ଏକଦା ୧୩ ଜଣ ସଦସ୍ୟଙ୍କୁ ନେଇ ଆରମ୍ଭ ହୋଇଥିବା ‘ସାଥୀ ପରିବାର’ରେ ଏବେ ପ୍ରାୟ ଶହେ ଜଣ ସ୍ବେଚ୍ଛାସେବୀ ଯୋଡ଼ି ହୋଇଛନ୍ତି। ପ୍ରଥମେ ଅନୁଗୁଳ ଅଞ୍ଚଳରେ ବୃକ୍ଷ ସୁରକ୍ଷା କାର୍ଯ୍ୟକ୍ରମ ହାତକୁ ନେଇଥିବା ‘ସାଥୀ ପରିବାର’ ୭ ବର୍ଷ ହେଲା ପରିବେଶ ସୁରକ୍ଷା, ଜୈବ ବିବିଧତାର ପୁନରୁଦ୍ଧାର ଆଦି କାର୍ଯ୍ୟ କରି ଆସୁଛି। ଜିଲ୍ଲାର ପ୍ରତି ଗାଁରେ ପରିବେଶ ନେତା ତିଆରି କରିବା ଏବଂ ପରିବେଶ ସୁରକ୍ଷା ପାଇଁ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସାଥୀ ପରିବାରର ଅନ୍ୟତମ ଉଦ୍ଦେଶ୍ୟ ବୋଲି ଏହାର ସମ୍ପାଦକ ସୁବ୍ରତ କୁମାର ପ୍ରଧାନ କହନ୍ତି।
ବୃକ୍ଷରୋପଣ ଓ ବୃକ୍ଷପୋଷଣ
ସାଥୀ ପରିବାର ଦ୍ବାରା ପ୍ରତି ବର୍ଷ ଜୁଲାଇ ଓ ଅଗଷ୍ଟ ମାସରେ ସରକାରୀ ଜମି, ମଠ, ମନ୍ଦିର, ବିଦ୍ୟାଳୟ, ବିଭିନ୍ନ ଗାଁର ଖୋଲା ସ୍ଥାନରେ ବୃକ୍ଷ ରୋପଣ କରାଯାଉଛି। ଆଜି ପର୍ଯ୍ୟନ୍ତ ଏହି ଅନୁଷ୍ଠାନ ପ୍ରାୟ ୧୦ ହଜାର ଗଛ ଲାଗାଇଥିବା ଦାବି କରିଛି। ଭାଲିଆପାଳ, ଆମ୍ବପାଳ, ବେଣାଗାଡ଼ିଆ, କୁଲାସିଂହା, ବନ୍ତଳା, ଗୁରଙ୍ଗ, ମନ୍ଦରପୁର, କୁମଣ୍ଡ, କୁରୁଡ଼ୁ ପ୍ରଭୃତି ଅନେକ ଗାଁରେ ଗଛ ଲଗାଇ ସବୁଜ ବଳୟ ସୃଷ୍ଟି କରିଛି ‘ସାଥୀ ପରିବାର’।
ଜଙ୍ଗଲ ନିଆଁ ରୋକିବାକୁ ସାଇକେଲ୍ ଯାତ୍ରା ୨୦୨୨ ମସିହାରୁ ଅନୁଷ୍ଠାନର ସଦସ୍ୟମାନେ ଅନୁଗୁଳ, ଆଠମଲ୍ଲିକ, ସାତକୋଶିଆ ଅଞ୍ଚଳକୁ ସାଇକଲ୍ରେ ଯାତ୍ରା କରି ଗ୍ରାମବାସୀ ଓ ହାଇସ୍କୁଲ ପିଲାଙ୍କୁ ଜଙ୍ଗଲ ନିଆଁର କାରଣ, ଭୟାବହତା ଓ ଏହାର ନିରାକରଣ ଉପାୟ ସଂପର୍କରେ ସଚେତନ କରୁଛନ୍ତି। ଚଳିତ ବର୍ଷ ୯୦ଟି ଗାଁ ଓ ୧୫ଟି ବିଦ୍ୟାଳୟରେ ଏଭଳି ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।
ତାଳଗଛ ସଂରକ୍ଷଣ କାର୍ଯ୍ୟକ୍ରମ
ତାଳଗଛ ଜୈବ ବିବିଧତାର ଏକ ପ୍ରମୁଖ ଅଂଶ। ଅନୁଗୁଳ ଜିଲ୍ଲା ଏକ ବଜ୍ରପାତ ପ୍ରବଣ ଜିଲ୍ଲା। ତାଳ ଗଛ ମନୁଷ୍ୟ ଓ ଗୃହପାଳିତ ପ୍ରାଣୀମାନଙ୍କୁ ବଜ୍ରାଘାତରୁ ରକ୍ଷା କରିଥାଏ। କେତେକ ବିଲୁପ୍ତପ୍ରାୟ ଚଢ଼େଇ ଏହି ଗଛରେ ବସା ବାନ୍ଧି ରହିଥା’ନ୍ତି। ଏହି କାରଣରୁ ସାଥୀ ପରିବାର ପକ୍ଷରୁ ପ୍ରତି ବର୍ଷ ଅଗଷ୍ଟ ମାସରେ ତାଳ ଗୋଟମା ରୋପଣ କରାଯାଉଛି।
ସାଥୀ ଚାରା କେନ୍ଦ୍ର
ପ୍ରତିବର୍ଷ ଚାରା ବାଣ୍ଟିବା ଓ ଅଧିକରୁ ଅଧିକ ଚାରା ରୋପଣ ପାଇଁ ଅନୁଷ୍ଠାନ ପକ୍ଷରୁ ‘ସାଥୀ ଚାରା କେନ୍ଦ୍ର’ ଖୋଲାଯାଇଛି। ଏଠାରେ ୩ ହଜାରରୁ ଅଧିକ ଶାଳିଅ ବାଉଁଶ ଚାରା ପ୍ରସ୍ତୁତ କରି ବର୍ଷା ଦିନେ ହାତୀବହୁଳ ଅଞ୍ଚଳରେ ରୋପଣ କରାଯାଉଛି। ଏହି ସଂଗଠନ ଦ୍ବାରା ଗୁରଙ୍ଗ ଗାଁରେ ଏକ ଆର୍ଦ୍ରଭୂମି ମଧ୍ୟ ନିର୍ମାଣ କରାଯାଇଛି। ସାଥୀ ପରିବାରର ଅଧ୍ୟକ୍ଷ ସିଦ୍ଧାର୍ଥ ପ୍ରଧାନ କହିଛନ୍ତି, ‘ଜଳବାୟୁ ପରିବର୍ତ୍ତନ ହେଉଛି ବୈଶ୍ବିକ ସମସ୍ୟା। ଏ ପରିସ୍ଥିତିରେ ଯୁବ ସମାଜ ପରିବେଶ ସୁରକ୍ଷା ପ୍ରତି ଗୁରୁତ୍ବ ଦେବା ଆବଶ୍ୟକ। ପରିବେଶର ପୂର୍ବାବସ୍ଥା ଫେରାଇ ଆଣିବା ସାଥୀ ପରିବାରର ଉଦ୍ଦେଶ୍ୟ। କେବଳ ପ୍ରକୃତିର ସଂରକ୍ଷଣ ପାଇଁ ଏହି ଅନୁଷ୍ଠାନ ନିଜର ସମ୍ବଳ, ସମୟ ଓ ଶ୍ରମ ସମର୍ପଣ କରିଦେଇଛି।’
- ପ୍ରଭାତ କୁମାର ବେହେରା
ପରିବେଶ ପାଇଁ ସମର୍ପିତ ସାଥୀ ପରିବାର
/sambad/media/post_attachments/wp-content/uploads/2024/06/shsfhshfshf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)