ଜଳବାୟୁ ପରିବର୍ତ୍ତନ ଓ ‘ଲା ନିନା’ ଯୋଗୁଁ ଚଳିତବର୍ଷ ଆଟଲାଣ୍ଟିକ ମହାସାଗରରେ ଦୁଇ ଡଜନରୁ ଅଧିକ ଝଡ଼ ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଆମେରିକାର ନାସନାଲ ଓସେନିକ୍ ଆଣ୍ଡ୍ ଆଟମସଫେରିକ୍ ଆଡମିନିଷ୍ଟ୍ରେସନ୍ (ନୋଆ)ର ବୈଜ୍ଞାନିକମାନେ ଆଟଲାଣ୍ଟିକ ଝଡ଼ ଋତୁ ପାଇଁ ସର୍ବୋଚ୍ଚ ୧୭ରୁ ୨୫ ଯାଏ ନାମିତ ଝଡ଼ର ପୂର୍ବାନୁମାନ କରିଛନ୍ତି। ସେଥି ମଧ୍ୟରୁ ଘଣ୍ଟାପ୍ରତି ୧୧୯ କି.ମି. ବେଗରେ ପବନ ବହିଲା ପରି ୧୩ଟି ଝଡ଼ ଓ ଘଣ୍ଟାପ୍ରତି ୧୭୯ କି.ମି. ପବନ ବହିଲା ପରି ୪ରୁ ୭ଟି ପ୍ରମୁଖ ଝଡ଼ ଆସିପାରେ।
ନୋଆର କହିବାନୁସାରେ, ହାରାହାରି ଝଡ଼ ଋତୁରେ ୧୪ଟି ନାମିତ ଝଡ଼ ଆସିଥାଏ। ରେକର୍ଡ ଅନୁଯାୟୀ, ୨୦୨୦ରେ ଝଡ଼ ଋତୁ ସବୁଠୁ ସକ୍ରିୟ ରହିଥିଲା, ଯେଉଁଥିରେ ୩୦ଟି ନାମିତ ଝଡ଼ ରହିଥିଲା। ପୂର୍ବରୁ ବୈଜ୍ଞାନିକମାନେ ଜାଣିପାରିଥିଲେ କି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ହିଁ ଆଟଲାଣ୍ଟିକ ଝଡ଼ ଋତୁ ଅଧିକ ଉଗ୍ର ହୋଇଛି। କାରଣ ଯେତେବେଳେ ଉଷ୍ମ ମହାସାଗରଗୁଡ଼ିକ ବାରମ୍ବାର ଝଡ଼ ସୃଷ୍ଟି କରିପାରନ୍ତି ନାହିଁ, ସେଗୁଡ଼ିକ ଶୀଘ୍ର ବଢ଼ନ୍ତି ଓ ଅଧିକ ଶକ୍ତିଶାଳୀ ହୋଇଥା’ନ୍ତି। ଉଷ୍ମ ସମୁଦ୍ରଜଳର ଏକ ପତଳା ସ୍ତରରୁ ଝଡ଼ ବଢ଼ିଥାଏ ଯାହା ବାଷ୍ପୀଭୂତ ହୋଇ ଝଡ଼ ମେଘ ସୃଷ୍ଟି କରେ। ସମୁଦ୍ର ଯେତେ ଉଷ୍ମ ହେବ, ଉକ୍ତ ପ୍ରଣାଳୀ ସେତେ ଅଧିକ ଶକ୍ତି ପାଇବ ଓ ଝଡ଼ ସୃଷ୍ଟି ପ୍ରକ୍ରିୟାକୁ ସେତେ ତ୍ବରାନ୍ବିତ କରି ଉଗ୍ର ଝଡ଼ର ରୂପ ଆଣିବ। ୨୦୨୩ ମାର୍ଚ୍ଚ ପରଠାରୁ ସମଗ୍ର ବିଶ୍ବରେ ହାରାହାରି ସମୁଦ୍ରପୃଷ୍ଠ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଏହା ସୂଚାଉଛି କି, ଆଗକୁ ଉଗ୍ର ଝଡ଼ ଋତୁ ଆସୁଛି। ଜ୍ଞାନିକମାନେ ମଧ୍ୟ ପୂର୍ବାନୁମାନ କରିଛନ୍ତି କି, ନିକଟରେ ଶେଷ ହୋଇଥିବା ‘ଏଲ୍ ନିନୋ’ ଗୀଷ୍ମ ଶେଷ ସୁଦ୍ଧା ତାହାର ଶୀତଳ ପ୍ରତିପକ୍ଷ ‘ଲା ନିନୋ’କୁ ରୂପାନ୍ତରିତ ହେବ। ‘ଲା ନିନୋ’ ଏକ ଝଡ଼ପୂର୍ଣ୍ଣ ଗ୍ରୀଷ୍ଣ ଆଣିପାରେ। ଚଳିତ ଦଶନ୍ଧିରେ ଘଣ୍ଟାକୁ ୩୦୯ କି.ମି.ରୁ ଅଧିକ ବେଗରେ ପବନ ବହିଲା ପରି ୫ଟି ଝଡ଼ ସଂଘଟିତ ହୋଇସାରିଛି।