ଏକ ପୋଷା କୁକୁର କେମିତି ତା’ ମାଲିକାଣିଙ୍କ ପାଇଁ ଜଣେ ବିରଳ କିଡ୍ନିଦାତାଙ୍କୁ ଜୁଟାଇ ତାଙ୍କୁ ଦ୍ବିତୀୟ ଜୀବନଦାନ କରିଛି, ସେ କାହାଣୀ ଏବେ ସାମାଜିକ ଗଣମାଧ୍ୟମରେ ଖୁବ୍ ପ୍ରସାରିତ ହେବାରେ ଲାଗିଛି। ୟୁନାଇଟେଡ୍ କିଙ୍ଗଡମ୍ର କାରଫିଲିରେ ରହୁଥିବା ୪୪ ବର୍ଷୀୟା ଲୁସି ହମ୍ପେରି ‘ଲୁପସ୍’ ବେମାରରେ ପୀଡ଼ିତ। ଏହା ଶରୀରର ରୋଗପ୍ରତିରୋଧ ବ୍ୟବସ୍ଥାର ଏପରି ଏକ ଅସ୍ବାଭାବିକତା ଯାହା ଖୋଦ ଶରୀରର ବିଭିନ୍ନ ପ୍ରତ୍ୟଙ୍ଗକୁ ଆକ୍ରମଣ କରିଥାଏ। ଲୁସି ଦୀର୍ଘ ୧୫ ବର୍ଷ କାଳ ମରଣ ସହ ସଂଘର୍ଷ ଜାରି ରଖିଥିବା ବେଳେ ତାଙ୍କ କିଡ୍ନି ଦୁଇଟି ମଧ୍ୟ ନିଷ୍କ୍ରିୟ ହେବାକୁ ଲାଗିଲା। କିଡ୍ନି ପ୍ରତିରୋପଣ ନକଲେ ତାଙ୍କ ଜୀବନ ବଞ୍ଚାଇବା ସମ୍ଭବ ନୁହେଁ ବୋଲି ଡାକ୍ତର ଘୋଷଣା କରିଥିବା ବେଳେ ତାଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ କିଡ୍ନିଦାତା ପାଇବାର ସମ୍ଭାବନା ୨.୨ କୋଟିରେ ଜଣେ ବୋଲି ପରିସଂଖ୍ୟାନ କହେ। ତେଣୁ ଲୁସି ବଞ୍ଚିବାର ସମସ୍ତ ଆଶା ଛାଡ଼ିଦେଇଥିଲେ।
ଦେଢ଼ ବର୍ଷ ତଳେ ଏକଦା ସେ ତାଙ୍କ ପୋଷା କୁକୁର ‘ଇଣ୍ଡି’ ସହ ଦକ୍ଷିଣ ୱେଲ୍ସର ବ୍ୟାରି ବେଳାଭୂମିରେ ବୁଲୁଥିଲେ। ସେଠାରେ ଇଣ୍ଡିର କୌତୁକିଆ ହାବଭାବରେ ମୁଗ୍ଧ ହୋଇ କେଟି ଜେମ୍ସ ନାମକ ଜଣେ ଅଚିହ୍ନା ଆଗନ୍ତୁକ ସେମାନଙ୍କ ସହ ମିଶିଥିଲେ। କଥାବାର୍ତ୍ତା ବେଳେ ଜେମ୍ସ ନିଜର କିଡ୍ନି ଦାନ କରିବା ପାଇଁ ନିକଟରେ ପଞ୍ଜୀକରଣ କରିଥିବା କଥା ଜଣାଇଥିଲେ। ଲୁସି ମଧ୍ୟ ଜଣେ କିଡ୍ନି ଆଶାୟୀ ଥିବାରୁ ସେମାନେ ପରସ୍ପର ଖୁସି ହୋଇ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଗଲେ। ଖୁସିର କଥା, ଜେମ୍ସଙ୍କର କିଡନି ଲୁସିଙ୍କ ସହ ମିଶି ଯାଉଥିବା ଜଣା ପଡ଼ିଥିଲା। ଗତ ବର୍ଷ ଅକ୍ଟୋବରରେ ଲୁସିଙ୍କ ଠାରେ ଜେମ୍ସଙ୍କ ପ୍ରଦତ୍ତ କିଡ୍ନିକୁ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି ଏବଂ ସେ ଏବେ ଦ୍ବିତୀୟ ଜୀବନ ଜିଉଛନ୍ତି ବୋଲି ଲୁସି କହିଛନ୍ତି। ତେବେ କିଡ୍ନିଦାତା ପାଇବା ‘ଇଣ୍ଡି’ ଯୋଗୁଁ ସମ୍ଭବ ହେଲା ବୋଲି ସେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/6546g5d46gjgjgj.jpg)