ଲୋକପ୍ରିୟ ଜଳଖିଆ ଦୋକାନ କି ହୋଟେଲଗୁଡ଼ିକ ନିଜର ନୂଆ ଖାଦ୍ୟସାମଗ୍ରୀର ପ୍ରଚାର ଓ ପ୍ରସାର ପାଇଁ ନାନା ପ୍ରକାର ବିଜ୍ଞାପନ ଛାଡ଼ି ଗ୍ରାହକଙ୍କୁ ଆକୃଷ୍ଟ କରିଥା’ନ୍ତି। ଏ ପରିପ୍ରେକ୍ଷୀରେ ଉତ୍ତର ପ୍ରଦେଶର ମିରଠ ସ୍ଥିତ ‘କୌଶଲ ସ୍ବିଟ୍‌ସ’ ନାମକ ମିଠାଦୋକାନ ତରଫରୁ ଜାରି କରାଯାଇଥିବା ଏକ ସିଙ୍ଗଡ଼ା ବିଜ୍ଞାପନ ଚହଳ ସୃଷ୍ଟି କରିଛି। ‘ବାହୁବଳୀ’ ନାମକ ଏହି ସିଙ୍ଗଡ଼ାରୁ ଗୋଟିଏକୁ ଏକାଥରକେ କେହି ଖାଇଦେଲେ ୫୧ ହଜାର ଟଙ୍କା ପୁରସ୍କାର ମିଳିବ ବୋଲି ଘୋଷଣା କରିଯାଇଛି। ଏହି ବିରାଟ ସିଙ୍ଗଡ଼ାର ମୂଲ୍ୟ ୧,୧୦୦ ଟଙ୍କା ରଖାଯାଇଥିବା ବେଳେ ତାହା ୩୦ ଜଣ ଗ୍ରାହକଙ୍କ ପେଟ ପୂରାଇବାକୁ ସମର୍ଥ। ତେବେ ଉକ୍ତ ବିଜ୍ଞାପନରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ ‘ବାହୁବଳୀ ସିଙ୍ଗଡ଼ା’କୁ ଜଣେ ଗରାଖ ୩୦ ମିନିଟ୍‌ ଭିତରେ ଖାଇ ଶେଷ କରିପାରିଲେ ଯାଇ ତାଙ୍କୁ ୫୧ ହଜାର ଟଙ୍କା ପୁରସ୍କାର ମିଳିବ।