ସାରା ବ୍ରିଡ୍‌ଲୋଭ୍‌ ହେଉଛନ୍ତି ପ୍ରଥମ ମହିଳା ଯିଏକି ଉତ୍ତରାଧିକାର ସୂତ୍ରରେ କୌଣସି ସମ୍ପତ୍ତିର ଅଧିକାରିଣୀ ନ ହୋଇ ମଧ୍ୟ ନିଜର ଶ୍ରମ ଓ ଦୂରଦୃଷ୍ଟି ବଳରେ କୋଟିପତି ହେବାର ଗୌରବ ଅର୍ଜନ କରି ଗିନିଜ୍‌ ବୁକ୍‌ ରେକର୍ଡରେ ନିଜର ନାମ ପଞ୍ଜୀକରଣ କରାଇବାରେ ସକ୍ଷମ ହୋଇଥିଲେ। ଦକ୍ଷିଣ ଆମେରିକାର ଲୁଇସିନିଆ ସହରରେ ୧୮୬୭ ମସିହାରେ ସାରା ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାମାତା, ବଡ଼ଭାଇ ଓ ଭଉଣୀମାନେ କପା ବଗିଚାରେ ଶ୍ରମିକ ଭାବେ କାମ କରୁଥିଲେ। ସାରା ୭ବର୍ଷ ବୟସରେ ପିତାମାତାଙ୍କୁ ହରାଇ ନିଜ ବଡ଼ଭଉଣୀ ଓ ଭିଣୋଇଙ୍କ ପାଖରେ ରହିବାକୁ ଲାଗିଲେ। ୭ବର୍ଷ ବୟସରେ ଅନ୍ୟମାନଙ୍କ ଘରେ ପରିଚାରିକା କାମ କରିବାକୁ ସେ ବାଧ୍ୟ ହୋଇଥିଲେ। ତେଣୁ ପାଠ ପଢ଼ିବାର ସୁଯୋଗ ମଧ୍ୟ ପାଇନଥିଲେ। ମାତ୍ର ୩ମାସ ପାଇଁ ସେ ରବିବାର ଦିନ ଶିଶୁ ଶ୍ରମିକଙ୍କ ପାଇଁ ଖୋଲାଯାଇଥିବା ସ୍କୁଲରେ ପାଠ ପଢ଼ିଥିଲେ ବୋଲି ପରବର୍ତ୍ତୀ କାଳରେ ସେ ଜଣାଇଥିଲେ।

Advertisment

ବଡ଼ ଭିଣୋଇଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ରକ୍ଷା କରିବାକୁ ମାତ୍ର ୧୪ ବର୍ଷରେ ସେ ମୋସେସ୍ ମ୍ୟାକ୍ ଉଇଲିୟମସ୍‌ଙ୍କୁ ବିବାହ କଲେ। ବିବାହର ୪ବର୍ଷ ପରେ କନ୍ୟା ଆଲେଲ୍ୟୁୟାର୍‌ ଜନ୍ମ ହୁଏ। ଝିଅ ଜନ୍ମ ହେବାର ୨ବର୍ଷ ପରେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୁଏ। ମାତ୍ର ୨୦ ବର୍ଷ ବୟସରେ ବିଧବା ସାରା ଝିଅକୁ ନେଇ ବଞ୍ଚିବା ପାଇଁ ସଂଗ୍ରାମ ଆରମ୍ଭ କରନ୍ତି। ୧୮୮୮ ମସିହାରେ ସାରା ସେଣ୍ଟ୍‌ ଲୁଇସ୍‌କୁ ଚାଲିଆସନ୍ତି। ସେଠାରେ ସେ ଲଣ୍ଡ୍ରିରେ ଶ୍ରମିକ ଭାବେ କାମ କରିବା ସହ ଝିଅକୁ ପଢ଼ାଇବା ପାଇଁ ଅନ୍ୟମାନଙ୍କ ଘରେ ରୋଷେଇ କରୁଥିଲେ। ଲଣ୍ଡ୍ରିରେ କାମ କରିବା ବେଳେ କ୍ରମାଗତ କେମିକାଲ୍‌ ସଂସ୍ପର୍ଶରେ ଆସି ରୁଗ୍‌ଣ ହୋଇପଡ଼ିବା ସହ ସେ ମୁଣ୍ଡର ସବୁତକ କେଶ ହରାଇଥିଲେ। କେଶର ଯତ୍ନ ନେବାପାଇଁ ସେ ଏନି ମେଲନ୍‌ ହେୟାର୍‌ ପ୍ରଡକ୍ଟ ସମ୍ପର୍କରେ ଜାଣିବାକୁ ପାଇଲେ ଏବଂ ଏନି ମେଲନ୍‌ଙ୍କୁ ସାକ୍ଷାତ କରି ଘର ଘର ବୁଲି ତାଙ୍କ ଜିନିଷ ବିକ୍ରି କରିବାକୁ ଲାଗିଲେ।
ସାରାଙ୍କୁ ଯେତେବେଳେ ୩୭ ବର୍ଷ, ଝିଅକୁ ସାଥିରେ ନେଇ ସେ ଡେନ୍‌ଭର୍‌ ସହରକୁ ଚାଲି ଆସିଲେ। ସେଠାରେ ସେ ଆଫ୍ରିକାନ୍‌-ଆମେରିକାନ୍‌ ମହିଳାଙ୍କ ଲାଗିି ନିଜେ ପ୍ରସାଧନ ସାମଗ୍ରୀ ତିଆରି କରି ବିକ୍ରି କରିବାକୁ ଚାହିଁଲେ। ବହୁ ପରୀକ୍ଷାନିରୀକ୍ଷା ପରେ ସେ ନିଜର ପ୍ରସାଧନ ସାମଗ୍ରୀ ବ୍ୟବସାୟ ଆରମ୍ଭ କଲେ। ୧୯୦୬ ମସିହାରେ ସାରା ଚାର୍ଲସ୍‌ ଜେ. ୱାକର୍‌ଙ୍କୁ ବିବାହ କଲେ ଏବଂ ତାଙ୍କ ପଦ ଗ୍ରହଣ କରି ବିଖ୍ୟାତ ହେଲେ। ଚାର୍ଲସ୍‌ ଥିଲେ ତାଙ୍କ ବ୍ୟବସାୟର ଅଂଶୀଦାର ଓ ବିଜ୍ଞାପନ ବିଭାଗର ମୁଖ୍ୟ। ଝିଅ ଗ୍ରାଜୁଏଟ୍‌ ହେବାପରେ ସାରା, ତାଙ୍କ ସ୍ବାମୀ ଓ ଝିଅ ମିଶି ଦକ୍ଷିଣ ଓ ପୂର୍ବ ଆମେରିକା ବୁଲି ବୁଲି ନିଜର ସାମଗ୍ରୀ ବିକ୍ରି କଲେ।

ଦୁଇବର୍ଷ ପରେ ସେମାନେ ପିଟର୍ସବର୍ଗକୁ ଯାଇ ସେଠାରେ ଏକ ବ୍ୟୁଟି ପାର୍ଲର୍ ଖୋଲିବା ସହ କେଶର ଯତ୍ନ ନେବା ପାଇଁ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କଲେ। ସାରାଙ୍କ ଉତ୍ପାଦିତ ପ୍ରସାଧନ ସାମଗ୍ରୀ ଓ କେଶ ପରିଚର୍ଯ୍ୟା ସାମଗ୍ରୀର ବିକ୍ରି ବଢ଼ିବାକୁ ଲାଗିଲା। ୧୯୧୦ ମସିହାରେ ସେମାନେ ଇଣ୍ଡିଆନାପଲିସ୍‌କୁ ଯାଇ ସେଠାରେ ମାଡାମ୍‌ ସି. ଜେ. ୱାକର୍‌ ନାମରେ ଗୋଟିଏ ଫ୍ୟାକ୍ଟ୍ରି ଓ ପରୀକ୍ଷାଗାର ସହିତ ଗୋଟିଏ ରୂପ ପରିଚର୍ଯ୍ୟା ସ୍କୁଲ ଖୋଲି ରୂପଚର୍ଯ୍ୟା ପ୍ରଶିକ୍ଷଣ ଦେବାକୁ ଲାଗିଲେ। ୧୯୧୭ ମସିହା ବେଳକୁ ତାଙ୍କ କମ୍ପାନି ପ୍ରାୟ ୨୦,୦୦୦ ମହିଳାଙ୍କୁ ନିଯୁକ୍ତି ଦେବାରେ ସକ୍ଷମ ହୋଇଥିଲା। ତାଙ୍କ କମ୍ପାନିରେ କାମ କରୁଥିବା ଏଜେଣ୍ଟ୍‌ମାନେ ଦିନକୁ ୧୫ ଡଲାର ପର୍ଯ୍ୟନ୍ତ ଆୟ କରି ପାରୁଥିଲେ। ବ୍ୟବସାୟରେ ସଫଳ ହେବାପରେ ସେ ଆଫ୍ରିକାନ୍‌-ଆମେରିକାନ୍‌ ମହିଳାମାନଙ୍କୁ ଆର୍ଥିକ ଭାବରେ ସ୍ବାଧୀନ ତଥା ଉପାର୍ଜନକ୍ଷମ ହେବା ପାଇଁ ପ୍ରବର୍ତ୍ତାଉଥିଲେ।
ମୃତ୍ୟୁ ପୂର୍ବରୁ ସେ ତାଙ୍କ ଉଇଲ୍‌ରେ ଲେଖି ଯାଇଥିଲେ ଯେ, ଭବିଷ୍ୟତରେ ତାଙ୍କ କମ୍ପାନିର ଦୁଇ-ତୃତୀୟାଂଶ ଲାଭ ସମାଜସେବାରେ ବିଶେଷତଃ ଦୁଃସ୍ଥ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ନିୟୋଜିତ ହେବ। ୫୧ବର୍ଷ ବୟସରେ ତାଙ୍କର ଯେତେବେଳେ ମୃତ୍ୟୁ ଘଟିଲା ସେତେବେଳେ ସେ ଆଫ୍ରିକାନ୍‌-ଆମେରିକାନ୍‌ ମହିଳାମାନଙ୍କ ମଧ୍ୟରେ ସବୁଠାରୁ ବିତ୍ତଶାଳୀ ମହିଳା ଭାବରେ ପରିଚିତ ହୋଇ ସାରିଥିଲେ।
ଉପସ୍ଥାପନା: ପ୍ରଦୀପ ରାୟ