ଅଗରତାଲା: ତ୍ରିପୁରାର ଛଅ ବର୍ଷୀୟ ବାଳିକା ଧାନିକା। ବେଶ୍ ସୁସ୍ଥ ସବଳ ହୋଇ ଜନ୍ମିଥିଲା ସେ। ସବୁ ପିଲାଙ୍କ ପରି ତା’ର ଜୀବନ ଯାତ୍ରା ଥିଲା ସ୍ୱାଭାବିକ।
କିନ୍ତୁ, ଛଅ ସପ୍ତାହ ତଳେ ସେ କହିଲା କି, ତା’ର ଆଖି କୁଣ୍ଡେଇ ହେଉଛି। ପରେ ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଲା ସେ ଲିମ୍ଫୋସାଇଟିକ୍ ଲ୍ୟୁକେମିଆରେ ଆକ୍ରାନ୍ତ। ଏହା ହେଉଛି ରକ୍ତ ଏବଂ ଅସ୍ଥି ମଜ୍ଜାରେ ହେଉଥିବା ଏକ ଜାତୀୟ ବିରଳ କର୍କଟ ରୋଗ। ଏଥିରେ ଆକ୍ରାନ୍ତ ହେଲେ ଆଖି ଯୋଡ଼ିକ ଫୁଲି ଟେନିସ୍ ବଲ୍ ପରି ହୋଇଯାଏ ଏବଂ ସେଥିରୁ ରକ୍ତ ପଡ଼େ।
ଧାନିକାର ପିତା ଧାନ୍ୟ କୁମାର ତ୍ରିପୁରା କହନ୍ତି: ଆଖି ଖୁଞ୍ଜିରଗଡ଼ି ହେଉଛି କହି ଧାନିକା ସଦାବେଳେ ନିଜ ଆଖି ଯୋଗୁଁ ଦଳେ। ଧୀରେ ଧୀରେ ତା’ର ଆଖି ଯୋଡ଼ିକ ଫୁଲି ଏତେ ବଡ଼ ହୋଇଗଲା। ଆମ ଗାଁ’ରେ ଥିବା ଅନେକ ଡାକ୍ତରଙ୍କ ପାଖକୁ ଆମେ ତାକୁ ନେଇ ଥିଲୁ। କିନ୍ତୁ, କେହି ତାହା ଭଲ କରି ପାରିଲେ ନାହିଁ। ଏ ସବୁ ଆରମ୍ଭ ହୋଇ ଥିଲା ୪୫ ଦିନ ତଳେ। ହଠାତ୍ ତା’ର ଅବସ୍ଥା ଏମିତି ସ୍ତରକୁ ଚାଲି ଆସିଲା ଯେ ଏବେ ଆମେ ତା’ର ଜୀବନ ବିଷୟରେ ଚିନ୍ତିତ ହୋଇ ପଡ଼ିଛୁ।
ଧାନିକାର ଅବସ୍ଥା ଦେଖି ମୋତେ କାନ୍ଦ ମାଡୁଛି। ମୁଁ ତା’ ଆଖିକୁ ଚାହିଁ ପାରୁ ନାହିଁ କି, ଆଉ ତା’ ସହ କଥା କହୁ ନାହିଁ। ତା’ ଆଖି ଭାରି ବିକଟାଳ ଦିଶୁଛି। ତା’ର ଯନ୍ତ୍ରଣା ଓ ପରିସ୍ଥିତି ମୋ ଅନ୍ତର ଦହି ଦେଉଛି। ଜଣେ ବାପ ହିସାବରେ ଛୁଆର ଏପରି ଯନ୍ତ୍ରଣା ଦେଖିବା ବଡ଼ ଅଭାନୀୟ।
ୟୁନାଇଟେଡ୍ ତିପ୍ରାସା ଫୋରମ୍ ନାମକ ଏକ ଦାତବ୍ୟ ଅନୁଷ୍ଠାନ ଧାନିକାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। କିନ୍ତୁ, ଡାକ୍ତରମାନେ କହିଛନ୍ତି କି ତା’ର ବଞ୍ଚିବାର ଆଶା ଅତି କ୍ଷୀଣ।
ୟୁଟିପିର ସଜଳ ଦେବବର୍ମା କହନ୍ତି: ଏକ ସାମାଜିକ ଗଣମାଧ୍ୟମ ଗ୍ରୁପ୍ ଦ୍ୱାରା ମୁଁ ଝଅଟି ବିଷୟରେ ଜାଣିବାକୁ ପାଇଲି। ମୁଁ ତାକୁ ସତରେ ସାହାଯ୍ୟ କରିବାକୁ ଚାହେଁ। ଆମେ ତାକୁ ଦେଖିବାକୁ ଯାଇଥିଲୁ। ତା’ର ଅବସ୍ଥା ଦେଖି ଆମେ ଆଘତ ପାଇଲୁ। ତା’ର ଚିକିତ୍ସା କଥା ଛାଡ଼ନ୍ତୁ, କୁଆଡ଼େ ଯିବେ ଏବଂ କାହାକୁ ଦେଖାଇବେ ସେ କଥା ତାଙ୍କ ପରିବାର ଲୋକେ ଜାଣନ୍ତି ନାହିଁ।
ୟୁଟିପି ଏବେ ଧାନିକାଙ୍କୁ ଅଗରତାଲାକୁ ଆଣି ତା’ର ଚିକିତ୍ସା କରାଉଛନ୍ତି। ଦେବବର୍ମ କହନ୍ତି: ଆମେ ତାକୁ ଅଗରତାଲାକୁ ଆଣି ତା’ର ଚିକିତ୍ସା ଆରମ୍ଭ କରାଇଛୁ। କିନ୍ତୁ, ଆମର ପାଣ୍ଠି ସୀମିତ। ଆମେ ଆଶା କରୁଛୁ ଟିକି ଝିଅକୁ ସହାୟତା କରିବାକୁ ଲୋକେ ଆଗେଇ ଆସିବେ।
ମେଡିକାଲ ଅଙ୍କୋଲୋଜିଷ୍ଟ୍ ଡାକ୍ତର ମୁନିଲିମା ହଜାରିକା କହନ୍ତି: ଏବେ ମଧ୍ୟ ତା’ର ସ୍ୱାସ୍ଥ୍ୟାବସ୍ଥା ସଙ୍କଟଜନକ ସ୍ଥିତିରେ ରହିଛି। ଅଳ୍ପ ଦିନ ତଳେ ଆମେ କେମୋଥେରାପି ଆରମ୍ଭ କରିଛୁ। ମାତ୍ର ତା’ର ବଞ୍ଚିବାର ଆଶା ମାତ୍ର ଶତକଡ଼ା ୧୦ ଭାଗ। ସେମିତିରେ ତ ସେ ଦୁର୍ବଳା। କେମୋଥେରାପି ନେଉଥିବାରୁ ତା’ର ହିମୋଗ୍ଲୋବିନ୍ ଏବଂ ପ୍ଲେଟିଲେଟ୍ସ୍ ଆହୁରି କମିଯିବ। ତାହା ବିପଦ ଆଣି ପାରେ। ତା’ର ଚିକିତ୍ସା ଚାଲୁ ରଖିବା ପାଇଁ ଆମେ ଅନ୍ୟୂନ ୩୦ ଜଣ ରକ୍ତଦାତା ଆବଶ୍ୟକ କରୁଛୁ।