ନୂଆଦିଲ୍ଲୀ:  ସୃଷ୍ଟିରେ ନାନା ଜାତି ଓ ନାନା ରଙ୍ଗର ଜୀବଜନ୍ତୁ ଓ କୀଟପତଙ୍ଗ ଭରି ରହିଛନ୍ତି ଯାହା ପ୍ରକୃତିକୁ ସୁନ୍ଦରମୟ କରିଥାଏ। ପରିବେଶ ସହ ଖାପ ଖୁଆଇବା ପାଇଁ ଏଣ୍ଡୁଅ ପରି କିଛି ଜୀବ ନିଜର ରଙ୍ଗ ବଦଳାଉଥା’ନ୍ତି ତ କିଛି ଜୀବ ବିବର୍ତ୍ତନ ପ୍ରକ୍ରିୟାରେ ଏକ ନିର୍ଦ୍ଦିଷ୍ଟ ରଙ୍ଗ ଧାରଣ କରିଥା’ନ୍ତି। ଏହି କ୍ରମରେ ଝିଣ୍ଟିକା ଭଳି ପତଙ୍ଗ ପତ୍ର ଗହଳରେ ନିଜକୁ ଶିକାରୀ ଜୀବଠାରୁ ବଞ୍ଚାଇବା ଲାଗି ସ୍ଥାୟୀ ଭାବରେ ସବୁଜ ବର୍ଣ୍ଣ ଧାରଣ କରିଛି। କିଛି ଝିଣ୍ଟିକା ମଧ୍ୟ କାଠ ବା ଶୁଖିଲା ଡାଳରେ ରହି ଆସୁଥିବାରୁ ସେମାନଙ୍କ ରଙ୍ଗ ସ୍ଥାୟୀ ଭାବେ ମାଟିଆ ହୋଇଯାଇଛି। ତେବେ ଆମେରିକା, ଅଷ୍ଟ୍ରେଲିଆ ଓ ୟୁକେରେ କାଁ ଭାଁ ଦେଖା ଦେଉଥିବା ଏକ ପ୍ରକାର ଗୋଲାପି ରଙ୍ଗର ବିରଳ ଝିଣ୍ଟିକା ପ୍ରକୃତିପ୍ରେମୀମାନଙ୍କୁ ଅଭିଭୂତ କରିଛି।

Advertisment

ଚିରାଚରିତ ସବୁଜ ବା ମାଟିଆ ଝିଣ୍ଟିକାଙ୍କ ଠାରେ ‘ଏରିଥ୍ରିଜିମ୍‌’ ନାମକ ଏକ ପ୍ରକାର ଆନୁବଂଶିକ ପରିବର୍ତ୍ତନ ଯୋଗୁଁ ସେମାନଙ୍କର ରଙ୍ଗ ଗୋଲାପି ହୋଇଥାଏ। ରଙ୍ଗ ଅଲଗା ହେଲେ ମଧ୍ୟ ଗୋଲାପି ଝିଣ୍ଟିକାଗୁଡ଼ିକ ଅନ୍ୟ ଝିଣ୍ଟିକା ପରି ତୃଣଭୋଜୀ। ସେମାନଙ୍କର ଉଜ୍ଜ୍ବଳ ରୂପ ସେମାନଙ୍କୁ ଶିକାରୀ ଆଖିରେ ସହଜରେ ଧରା ପକାଇ ଦେଇଥାଏ ସତ, କିନ୍ତୁ ପ୍ରକୃତି ସେମାନଙ୍କ ସୁରକ୍ଷା ପାଇଁ ମଧ୍ୟ ବାଟ ଖଞ୍ଜିଛି। ଆଖପାଖରେ ଫୁଟୁଥିବା ସମାନ ରଙ୍ଗର ଫୁଲର ପାଖୁଡ଼ା ତଳେ ସେମାନେ ନିଜକୁ ଲୁଚାଇ ଦେଇଥା’ନ୍ତି। ତେବେ ସେମାନଙ୍କର ଚମତ୍କାର ରୂପ ଓ ବିରଳତା ଯୋଗୁଁ ସେମାନଙ୍କ ପ୍ରତି ଲୋକଙ୍କର ଆଗ୍ରହ ଓ କୌତୂହଳ ବଢ଼ିବାରେ ଲାଗିଛି। ବିଶେଷ କରି କୀଟପ୍ରେମୀ ଓ ଚିତ୍ର ଉତ୍ତୋଳନକାରୀଙ୍କ ପାଇଁ ସେମାନେ ଅନ୍ୟତମ ଆକର୍ଷଣ ପାଲଟିଛନ୍ତି ଏବଂ ସେମାନେ ସେଗୁଡ଼ିକ ସଂଗ୍ରହ କରିବାରେ ଅପୂର୍ବ ଆନନ୍ଦ ଲାଭ କରୁଛନ୍ତି।