ଆଲଜେରିଆର ମହିଳା ମୁଷ୍ଟିଯୋଦ୍ଧା ଇମେନ୍‌ ଖଲିଫ୍‌ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍‌ସରେ ଇଟାଲିର ଆଞ୍ଜେଲା କାରିନିଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାସ୍ତ କରିବା ପରେ ଆଞ୍ଜେଲା ରିଙ୍ଗ୍‌ରେ ଆଣ୍ଠେଇପଡ଼ି କାନ୍ଦିବାକୁ ଲାଗିଥିଲେ। ଜଣେ ମହିଳା ପ୍ରତିଯୋଗୀ ହତାଶ ହୋଇ କାନ୍ଦୁଥିବାର ଦୃଶ୍ୟ ସ୍ବାଭାବିକ ଭାବେ କ୍ରୀଡ଼ାପ୍ରେମୀଙ୍କ ମନରେ ସମବେଦନା ସୃଷ୍ଟି କରିଥିଲା। କିନ୍ତୁ ଏହି ଘଟଣାର ପାର୍ଶ୍ବପ୍ରତିକ୍ରିୟା ସ୍ବରୂପ ଇମେନ୍‌ଙ୍କ ଲିଙ୍ଗକୁ ନେଇ ସନ୍ଦେହ ଓ ବିବାଦ ଆରମ୍ଭ ହୋଇଯାଇଥିଲା। ଏହି ବିବାଦର ନିଆଁରେ ଘିଅ ଢାଳିବାର କାମ କରିଥିଲେ ଲେଖିକା ଜେ.କେ. ରୌଲିଙ୍ଗ, ୟୁଏଫ୍‌ସି ଯୋଦ୍ଧା ଇସ୍ରାଏଲ୍ ଆଡେସାନ୍ୟା, ଟେନିସ୍‌ ତାରକା ଆଣ୍ଡ୍ରେ ରୁବଲେଭ, ଉଦ୍ୟୋଗୀ ଇଲୋନ୍‌ ମସ୍କଙ୍କ ପରି ବିଶ୍ବପ୍ରସିଦ୍ଧ ବ୍ୟକ୍ତିବିଶେଷ। ଏ ସମସ୍ତଙ୍କ ମତରେ ଇମେନ୍‌ ଜଣେ ପୁରୁଷ। ହେଲେ ଏହି ମତ ସତ୍ୟର ଅପଳାପ ମାତ୍ର। ଖଲିଫ୍‌ ଜଣେ ପୁରୁଷ ନୁହନ୍ତି କି କିନ୍ନର ନୁହନ୍ତି। ସେ ଜଣେ କନ୍ୟା ଶିଶୁ ଭାବେ ଜନ୍ମ ନେଇଥିଲେ ଏବଂ ସେ ଆଜୀବନ ଜଣେ ମହିଳା ଭାବେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଛନ୍ତି ବୋଲି ପ୍ରମାଣ ସମ୍ମୁଖକୁ ଆସିସାରିଛି। ସେ ଅତୀତରେ ଅନେକ ମହିଳାଙ୍କ ଠାରୁ ପରାସ୍ତ ମଧ୍ୟ ହୋଇସାରିଛନ୍ତି। ତେଣୁ ତାଙ୍କ ବିରୋଧରେ ହୋଇଥିବା ଯାବତୀୟ କୁତ୍ସା ରଟନା ନାରୀବିଦ୍ବେଷର ଆଉ ଏକ ସ୍ବରୂପ ବୋଲି କୁହାଯାଇପାରେ।

Advertisment

୨୫ ବର୍ଷୀୟା ଇମେନ୍‌ ଖଲିଫଙ୍କ ଜୀବନ କମ୍ ସଂଘର୍ଷମୟ ନୁହେଁ। ଦକ୍ଷିଣ ଆଲଜେରିଆର ତିଆରେଟ୍‌ ପ୍ରଦେଶର ଏକ ମଫଲସ ଗାଁରେ ତାଙ୍କର ଜନ୍ମ। ପ୍ରଶିକ୍ଷଣ ନେବା ଲାଗି ପାଖ ଗାଁକୁ ବସ୍‌ରେ ଯିବାକୁ ପଡୁଥିବା ବେଳେ ବସ୍‌ ଭଡ଼ା ଯୋଗାଡ଼ କରିବାକୁ ସେ ଏକଦା ଲୁହାଖଣ୍ଡ ସଂଗ୍ରହ କରି ବିକ୍ରି କରୁଥିଲେ। ତାଙ୍କ ପରିବାର ରକ୍ଷଣଶୀଳ ହୋଇଥିବାରୁ ଆରମ୍ଭରେ ତାଙ୍କୁ କ୍ରୀଡ଼ାକ୍ଷେତ୍ରକୁ ଯିବାକୁ ବାରଣ କରାଯାଉଥିଲା। ଏସବୁ ସତ୍ତ୍ବେ ସେ ମୁଷ୍ଟିଯୋଦ୍ଧା ହେବାର ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ତାଙ୍କର ଏହି ପ୍ରେରଣାଦାୟୀ ସଂଘର୍ଷ କାହାଣୀ ବଦଳରେ ତାଙ୍କ ବିରୋଧରେ ଭିତ୍ତିହୀନ କଥା ପ୍ରଚାର କରାଯିବା ଏକ ବିଡ଼ମ୍ବନା ନୁହେଁ କି?

ମୂଳ କଥା ହେଉଛି ଇମେନ୍‌ଙ୍କ ପରି କ୍ରୀଡ଼ାବିତ୍‌ଙ୍କ ଶାରୀରିକ ଗଠନ ଓ ରୂପ ନାରୀତ୍ବର ପରମ୍ପରାଗତ ଧାରଣାଠାରୁ ଭିନ୍ନ ହୋଇଥିବାରୁ ସେମାନଙ୍କ ଲିଙ୍ଗକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରାଯାଇଥାଏ। ତେବେ ଏଭଳି ସମାଲୋଚନା ତାଙ୍କ ପରି ଶରୀର ଓ ରୂପ ଧାରଣ କରିଥିବା ମହିଳାଙ୍କୁ ଲାଞ୍ଛିତ କରିବା ସହିତ ବିଭିନ୍ନ ସୁଯୋଗରୁ ବଞ୍ଚିତ କରିଥାଏ। ଇଣ୍ଟର୍‌ନେସ୍‌ନାଲ୍‌ ଅଲିମ୍ପିକ୍ କମିଟି ଯଦି ଦୃଢ଼ୋକ୍ତି ପ୍ରକାଶ କରି କହୁଛି ଯେ ସମସ୍ତ ଅଲିମ୍ପିକ୍‌ ପ୍ରତିଯୋଗୀ ତାହାର ଯୋଗ୍ୟତା ମାପଦଣ୍ଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି, ତା’ହେଲେ ଇମେନ୍‌ଙ୍କୁ ନେଇ ସନ୍ଦେହର କୌଣସି ଅବକାଶ ନାହିଁ। ସୌଭାଗ୍ୟବଶତଃ ଏସବୁ ସମାଲୋଚନା ଇମେନ୍‌ଙ୍କୁ ନିରୁତ୍ସାହିତ କରିପାରିନାହିଁ। ସେ କ୍ବାର୍ଟର୍ ଫାଇନାଲ୍‌ରେ ହଙ୍ଗେରିର ଲ୍ୟୁକା ଆନ୍ନା ହାମୋରିଙ୍କୁ ପରାସ୍ତ କରି ତାଙ୍କ ଦେଶ ପାଇଁ ୨୦୦୦ ମସିହା ପରେ ମୁଷ୍ଟିଯୁଦ୍ଧରେ ପ୍ରଥମ ଅଲିମ୍ପିକ୍ ପଦକ ସୁନିଶ୍ଚିତ କରିଛନ୍ତି। ଏହି ବିଜୟ ପରେ ସେ ଭାବପ୍ରବଣ ହୋଇ ସମଗ୍ର ବିଶ୍ବକୁ କହିଛନ୍ତି ଯେ ସେ ଜଣେ ମହିଳା, ଓ ସବୁଦିନ ମହିଳା ହୋଇ ରହିବେ।