ଲୋକପ୍ରିୟ ହଲିଉଡ୍‌ ସିନେମା ‘ଟ୍ରାନ୍ସଫର୍ମର୍ସ’ରେ ଯନ୍ତ୍ର କିପରି ଜୀବରେ ରୂପାନ୍ତରିତ ହୋଇ ବିଭିନ୍ନ ଅସମ୍ଭବ କାର୍ଯ୍ୟ ସାଧନ କରିପାରୁଛି, ତାହା ଆମେ କେବଳ ମନୋରଞ୍ଜନକାରୀ ଦୃଶ୍ୟ ଭାବରେ ଉପଭୋଗ କରିଛନ୍ତି। ତେବେ ଗବେଷକମାନେ ଏକ ବାସ୍ତବ ‘ଟ୍ରାନ୍ସଫର୍ମର’ ନିର୍ମାଣ କରିଛନ୍ତି ଯାହା ଗଡ଼ିବା ସହ ଉଡ଼ିବା ସମେତ ଆଠ ପ୍ରକାରର ଶୈଳୀରେ ଗତି କରିପାରୁଛି। ଏହା ସ୍ବୟଂକ୍ରିୟ ଭାବେ ପରିବେଶକୁ ତର୍ଜମା କରି ତାହାକୁ ଖାପ ଖାଇଲା ପରି ନିଜର ଗତିର ପ୍ରକାର ଓ କ୍ଷିପ୍ରତା ବଦଳାଇବାର କ୍ଷମତା ରଖିଛି।

Advertisment

କାଲିଫର୍ଣ୍ଣିଆର ସେଣ୍ଟର ଫର ଅଟୋନୋମସ ସିଷ୍ଟମ୍‌ସ ଆଣ୍ଡ୍‌ ଟେକ୍ନୋଲୋଜିଜ୍‌ ଦ୍ବାରା ବିକଶିତ ‘ଏମ୍‌-୪’ (ମଲ୍‌ଟି-ମୋଡାଲ୍‌ ମୋବିଲିଟି ମର୍ଫୋବଟ) ନାମକ ଏହି ରୋବଟ ସ୍ବାଭାବିକ ଭାବେ ଚାରିଟି ଚକରେ ଗଡ଼ିପାରୁଥିବା ବେଳେ ଆବଶ୍ୟକ ବେଳେ ଚକଗୁଡ଼ିକୁ ସେ ଡେଣାରେ ରୂପାନ୍ତରିତ କରି ଡ୍ରୋନ୍‌ ପରି ଉଡ଼ିପାରୁଛି। ସେହିପରି କୌଣସି ପ୍ରତିବନ୍ଧକ ଥିଲେ ଏହା ଦୁଇଟି ଚକ ଉପରେ ଛିଡ଼ା ହୋଇପାରୁଛି ଏବଂ ଚକ ଚାରିଟିକୁ ପାଦରେ ପରିଣତ କରି ଚାଲିବା ସହ ତୀଖ ଗଡ଼ାଣି ବା ଉଠାଣିରେ ଗଡ଼ି ଗଡ଼ି ଯାଇପାରୁଛି। ପ୍ରତିକୂଳ ପରିବେଶରେ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇବା ଠାରୁ ଆରମ୍ଭ କରି ଅନ୍ୟ ଗ୍ରହପୃଷ୍ଠରେ ଗବେଷଣା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଏହାର ନିର୍ମାତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଚକର୍‌ ପକ୍ଷୀର ବିବିଧ ଗତି ଦ୍ବାରା ଅନୁପ୍ରାଣିତ ହୋଇ ନିର୍ମାଣ କରାଯାଇଥିବା ଏହି ରୋବଟ୍‌ର କୃତ୍ରିମ ବୁଦ୍ଧିମତା ସହ ଗତିର ନମନୀୟତା ତାହାକୁ ଆଗରେ ଆସୁଥିବା ଭୂଭାଗ ଆଧାରରେ କି ପ୍ରକାର ଗତି ପ୍ରଭାବଶାଳୀ ହେବ, ତାହା ବାଛିବା ପାଇଁ ସକ୍ଷମ କରିଛି। ଅନ୍ୟ ରୋବଟ୍‌ଗୁଡ଼ିକ ଆଗରେ କୌଣସି ପ୍ରତିବନ୍ଧକ ଦେଖିଲେ ନିଜର ଦିଗ ପରିବର୍ତ୍ତନ କରିଦେଇଥା’ନ୍ତି। ମାତ୍ର ଏମ୍‌-୪ ନିଜ ଗତିର ପ୍ରକାର ବଦଳାଇ ପ୍ରତିବନ୍ଧକୁ ଅତିକ୍ରମ କରିପାରୁଛି।