ଦେଶରେ ଏବେ ବିଲାତି ବାଇଗଣ ବା ଟମାଟୋର ଅହେତୁକ ଦରବୃଦ୍ଧି ଖାଉଟିମାନଙ୍କୁ ଅତିଷ୍ଠ କରିଦେଇଛି। ନିତ୍ୟ ବ୍ୟବହାର୍ଯ୍ୟ ତଥା ଅପରିହାର୍ଯ୍ୟ ଏହି ପରିବାଟି ଏବେ ସାଧାରଣ ଲୋକଙ୍କ ହାଣ୍ଡିଶାଳରେ ଦୁର୍ଲଭ ହୋଇପଡ଼ିଛି। ତେବେ ଏ ପରିପ୍ରେକ୍ଷୀରେ ଜଣେ ମହିଳା ଉପହାର ସାମଗ୍ରୀ ଭାବେ ୧୦ କେଜି ଟମାଟୋ ପଠାଇବା ଲାଗି ଦୁବାଇରେ ରହୁଥିବା ତାଙ୍କ ଭଉଣୀକୁ ଟ୍ବିଟ୍ କରି ନିବେଦନ କରିବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଉଲ୍ଲେଖଯୋଗ୍ୟ, ବିଳମ୍ବିତ ମୌସୁମି ଓ କମ୍ ଅମଳ ଆଦି ବିଭିନ୍ନ କାରଣରୁ ଟମାଟୋର ଦର ଆଶାତୀତ ଭାବେ ବଢ଼ିଯାଇଛି। ଏଭଳି ସ୍ଥିତିରେ ଖାଉଟି ଓ ସଚେତନ ନାଗରିକମାନେ ବିଭିନ୍ନ ମଞ୍ଚରେ ଏ ବାବଦ ସେମାନଙ୍କର ମତାମତ ରଖିବାକୁ ଭୁଲୁନାହାନ୍ତି। ଜଣେ ଭାରତୀୟ ଗୃହିଣୀ ମଧ୍ୟ ଟମାଟୋ ପରି ନିଜର ଈପ୍ସିତ ସାମଗ୍ରୀ ପାଇବା ଲାଗି କିପରି ବ୍ୟାକୁଳ ତାହା ସ୍ପଷ୍ଟ ହୋଇଛି।

Advertisment

ଦୁବାଇରେ ରହୁଥିବା ତାଙ୍କ ଭଉଣୀ ଗ୍ରୀଷ୍ମାବକାଶ କଟାଇବା ଲାଗି ତାଙ୍କ ପିଲାମାନଙ୍କ ସହ ଭାରତ ଆସିବାର ଅଛି। ତେଣୁ ଦୁବାଇରୁ କ’ଣ ସବୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବେ ବୋଲି ସେ ତାଙ୍କ ଭାରତୀୟ ଭଉଣୀଙ୍କ ଠାରୁ ଶ୍ରଦ୍ଧାର ସହ ଜାଣିବାକୁ ଚାହିଛନ୍ତି। ଉତ୍ତରରେ ଭାରତୀୟ ମହିଳା ଜଣକ କହିଛନ୍ତି, ‘ଆଉ କିଛି ନ ଆଣିଲେ ବି ଚଳିବ, ମାତ୍ର ଦୁବାଇରୁ ମାଆଙ୍କ ପାଇଁ ୧୦ କେଜି ଟମାଟୋ ଯେମିତି ହେଲେ ସାଙ୍ଗରେ ଧରି ଆସିଥିବୁ’। ତେବେ ତାଙ୍କର ଏହି ନିବେଦନ ସେ ଟ୍ବିଟରରେ ଛାଡ଼ିଲା ପରେ ରୋଚକ ଟିପ୍ପଣୀମାନ ଆସିବାରେ ଲାଗିଛି। ଏହାକୁ ୫୫,୦୦୦ ଦର୍ଶକ ଦେଖି ସାରିବା ସହ ହଜାରେରୁ ଅଧିକ ମଧ୍ୟ ପସନ୍ଦ କରିଛନ୍ତି। କେହି କେହି ଦୁବାଇରେ ଟମାଟୋର ମୂଲ୍ୟ କେତେ ବୋଲି ଜାଣିବାକୁ ଚାହିଥିବା ବେଳେ ସେଠାରୁ ଟମାଟୋ ଆଣିବାରେ କିଛି କଟକଣା ଅଛି କି ନାହିଁ ବୋଲି ମଧ୍ୟ ଅନେକ ପ୍ରଶ୍ନ କରିଛନ୍ତି। ତେବେ ଜିଜ୍ଞାସା ଓ ମନ୍ତବ୍ୟ ଯାହା ହେଉ ନା କାହିଁକି, ପରିବର୍ତ୍ତିତ ପରିସ୍ଥିତିରେ ସମ୍ପ୍ରତି ଟମାଟୋର ଚାହିଦା ଯେ ଆକାଶଛୁଆଁ, ଏ କଥା ସ୍ପଷ୍ଟ ହୋଇଛି।