ନୂଆଦିଲ୍ଲୀ: ଜନତା ଚାହିଁଲେ ସବୁକିଛି ହେବ, ଆଜି ଯିଏ ରାଜା କାଲି ସିଏ ରଙ୍କ । ଗଣତନ୍ତ୍ରରେ ଜନତାଙ୍କ ହାତରେ ଏମିତି ଏକ ଶକ୍ତି ଅଛି ଯାହା ଜଣଙ୍କୁ ଗାଦିରେ ବସାଇ ପାରିବ, ଗାଦିରୁ ଓହ୍ଲାଇ ବି ଦେବ । ଆପଣଙ୍କ ଆଗରେ ଆମେ ଦୁଇଟି ଉଦାହରଣ ରଖିବୁ, ଗୋଟିଏ ଦିଲ୍ଲୀର ଚିତ୍ର ଆଉ ଅନ୍ୟଟି ଝାଡଖଣ୍ଡର । ଗୋଟିଏ ହେମନ୍ତ ସୋରେନଙ୍କ କଥା, ଅନ୍ୟଟି କେଜ୍ରିୱାଲଙ୍କ କାହାଣୀ... ଦୁଇଟି ଘଟଣାରେ ସାମଞ୍ଜସ୍ୟ ପ୍ରାୟ ଏକା ଭଳି ଥିଲେ ବି ସୁଯୋଗ ଓ ସମୟର ଖେଳ କିନ୍ତୁ ଅଲଗା ଅଲଗା ହୋଇଛି । ସେହି ଜନତାଙ୍କ ଆଶୀର୍ବାଦରେ କିଏ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛି ତ କିଏ ମୁଖ୍ୟମନ୍ତ୍ରୀ ଗାଦିରେ ଆଉ ବସିପାରିନି ।
ହେମନ୍ତ ସୋରେନ- ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ, ଅରବିନ୍ଦ କେଜ୍ରିୱାଲ- ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ । ଦୁହିଁଙ୍କ ଘଟଣାକ୍ରମ ପ୍ରାୟ ଏକା । ହେମନ୍ତ ସୋରେନଙ୍କୁ ଇଡି ବାନ୍ଧିଥିଲା, ଅରବିନ୍ଦ କେଜ୍ରିୱାଲଙ୍କୁ ବି ଇଡି ବାନ୍ଧିଥିଲେ । ଦୁହିଁଙ୍କୁ ଦୁର୍ନୀତି ମାମଲାରେ ଗିରଫ କରିଥିଲା ଇଡି । ହେମନ୍ତ ଜମି ଦୁର୍ନୀତି ମାମଲାରେ ଏବଂ କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିଲେ । ସୋରେନଙ୍କୁ ଜାନୁୟାରୀ ୨୦୨୪ରେ ବାନ୍ଧିଥିଲା ଇଡି ଆଉ କେଜ୍ରିୱାଲଙ୍କୁ ମାର୍ଚ୍ଚରେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗିରଫର ଶିକାର ହୋଇଥିଲେ ହେମନ୍ତ ମାତ୍ର କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗିରଫ ହୋଇଥିଲେ ।
ଦୁହେଁ ଦୁଇ ଦୁର୍ନୀତି ମାମଲାରେ ଜେଲରେ ରହିଥିଲେ ଏବଂ ଇଡି ଜେରାର ସାମ୍ନା କରିଥିଲେ । ପରେ ଦୁହିଁଙ୍କୁ ବେଲ୍ ବି ମିଳିଥିଲା ଆଉ ସେମାନେ ପୁଣି ରାଜନୀତିରେ ସକ୍ରିୟ ହୋଇଥିଲେ । ବେଲରେ ଆସିବା ପରେ ହେମନ୍ତଙ୍କ ହାତରେ ନିର୍ବାଚନ ପାଇଁ ସମୟ କମ୍ ଥିଲା, କେଜ୍ରିୱାଲଙ୍କ ପାଇଁ ବି ସେହି ସମାନ ସ୍ଥିତି । ଦୁହେଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ପ୍ରୟାସ ଜାରି ରଖିଥିଲେ । ନିର୍ବାଚନର ସମୟ ପାଖେଇ ଆସିଲା ଦୁଇ ନେତା ନିଜ ନିଜ ଦଳର ବିଜୟ ପାଇଁ ଏବଂ ସରକାର ଗଢିବାକୁ ଜୋରଦାର ପ୍ରସ୍ତୁତି ଚଳାଇଲେ । ହେଲେ ଫଳାଫଳ ଦିନ ସବୁକିଛି ଓଲଟି ଗଲା ।
୨୦୨୪ରେ ଝାଡଖଣ୍ଡ ବିଧାନସଭା ନିର୍ବାଚନରେ ଲୋକଙ୍କ ବିଶ୍ବାସ ଜିତି ପୁଣିଥରେ ରାଜ୍ୟବାସୀଙ୍କ ଭରସା ଭାଜନ ହୋଇ ହେମନ୍ତ ମେଣ୍ଟ ସହଯୋଗରେ ଝାଡଖଣ୍ଡରେ ସରକାର ଗଢିବା ସହ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ହେଲେ ଦିଲ୍ଲୀରେ ଖେଳ ବଦଳିଗଲା । ହେମନ୍ତଙ୍କ ପରି କେଜ୍ରିୱାଲ ବି ଜେଲ ଫେରନ୍ତା ଥାଇ ବି ସିଏ ଲୋକଙ୍କ ଭରସା ଜିତି ପାରିଲେନି । ଦିଲ୍ଲୀରେ ତାଙ୍କ ଦଳ ସରକାର କଣ ଗଢିବ ନିଜେ କେଜ୍ରିୱାଲ ନିଜ ନୂଆଦିଲ୍ଲୀ ଆସନରୁ ବି ଜିତି ପାରିଲେନି । ଦୁହେଁ ଜେଲ ଫେରନ୍ତା ନେତା ହୋଇଥିବା ବେଳେ ଜନତା କିନ୍ତୁ ଅଲଗା ଅଲଗା ରାୟ ଦେଇଛନ୍ତି ।
କୁହାଯାଉଛି ହେମନ୍ତଙ୍କ ପାଇଁ ସହାନୁଭୂତିର ଭୋଟ୍ ମିଳିଥିବା ବେଳେ ତାଙ୍କ ପତ୍ନୀ କଳ୍ପନା ସୋରେନଙ୍କ ରାଜନୀତିରେ ପ୍ରବେଶ ଏବଂ ସ୍ବାମୀଙ୍କୁ ପୁନଶ୍ଚ ସିଏମ କରିବାର ସଙ୍କଳ୍ପ ସହ ପରିଶ୍ରମ ହିଁ ବଡ ଫ୍ୟାକ୍ଟର ଅଟେ । ଆଉ ଦିଲ୍ଲୀରେ ସରକାର ବିରୋଧୀ ହାୱା, ପ୍ରତିଶ୍ରୁତି ପାଳନ ନକରିବା କେଜ୍ରିୱାଲଙ୍କ ପରାଜୟ ପାଇଁ କାଳ ସାଜିଲା ।