କରୋନା ସତର୍କତା ସ୍ୱରୂପ ଆହାର କେନ୍ଦ୍ରର ସମୟ ବଢ଼ିଲା

ଭୁବନେଶ୍ବର : କରୋନା ସତର୍କତା ସ୍ବରୂପ ଆହାର କେନ୍ଦ୍ରଗୁଡ଼ିକର ସମୟକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି। ପ୍ରତି ଦିନ ଏହା ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ। ଆହାର କେନ୍ଦ୍ରରେ ଭିଡ଼ କମାଇବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍‌ ଏହି ମର୍ମରେ ସମସ୍ତ ପୌର ପ୍ରଶାସକଙ୍କୁ ପତ୍ର ଲେଖିଛନ୍ତି। ବିଭାଗ ପକ୍ଷରୁ କୁହାଯାଇଛି ଯେ ଆହାର କେନ୍ଦ୍ରର ଅବଧି ବୃଦ୍ଧି ସହିତ ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରେ ଅତି କମ୍‌ରେ ଦେଢ଼ ମିଟର ଦୂରତା ରକ୍ଷା କରାଯିବ। ସେହିପରି ଲୋକେ ଯେପରି ଧାଡ଼ିରେ ଆସି ଶୃଙ୍ଖଳାର ସହ ଆହାର ଖାଇବେ, ସେଥି ପାଇଁ ଆବଶ୍ୟକ ପଡ଼ିଲେ ପୁଲିସ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି। ଆହାର କେନ୍ଦ୍ରଗୁଡ଼ିକରେ ପ୍ରବେଶ ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତି ଯେଭଳି ସାବୁନ୍‌ରେ ନିଜ ନିଜ ହାତକୁ ପରିଷ୍କାର ଭାବେ ଧୋଇବେ, ତାହାର ବ୍ୟବସ୍ଥା କରାଯିବ। ଖାଇବା ପୂର୍ବରୁ ଲୋକେ ସାବୁନରେ ହାତ ଧୋଇବା ପରେ ଆହାର କେନ୍ଦ୍ରରେ ପ୍ରବେଶ କରିବେ ଏବଂ ଖାଇ ସାରି କେନ୍ଦ୍ର ପରିସରରେ ଥିବା ସ୍ଥାନରେ ହାତ ଧୋଇବେ। ଅ‌ାହାର କେନ୍ଦ୍ର ଭିତରେ ଯେପରି ଭିଡ଼ ନ ହେବ, ସେଥି ପାଇଁ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବେ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ନେଇ ବାହାରେ ଖାଇବାକୁ ପରାମର୍ଶ ଦେବେ। ‌ଆହାର ପାଇଁ ଲୋକେ ହାତକୁ ପଇସା ଦେବା ବଦଳରେ ସେଠାରେ ଉଦ୍ଦିଷ୍ଟ ଥିବା ବାକ୍ସରେ ପକାଇବେ। ସେହିପରି ଆହାର କେନ୍ଦ୍ର ସମ୍ମୁଖରେ ଥିବା କାଉଣ୍ଟର୍‌କୁ ନିୟମିତ ଭାବେ ସାନିଟାଇଜ୍‌ କରାଯିବ। ଆହାର କେନ୍ଦ୍ର ବାହାରେ ପାନୀୟ ଜଳ ବ୍ୟବସ୍ଥା କରାଯିବ। ଅସ୍ଥାୟୀ ଭାବେ ସାମଗ୍ରୀ ସବୁ ଭଡ଼ାରେ ଆଣିବାକୁ କୁହାଯାଇଛି। ଏଥି ସହିତ ଆହାର କେନ୍ଦ୍ରର କର୍ମଚାରୀମାନେ ଯେପରି ପରିଷ୍କାର ପରିଚ୍ଛନ୍ନ ରହିବେ, ତାହା ଉପରେ ଗୁରୁତ୍ବ ଦେବାକୁ ସରକାର କହିଛନ୍ତି।

କରୋନା ବିରୋଧରେ ଲଢ଼େଇ ପାଇଁ ରେଳ କର୍ମଚାରୀଙ୍କୁ ଆହ୍ବାନ
ଭୁବନେଶ୍ବର : ଦେଶରେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ତାହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପ୍ର‌ତି‌ଷେଧକ ବ୍ୟବସ୍ଥା କରାଯାଉଥିବା ବେଳେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଏହାର କର୍ମଚାରୀଙ୍କ ମ ନୋବଳ ବୃଦ୍ଧି କରାଯାଇଛି। ସାରା ବିଶ୍ବ ଓ ଦେଶରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବା କରୋନା ଭୂତାଣୁ ମୁକା‌ବିଲା ଦିଗରେ ସମସ୍ତ କର୍ମଚାରୀ ମିଳିତ ଭାବେ ଲଢ଼େଇ କରିବାକୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ଆହ୍ବାନ ଦେଇଛନ୍ତି। ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ରେଳ କର୍ମଚାରୀଙ୍କ ସହାୟତରେ ଭାରତ ଆଜି କରୋନା ବିରୋଧରେ ଲଢ଼େଇ ଜାରି ରଖିଛି। ‌ତେଣୁ ପ୍ରତ୍ୟେକ ରେଳ କର୍ମଚାରୀ ନିଜର କର୍ତବ୍ୟ କରିବା ଦରକାର। ନିଜେ ସୁସ୍ଥ ରହିବା ସହ ପ୍ରତି ପରିବାର, ଯାତ୍ରୀ ଓ ସମାଜର ପ୍ରତିଟି ସଦସ୍ୟଙ୍କୁ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଭାଗର ନିର୍ଦେଶାବଳୀ ଓ ଡାକ୍ତରମାନଙ୍କ ଉପଦେଶକୁ ପାଳନ କରି କୋଭିଡ-୧୯ ବ୍ୟାପିବାକୁ ‌ରୋକାଯାଇପାରିବ। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ନ କରି କରୋନା ବିରୋଧରେ ବିଜୟୀ ହେବାକୁ ସେ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର