କନ୍ୟା ସନ୍ତାନମାନଙ୍କର ସୁରକ୍ଷିତ ଭବିଷ୍ୟତ ପାଇଁ ବାଲ୍ୟ ବିବାହ ପରି କୁତ୍ସିତ ପ୍ରଥାକୁ ଅନେକ ଦେଶରେ ନିଷିଦ୍ଧ କରାଯାଇଛି। ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଉତ୍ତର କାରୋଲିନାରେ ରହୁଥିବା ଏକ ଦମ୍ପତି ପରିସ୍ଥିତିରେ ପଡ଼ି ସେମାନଙ୍କର ୧୦ ବର୍ଷର ଝିଅର ବାଲ୍ୟବିବାହ କରାଇଛନ୍ତି। ସେମାନଙ୍କ ଏକମାତ୍ର ଝିଅ ଏମ୍ମା ଏଡଵାର୍ଡ ଗତ ବର୍ଷ ରକ୍ତ କର୍କଟରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ଜୀବନର ସବୁଠାରୁ ବଡ଼ ସ୍ବପ୍ନ ଥିଲା ଯେ ଦିନେ ତାଙ୍କର ବର୍ଣ୍ଣାଢ଼୍ୟ ବିବାହ ଉତ୍ସବ ହେବ। ‘ନ୍ୟୁୟର୍କ ପୋଷ୍ଟ୍‌’ରେ ପ୍ରକାଶିତ ସୂଚନାନୁସାରେ, ଗତ ବର୍ଷ ଏପ୍ରିଲରେ ଏମ୍ମା ରକ୍ତ କର୍କଟରେ ପୀଡ଼ିତ ବୋଲି ଜଣାପଡ଼ିଥିଲା। ଆଧୁନିକ ଚିକିତ୍ସା ପଦ୍ଧତିରେ ସେ ଆରୋଗ୍ୟଲାଭ କରିପାରିବେ ବୋଲି ତାଙ୍କ ମାତାପିତା ଆଶା ରଖିଥିଲେ। ମାତ୍ର ଦିନକୁ ଦିନ ଏମ୍ମାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନତି ଦେଖାଦେଇଥିଲା।

Advertisment

ଗତ ଜୁନ୍‌ରେ ଡାକ୍ତରମାନେ ଜଣାଇଲେ ଯେ ଏମ୍ମାଙ୍କର ରୋଗ ଆଉ ଭଲ ହୋଇପାରିବ ନାହିଁ; ଖୁବ୍‌ କମ୍‌ ଦିନ ଭିତରେ ଏମ୍ମା ଆଖି ବୁଜିବେ। ତେଣୁ ବାହା ହେବାକୁ ସ୍ବପ୍ନ ଦେଖିଥିବା ଝିଅର ଆକାଂକ୍ଷା ପୂରଣ କରିବା ଲାଗି ବାପାମାଆ ଲାଗିପଡ଼ିଲେ। ସେମାନେ ଦୁଇ ଦିନ ଭିତରେ ଏକ ତତ୍କାଳ ବିବାହ ଉତ୍ସବର ଆୟୋଜନ କଲେ। ଗତ ଜୁନ୍‌ ୨୯ ତାରିଖରେ ମୃତ୍ୟୁ ପାଇଁ ଦିନ ଗଣୁଥିବା ଏମ୍ମାଙ୍କୁ ତାଙ୍କ ପିଲାଦିନର ସାଙ୍ଗ ଡାନିଏଲ ମାର୍ସାଲ ଖ୍ରୀଷ୍ଟୋପର ‘ଡିଜେ’ ୱିଲିଅମ୍‌ସ ପାରମ୍ପରିକ ରୀତିରେ ବିବାହ କରିଥିଲେ। ଏଥି ସହିତ ତାଙ୍କ ଜୀବନର ସବୁଠାରୁ ବଡ଼ ସ୍ବପ୍ନ ପୂରଣ ହୋଇଯାଇଥିଲା। ମାତ୍ର ଦୁଃଖର ବିଷୟ ଯେ ବିବାହର ମାତ୍ର ୧୨ ଦିନ ପରେ ଏମ୍ମା ଆଖି ବୁଜିଥିଲେ।