ଆମର ପୁରୁଷପ୍ରଧାନ ସମାଜରେ ଲିଙ୍ଗବୈଷମ୍ୟ ଦୂର ପାଇଁ ସରକାରୀ ଓ ବେସରକାରୀ ସ୍ତରରେ କନ୍ୟାସନ୍ତାନଙ୍କୁ ଗୁରୁତ୍ବ ପ୍ରଦାନ କରାଯାଉଛି। ତେବେ ଏ ବାବଦରେ ଆମ ଦେଶରେ ଏଭଳି ଅନେକ ଗାଁ ରହିଛି ଯାହାର ନିଆରା ବିଶେଷତ୍ବ ଅନ୍ୟମାନଙ୍କ ପାଇଁ ଶିକ୍ଷଣୀୟ ହୋଇ ରହିଥିବ। ରାଜସ୍ଥାନର ପିପଲାନ୍ତ୍ରି ହେଉଛି ଏପରି ଏକ ଗାଁ ଯେଉଁଠି କାହାର ଝିଅଟିଏ ଜନ୍ମ ହେଲେ ଗାଁ ମୁଣ୍ଡରେ ତାହା ଉଦ୍ଦେଶ୍ୟରେ ଗଛଟିଏ ଲଗାଯାଇଥାଏ। ଏପରି ନିଆରା ଆଦର୍ଶ ଅଭ୍ୟାସକୁ ଗ୍ରାମବାସୀ ଗତ ସତର ବର୍ଷ ହେଲା ଆଦରି ନେଇଛନ୍ତି।
ସୂଚନାନୁଯାୟୀ, ୨୦୦୬ ମସିହାରେ ଗାଁର ମୁଖିଆଙ୍କର ଏକ ୧୬ ବର୍ଷୀୟା ଝିଅର ମୃତ୍ୟୁ ଘଟିଥିଲା। ତେବେ ନିଜର ଏହି କନ୍ୟାହାନି ଜନିତ ଦୁଃଖକୁ ଭିନ୍ନ ସୁଖରେ ରୂପାନ୍ତରଣ କରିବା ଲାଗି ସେ ପରଲୋକଗତ ଝିଅ ନାଆଁରେ ଗଛ ଲଗାଇବା ଆରମ୍ଭ କରିଥିଲେ।
ଏପରିକି ସମଗ୍ର ଗାଁରେ କନ୍ୟାସନ୍ତାନ ନାଁରେ ବୃକ୍ଷରୋପଣକୁ ଏକ ଧାରାରେ ପ୍ରଚଳନ କରିଦେଲେ ଏବଂ ଗ୍ରାମବାସୀମାନେ ସେଥିରେ ଅଭ୍ୟସ୍ତ ହୋଇ କାହାର କନ୍ୟା ସନ୍ତାନଟିଏ ଜନ୍ମ ନେଲେ, ସେମାନେ ଗାଁମୁଣ୍ଡ ଖୋଲା ସ୍ଥାନରେ ଗଛଟିଏ ଲଗାଇବାକୁ ପ୍ରାଥମିକତା ଦେଲେ। ଏପରିକି ସରକାରୀ ଜାଗା ଛାଡ଼ି ଲୋକେ ନିଜ ନିଜ ଜାଗାରେ ମଧ୍ୟ ଏକାଧିକ ଗଛ ଲଗାଇଲେ। ଏଥି ସହିତ ଝିଅକୁ ପାଠ ପଢ଼ାଇବା ଓ ଉଚିତ ବୟସ ପୂର୍ବରୁ ବାହା ନଦେବା ଲାଗି ମଧ୍ୟ ସେମାନେ ଜନ୍ମ ସମୟରେ ଏକ ନ୍ୟାୟିକ ସତ୍ୟପାଠରେ ସ୍ବାକ୍ଷର କଲେ। ବର୍ତ୍ତମାନ ସୁଦ୍ଧା ଗ୍ରାମରେ ସାଢ଼େ ଚାରି ଲକ୍ଷ ବୃକ୍ଷ ଲଗା ସରିଥିବା ଜଣାଯାଇଛି। ଏହାଦ୍ବାରା ସମାଜରେ ପୁଅଙ୍କ ତୁଳନାରେ ଅପେକ୍ଷାକୃତ ଉପେକ୍ଷିତ ହେଉଥିବା ଝିଅମାନଙ୍କୁ ଉଚିତ ସମ୍ମାନ ମିଳିବା ସହ ସବୁଜ ପରିବେଶ ପରି ବୃକ୍ଷରୋପଣର ଅନ୍ୟାନ୍ୟ ଫାଇଦା ମଧ୍ୟ ସେମାନେ ଉପଭୋଗ କରିପାରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/f564654f65fhkhfkhk.jpg)