ମସ୍ତକବିହୀନ ଗଣେଶ! ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ବିରଳ ଓ ବିଚିତ୍ର ମନ୍ଦିରଟିଏ ରହିଛି ଉତ୍ତରାଖଣ୍ତର କେଦାରନାଥ ଉପତ୍ୟକାରେ

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ବିରଳ ଓ ବିଚିତ୍ର ମନ୍ଦିରଟିଏ ଉତ୍ତରାଖଣ୍ତର କେଦାରନାଥ ଉପତ୍ୟକାରେ ଅବସ୍ଥିତ। ଗର୍ଭଗୃହରେ ମସ୍ତକ ବିହୀନ ପ୍ରଭୁ ଗଣେଶ ପୂଜାପାଉଛନ୍ତି, ଯାହା ଏ ମନ୍ଦିରର ଏକ ପ୍ରମୁଖ ବିଶେଷତ୍ବ। ମନ୍ଦିରର ନାଁ ‘ମୁଣ୍ତକଟିୟା’। ‘ମୁଣ୍ତକଟିୟା’ ଦୁଇଟି ଶବ୍ଦର ସମାହାର; ‘ମୁଣ୍ତ’ ଅର୍ଥ ମସ୍ତକ ଓ ‘କଟିୟା’ ଅର୍ଥ କଟା ବା ଛେଦନ; ଏଥି ପାଇଁ ମନ୍ଦିରଟି ଏ ପରି ଭାବେ ନାମିତ ହୋଇଥିବା କୁହାଯାଏ। ସୋନପ୍ରୟାଗଠାରୁ ଏହାର ଦୂରତା ତିନି କିଲୋମିଟର‌୍‌। ମନ୍ଦିରକୁ ଲାଗି ମନ୍ଦାକିନୀ ନଦୀ ପ୍ରବାହିତ। ମୁଣ୍ତ ନ ଥିବା ଏ ପରି ଗଣେଶ ମନ୍ଦିର ଅନ୍ୟ କେଉଁଠି ଥିବା ଜଣାଯାଏନାହିଁ। ଏହି ସ୍ଥାନରେ ଗଣେଶଙ୍କ ମୁଣ୍ତ ଭଗବାନ୍‌ ଶିବଙ୍କ ଦ୍ବାରା ଛେଦନ ହୋଇଥିବା ସ୍ଥାନୀୟ ଧାର୍ମିକ ବିଶ୍ବାସ।

ଶିବ ପୁରାଣ ଅନୁସାରେ, ଏକଦା ଦେବୀ ପାର୍ବତୀ ସ୍ନାନ ପାଇଁ ପ୍ରସ୍ତୁତ ହେଉଥିଲେ। ସେହି ସମୟରେ ଭିତରକୁ ଅନ୍ୟ କାହାରି ପ୍ରବେଶକୁ ନିଷିଦ୍ଧ କରାଇଥିଲେ ଦେବୀ ପାର୍ବତୀ। ଏଥି ପାଇଁ ଶିବଙ୍କ ବାହନ ନନ୍ଦିଙ୍କୁ ସେ ଦ୍ବାରପାଳ ଭାବେ ନିୟୋଜିତ କରିଥିଲେ। ହଠାତ୍‌ ଭଗବାନ୍‌ ଶିବ ସେଠାରେ ପହଞ୍ଚିଥିଲେ ଏବ˚ ନନ୍ଦି ତାଙ୍କୁ ସ୍ବାଭାବିକ ଭାବେ ଭିତରକୁ ଛାଡ଼ିଦେଇଥିଲେ। କାରଣ ନନ୍ଦି ଥିଲେ ଶିବଙ୍କର ଏକାନ୍ତ ଅନୁଗତ। ପାର୍ବତୀ ଏଥିରେ କ୍ଷୋଭ ପ୍ରକାଶ କରିବା ସହିତ ନିଜ ଦେହର ମଳିରୁ ଗଣେଶଙ୍କୁ ପୁତ୍ର ଭାବେ ସୃଷ୍ଟି କରିଥିଲେ। ପରବର୍ତ୍ତୀ ସମୟରେ ପାର୍ବତୀ ସ୍ନାନ ପାଇଁ ଯାଇଥିବା ବେଳେ, ଦ୍ବାରପାଳ ଭାବେ ଜଗିଥିଲେ ପୁତ୍ର ଗଣେଶ। ମାତାଙ୍କ ଆଜ୍ଞା ଅନୁସାରେ, ସେ ଶିବଙ୍କୁ ଭିତରକୁ ଯିବାକୁ ବାରଣ କରିବାରୁ ଶିବ ଅପମାନିତ ବୋଧ କରିଥିଲେ ଏବ˚ କ୍ରୋଧିତ ହୋଇ ଏହି ସ୍ଥାନରେ ଗଣେଶଙ୍କ ଶିର ଛେଦନ କରିଥିଲେ। ପରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ମାଧ୍ୟମରେ ଗଣେଶଙ୍କ ଶରୀରରେ ହସ୍ତୀର ମସ୍ତକ ଯୋଡ଼ାଯାଇଥିଲା ଏବ˚ ଗଣେଶ ପୁନର୍ଜୀବନ ପାଇଥିଲେ।

ସମ୍ବନ୍ଧିତ ଖବର