ଭୁବନେଶ୍ବର: ୨୦୧୮ରୁ ୨୦୨୫… ୟା ଭିତରେ ବିତିଗଲାଣି ୭ ବର୍ଷ । ହେଲେ ଏବେବି ଗଜପତି ଜିଲ୍ଲାର ଲୋକଙ୍କ ମନରୁ ଲିଭୁନି ବାତ୍ୟା ତିତଲିର ସେ ଭୟ । ୭ ବର୍ଷ ତଳେ ତିତଲି ଯେଉଁ ଦୁଃଖ ଦେଇ ଯାଇଥିଲା ଆଜି ତାହା ଦାଗ ହୋଇ ସମସ୍ତଙ୍କ ମନରେ ରହିଛି । ବାତ୍ୟା ତିତଲି ଏହି ଅକ୍ଟୋବର ମାସରେ ଦକ୍ଷିଣ ଓଡିଶାରେ ପ୍ରଭାବ ପକାଇଥିବା ବେଳେ ସବୁଠାରୁ ଗଜପତିରେ ପ୍ରଳୟ ରଚିଥିଲା । ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ଏବଂ ଲଗାଣ ବର୍ଷା କାରଣରୁ ପାହାଡରୁ ପାଣି ତଳକୁ ମାଡି ଆସିବା ଫଳରେ ଭୟଙ୍କର ଭୂସ୍ଖଳନ ହୋଇଥିଲା । ଯେଉଁ ଭୂସ୍ଖଳନରେ ପ୍ରାୟ ୧୨ ଜଣ ପ୍ରାଣ ହରାଇଥିବା ସୂଚନା ଥିଲା । ବର୍ଷା-ବାତ୍ୟାରୁ ବର୍ତ୍ତିବାକୁ ଗୁମ୍ଫାରେ ଆଶ୍ରୟ ନେଇଥିବା ବେଳେ ପାହାଡରୁ ମାଟି ଅତଡା ସହ ପାଣି ମାଡି ଆସିବାରୁ ମୃତ୍ୟୁର ଫାସରେ ଫସିଥିଲେ ସମସ୍ତେ । ପାହାଡି ଇଲାକାରେ ରହିଥିବା ଘରେ ପାଣି ପଶିଯାଇଥିଲା, ଘର ଭାଙ୍ଗି ଯାଇଥିଲା ଏବଂ ମାଟି ଅତଡା ତଳେ ମଣିଷ ପୋତି ହୋଇ ମୃତ୍ୟୁ ମୁଖରେ ପଡିଥିଲେ । ସେ କାଳରାତି, ସେ କାଳ ସମୟକୁ ଗଜପତିବାସୀ କେବେ ଭୁଲି ପାରିବେନି  ।

Advertisment

Untitled-26

ଆଉ ଏବେ ଯେତେବେଳେ ୭ ବର୍ଷ ପରେ ପୁଣି ସେହି ଗଜପତି ଜିଲ୍ଲାରେ ବାଦଲଫଟା ବର୍ଷା କାରଣରୁ ଏକାଧିକ ଭୂସ୍ଖଳନ ହୋଇଛି ଠିକ୍ ସେତେବେଳେ ୨୦୧୮ରେ ହୋଇଥିବା ସେହି କାଳରାତିର ଭୂସ୍ଖଳନ କଥା ମନେପଡି ଯାଇଛି । ତେବେ ଲଗାଣ ବର୍ଷା ଫଳରେ ଗଜପତିରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ଭଳି ସ୍ଥିତି ଉପୁଜିଛି । କେଉଁଠି ବନ୍ଧ ଭାଙ୍ଗିଛି, କେଉଁଠି ରାସ୍ତା ବୁଡ଼ିଛି ପୁଣି କେଉଁଠି ନଦୀ ଫୁଲି ଜନବସତି ମୁହାଁ ହୋଇଛି । ନଈରେ ଘାଇ, ଗାଁରେ ପାଣି, ବୁଡିଛି ବିଲ, ଭାଙ୍ଗିଛି ଘର, ରାସ୍ତାରେ ଉପୁଡି ପଡିଛି ବଡ଼ ବଡ଼ ଗଛ । ମାଟି ଧସିଛି, ପଥର ଖସିଛି, ପାହାଡରୁ ମାଟି ମିଶା ପାଣି ମାଡି ଆସିଛି । ଲଗାଣ ବର୍ଷା ପରେ ବେହାଲ ହୋଇଛି ପୂରା ଦକ୍ଷିଣ ଓଡିଶା । ରେକର୍ଡ ବର୍ଷା ପରେ ରୌଦ୍ର ରୂପ ଦେଖାଇଛି ପ୍ରକୃତି ଆଉ ସଙ୍ଗୀନ ହୋଇଛି ସ୍ଥିତି । ଆଉ ପ୍ରଥମ ଥର ପାଇଁ ଓଡ଼ିଶାରେ ପାହାଡ଼ି ରାଜ୍ୟ ପରି ସ୍ଥିତି ଉପୁଜିଛି ।

New Project (23)

ଲଘୁଚାପ ପ୍ରଭାବରେ ବାଦଲଫଟା ବର୍ଷା ପରେ ଗଜପତିକୁ ବଡ଼ ବିପର୍ଯ୍ୟୟ ମାଡି ଆସିଛି । ତିନିଦିନ ଧରି ଲାଗି ରହିଥିବା ମୂଷଳଧାରା ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ଚାରିଟି ବ୍ଲକ୍‌ରେ ଭୂସ୍ଖଳନ ସହିତ ପାହାଡ଼ ଧସି ଏବଂ ପାହାଡ଼ରୁ ପ୍ରବଳ ପାଣି ସୁଅ ଆସି ଅନେକ ଅଞ୍ଚଳରେ ଚାଷବାସ, ଗୃହପାଳିତ ପଶୁଙ୍କ ସମେତ ଧନଜୀବନ କ୍ଷୟକ୍ଷତି କରିଛି । ତେବେ ହଠାତ୍‌ ପାହାଡ଼ ଭୂସ୍ଖଳନ ହେବାରୁ ସବୁଆଡେ ଧୁଆଁମୟ ହୋଇଯାଇଥିଲା। ପାହାଡ଼ରୁ ପାଣି ମାଡ଼ି ଆସିଥିଲା। କ୍ଷଣିକ ଭିତରେ ନଦୀର ଗତିପଥ ବଦଳି ସବୁ ଧୋଇ ନେଇଥିଲା। ଯାହା ଉତ୍ତରାଖଣ୍ଡ ଭଳି ସ୍ଥିତି ଓଡିଶାରେ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଗଜପତିରେ ୧୨୯ଟି ଭୂସ୍ଖଳନ ପ୍ରବଣ ସ୍ଥାନ ରହିଥିବା ବେଳେ ତଥ୍ୟ ଅନୁସାରେ ୨୦୧୮ରୁ ୨୦୨୨ ମଧ୍ୟରେ ଜିଲ୍ଲାର ଏହି ସବୁ ଅଞ୍ଚଳରେ ଭୁସ୍ଖଳନ ହେବା ଫଳରେ ୪୮ ଜୀବନ ଯାଇଛି । ୭୧,୮୩୪ରୁ ଉର୍ଦ୍ଧ୍ବ ବାସଗୃହ  କ୍ଷତିଗ୍ରସ୍ତ ହୋଇଛି  ଓ ୧୦୩୦ ଗୃହପାଳିତ ପଶୁମାନଙ୍କର ଜୀବନ ଯାଇଛି । 

New Project (25)

ସେପଟେ ପ୍ରତି ବର୍ଷ ଲଗାଣ ବର୍ଷାରେ କେଉଁଠି ନା କେଉଁଠି ରାସ୍ତା ଘାଟ , ଘର ଦ୍ଵାର ଏମିତିକି ଜୀବନ ହାନୀ ମଧ୍ୟ ଘଟୁଛି। ଯାହାକୁ ଦୃଷ୍ଟିରେ ରଖି ପୂର୍ବରୁ ଏହି ସବୁ ସମ୍ବେଦନଶୀଳ ସ୍ଥାନରୁ ସରକାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଅର୍ଥାତ ସମତଳ ଅଞ୍ଚଳକୁ ସ୍ଥାନାନ୍ତରିତ କରିବା ଆରମ୍ଭ କରିଥିଲେ । କେତକ  ସ୍ଥାନରେ ପାହାଡ ଅଞ୍ଚଳରୁ ସମତଳ ଅଞ୍ଚଳକୁ ସ୍ଥାନାନ୍ତର କରି ଥଇଥାନ ମଧ୍ୟ କରାଯାଇଛି , ଅନେକ ଅଞ୍ଚଳରେ ଥଇଥାନ ପାଇଁ  ସ୍ଥାନ ଓ  ଜମି ମଧ୍ୟ ଚିହ୍ନଟ ମଧ୍ୟ ହୋଇଛି  କିନ୍ତୁ ଏବେ ଏ ସମ୍ପର୍କରେ ସବୁ ଚୁପ ହୋଇ ବସିଛନ୍ତି। ତେଣୁ ଏବେ ଭୂସ୍ଖଳନ ହୋଇଥିବାରୁ ଏବଂ ପୁଣି ଲଘୁଚାପ ଥିବାରୁ ଭୟରେ ଅଛନ୍ତି ଗଜପତିବାସୀ ।