ସ୍କୁଲ୍‌ରେ ଶିକ୍ଷାଦାନ ବ୍ୟବସ୍ଥା ମଜାଦାର ହେବା ଉଚିତ। କିନ୍ତୁ, ବାସ୍ତବରେ ତାହା ହୁଏ ନାହିଁ। ପ୍ରାୟ ସବୁ ସ୍କୁଲ୍‌ରେ ଚିରାଚରିତ ପଦ୍ଧତିରେ ଶିକ୍ଷାଦାନ ଚାଲେ। କିନ୍ତୁ, ଆମ ଦେଶରେ କେତେଗୁଡ଼ିଏ ସ୍କୁଲ୍‌ ପାରମ୍ପରିକ ଶିକ୍ଷାଦାନ ବ୍ୟବସ୍ଥାରେ ବ୍ୟତିକ୍ରମ ଘଟାଇ ସୁନାମ ଅର୍ଜନ କରିଛନ୍ତି। ଶିକ୍ଷାର୍ଥୀମାନଙ୍କୁ ଭଲ ଭାବେ ବିଦ୍ୟା ଅଧ୍ୟୟନ କରାଇବା ପାଇଁ ଏ ସବୁ ସ୍କୁଲ୍‌ରେ ନୂତନ ଓ ଅଭିନବ ପନ୍ଥା ଅବଲମ୍ବନ କରାଯାଉଛି। ସେମିତି କେତୋଟି ସ୍କୁଲ୍‌ ବିଷୟରେ ସଂକ୍ଷିପ୍ତ ସୂଚନା।

Advertisment

ଲୋକଟକ୍‌ ହ୍ରଦରେ ଭାସମାନ ସ୍କୁଲ୍‌
ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ‌ମଣିପୁରର ବୃହତ୍ତମ ମଧୁରଜଳ ହ୍ରଦ ଲୋକ୍‌ଟକ୍‌ରେ ଖୋଲିଛି ଗୋଟାଏ ଭାସମାନ ବିଦ୍ୟାଳୟ! ପାଠପଢ଼ା ଛାଡ଼ି ହାଇସ୍କୁଲ୍‌ରୁ ପଳାଇ ଆସୁଥିବା ଓ କୈବର୍ତ୍ତମାନଙ୍କ ପିଲାଙ୍କୁ ଲୋକ୍‌ଟକ୍‌ ‌ହ୍ରଦ ବିଦ୍ୟାଳୟ ଉପଯୁକ୍ତ ଶିକ୍ଷା ଯୋଗାଇ ଦେଉଛି। ବିଦ୍ୟାଳୟ ଗାଁଠାରୁ ବେଶ୍‌ ଦୂରରେ ଥିବାରୁ କୈବର୍ତ୍ତମାନେ ସେମାନଙ୍କ ପିଲାଙ୍କୁ ପଠାଇ ପାରୁନାହାନ୍ତି। ଚାମ୍ପୁ ଖାଙ୍ଗ୍‌ପୋକ୍‌ ଗାଁ’ର ବାସିନ୍ଦା ଓଇନାମ୍‌ ରାଜେନ୍‌ ସିଂହ କହନ୍ତି, ଆମମାନଙ୍କ ମଧ୍ୟରୁ ଅଧିକାଂଶ ଅଶିକ୍ଷିତ ଏବଂ ମାଛମାରି ସ୍ବଳ୍ପ ରୋଜଗାରରେ ଚଳୁଥିବାରୁ ପିଲାମାନଙ୍କୁ ଦୂରବର୍ତ୍ତୀ ସ୍କୁଲ୍‌କୁ ପଠାଇ ପାରୁନାହୁଁ। ଏଭଳି ଅବସ୍ଥାକୁ ଚାହିଁ ଆମେ ଏଠାରେ ପ୍ରାଥମିକ ବିଦ୍ୟାଳୟଟିଏ ଖୋଲିବାକୁ ସ୍ଥିରକଲୁ। ‘ପିପୁଲ୍‌ ରିସୋର୍ସେସ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଆସୋସିଏସନ୍‌’ ସହଯୋଗରେ ‘ଅଲ୍ ଲୋକ୍‌ଟକ୍‌ ଲେକ୍‌ ଏରିଆ ଫିସର୍‌ମେନ୍‌ ୟୁନିୟନ୍‌’ ଦ୍ବାରା ଏହି ଭାସମାନ ସ୍କୁଲ୍‌ ଖୋଲିଛି।

ପାହାଡ଼ ଉପରେ ସ୍କୁଲ୍
ସମୁଦ୍ର ପତ୍ତନଠାରୁ ୨୦୦୦ ଫୁଟ୍‌ ଉଚ୍ଚରେ ଉତ୍ତରାଖଣ୍ଡର ଉତୁଙ୍ଗ ହିମାଳୟ କୋଳରେ ରୋଜଗାର, ବନୀକରଣ ଓ ପ୍ରତିପାଳନ ‌ବିଶେଷଜ୍ଞ କନାଇ ଲାଲ୍‌ ୨୦୦୬ ମସିହାରେ ଏ ବିଦ୍ୟାଳୟ ଖୋଲିଥିଲେ। ନୈନତାଲ ଜିଲ୍ଲାର ସିମ୍ୟାଲ୍‌ଠାରେ ଅବସ୍ଥିତ ଏହି ସ୍କୁଲ୍‌ ସ୍ଥାନୀୟ ଗ୍ରାମୀଣ ପିଲାଙ୍କ ଲାଗି ଉଦ୍ଦିଷ୍ଟ। ଲାଲ୍‌ଙ୍କର ଉଦ୍ଦେଶ୍ୟ ଥିଲା ପିଲାମାନଙ୍କୁ ମାଟିଘରଠାରୁ ଆରମ୍ଭ କରି ମାଇକ୍ରୋଚିପ୍‌ସ୍‌ ପର୍ଯ୍ୟନ୍ତ ସବୁ ବିଷୟରେ ପ୍ରଶିକ୍ଷିତ କରିବା। ଏହି ଆଭିମୁଖ୍ୟକୁ ଆଗେଇ ନେଉଥିବା ସୁମିତ ଅରୋରା କହନ୍ତି, ‘‘ପିଲାଙ୍କ ସ୍ତରକୁ ଚାହିଁ ସେମାନଙ୍କୁ ସୁହାଇବା ଭଳି ଢଙ୍ଗରେ ଆମେ ଶିକ୍ଷାଦାନ କରୁ। ପାଠପଢ଼ା ସହ ନୃତ୍ୟଗୀତ, ଚାଷବାସ ଓ ପରିବେଶ ସୁରକ୍ଷା ଆଦି ଶିକ୍ଷା ଦିଆଯାଏ। ଶିକ୍ଷା ସହ ସାମାଜିକ ଦାୟିତ୍ବବୋଧକୁ ପାଠ୍ୟକ୍ରମରେ ଗୁରୁତ୍ବ ଦିଆଯାଉଛି।’’

ରେଳ ପ୍ଲାଟ୍‌ଫର୍ମରେ ସ୍କୁଲ୍‌
ରେଳବାଇ ପ୍ଲାଟ୍‌ଫର୍ମରେ ଚା ବିକୁଥିବା ଦରିଦ୍ର ତଥା ଛେଉଣ୍ଡ ପିଲାମାନଙ୍କୁ ଶିକ୍ଷିତ କରିବା ଉଦ୍ଦେଶ୍ୟରେ ବିହାରର ପାଟନା ନିକଟରେ ଇନ୍ଦ୍ରଜିତ୍‌ ଖୁରାନା ରେଳ ପ୍ଲାଟ୍‌ଫର୍ମରେ ସ୍କୁଲ୍‌ଟିଏ ଖୋଲିଥିଲେ। ସେ ସ୍କୁଲ୍‌‌ ଖୋଲିବା ପରେ ପରେ ୧୦୦ ସରିକି ପିଲା ନାଁ ଲେଖାଇଥିଲେ ବି ତାଙ୍କର ହୃଦ୍‌ବୋଧ ହେଲା ଯେ, ସେମାନଙ୍କୁ ଖାଲି ପାଠ ପଢ଼ାଇଦେଲେ କଥା ସରିବ ନାହିଁ। ଗରିବ ପରିବାରରୁ ଆସିଥିବାରୁ ଏ ପିଲାମ‌ାନଙ୍କ ପାଇଁ ଛୋଟମୋଟ ରୋଗ ଚିକିତ୍ସା ଭଳି ଅତ୍ୟାବଶ୍ୟକ ନିତିଦିନିଆ ଦକ୍ଷତା ଶିକ୍ଷା ସବୁଠୁ ଗୁରୁତ୍ବପୂର୍ଣ୍ଣ। ହସଖେଳ ମାଧ୍ୟମରେ ସେମାନଙ୍କୁ କାଉନ୍‌ସେଲିଙ୍ଗ୍‌ ବି ଦିଆଯିବା ଜରୁରି। ଧୀରେ ଧୀରେ ‌େସ ଏସବୁ ଚିନ୍ତାଧାରା ସେମାନଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟ ଖସଡ଼ାରେ ଅନ୍ତର୍ଭୁକ୍ତ କଲେ। ସେ ସ୍କୁଲ୍‌ର ଅନ୍ୟତମ ଶିକ୍ଷକ ଅଜିତ କୁମାର କହନ୍ତି, ‘‘ଭବିଷ୍ୟତରେ ମର୍ଯ୍ୟାଦାଜନକ ଜୀବନଯାପନ ନିମନ୍ତେ ମୁଁ ପିଲାମାନଙ୍କୁ ଶିକ୍ଷିତ କରିବାକୁ ଉଦ୍ୟମ ଚଳାଇଛି। କାରଣ, ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଶାଖୋର ହୋଇଥିବାରୁ ଅପରାଧ ଦୁନିଆରେ ସାମିଲ ହେବାର ଆଶଙ୍କା ରହିଛି।’’

ବୀଣା ବାଦିନୀ ସ୍କୁଲ୍‌: ଯେଉଁଠି ପିଲା ଦୁଇ ହାତରେ ଲେଖନ୍ତି
ମଧ୍ୟପ୍ରଦେଶର ବୁଧେଲାରେ ଥିବା ଏ ସ୍କୁଲ୍‌ ବାସ୍ତବିକ୍‌ ଦେଶରେ ଏ ଧରଣର ଏକମାତ୍ର ସ୍କୁଲ୍‌। ଏ ସ୍କୁଲ୍‌ରେ ପଢୁଥିବା ୩୦୦ଯାକ ଶିକ୍ଷାର୍ଥୀ ଏକସମୟରେ ଉଭୟ ହାତରେ ଲେଖିପାରନ୍ତି। ପ୍ରଥମ ଶ୍ରେଣୀରୁ ହିଁ ସେମାନଙ୍କୁ ଉଭୟ ହାତରେ ଲେଖିବା ଶିଖାଯାଏ। ଏ ସ୍କୁଲ୍‌ର ସଂସ୍ଥାପକ ବୀରଙ୍ଗତପ୍ରସାଦ ଶର୍ମା କହନ୍ତି, ‘‘ମୋ ସ୍କୁଲ୍‌ର ଶିକ୍ଷାର୍ଥୀମାନେ ଅନ୍ୟମାନଙ୍କଠାରୁ ଦୁଇଗୁଣ ଅଧିକ ବେଗରେ ଲେଖିପାରନ୍ତି। ସେମାନଙ୍କ ଦକ୍ଷତା ପ୍ରତି ମୁଁ କୃତଜ୍ଞ। ଖାଲି ସେତିକି ନୁହେଁ,  ହିନ୍ଦୀ, ଇଂଗ୍ରାଜୀ, ସଂସ୍କୃତ ଓ ରୋମାନ୍‌ ଆଦି ୬ଟି ଭାଷା ଶିକ୍ଷା ବି ପ୍ରଥମ ଶ୍ରେଣୀରୁ ଆରମ୍ଭ ହୋଇଥାଏ। ଜଣେ ନୂଆ ଶିକ୍ଷାର୍ଥୀକୁ ଶର୍ମା ୧୫ ମିନିଟ୍‌ ଲକ୍ଷ୍ୟ କରିବା ପରେ ତାକୁ ଉଭୟ ହାତରେ ଲେଖିବାକୁ ଉତ୍ସାହିତ କରନ୍ତି। ଏମିତି ଅଳ୍ପ କିଛି ଦିନ ଭିତରେ ପିଲାମାନେ ଉଭୟ ହାତରେ ଲେଖିବା ଶିଖିଯାଆନ୍ତି। ଚମକପ୍ରଦ କଥାଟି ହେଉଛି ଏକସମୟରେ ଶିକ୍ଷାର୍ଥୀମାନେ ଦୁଇଟି ବିଷୟ ବି ଲେଖିପାରନ୍ତି। ଉଦାହରଣ ସ୍ବରୁପ, ସେମାନେ ଡାହାଣ ହାତରେ ଭୂଗୋଳ ଲେଖୁଥିବା ବେଳେ ବାମ ହାତରେ ବିଜ୍ଞାନ ଲେଖିପାରନ୍ତି!

ୟେଲୋ ଟ୍ରେନ୍‌ ସ୍କୁଲ୍‌
ବିଲରେ ବୁଲାବୁଲି କରିବା, ବନ୍ୟଜନ୍ତୁଙ୍କ ବିଷୟରେ ଜାଣିବା, ବାଦ୍ୟଯନ୍ତ୍ର ବଜାଇବା, ବାରଣ୍ଡାରେ ଲାଗିଥିବା ଟାୟାର୍‌ରେ ଦୋଳି ଖେଳିବା ଆଦି କୌଣସି ପ୍ରତିଷ୍ଠାନର ଗ୍ରୀଷ୍ମାବକାଶ କାର୍ଯ୍ୟକଳାପ ନୁହେଁ। ଏ ହେଉଛି ବେଙ୍ଗାଲୁରୁ ଅନ୍ତର୍ଗତ କୋଇମ୍ବାଟୁର୍‌ରେ ଥିବା ୟେଲୋ ଟ୍ରେନ୍‌ ସ୍କୁଲ୍‌ର ନିତିଦିନିଆ ଶିକ୍ଷାଦାନ ପ୍ରଣାଳୀ। ସେଠାରେ ଶିକ୍ଷକମାନେ ପିଲାଙ୍କ ସହିତ ସାଙ୍ଗ ଭଳି କଥାବାର୍ତ୍ତା କରନ୍ତି, ଜୈବିକ ପଦ୍ଧତିରେ ଚାଷ ହେଉଥିବା ବିଲକୁ ବୁଲାଇ ନିଅନ୍ତି ଓ ମାଟିପାତ୍ର ଗଢ଼ା ଶିଖାନ୍ତି। ସେ ସ୍କୁଲ୍‌ ଗୋଟାଏ ଅସରନ୍ତି ଛୁଟି ଭଳି ମନେହୁଏ ଯେଉଁଠି, ଶିକ୍ଷାର୍ଥୀମାନେ ଆଗାମୀ ଦିନରେ ଜୀବନର ବିଭିନ୍ନ ଆବଶ୍ୟକତା ଓ ତା’ର ମୂଲ୍ୟବୋଧ ବିଷୟରେ ଶିକ୍ଷା ଗ୍ରହଣକରନ୍ତି। ବହି ପାଠ ଅପେକ୍ଷା ସେଠାରେ ପିଲାର ବ୍ୟକ୍ତିତ୍ବ ବିକାଶ ଉପରେ ଅଧିକ ଧ୍ୟାନ ଦିଆଯାଏ।

ମୁକ୍ତ ପ୍ରାଙ୍ଗଣରେ ସ୍କୁଲ୍‌
ଏ ସ୍କୁଲ୍‌ରେ ପିଲାମାନେ ଆଦୌ ପାଠ୍ୟପୁସ୍ତକ ପଢ଼ନ୍ତିନାହିଁ। ବରଂ ସେମାନେ ପରସ୍ପର ସହିତ କଥାବାର୍ତ୍ତା କରି, ଆଲୋଚନା କରି ଯାହାକିଛି ଶିଖନ୍ତି। ଇଂରାଜୀ ହେଉ କି, ଗଣିତ ଅଥବା ଅନ୍ୟକୌଣସି ବିଷୟ ହେଉ, ପଜଲ୍‌, ଆପ୍‌ ଓ ଗେମ୍‌ ଜରିଆରେ ପିଲାଙ୍କୁ ଶିକ୍ଷା ଦିଆଯାଏ। ପଶ୍ଚିମବଙ୍ଗରେ ଥିବା ଏ ସ୍କୁଲ୍‌ ହେଉଛି ଅଢ଼େଇଏକର ପରିମିତ ମୁକ୍ତ ପ୍ରାଙ୍ଗଣ। ସେଠାରେ ଅତି ସ୍ବଳ୍ପ ବୟସରୁ ପିଲାମାନେ ‘ଆନିମଲ୍‌ ଫାର୍ମ’, ‘ଗଲିଭର୍‌ ଟ୍ରାଭେଲ୍‌ସ୍‌’ ଓ ‘ମ୍ୟାକ୍‌ବେଥ୍‌’ ପରି ଉତ୍କୃଷ୍ଟ ପୁସ୍ତକ ପଢ଼ନ୍ତି ଓ ଆଲୋଚନା କରନ୍ତି। ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ ଉପରେ ଧ୍ୟାନନିବେଶ କରିବା ଲାଗି ପିଲାମାନଙ୍କୁ ଚଳଚ୍ଚିତ୍ର ମଧ୍ୟ ଦେଖାଯାଏ। ଏ ବିଦ୍ୟାଳୟର ସଂସ୍ଥାପକ ଅର୍ଘ୍ୟ ବାନାର୍ଜୀ କହନ୍ତି, ‘‘ଆମର ଉଦ୍ଦେଶ୍ୟ ହେଉଛି ଗୁରୁତ୍ବପୂର୍ଣ୍ଣ ସୂଚନାବଳି ଆଣି ସେଗୁଡ଼ିକୁ ସୁନ୍ଦର ଭାବରେ ପରିବେଷଣ କରିବା। ସ୍କୁଲ୍‌ର ପିଲାଏ ବିଭିନ୍ନ ପରିବେଶରୁ ଆସନ୍ତି- ପ୍ରକୃତରେ ଅନେକ ପିଲା ଇଂରାଜୀ କୁହାଯାଉ ନ ଥିବା ପରିବାରରୁ ଆସନ୍ତି। ତଥାପି ସେମାନେ ‘ଆନିମଲ୍‌ ଫାର୍ମ’ ଓ ‘ମ୍ୟାକ୍‌ବେଥ୍‌’ ଆଦି ପୁସ୍ତକର ମୁଖ୍ୟ ପ୍ରସଙ୍ଗ ଆଲୋଚନା କରନ୍ତି।’’