ବିଶ୍ବାସ କରିହେଉନି। ଆମ ଗହଣରେ ଆଉ ନାହାନ୍ତି ଆମର ପ୍ରିୟ କିଶୋର ବାବୁ। ହସ ହସ ଚେହେରା। ଅତି ମାତ୍ରାରେ ଉତ୍ସାହୀ। ଯୁବ ସୁଲଭ। ଏେତ ବଡ଼ ବ୍ୟକ୍ତିତ୍ବ। ଟିକିଏ ହେଲେ ଗର୍ବ ନାହିଁ, କି ଟିକିଏ ହେଲେ ଅହଂକାର ନାହିଁ। ଯେତେବେଳେ ଦେଖାହୁଏ; ହସ ହସ ଚେହେରାରେ ପାଖକୁ ମାଡ଼ି ଆସନ୍ତି। ହ୍ୟାଣ୍ଡସେକ୍ କରନ୍ତି। କେବେ କହନ୍ତି- ହ୍ୟାପି ବାର୍ଥ ଡେ ଟୁ ୟୁ। କେବେ କହି ଦିଅନ୍ତି- ହ୍ୟାପି ନ୍ୟୁ ୟର୍ସ। ମୁଁ ବି ସେୟା କହିଦିଏ। କିନ୍ତୁ କେବେ ବୁଝିପାରେ ନାହିଁ, ସେ ଏମିତି କାହିଁକି ଉଇସ୍ କରନ୍ତି। ଥରେ ପଚାରିଦେଲି। ସେ ଯେଉଁ ଉତ୍ତର ଦେଇଥିଲେ, ତାହା ମୋ କଳ୍ପନା ବାହାରେ ଥିଲା।
ସେ କହିଲେ, ଜୀବନର ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବା ଶିଖନ୍ତୁ। ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ନୂଆ ସୁଯୋଗ ସୃଷ୍ଟି କରୁଛି। ତେଣୁ ଜନ୍ମଦିନ ହେଉ କି ନୂଆ ବର୍ଷ ହେଉ ଅାମକୁ ଆଉ ୩୬୫ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ତାଙ୍କର ଏହି କଥାଟି ଏବେ ବି ମୋ ମନରେ ଛାପିହୋଇ ରହିଛି। ତାଙ୍କରି କଥାରେ ଶତ ପ୍ରତିଶତ ସତ୍ୟତା ଥିଲା। ପ୍ରିୟ କିଶୋର ବାବୁ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କର ବ୍ୟଙ୍ଗ କବିତାରେ ଥିଲା ବିଦ୍ରୋହର ସ୍ବର। ସେ କୌଣସି ଅନ୍ୟାୟକୁ ସହଜରେ ବରଦାସ୍ତ କରି ପାରିୁନଥିଲେ। ତାହାକୁ ସେ ତାଙ୍କର ତେର୍ଚ୍ଛା ବାଣରେ ସୁଧାରିବାକୁ ଉଦ୍ୟମ କରିଥିଲେ। ତାଙ୍କର କଟାକ୍ଷରୁ କେହି ବର୍ତ୍ତି ନଥିଲେ। ସେ ଜାନକୀବଲ୍ଲଭ ପଟ୍ଟନାୟକ ହୁ୍ଅନ୍ତୁ, କି ନବୀନ ପଟ୍ଟନାୟକ। ସୁଶାସନରୁ ଟିକିଏ ବିଚ୍ୟୁତ ହେଲେ ତାହାକୁ ଦୃଷ୍ଟିରେ ଆଣିବା ଲାଗି ବ୍ୟଙ୍ଗର ଅସ୍ତ୍ର ବ୍ୟବହାର କରିବାକୁ ସେ କେବେ ପଛାଇ ନାହାନ୍ତି। ଏମିତି ବ୍ୟକ୍ତି କ୍ବଚିତ୍ ଜନ୍ମ ନିଅନ୍ତି। ଆମ ଭିତେର ସେ ଥିଲେ, ତାହା ହେଉଛି ଆମର ପରମ ସୌଭାଗ୍ୟ।