ଦୁଇ ପ୍ରେରଣାଦାୟୀ ମହିଳାଙ୍କ କାହାଣୀ: ମାଣ୍ଡିଆ ଚାଷ ଫୁଟାଇଛି ହସ

ପ୍ରତ୍ୟେକ କଠିନତାକୁ ସାମ୍ନା କରି ଆଗକୁ ବଢ଼ିବାର ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ବଞ୍ଚିବାର ରାହା ଦେଖାଇଛି। ତାଙ୍କର ସଂଘର୍ଷ କାହାଣୀ ଯେତେ ବନ୍ଧୁର ସେ ସେତେ ଅଧିକ ପ୍ରେରଣାଦାୟୀ। ଅନେକ ବାଧା ପ୍ରତିବନ୍ଧକକୁ କାଟି ଚାଷ କ୍ଷେତରେ ଅଧ୍ୟବସାୟ ଜାରି ରଖି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ହେଉଛନ୍ତି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ରାମପୁର ଗ୍ରାମର ତୁଲା ଦଳେଇ। ଦୀର୍ଘ ୪ବର୍ଷ ତଳେ ସ୍ୱାମୀ ହଠାତ୍ ପକ୍ଷାଘାତରେ ପୀଡ଼ିତ ହେଲେ। ଆଉ ସେହିଦିନଠାରୁ ଆରମ୍ଭ ହୋଇଥିଲା ତୁଲାଙ୍କ ସଂଘର୍ଷମୟ ଜୀବନ। ଝିଅ ଓ ପୁଅଙ୍କୁ ପାଳିପୋଷି ମଣିଷ କରିବାର ଦାୟିତ୍ୱ ପଡ଼ିଲା ତାଙ୍କ ଉପରେ। ସ୍ବାମୀଙ୍କ ଚିକିତ୍ସା ସହିତ ପିଲାମାନଙ୍କୁ କେମିତି ପାଠ ପଢ଼ାଇବେ ସେହି ଚିନ୍ତାରେ ପଡ଼ିଗଲେ ସେ। ଶେଷରେ ଉପାୟଶୂନ୍ୟ ହୋଇ ସ୍ୱାମୀଙ୍କ ଚାଷ କାମକୁ ଆପଣାଇ ଆରମ୍ଭ କରିଥିଲେ ସଂଘର୍ଷ। ପୂର୍ବରୁ କେବଳ ପାରମ୍ପରିକ ଢଙ୍ଗରେ ହେଉଥିବା ମାଣ୍ଡିଆ ଚାଷ ପରିବର୍ତ୍ତେ ଓଡ଼ିଶା ମିଲେଟ୍‌ସ ମିଶନ ପକ୍ଷରୁ ଏସ୍‌ଏମ୍ଆଇ ପଦ୍ଧତିରେ ଚାଷ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ। ନିଜର ୫ଏକର ଜମିରେ ମାଣ୍ଡିଆ, ସୁଆଁ ଚାଷ କରି ସ୍ୱାବଲମ୍ବୀ ହେବା ସହିତ ଲାଭବାନ୍‌ ମଧ୍ୟ ହୋଇପାରିଛନ୍ତି ତୁଲା। ପ୍ରଶିକ୍ଷଣରୁ ଜୈବିକ ଖତ ପ୍ରସ୍ତୁତି, ବିହନ ବୁଣିବା ପ୍ରଣାଳୀ, ଧାଡ଼ି ରୁଆ, ଘାସ ବଛା କାମ ଆଦି ବିଷୟରେ ଅବଗତ ହୋଇଥିଲେ। ଗତବର୍ଷ ସେ ୧୫ କ୍ବିଣ୍ଟାଲ୍‌ ମାଣ୍ଡିଆ ଅମଳ କରି ମଣ୍ଡିରେ ବିକ୍ରି କରିଥିବା ବେଳେ ଚଳିତ ବର୍ଷ ୨୨ କ୍ବିଣ୍ଟାଲ୍‌ ମାଣ୍ଡିଆ ଅମଳ କରିଛନ୍ତି। ସେଥିରୁ ୧୭ କ୍ବିଣ୍ଟାଲ୍‌ ମାଣ୍ଡିଆକୁ ୬୫,୩୮୨ ଟଙ୍କାରେ ମଣ୍ଡିରେ ବିକ୍ରି କରି ଲାଭ ପାଇଛନ୍ତି।

ବଳକା ମାଣ୍ଡିଆକୁ ଘରେ ଖାଇବା ପାଇଁ ରଖିଛନ୍ତି। ସେହିପରି ଅଧା ଏକର ଜମିରେ ୬ କ୍ବିଣ୍ଟାଲ୍‌ ସୁଆଁ ଉତ୍ପାଦନ କରି ସ୍ଥାନୀୟ ବଜାରରେ ବିକ୍ରି କରିଛନ୍ତି। ମାଣ୍ଡିଆ ବିକ୍ରି କରି ପାଇଥିବା ଟଙ୍କାରେ ପରିବାର ଚଳାଇବା ସହ ସ୍ବାମୀଙ୍କ ଚିକିତ୍ସା କରିପାରୁଛନ୍ତି। ନିଜେ ସଂରକ୍ଷିତ କରି ରଖିଥିବା ମାଣ୍ଡିଆ ବିହନକୁ ଚାଷ କ୍ଷେତରେ ବୁଣୁଛନ୍ତି। ମାଣ୍ଡିଆ ଚାଷ ପାଇଁ ସରକାରୀ ସହାୟତା ପାଇ ତୁଲା ମାଣ୍ଡିଆ ଚାଷକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହାସହିତ ଓଡ଼ିଶା ମିଲେଟ୍‌ସ ମିଶନ ସହାୟତାରେ ପାଇଥିବା ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ସାମଗ୍ରୀର ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି। ମାଣ୍ଡିଆ ରସଗୋଲା, ମୁଡ଼୍‌କୀ, ପିଠା, ମାଣ୍ଡୁରୁ ଆଦି ପ୍ରସ୍ତୁତ କରି ବିଭିନ୍ନ ଖାଦ୍ୟମେଳା ଓ ସ୍ଥାନୀୟ ଅଞ୍ଚଳରେ ବିକ୍ରି କରୁଛନ୍ତି। ଏଥିପାଇଁ ସେ ମାଲକାନଗିରି, ବୋଡ଼ପଡ଼ା ଫୁଡ଼୍ ଫେଷ୍ଟିଭାଲ୍‌ରେ ବେଷ୍ଟ୍ ଫୁଡ଼୍ ଆଇଟମ୍ ପାଇଁ ପୁରସ୍କୃତ ହୋଇଛନ୍ତି। ନିଜର ସଫଳତା କାହାଣୀ ବଖାଣି ତୁଲା କହନ୍ତି, ‘ସ୍ୱାମୀଙ୍କ ପକ୍ଷାଘାତ ପରେ ମୋତେ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଇଥିଲା। ସ୍ୱାମୀଙ୍କ ଜୀବନ ରକ୍ଷା କରିବା ଏବଂ ପିଲାମାନଙ୍କ ବୋଝ ମୁଣ୍ଡାଇବା ପାଇଁ ଚାଷ କାମକୁ ଆପଣାଇଥିଲି। ଆଉ ଏହି ମାଣ୍ଡିଆ ଆମ ପରିବାରକୁ ରୋଜଗାର ଦେବାସହ ମୋ ସ୍ୱାମୀଙ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଛି। ଡାକ୍ତରଙ୍କ କହିବା ଅନୁସାରେ ସ୍ବାମୀଙ୍କୁ ମଧ୍ୟ ମାଣ୍ଡିଆ ଜାଉ ପ୍ରତ୍ୟେକ ଦିନ ଖାଇବା ପାଇଁ ଦେଉଛି। ସ୍ୱାସ୍ଥ୍ୟ ପାଇଁ ଉପକାରୀ ମାଣ୍ଡିଆକୁ ଆମେ ଘରେ ମଧ୍ୟ ଖାଉଛୁ’।
ରିପୋର୍ଟ: ଐଶ୍ବର୍ଯ୍ୟା ପରିଜା

ସମ୍ବନ୍ଧିତ ଖବର