ପରମ୍ପରାର ପ୍ରତିବିମ୍ବ: ସେଇ ରାଖି, ନୂଆ ଆଖି

ଦୁନିଆର ସବୁଠାରୁ ନିଆରା ସମ୍ପର୍କ ହେଉଛି ଭାଇଭଉଣୀ ସମ୍ପର୍କ। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷା ବନ୍ଧନ ବା ରାଖିବନ୍ଧା ପରମ୍ପରା ଆମକୁ ଏହି ସଂପର୍କର ମହତ୍ତ୍ବ ସ୍ମରଣ କରାଇଦିଏ। ଭାଇ ହାତରେ ଭଉଣୀ ବାନ୍ଧିଦିଏ ସ୍ନେହର ଡୋରି।

New Pwct (22)

ଦୁନିଆର ସବୁଠାରୁ ନିଆରା ସମ୍ପର୍କ ହେଉଛି ଭାଇଭଉଣୀ ସମ୍ପର୍କ। ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହେଉଥିବା ରକ୍ଷା ବନ୍ଧନ ବା ରାଖିବନ୍ଧା ପରମ୍ପରା ଆମକୁ ଏହି ସଂପର୍କର ମହତ୍ତ୍ବ ସ୍ମରଣ କରାଇଦିଏ। ଭାଇ ହାତରେ ଭଉଣୀ ବାନ୍ଧିଦିଏ ସ୍ନେହର ଡୋରି। ସେହି ରେଶମୀ ଡୋରିଟି ଭଉଣୀର ଭାଇ ପ୍ରତି ଅନାବିଳ ସ୍ନେହର ନିଦର୍ଶନ ହୋଇଥିବା ବେଳେ ଭାଇକୁ ଭଉଣୀ ପ୍ରତି ଥିବା କର୍ତ୍ତବ୍ୟ ମଧ୍ୟ ସ୍ମରଣ କରାଇଥାଏ। ଭଉଣୀର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୁଏ ଭାଇ। ଯଦିଓ ରାଖିବନ୍ଧା ସଂସ୍କୃତି ଓଡ଼ିଆଙ୍କର ମୌଳିକ ପରମ୍ପରା ନୁହେଁ, କିନ୍ତୁ ସମୟକ୍ରମେ ଉତ୍ତର ଭାରତରୁ ଆସିଥିବା ଏହି ପର୍ବକୁ ଆମେ ସାଦରେ ଆପଣାଇ ନେଇଛେ। ଆଉ ରାଖିପୂର୍ଣ୍ଣିମାରେ ଭଉଣୀମାନେ ସବୁଠାରୁ ସୁନ୍ଦର, ରୁଚିପୂର୍ଣ୍ଣ ଓ ଆକର୍ଷଣୀୟ ରାଖିଟିଏ ନିଜ ଭାଇ ହାତରେ ବାନ୍ଧି ଦେବାକୁ ଆଗ୍ରହ ପ୍ରକାଶ କରିଥାଆନ୍ତି।

ଶୁଚିସ୍ମିତା ବାରିକ

ଶ୍ରାବଣ ପୂର୍ଣ୍ଣମାର ପ୍ରାୟ ସପ୍ତାହେ, ଦି’ସପ୍ତାହ ପୂର୍ବରୁ ଖୋଲିଯାଏ ରାଖି ଦୋକାନ। ଆଗରୁ କେବଳ ସହରବଜାରରେ ରାଖି ଦୋକାନ ହେଉଥିଲା। ଏବେ ଗାଁଗଣ୍ଡାରେ ବି ବିକ୍ରି ହେଉଛି ରାଖି। ତେବେ ରାଖି ନିର୍ମାତାମାନେ ଗ୍ରାହକଙ୍କ ରୁଚିକୁ ଚାହିଁ ପ୍ରତିବର୍ଷ କିଛି ନୂଆ ଡିଜାଇନ୍‌ର ରାଖି ବଜାରକୁ ଛାଡ଼ିଥାଆନ୍ତି। ଏହି କ୍ରମରେ ଚଳିତବର୍ଷ ବଜାରକୁ ଆସିଥିବା ନୂଆ ଡିଜାଇନ୍‌ର ରାଖି ମଧ୍ୟରେ ଫଟୋ ରାଖି, ନାମ ରାଖି, ରେଜିନ୍‌ ରାଖି, କୁନ୍ଦନ ରାଖି, ଇଭିଲ୍‌ ଆଇ ରାଖି, ଏମ୍ବ୍ରଏଡରି ରାଖି ଓ କପଲ୍‌ ରାଖି ବେଶ୍‌ ଚାହିଦାରେ ରହିଛି। ଝିଅମାନେ ଏଇସବୁ ଡିଜାଇନ୍‌ କିଣିବା ପାଇଁ ‌ଆଗ୍ରହ ଦେଖାଉଛନ୍ତି। ତେବେ ଆଜିକାଲି ଅନେକ ନିଜକୁ ଅନ୍ୟମାନଙ୍କ ଠାରୁ ନିଆରା ବା ଭିନ୍ନ ପ୍ରତିପାଦିତ କରିବାକୁ ନୂଆ ଧାରା ଆପଣାଇଛନ୍ତି । ଦୋକାନରେ ବିକ୍ରି ହେଉଥିବା ରାଖିରୁ ଗୋଟିଏ ନ ବାଛି, ନିଜ ରୁଚି ଅନୁସାରେ ସ୍ବତନ୍ତ୍ର ଡିଜାଇନ୍‌ର ରାଖି ବରାଦ କରୁଛନ୍ତି। ଏହି ଧାରା କ୍ରମଶଃ ଲୋକପ୍ରିୟ ହେଉଥିବାରୁ ବ୍ୟବସାୟୀମାନେ ‘କଷ୍ଟମାଇଜ୍‌ଡ୍‌ ରାଖି’ ପ୍ରସ୍ତୁତ କରୁଛନ୍ତି। ଅର୍ଥାତ୍‌ ପ୍ରତି ଗ୍ର‌ାହକର ଭିନ୍ନ ରାଖି। ପୁଣି ଅନେକ ଦୋକାନ ନବୁଲି ଘରେ ବସି ନିଜ ରୁଚି ମୁତାବକ ରାଖି କିଣିବା ପାଇଁ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମ ବା ସୋସିଆଲ୍‌ ମିଡିଆ ଉପଯୋଗ କରୁଛନ୍ତି। ତେଣେ ହାତତିଆରି ରାଖିର ଆଦର ବି ବଢୁଥିବାରୁ ଏହାକୁ ଦୃଷ୍ଟିରେ ରଖି ହସ୍ତଶିଳ୍ପ ସଂସ୍ଥା ଓ କଳାକାରମାନେ ସୋସିଆଲ୍‌ ମିଡିଆ ଜରିଆରେ ଗ୍ରାହକଙ୍କ ସହ ଯୋଡ଼ି ହେଉଛନ୍ତି।

ରାଖି ବଜାରରେ ସାମିଲ ହୋଇଛନ୍ତି ଭୁବନେଶ୍ବରର ଦୁଇଭଉଣୀ ଅପର୍ଣ୍ଣା ଓ ଅର୍ଚ୍ଚନା ବେହେରା। ଉଭୟଙ୍କ ପ୍ରୟାସ ଓ ପରିଶ୍ରମ ସେମାନଙ୍କୁ ରୋଜଗାରକ୍ଷମ କରାଇବା ସହ ଲୋକଙ୍କର ହସ୍ତଶିଳ୍ପ ପ୍ରତି ଥିବା ଆଗ୍ରହ ଓ ଆକର୍ଷଣକୁ ଉଜ୍ଜୀବିତ କରିଛି। ୨୦୨୨ ମସିହାରୁ ସେମାନେ ହାତତିଆରି କଷ୍ଟମାଇଜ୍‌ଡ୍‌ ରାଖି ପ୍ରସ୍ତୁତ କରୁଛନ୍ତି। ରାଖିରେ ପ୍ରାପକଙ୍କ ଫଟୋ ଓ ନାମ ରହୁଛି। ଫଳରେ ରାଖିଟି କେବଳ ପ୍ରାପକଙ୍କ ପାଇଁ ପ୍ରସ୍ତୁତ ହେଉଥିବା ପ୍ରତିପାଦିତ ହେଉଛି। ଅପର୍ଣ୍ଣା ଓ ଅର୍ଚ୍ଚନା କହନ୍ତି, ‘‘ଏବେ ହାତତିଆରି ରାଖି ଅଧିକ ଲୋକପ୍ରିୟ । ପୂର୍ବରୁ ସୂତା, କୁଇଲିଂରେ ରାଖି ତିଆରି ହେଉଥିଲା। ହେଲେ ବଜାରକୁ ଫଟୋ ରାଖି ଆସିବା ପରଠୁ ଆମେ ସେଇ ରାଖି ହିଁ ତିଆରି କରୁଛୁ।’’ ଗତ ଜୁଲାଇରୁ ସେମାନେ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଚଳିତ ବର୍ଷ ତାଙ୍କର ଫ‌େଟା ରାଖି, ନାମ ରାଖି ଓ ରେଜିନ୍‌ ରାଖିର ଅଧିକ ଚାହିଦା ରହିଛି। ଗ୍ରାହକ ଏହି ଡିଜାଇନ୍‌ର ରାଖି ଏବେ ଅଧିକ ବରାଦ କରୁଛନ୍ତି।

ଅପର୍ଣ୍ଣା ଓ ଅର୍ଚ୍ଚନାଙ୍କ ହସ୍ତକଳାର ପ୍ରଧାନ ବିକ୍ରୟ ମ‌ାଧ୍ୟମ ହେଉଛି ଇନ୍‌ଷ୍ଟାଗ୍ରାମ୍‌ରେ ସେମାନଙ୍କର ପେଜ୍‌ ‘ଦ କ୍ରାଫ୍‌ଟ୍‌ସ୍‌ ଫେରି.୧୩’। ଏହି ପେଜ୍‌ରେ ସେମାନେ ରାଖି ଓ ଅନ୍ୟାନ୍ୟ ହସ୍ତଶିଳ୍ପ ଫଟୋ ସେୟାର୍‌ କରିଥାନ୍ତି। ତାହା ଦେଖି ଲୋକେ ନିଜ ପସନ୍ଦର ରାଖି ଅର୍ଡର୍‌ କରିଥାନ୍ତି। ତାଙ୍କ ଫଟୋ ରାଖିର ମୂଲ୍ୟ ୧୨୦ ଟଙ୍କା ହୋଇଥିବା ବେଳେ ‌େରଜିନ୍‌ ଫଟୋ ରାଖିର ମୂଲ୍ୟ ୧୦୦ ଟଙ୍କା। ସେହିପରି ରେଜିନ୍‌ ନାମ ରାଖି ୭୦ ଟଙ୍କା, ଇଭିଲ୍‌ ଆଇ ରାଖି ୫୦ ଟଙ୍କା, କପଲ୍‌ ରେଜିନ୍‌ ରାଖି ୧୮୦ ଟଙ୍କା ହୋଇଥିବା ବେଳେ ଜଗନ୍ନାଥ ରାଖିର ଦାମ୍‌ ୧୦୦ ଟଙ୍କା ରହିଛି। ଅପର୍ଣ୍ଣା ଓ ଅର୍ଚ୍ଚନା କହନ୍ତି, ‘‘ଲୋକମାନେ ଆମେ ତିଆରି କରିଥିବା ଜିନିଷକୁ ପସନ୍ଦକରି ଯେତେବେଳେ ମତାମତ ଦେଉଛନ୍ତି, ଆମକୁ ବହୁତ ଉତ୍ସାହିତ ଲାଗୁଛି। ନୂତନ ଭାବେ କିଛି କରି ଦେଖାଇବା ପାଇଁ ପ୍ରେରଣା ମିଳୁଛି। ଆମ ପାଇଁ ଏହା କେବଳ ବ୍ୟବସାୟ ନୁହେଁ; ଏକ ସ୍ବପ୍ନ, ନିଜ ପରିଚୟର ପ୍ରତିବିମ୍ବ।’’

ରାଖି ବଜାରରେ ଲଡୁ ପଛରେ!
ରାଖିପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାଖି ବାନ୍ଧିଦେବା ବେଳେ ମିଠାଟିଏ ଖୁଆଇ ଦେବାକୁ ଭୁଲେନାହିଁ। ସୁଅବସରରେ ମିଠା ଖାଇବାର ପରମ୍ପରା କାହିଁ କେତେକା‌ଳରୁ ଚାଲିଆସିଛି। କୁହାଯାଏ, ମିଠାର ସ୍ବାଦ ଯେପରି ମଧୁର ସେହିପରି ଭଉଣୀ ଭାଇକୁ ମିଠା ଖୁଆଇଲା ପରେ ସମ୍ପର୍କରେ ମଧ୍ୟ ମଧୁରତା ସଞ୍ଚରିତ ହୋଇଯାଏ। ତେବେ ଏ କ୍ଷେତ୍ରରେ ବୁନ୍ଦିଲଡୁ ହିଁ ଅଧିକାଂଶ କ୍ଷେତ୍ରରେ ବ୍ୟବହାର ହୋଇଥାଏ। ତେବେ, ରାଖି ସହିତ ମିଷ୍ଟାନ୍ନ ଭାବେ ପାରମ୍ପରିକ ଲଡୁ ପ୍ରଚଳନ ଏବେ କମୁଥିବା କୁହାଯାଉଛି। ଏ ବ୍ୟାପାରରେ ଭୁବନେଶ୍ବରର ନିମାପଡ଼ା ସୁଇଟ୍‌ସ୍‌ ମାଲିକ ଦିବାକର ସାହୁ କହନ୍ତି, ‘‘ଲୋକମାନେ ଏବେ କାଜୁବର୍‌ଫି୍‌, ଚମ୍‌ଚମ୍‌, ମିଲ୍‌କ୍‌କେକ୍ ଭଳି ମିଠା ପସନ୍ଦ କରୁଛନ୍ତି। ଆମର ବହୁ ବର୍ଷର ପୁରୁଣା ଦୋକାନ ହୋଇଥିବାରୁ ଓଡ଼ିଶାର ପାରମ୍ପରିକ ମିଠା କିଣିବାକୁ ଗ୍ରାହକ ଆସନ୍ତି। ରାଖିରେ ଆମର ଛେନାଝିଲ୍ଲି, ରସଗୋଲା, ଛେନାପୋଡ଼, ମିଲ୍‌କ୍‌ କେକ୍‌, ପେଡ଼ା ଓ ବିଭିନ୍ନ ପ୍ରକାରର ଲଡୁ ଅଧିକ ବିକ୍ରିହୋଇଥାଏ।’’

ପାରମ୍ପରିକ ଭାବେ ପୂର୍ବରୁ ରାଖିପୂର୍ଣ୍ଣିମାରେ ବୁନ୍ଦିଲଡୁକୁ ଲୋ‌େକ ବହୁତ ପସନ୍ଦ କରୁଥିଲେ। ହେଲେ ଏବେ ବଜାରକୁ ନୂଆ ପ୍ରକାରର ମିଠା ଓ ଲଡୁ ଆସଛି। ବାଲାଜୀଲଡୁ, ଅମୂଲ୍‌ଲଡୁ, ମଗଜଲଡୁ, ଖୁଆଲଡୁ ଆଦି ଆସିବା ଫଳରେ ବୁନ୍ଦିଲଡୁର ଚାହିଦା କମିଯାଇଛି। ନିମାପଡ଼ା ସୁଇଟ୍‌ସ୍‌ରେ ପାରମ୍ପରିକ ମିଠା ଛେନାଝିଲ୍ଲି ଅଧିକ ବିକ୍ରି ହୋଇଥାଏ, ଯାହାର ଦାମ୍‌ କିଲୋପ୍ରତି ୪୦୦ ଟଙ୍କା। ସେହିପରି ମଗଜଲଡୁ କିଲୋପ୍ରତି ୫୫୦ ଟଙ୍କା, ଅମୂଲ୍‌ଲଡୁ ୭୫୦ ଟଙ୍କା, ଖୁଆଲଡୁ ୬୫୦ ଟଙ୍କା ଓ ବୁନ୍ଦିଲଡୁ କିଲୋ ୩୮୦ଟଙ୍କା ରହିଛି। ଦୋକାନକୁ ଚାହିଁ ବିଭିନ୍ନ ମିଠାର ଦର କମ୍‌ ବେଶୀ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe