ଆମଷ୍ଟରଡାମ୍‌ ସ୍ଥିତ ଷ୍ଟୁଡିଓ ଲେଣ୍ଟାଲା ନାମକ କମ୍ପାନି ଶିଶୁଙ୍କ ଲାଗି କେତେକ ବିଶେଷ ଧରଣର ଚୌକି ବଜାରକୁ ଛାଡ଼ିଛି। ‘ରମ୍‌ ଆଣ୍ଡ୍‌ ଲୁପା’ ନାମକ ଏହି ଚୌକିଗୁଡ଼ିକ ଉପରେ ଶିଶୁମାନେ ବସିବା ଦ୍ବାରା ସେମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟରେ ଉନ୍ନତି ଆସିପାରିବ ବୋଲି ଦାବି କରାଯାଇଛି। ନାନା ଗବେଷଣା ପରେ ଏଗୁଡ଼ିକୁ ନିର୍ମାଣ କରିଯାଇଛି। ଏହି ଚୌକି ପିଲାମାନଙ୍କ ସକ୍ରିୟ ଭାବେ ବସିବାକୁ ଉତ୍ସାହିତ କରିଥାଏ। ତେଣୁ ନିଷ୍କ୍ରିୟ ହୋଇ ବସିବା ଯୋଗୁଁ ସୃଷ୍ଟ ନକାରାତ୍ମକ ପ୍ରଭାବ ଦୂର ହୋଇପାରୁଛି। ଷ୍ଟୁଡିଓ ଲେଣ୍ଟାଲାର ପ୍ରତିଷ୍ଠାତା ବୋରିସ୍‌ ଲାନ୍ସେଲଟ୍‌ଙ୍କ କହିବା କଥା, ଆମ ଶରୀର ଶହେରୁ ଅଧିକ ମୁଦ୍ରାରେ ବସିବାକୁ ସକ୍ଷମ, ଯାହାକୁ ଜାପାନ ଓ ଇଣ୍ଡେନେସିଆ ସମେତ ଅନ୍ୟ ଦେଶମାନଙ୍କରେ ଅଭ୍ୟାସ କରାଯାଇଥାଏ।

Advertisment

ଅଣପାଶ୍ଚାତ୍ୟ ସଂସ୍କୃତିରେ ଲୋକେ ଦୈନନ୍ଦିନ ଜୀବନରେ ଅନେକ ପ୍ରକାରର ବସିବା ଅଭ୍ୟାସ କରିଥା’ନ୍ତି। ତାହା ଯୋଗୁଁ ନିୟମିତ ଭାବେ ମାଂସପେଶୀ କ୍ରିୟା ସମ୍ପାଦିତ ହୋଇଥାଏ, ଯାହା ଶାରୀରିକ ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ପାଶ୍ଚାତ୍ୟ ଦେଶମାନଙ୍କରେ ଗୋଟିଏ ମୁଦ୍ରାରେ ଚେୟାର୍‌ ଉପରେ ବସିବାର ଅଭ୍ୟାସ ପ୍ରଚଳିତ। ଏହି ଚୌକିଗୁଡ଼ିକର ନିର୍ମାଣ ଶୈଳୀ ଏପରି ହୋଇଛି ଏଥିରେ ବସିଲେ କିଛି ସମୟ ପରେ ସମାନ ମୁଦ୍ରାରେ ବସିରହିବା ସାମାନ୍ୟ ଅସହଜ ହୋଇପଡ଼େ। ଫଳରେ ତାହା ଉପରେ ବସିଥିବା ଶିଶୁକୁ ନିୟମିତ ମୁଦ୍ରା ପରିବର୍ତ୍ତନ କରିବାକୁ ପଡ଼ିଥାଏ।