ଗୃହ ବିଦ୍ୟୁତୀକରଣ ଠାରୁ ଆରମ୍ଭ କରି ବିମାନ ଚାଳନା ଯାଏ ସୌରଶକ୍ତିକୁ ଏବେ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରୁଥିବା ବେଳେ ଗାଡ଼ିମୋଟରରେ ତାହାର ବ୍ୟବହାର କ୍ବଚିତ୍‌ ଦେଖାଯାଉଛି। ଯଦିଓ ସୌରଶକ୍ତିଚାଳିତ କାର ଉଦ୍ଭାବିତ ହୋଇସାରିଛି, ତାହା କେବଳ କୌଣସି ପ୍ରଦର୍ଶନୀରେ ସୀମିତ ରହିଛି। ରାସ୍ତାଘାଟରେ ଅନ୍ୟାନ୍ୟ ଗାଡ଼ିମୋଟର ଚାଲିଲା ଭଳି ସୌରଶକ୍ତି ଚାଳିତ ଗାଡ଼ି ଦେଖିବାକୁ ମିଳୁନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୨ ଜୁନ୍‌ ୯ରେ ପ୍ରଥମ ଦୂରଗାମୀ ସୌରଗାଡ଼ି ‘ଲାଇଟ୍‌ଇଅର ଶୂନ’ର ଲୋକାର୍ପଣ ପରେ ଅନେକ କମ୍ପାନି ବ୍ୟାବସାୟିକ ଭିତ୍ତିରେ ସୌର ଗାଡ଼ି ବଜାରକୁ ଛାଡ଼ିବା ଲାଗି ପ୍ରୟାସ ଜାରି ରଖିଛନ୍ତି। ମାତ୍ର କିଛି ଅପରିହାର୍ଯ୍ୟ ଅସୁବିଧା ଯୋଗୁଁ ତାହା ସମ୍ଭବ ହୋଇପାରୁନଥିବା ଜଣାଯାଇଛି। ଦିନ ବେଳେ ପର୍ଯ୍ୟାପ୍ତ ସୌରକିରଣ ବାୟୁମଣ୍ଡଳ ଦେଇ ଗତି କଲା ବେଳେ ତାହାର ସିଂହଭାଗ ବିଚ୍ଛୁରିତ ହୋଇଯାଇଥାଏ। ତେଣୁ ବିଭିନ୍ନ ଋତୁକୁ ବିଚାରକୁ ନେଲେ ବାର୍ଷିକ ୧୦ ବର୍ଗଫୁଟ ସ୍ଥାନରୁ ମାତ୍ର ୩୪୨ ଵାଟ୍‌ର ସୌରଶକ୍ତି ମିଳିଥାଏ, ଯାହାକୁ ସଂଗ୍ରହ କରି ବିଦ୍ୟତ୍‌ ଶକ୍ତି ପାଇହେବ। ତେବେ ଏତିକି ସ୍ବଳ୍ପ ପରିମାଣର ଶକ୍ତି ଗୋଟିଏ ରେଫ୍ରିଜରେଟର ଚଳେଇବା ପାଇଁ ଯଥେଷ୍ଟ ହୋଇପାରିବ।

Advertisment

ଏକ ଆକଳନ ଅନୁଯାୟୀ, ଆମେରିକାର ଗୋଟିଏ ପୂର୍ଣ୍ଣାକାର କାର୍‌ର ହାରାହାରି ଦୈର୍ଘ୍ୟ ୧୮ ଫୁଟ ଓ ପ୍ରସ୍ଥ ୬ ଫୁଟ ହୋଇଥାଏ। ତେଣୁ ଏହାର ୧୦୦ରୁ ୧୧୦ ବର୍ଗଫୁଟର ସମାନ୍ତରାଳ କ୍ଷେତ୍ର ରହିଛି ଯାହା ବାର୍ଷିକ ମାତ୍ର ୩,୪୨୦ ଵାଟ୍‌ ସୌରଶକ୍ତି ସଂଗ୍ରହ କରିପାରିବ। ଅପରପକ୍ଷେ, ଆଜିକାଲିର ସୌରଫଳକଗୁଡ଼ିକ ସୌରଶକ୍ତିକୁ ଆଶାନୁରୂପ ବିଦ୍ୟୁତ୍‌ଶକ୍ତିରେ ରୂପାନ୍ତରିତ କରିବାରେ ସମର୍ଥ ନୁହେଁ। ସେମାନଙ୍କର କାର୍ଯ୍ୟଦକ୍ଷତା ମାତ୍ର ୨୦ ପ୍ରତିଶତ ରହିଛି। ତେଣୁ ଗୋଟିଏ କାର୍‌ ଉପରେ ପଡୁଥିବା ସମଗ୍ର ସୌରଶକ୍ତିରୁ ମାତ୍ର ୬୮୪ ଵାଟ୍‌ର ବିଦ୍ୟୁତ୍‌ ଶକ୍ତି ମିଳିପାରିବ। ବାସ୍ତବରେ ଗୋଟିଏ ବିଦ୍ୟୁତ୍‌ ଗାଡ଼ି ଘଣ୍ଟାକୁ ୬୦ ମାଇଲ୍‌ ବେଗରେ ଚାଲିବା ପାଇଁ ୨୦,୦୦୦ ଵାଟ୍‌ର ଶକ୍ତି ଲୋଡ଼ିଥାଏ। ତେଣୁ ସୌରକାର୍‌ର ଗଢ଼ଣକୁ ଏଭଳି ରୂପାନ୍ତରିତ କରିବାକୁ ହେବ ଯଦ୍ଦ୍ବାରା ତାହା ସର୍ବାଧିକ ସୌରଶକ୍ତି ଆହରଣ କରିପାରିବ। ସେଭଳି ପରିକଳ୍ପିତ ଗାଡ଼ିର ଏକାଧିକ ଦରଜା ରହିପାରିବନି କି ଚାଳକ ଛଡ଼ା ଅନ୍ୟ କାହାକୁ ବସିବାର କି କିଛି ରଖିବାର ସୁଯୋଗ ମିଳିବନି। ତେଣୁ ସେଭଳି ଗାଡ଼ି କେବଳ ଗାଡ଼ି ଦୌଡ଼ ପ୍ରଦର୍ଶନୀମାନଙ୍କରେ ଦେଖିବାକୁ ମିଳୁଛି, ମାତ୍ର ଦୈନନ୍ଦିନ ବ୍ୟବହାର ପାଇଁ ନୁହେଁ।