ଡିଜାଇନର୍ ବସୁନ୍ଧରା ଲୁପ୍ତପ୍ରାୟ ଆଦିବାସୀ ଜନଜାତି ତଥା ବିଭିନ୍ନ ପାହାଡ଼ୀ ସମ୍ପ୍ରଦାୟଙ୍କ ପାରମ୍ପରିକ ଅଳଙ୍କାର ସବୁର କଳାକୃତି ବଞ୍ଚାଇ ରଖିବାର ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରାଚୀନ କଳା ସଂସ୍କୃତିକୁ ଧାରଣ କରିଥିବା ଏହିସବୁ ଅଳଙ୍କାରକୁ ନୂତନ ଶୈଳୀରେ ତିଆରି କରାଯାଉଛି। ସାଂସ୍କୃତିକ ଅନ୍ୱେଷଣ ଓ ଅଭିବ୍ୟକ୍ତିକୁ ପ୍ରକାଶ କରୁଥିବା ଏହିସବୁ ଅଳଙ୍କାରକୁ ସଂଗ୍ରହଯୋଗ୍ୟ ଉତ୍ତରାଧିକାରୀ ସୂତ୍ରରେ ସଂରକ୍ଷଣ କରାଯାଇ ଏକ ନୂତନ ଯୁଗର ପ୍ରତିନିଧିତ୍ୱ କରୁଥିବା ହସ୍ତଶିଳ୍ପ କଳାରେ ଏସବୁକୁ ପୁନର୍ଜୀବିତ କରିବା ପାଇଁ ବସୁନ୍ଧରାଙ୍କ କାର୍ଯ୍ୟ ଉତ୍ସର୍ଗୀକୃତ। ପାହାଡ଼ପର୍ବତର ଜନସାଧାରଣଙ୍କ ସାମାଜିକ ତଥା ସାଂସ୍କୃତିକ ସମୃଦ୍ଧି ଓ ଐତିହ୍ୟର ଜୀବନ୍ତ କାରିଗରିର ଏକ କାଳଜୟୀ କଳା ଓ ପରମ୍ପରାକୁ ଉନ୍ମୋଚନ କରେ ବସୁନ୍ଧରାଙ୍କ ଅଳଙ୍କାର ସଂଗ୍ରହ ବୃତ୍ତି। ନିକଟରେ ବସୁନ୍ଧରା ଓଡ଼ିଶାର ବଣ୍ଡା, ଡଙ୍ଗରିଆ ଓ କୋଟିଆ ଜନଜାତିଙ୍କ ପାରମ୍ପରିକ ଅଳଙ୍କାର ଉପରେ ଅଧିକ ଜାଣିବା ଓ ସଂଗ୍ରହ କରିବାକୁ କୋରାପୁଟ ଗସ୍ତ କରିଥିଲେ। ବସୁନ୍ଧରାଙ୍କ ଏଭଳି ଅଭିନବ ପ୍ରୟାସ ଓ ଆଗ୍ରହ ଆଜି ସବୁଆଡ଼େ ଆକର୍ଷଣର କେନ୍ଦ୍ର ପାଲଟିଛି।
ଏଭଳି ଏକ ସୁନ୍ଦର ପରିକଳ୍ପନା ଆପଣଙ୍କ ମନକୁ କାହିଁକି ଓ କିପରି ଆସିଥିଲା?
ବଣ ପାହାଡ଼ର ହୃଦୟରେ ଆଦିବାସୀ ଜନଜାତି ମହିଳାଙ୍କ ଆତ୍ମବୋଧ ଏବଂ ସେମାନଙ୍କ କଳାସଂସ୍କୃତି ମଧ୍ୟରେ ଏକ ଗଭୀର ସଂଯୋଗ ପାଇବେ। ଏହାକୁ ଯଦି ଆପଣ ନିଜ ମନର ଗଭୀରତମ ପ୍ରଦେଶରୁ ନିରୀକ୍ଷଣ କରିବେ ତେବେ ଜାଣିପାରିବେ ସେମାନଙ୍କର ପୋଷାକ, ଅଳଙ୍କାର, ପର୍ବପର୍ବାଣି ଓ ଜୀବନଶୈଳୀରେ ଭରି ରହିଛି ନିଜସ୍ବ ସ୍ୱତନ୍ତ୍ରତା। ଏକଦା ମୁଁ ଲକ୍ଷ୍ୟ କଲି ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ପକ୍ଷରୁ ସେମାନଙ୍କର ଏପରି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁର ବିକ୍ରି କରାଯାଉଛି ଏବଂ ଏହାର ଚାହିଦା ମଧ୍ୟ ରହିଛି। କିନ୍ତୁ ଏସବୁକୁ ସଂଗ୍ରହ କରି ସଂରକ୍ଷଣ ପାଇଁ କୌଣସି ପ୍ରୟାସ କରାଯାଉନାହିଁ। ସେମାନଙ୍କର ଏସବୁ ସାମଗ୍ରୀ ସବୁକୁ ଆଧୁନିକତାର ସ୍ପର୍ଶ ଦେଇ ପ୍ରାଚୀନ ପାରମ୍ପରିକ କଳାକୁ ଲୋପ କରିଦିଆଯାଉଛି। ସେଥିପାଇଁ ମୁଁ ସେମାନଙ୍କର ପାରମ୍ପରିକ ଅଳଙ୍କାର ସବୁ ସଂଗ୍ରହ କରି ତାର ସମ୍ପୂର୍ଣ୍ଣ ସଂରକ୍ଷଣ କଲି। ଥରେ ମାତ୍ର ଏହି ସଂଗ୍ରହ କାର୍ଯ୍ୟର ମନମୁଗ୍ଧକର ଓ ସୁଗନ୍ଧିତ ପ୍ରାଚୀନ କଳାକୁ ଦେଖିଲେ ତାର ମାୟା ଆପଣଙ୍କୁ ସେହି ବଣ ପାହାଡ଼ ଘେରା ଅଞ୍ଚଳକୁ ଆପେ ଆପେ ଟାଣିନେବ। ମୋର ଏହି ସଂଗ୍ରହ ଓ ସଂରକ୍ଷଣ ହେଉଛି କଳା ସଂସ୍କୃତି ତଥା ପରମ୍ପରା ମଧ୍ୟରେ ଏକ ଯାତ୍ରା। ସେମାନଙ୍କର ପ୍ରତ୍ୟେକ ଅଳଙ୍କାର ପଛରେ ଲୁଛି ରହିଛି ଏକ ନିଚ୍ଛକ ବଣ ପାହାଡ଼ ଜୀବନର ଗୋଟିଏ ଗୋଟିଏ ଅଭୁଲା କାହାଣୀ। ଯେଉଁଦିନ ମୁଁ ଏହାକୁ ଅନୁଭବ କଲି ସେହିଦିନ ଠାରୁ ମୋ ମନରେ ଏସବୁର ସଂଗ୍ରହ ଓ ସଂରକ୍ଷଣ ପାଇଁ ଆଗ୍ରହ ଆସିଥିଲା।
କେଉଁସବୁ ପାରମ୍ପରିକ ଅଳଙ୍କାର ସାମଗ୍ରୀ ଆପଣଙ୍କ ପାଖରେ ଉପଲବ୍ଧ ଏବଂ ଏହାକୁ କେଉଁଠାରୁ ସଂଗ୍ରହ କରିଛନ୍ତି?
ଆମ ସଂଗ୍ରହରେ ଚୁଡ଼ି, ବ୍ରେସଲେଟ୍ ସାଙ୍ଗକୁ ହାତରେ ପିନ୍ଧା ଯିବା ବହୁପ୍ରକାର ଅଳଙ୍କାର, ବେକରେ ପିନ୍ଧାଯାଉଥିବା ବିଭିନ୍ନ ପ୍ରକାରର ମାଳ, ଅଣ୍ଟାରେ ପିନ୍ଧାଯିବାର ମାଳ, ମୁଣ୍ଡରେ ଲଗାଯାଉଥିବା ସିନ୍ଥି, ନାକ ଓ କାନରେ ପିନ୍ଧିବା ନାକଫୁଲ ତଥା କାନଫୁଲ ଏବଂ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ମୁଦି ପରି ବିଭିନ୍ନ ଅଳଙ୍କାର ସବୁ ରହିଛି। ଏହା ବ୍ୟତୀତ ଆମେ ଚୋକର୍, ନେକ୍ଲେସ୍, କେଶରେ ଲଗାଯିବା କ୍ଲିପ୍ ସଂଗ୍ରହ କରୁ। ହସ୍ତତନ୍ତ ପ୍ରସ୍ତୁତ ଅନ୍ୟାନ୍ୟ ପୋଷାକ ସାମଗ୍ରୀ ମଧ୍ୟ ସଂଗ୍ରହ କରୁଛୁ। ଆମେ ସମସ୍ତ ଜିନିଷ ସଂଗ୍ରହ କରି ସଂରକ୍ଷଣ କରିବା ପରେ ସେସବୁର ନିର୍ମାଣଶୈଳୀକୁ ବ୍ୟବହାର କରି ଆମେ ନିଜର ହସ୍ତତନ୍ତ କାରିଗରମାନଙ୍କ ଦ୍ୱାରା ସେସବୁକୁ ପ୍ରସ୍ତୁତ କରୁ। ଡେରାଡୁନ ଓ ଜୟପୁର ଗୋଲ୍ଡ ଦାଇ, ତାଲାଫ୍, ପରତାଶ ଓ ବଦ୍ରୁମ୍ ପରି ପାରମ୍ପରିକ କଳାରେ ପ୍ରସ୍ତୁତ ବହୁ ପ୍ରାଚୀନ ଅଳଙ୍କାର ଆମ ହସ୍ତନିର୍ମିତ। ସେସବୁ ଅଳଙ୍କାର ପ୍ରସ୍ତୁତ ସମୟରେ ପ୍ରତ୍ୟେକ ଅଂଶର ବିସ୍ତୃତ କଳା ଏବଂ ଏହା ପଛରେ ରହିଥିବା ବିବରଣୀ ପ୍ରତି ଧ୍ୟାନ ଦେବାକୁ ପଡ଼େ। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ରାଜସ୍ଥାନର ବିଭିନ୍ନ ପାହାଡ଼ୀ ଜନଜାତି ତଥା ପ୍ରାଚୀନ ଅଧିବାସୀଙ୍କ ଠାରୁ ଏସବୁ ସଂଗ୍ରହ କରାଯାଇଛି। ବର୍ତ୍ତମାନ ଆମେ ଓଡ଼ିଶାର ବଣ୍ଡା ଜନଜାତିଙ୍କ ପ୍ରାଚୀନ ରଙ୍ଗବେରଙ୍ଗର ଲମ୍ବା ଲମ୍ବା ମାଳିରେ ପ୍ରସ୍ତୁତ ଅଳଙ୍କାର ସାଙ୍ଗକୁ ଡଙ୍ଗରିଆ ଓ କୋଟିଆ ଜନଜାତିଙ୍କ ଅଳଙ୍କାର ଉପରେ କାମ କରିବା ଆରମ୍ଭ କରିଛୁ।
ଏହି ଅଳଙ୍କାର ସବୁର ଡିଜାଇନ୍ କିପରି?
ଆମର ଅଳଙ୍କାରଗୁଡ଼ିକ ବିଭିନ୍ନ ରତ୍ନ ପଥର ଦିଆଯାଇ ସେହିସବୁ ଜନଜାତିଙ୍କର ପାରମ୍ପରିକ କଳା ଓ ନିର୍ମାଣଶୈଳୀ ବ୍ୟବହାର କରାଯାଇ ଏହାକୁ ମୂଳ ଅଳଙ୍କାର ପରି ଅବିକଳ ଓ ଜୀବନ୍ତ କରିବାକୁ ଧ୍ୟାନ ଦିଆଯାଇ ପ୍ରସ୍ତୁତ ହୁଏ। ଆମେ ସବୁ ବର୍ଗ ଓ ବୟସର ମହିଳାଙ୍କ ପାଇଁ ଅଳଙ୍କାର ପ୍ରସ୍ତୁତ କରିଥାଉ। ଜନଜାତିଙ୍କର ମରି ହଜି ଯାଉଥିବା ପାରମ୍ପରିକ ପ୍ରାଚୀନ ଅଳଙ୍କାରର ବିବିଧତା ଓ ବ୍ୟକ୍ତିଗତ ଅଭିବ୍ୟକ୍ତିକୁ ବଜାୟ ରଖି ସେସବୁକୁ ଯୁଗଯୁଗ ପାଇଁ ସାଇତି ରଖିବା ହେଉଛି ଆମର ଆଭିମୁଖ୍ୟ ଓ ଲକ୍ଷ୍ୟ। ଏହାକୁ ଶତ ପ୍ରତିଶତ ଧ୍ୟାନ ଦେଇ ଆମେ ଆମର ଡିଜାଇନ୍ ଓ ରଙ୍ଗରେ ଅଳଙ୍କାର ପ୍ରସ୍ତୁତ କରିଥାଉ।
କୋରାପୁଟ ଜନଜାତିଙ୍କର ପାରମ୍ପରିକ ଅଳଙ୍କାରକୁ ନେଇ କ’ଣ କହିବେ?
ଦେଖନ୍ତୁ, ଓଡ଼ିଶାର ବଣ୍ଡା, କୋଟିଆ ଓ ଡଙ୍ଗରିଆ ଜନଜାତିଙ୍କ ପ୍ରାଚୀନ ଓ ପାରମ୍ପରିକ ଅଳଙ୍କାର ସବୁ ସେମାନଙ୍କ ସମୃଦ୍ଧ ଅତୀତ ପରମ୍ପରା ଉପରେ ଆଲୋକପାତ କରିଥାଏ। ସବୁ ଜନଜାତିଙ୍କର ପାରମ୍ପରିକ ଅଳଙ୍କାରମାନ ସ୍ୱତନ୍ତ୍ର ଓ ବିରଳ। ମୁଁ ଏପରି ଧାତୁ ଓ ମାଳି ଉପରେ ଏତେ ନିଖୁଣ କାରୁକାର୍ଯ୍ୟ ଓ କଳା ପ୍ରାୟ ଅନ୍ୟ କେଉଁଠାରେ ଦେଖିନାହିଁ। ସେମାନଙ୍କ ପାରମ୍ପରିକ ରଙ୍ଗବେରଙ୍ଗର ଅଳଙ୍କାର ଅତ୍ୟନ୍ତ ଆକର୍ଷଣୀୟ। ଏହାର ସଂଗ୍ରହ ଓ ସଂରକ୍ଷଣ ନିତାନ୍ତ ଜରୁରୀ।