ଅନ୍‌ଲାଇନ୍‌ରେ ‘ବ୍ଳୁ ସ୍କୁଟି’ ନାମରେ ପରିଚିତ ଆମେରିକାର ଵିଲିସ ଗିବସନ୍‌ ନାମକ ଜଣେ କିଶୋର ପୃଥିବୀରେ ପ୍ରଥମ ଥର ପାଇଁ ଏକ କାର୍ଯ୍ୟ କରିବାରେ ସଫଳ ହୋଇଛନ୍ତି। ତିନି ଦଶନ୍ଧି ହେଲା ଅପରାଜେୟ ମନେ ହେଉଥିବା ‘ଟେଟ୍ରିସ’ ନାମକ ଭିଡିଓଗେମ୍‌ ଉପରେ ବିଜୟ ହାସଲ କରି ସେ ଏବେ ଭିଡିଓଗେମ୍ ପ୍ରେମୀଙ୍କ ଲାଗି ଜୀବନ୍ତ କିଂବଦନ୍ତି ପାଲଟିଛନ୍ତି। ନିଣ୍ଟେଣ୍ଡୋ ଏଣ୍ଟରଟେନ୍‌ମେଣ୍ଟ୍‌ ସିଷ୍ଟମ୍‌ ଦ୍ବାରା ୧୯୮୯ ମସିହାରେ ପ୍ରଥମ କରି ବଜାରକୁ ଆସିଥିବା ଏ ଭିଡିଓ ଗେମ୍‌ର ଡିଜାଇନରମାନେ ତାହାକୁ ଅଲଂଘନୀୟ ବୋଲି ଧରିନେଇଥିଲେ। ଉଲ୍ଲେଖଯୋଗ୍ୟ, ଜଣେ ଖେଳାଳି ଉକ୍ତ ଭିଡିଓଗେମ୍‌କୁ ଖେଳୁଥିବା ବେଳେ ତାହାର ଗତି ବେଳକୁ ବେଳ ତ୍ବରାନ୍ବିତ ହେବା ସାଙ୍ଗକୁ ଏହା ଅଧିକ ଆହ୍ବାନ ପୂର୍ଣ୍ଣ ହୋଇଚାଲିଥାଏ ଏବଂ ପାରମ୍ପରିକ ଭାବେ ଖେଳାଳିମାନେ ସେଥିରେ ଅତିଷ୍ଠ ହୋଇପଡ଼ିଥା’ନ୍ତି।

Advertisment

ତେବେ ଏହାକୁ ଅତିକ୍ରମ କରିବାକୁ ହେଲେ ଜଣେ ଅସାଧାରଣ ଭାବେ ଉଚ୍ଚ ସ୍କୋର୍‌ ହାସଲ କରିବାକୁ ହେବ ଯାହା ଖେଳର ମେମୋରି ବ୍ୟାଙ୍କକୁ ଭାରାକ୍ରାନ୍ତ କରିବା ସହ ତାହାକୁ ବନ୍ଦ କରିଦେଇଥାଏ। ତେବେ ଖେଳର ଏପରି ଅନ୍ତର୍ନିହିତ ସଂରଚନାକୁ ଭାରାକ୍ରାନ୍ତ ହେବା ଯାଏ ଖେଳ ଜାରି ରଖିବାରେ ଗିବସନ୍‌ ସଫଳ ହୋଇଛନ୍ତି। ଗତ ମାସ ୨୩ ତାରିଖରେ ଗିବସନ୍‌ ୪୦ ମିନିଟ୍‌ ଧରି ‘ଟେଟ୍ରିସ’ ଖେଳି ଏହା ହାସଲ କରିଛନ୍ତି। ପୂର୍ବରୁ କେବଳ କୃତ୍ରିମ ବୁଦ୍ଧିମତା (ଏଆଇ) ହିଁ ଟେଟ୍ରିସ ଭିଡିଓଗେମ୍‌କୁ ପରାସ୍ତ କରିପାରିଥିଲା। ଜଣେ ସାଧାରଣ ଖେଳାଳି ଏହି ଖେଳର ହାରାହାରି ୨୯ତମ ଲେଭେଲ୍ ଯାଏ ପହଞ୍ଚିବାକୁ ସକ୍ଷମ ହେଉଥିବା ବେଳେ ୧୩ ବର୍ଷୀୟ ଗିବସନ୍‌ ୧୫୭ତମ ସ୍ତରରେ ପହଞ୍ଚି ରେକର୍ଡ କରିଛନ୍ତି। ତାଙ୍କୁ ୧୧ ବର୍ଷ ବୟସ ହୋଇଥିବା ବେଳୁ ସେ ଏହି ଖେଳରେ ମନ ଲଗାଇଥିଲେ। ତେବେ କେବେ ତାହାକୁ ଜିତିପାରିବେ ବୋଲି କଳ୍ପନା କରିନଥିଲେ ବୋଲି ବିଜୟ ପରେ ସେ କହିଛନ୍ତି।