବେଶ୍ କିଛି ସମୟ ପଡ଼ିଉଠି ଚାଲିବା ପରେ ଆମ ସାମ୍ନାରେ ଦିଶିଲା ଏକ ଗେଟ୍। ଏହା ହିଁ ଥିଲା ବଙ୍କର୍ର ପ୍ରବେଶ ପଥ। ପୂରା ସଜାଗ ହୋଇ ରହିଥିଲେ ବେଶ୍ କେତେଜଣ ପ୍ରହରୀ। ପୁଣି କେତେଜଣ ବଙ୍କର୍ ମୁହଁରେ ଥିବା ବାଲିବସ୍ତା ଆଢୁଆଳରେ ବନ୍ଧୁକ ଧରି ଦୂରକୁ ତୀକ୍ଷ୍ଣ ନଜର ରଖିଥିଲେ। ମେଜର୍ଙ୍କ ନିର୍ଦ୍ଦେଶରେ ଆମକୁ ଭିତରକୁ ଛଡ଼ାଗଲା। ଯାତ୍ରା ସମୟରେ ମେଜର୍ ମହୋଦୟ କଥା ପ୍ରସଙ୍ଗରେ କହିଥିଲେ କି ଏଠାରୁ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଦେଖାଯାଏ। ତେବେ ବଙ୍କର୍ ଭିତରେ ପ୍ରବେଶ କରିବା ପୂର୍ବରୁ ଆମେ ପିଓକେ ଦେଖିବାକୁ ଇଚ୍ଛା ପ୍ରକାଶକଲୁ। ବଙ୍କର୍ ଗେଟ୍ ନିକଟରେ ଥିବା ଏକ ମୁଣ୍ଡିଆ ପାଖକୁ ଆମକୁ ନିଆଗଲା। ମୁଣ୍ଡିଆ ସେପଟେ ଅନତିଦୂରରେ ବହି ଯାଉଥିଲା କିଶନ୍ଗଙ୍ଗା ନଈ। ନଦୀ ଆରପଟେ ଥିବା ପିଓକେର ସହର ଦୃଶ୍ୟମାନ ହେଲା। ସହରର ମିଞ୍ଜିମିଞ୍ଜି ଆଲୋକମାଳା ହିଁ ତା’ର ଅବସ୍ଥିତି ସୂଚାଉଥିଲା। ଏହାପରେ ବଙ୍କର୍କୁ ଫେରିଆସି କିଛି ସମୟ ବିଶ୍ରାମ କଲୁ। ପ୍ରାୟ ୧୫/୧୬ ଜଣ ଯବାନ ସେଠାରେ ଜଗି ରହିଥିଲେ। ପୁଣି ପ୍ରସ୍ତୁତ ହୋଇ ରହିଥିଲା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।
କିଛି ସମୟ ପରେ ସେଠାରୁ ବାହାରି ଆମେ ନିକଟରେ ଥିବା ଆଉ ଏକ ବଙ୍କର୍କୁ ଗଲୁ। ପ୍ରାୟ ଦୁଇ କିଲୋମିଟର ଦୂରରେ ପିଓକେରେ ରହିଛି ପାକିସ୍ତାନ ସେନାଛାଉଣୀ। ଯେତେବେଳେ ଶତ୍ରୁପକ୍ଷ ଭାରତୀୟ ସେନାବାହିନୀକୁ ଲକ୍ଷ୍ୟ କରି ଗୁଳିଗୋଳା ବର୍ଷଣ କରେ, ଏହି ବଙ୍କର୍ ହିଁ ସେମାନଙ୍କର ପ୍ରଥମ ଟାର୍ଗେଟ୍ ହୋଇଥାଏ ଏବଂ ଏଠାରୁ ଭାରତୀୟ ସେନା ପାଲଟା ଆକ୍ରମଣ କରେ ବୋଲି ମେଜର୍ ଆମକୁ ସୂଚିତ କରିଥିଲେ। ବଙ୍କର୍ଗୁଡ଼ିକରେ ଆଲୋକ ବ୍ୟବସ୍ଥା ଲାଗି ଗୋଟିଏ ଗୋଟିଏ ଜେନେରେଟର୍ ରଖାଯାଇଥାଏ। ବଙ୍କର୍ ଭିତରେ ଜଣେ ଯବାନ ଅସ୍ତ୍ରଶସ୍ତ୍ର ସଜାଡୁଥିବା ଆମ ନଜରରେ ପଡ଼ିଲା। ଆମେ ତାଙ୍କୁ ଏବେ କାହିଁକି ଗୋଳାବାରୁଦ ଓ ରାଇଫଲ୍ଗୁଡ଼ିକୁ ପ୍ରସ୍ତୁତ କରୁଛନ୍ତି ବୋଲି ପଚାରିଥିଲୁ। ସେ କହିଲେ, ବର୍ତ୍ତମାନର ସ୍ଥିତି ଯାହା, କିଛି କହିହେବନି। ସେପଟୁ ଗୋଳାବର୍ଷଣ କୌଣସି ବି ମୁହୂର୍ତ୍ତରେ ଆରମ୍ଭ ହୋଇପାରେ। ତେଣୁ ପ୍ରସ୍ତୁତ ରହିବା ଦରକାର। ସେତେବେଳକୁ ରାତି ୧୧ଟା ବାଜି ଯାଇଥିଲା। କିଛି ସମୟ ପରେ ଜେନେରେଟର୍ ବନ୍ଦ ହୋଇଗଲା। ବଙ୍କର୍ ଭିତର ପୂରା ଅନ୍ଧାର। ତା’ସତ୍ତ୍ବେ ସୈନ୍ୟମାନେ ବେଶ୍ ସହଜରେ ଚଳପ୍ରଚଳ ହେଉଥାଆନ୍ତି। ରାତିର ବାକି ସମୟ ଆମକୁ ଏଇ ବଙ୍କର୍ ଭିତରେ ଯବାନମାନଙ୍କ ସହ କଟାଇବାକୁ ପଡ଼ିବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ଏଲ୍ଓସିରେ ବଙ୍କର୍ଗୁଡ଼ିକ ପାହାଡ଼ର ବିପରୀତ ଦିଗର ଢାଲୁରେ ନିର୍ମିତ ହୋଇଥିଲା। ଏହାଫଳରେ ପାକିସ୍ତାନୀ ସେନା ଭାରତୀୟ ବଙ୍କର୍ଗୁଡ଼ିକୁ ସହଜରେ ଠାବ କରିପାରନ୍ତି ନାହିଁ। ନିୟମ ଅନୁଯାୟୀ, ରାତି ୧୧ଟା ୩୦ ପୂର୍ବରୁ ସୈନିକମାନେ ସମସ୍ତ କାର୍ଯ୍ୟ ଶେଷକରନ୍ତି। କାରଣ ତା’ପରେ ଜେନେରେଟର୍ ବନ୍ଦ ହୋଇଯାଇଥାଏ। ରାତିର ନିରବତା ଓ ନିସ୍ତବ୍ଧତା ଭିତରେ ସେମାନେ ବଙ୍କର୍ ଭିତରେ ନିଜର ମାରଣାସ୍ତ୍ର ସହ ସଜାଗ ହୋଇ ରହିଥାଆନ୍ତି ଶତ୍ରୁପକ୍ଷ ଆକ୍ରମଣର ମୁକାବିଲା କରିବାକୁ। ଆଖିରେ ପଲକ ପକାଇବାକୁ ବି ଅନୁମତି ନଥାଏ।
ସ୍ଥାନୀୟ ସେନା ଅଧିକାରୀଙ୍କଠାରୁ ଜାଣିବାକୁ ମିଳିଲା କି ପ୍ରତ୍ୟେକ ଯବାନଙ୍କୁ ବଙ୍କର୍ରେ ଦିନକୁ ତିନି ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିଥାଏ। ଏହି କାର୍ଯ୍ୟ ଶେଷହେବା ପରେ ସେମାନେ ବଙ୍କର୍ ରକ୍ଷଣାବେକ୍ଷଣ ଆଦି କାମରେ ନିଜକୁ ନିୟୋଜିତ କରିଥାଆନ୍ତି। ଏହାସହିତ ନିଜର ନିତ୍ୟକର୍ମ ଓ ଖବରକାଗଜ ପଢ଼ା ତଥା ପ୍ରିୟ ପରିଜନଙ୍କୁ ଚିଠି ଲେଖାଲେଖି ବି କରନ୍ତି। ଆଜି ବି ବଙ୍କର୍ରେ ଚିଠିଲେଖା ବ୍ୟବସ୍ଥା ପ୍ରଚଳିତ ଅଛି। ଏଠାରେ ମୋବାଇଲ୍ ଫୋନ୍ରେ ନେଟ୍ୱର୍କ ମିଳି ନଥାଏ। ସପ୍ତାହରେ କେତେବେଳେ କେମିତି ନେଟ୍ୱର୍କ ମିଳୁଥିବା ଗଁା’ ପାହାଡ଼ ଉପରକୁ ଗଲେ କେବେ କେମିତି ଫୋନ୍ରେ ପରିବାର ସହିତ ସେମାନେ କଥାହୁଅନ୍ତି। ଏହି ସ୍ଥାନରେ ଜଣେ ସୈନିକ ଛ’ମାସ କାର୍ଯ୍ୟ କରେ ଏବଂ ଛ’ମାସ ପରେ ଦୁଇମାସର ବାର୍ଷିକ ଛୁଟି ଓ କୋଡ଼ିଏ ଦିନର ସାମୟିକ ଛୁଟି ପାଇଥାଆନ୍ତି।
ବଙ୍କର୍ରେ ମୁତୟନ ଥିବା ଯବାନମାନଙ୍କ ସହ ଆଲୋଚନାରୁ ଜଣାପଡ଼ିଲା, ଶତ୍ରୁପକ୍ଷ ପ୍ରାୟତଃ ମୁହଁସଂଜରେ, ମଧ୍ୟରାତ୍ରିରେ ଓ ପାହାନ୍ତି ପ୍ରହରରେ ଗୁଳିଗୋଳା ବର୍ଷଣ କରନ୍ତି। ସେଥିପାଇଁ ଏହି ସମୟରେ ସଂପୂର୍ଣ୍ଣ ପ୍ରସ୍ତୁତହୋଇ ରହିବାକୁ ପଡ଼ିଥାଏ। ସୈନ୍ୟମାନେ ପ୍ରାୟତଃ ରାତିରେ ଉଜାଗର ରହିଥାଆନ୍ତି। ଏସବୁ ବିଷୟ ବୁଝୁ ବୁଝୁ ରାତି ପାହିଯାଇଥିଲା। ସେମାନଙ୍କ ଜୀବନଧାରା ଯେ କେତେ କଠୋର ତାହା ଏଇ ଗୋଟିଏ ରାତିର ରହଣିରୁ ହିଁ ବୁଝି ହେଉଥିଲା। ଅତ୍ୟନ୍ତ ଶୃଙ୍ଖଳିତ ଢଙ୍ଗରେ ସେମାନେ ପରିଚାଳିତ। ସକାଳୁ ରାତିଯାଏ, ସେମାନେ କର୍ତ୍ତବ୍ୟ ସଂପାଦନ କରିଚାଲିଛନ୍ତି। ସେନାର ସାହସୀ ଯବାନଗଣ ବିନିଦ୍ର ରଜନୀ ପୁହାଇ ସୀମାକୁ ଶତ୍ରୁପକ୍ଷ ଆକ୍ରମଣରୁ ସୁରକ୍ଷିତ ରଖୁଥିବାରୁ ଦେଶବାସୀ ରାତିରେ ସୁନିଦ୍ରା ଯାଇପାରୁଛନ୍ତି। ଏସବୁ ଚିନ୍ତା କରିବା ବେଳକୁ ରାତି ପାହି ଆସୁଥିଲା। ନିର୍ଦ୍ଦେଶ ମୁତାବକ ଆମେ ବଙ୍କର୍ ଖାଲି କରିବାକୁ ପ୍ରସ୍ତୁତି ଆରମ୍ଭକଲୁ।