ଆହା’ରେ ଆହାର

୨୦୧୫ ମସିହା ଏପ୍ରିଲ୍‌ ୧ ତାରିଖଠାରୁ ଗରିବ ଲୋକମାନଙ୍କୁ ୫ ଟଙ୍କାରେ ଖାଦ୍ୟ ଯୋଗାଇବା ଲକ୍ଷ୍ୟରେ ରାଜ୍ୟର ବିଭିନ୍ନ ସହରରେ ‘ଆହାର ଯୋଜନା’ କାର୍ଯ୍ୟକାରୀ କରାଯାଉଛି। ସହରର ବିଭିନ୍ନ ସ୍ଥାନରେ ଏକାଧିକ କେନ୍ଦ୍ର ବି ଖୋଲାଯାଇଛି। ମାତ୍ର, ଏହିସବୁ କେନ୍ଦ୍ରଗୁଡ଼ିକ କିଭଳି ଚାଲିଛି, ପରିବେଷଣ କରାଯାଉଥିବା ଖାଦ୍ୟର ମାନ କିଭଳି ଏବଂ ଲୋକମାନେ ଏଥିରୁ କିଭଳି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ କେତେକ କେନ୍ଦ୍ରରୁ ‘ଗ୍ରାଉଣ୍ଡଜିରୋ’ ତଥ୍ୟ ସଂଗ୍ରହ କରିଥିଲା ‘ସମ୍ବାଦ’।

କୁଲର୍‌ ଥଣ୍ଡାରେ ଆହାର, ବାର ଦେଖି ଭିଡ଼

ଫୁଲବାଣୀ : ୫ ଟଙ୍କାରେ ପେଟେ ଭାତ। ଏୟାର କୁଲରର ଥଣ୍ଡା ପବନରେ ବସି ଖାଇବା ମିଳୁଛି ଆହାର । ଜିଲ୍ଲାର ପ୍ରତି ଆହାର କେନ୍ଦ୍ରରେ ଦୈନିକ ୫୦୦ ଲୋକ ଖାଉଛନ୍ତି। ଏମିତି ୩ଟି କେନ୍ଦ୍ରରେ ଦୈନିକ ୧ହଜାର ୫୦୦ ଲୋକ ଆହାର କେନ୍ଦ୍ରରେ ମିଲ ପିଛା ୫ଟଙ୍କା ଦେଇ ଖାଉଛନ୍ତି। ରବିବାର ବ୍ୟତୀତ ସବୁ ଦିନେ ସକାଳ ୧୧ଟାରୁ କେନ୍ଦ୍ର ଖୋଲୁଛି। ହେଲେ ବାର ଦେଖି ଗ୍ରାହକଙ୍କ ଭିଡ଼ ଜମୁଛି । ନିରାମିଷ ବାରିରେ ଦିନ ୧ଟା ସୁଦ୍ଧା ଖାଦ୍ୟ ଶେଷ ହୋଇ ଯାଉଛି। ଅନ୍ୟ ବାରରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲୁଛି।

କନ୍ଧମାଳ ଜିଲ୍ଲାରେ ୩ଟି ଆହାର କେନ୍ଦ୍ର ରହିଛି। ଜିଲ୍ଲା ସଦର ମହକୁମା ଫୁଲବାଣୀରେ ୨ଟି ଓ ବାଲିଗୁଡାରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି। ଫୁଲବାଣୀ ବସଷ୍ଟାଣ୍ଡରେ ଗୋଟିଏ ଆହାର କେନ୍ଦ୍ର ଚାଲିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୋଟିଏ ଓ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି। ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ଲମ୍ବା ଲାଇନ ଲାଗିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ସଂଖ୍ୟା କମ୍‌ ଥିଲା। ଖାଦ୍ୟ କେମିତି ହୋଇଛି ବୋଲି ପ୍ରଶ୍ନରେ କେତେ ଜଣ ଡାଲମାରେ ପାଣି ଅଧିକ ଓ ଫଳ କମ୍‌ ଅଛି ବୋଲି କହିଥିଲେ। ବଜାରରେ ସାଧା ମିଲକୁ ୪୦ ଟଙ୍କା। ଆଉ ମାତ୍ର ୫ ଟଙ୍କାରେ ଭାତ ଓ ଡାଲମା। ଏହା ସାଙ୍ଗକୁ ଆଚାର। ଏହା ଚଳିବ ବୋଲି କେତେ ଜଣ କହିଥିଲେ।

ସେହିଭଳି ବାଲିଗୁଡା ଉପଖଣ୍ଡ ଡାକ୍ତରଖାନା ଆହାର କେନ୍ଦ୍ର ଠିକଠାକ୍‌ ଚାଲିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବାଲଗୁଡା ବସଷ୍ଟାଣ୍ଡରେ ଆଉ ଏକ ଆହାର କେନ୍ଦ୍ର ଖୋଲିଲେ ଲୋକମାନେ ଉପକୃତ ହୁଅନ୍ତେ। କନ୍ଧମାଳ ଜିଲ୍ଲାରେ ଚାଲିଥିବା ୩ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱରେ ଅଛି ମା ମଂଗଳା ସ୍ୱୟଂସହାୟକ ଗୋଷ୍ଠୀ। ଫୁଲବାଣୀ ବସଷ୍ଟାଣ୍ଡ ଆହାର କେନ୍ଦ୍ର ନିକଟରେ ରୋଷେଇ ଘର ରହିଛି। ଏଠାରେ ଖାଦ୍ୟ ରୋଷେଇ ପରେ ସବୁ କେନ୍ଦ୍ରକୁ ଯୋଗାଣ କରାଯାଉଛି। ସବୁଠାରୁ ବଡ କଥା ହେଲା କନ୍ଧମାଳରେ ୩ଟି କେନ୍ଦ୍ରରେ ଏୟାର କୁଲର ବ୍ୟବସ୍ଥା ରହିଛି। ଫୁଲବାଣୀ ବସଷ୍ଟାଣ୍ଡ ଆହାର କେନ୍ଦ୍ରରେ ୨ଟି କୁଇଲର ଲାଗିଥିବା ବେଳେ ଅନ୍ୟ ଦୁଇ କେନ୍ଦ୍ରରେ ଗୋଟିଏ ଲେଖାଏଁ ଏୟାର କୁଲର ଲାଗିଛି। ଖରା ଦିନେ ଲୋକମାନେ କେନ୍ଦ୍ରରେ ବସି ଆରାମରେ ମାତ୍ର ୫ ଟଙ୍କା ଦେଇ ଆହାର କରୁଛନ୍ତି। ଜିଲ୍ଲାରେ ୩ ଆହାର କେନ୍ଦ୍ର ଭଲ ଭାବେ ଚାଲିଛି। ଲୋକମାନେ ଯେଭଳି ଆରାମରେ ଖାଇବେ ସେଥି ନିମନ୍ତେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଆଉ ଡାଲମାରେ ପାଣି ଅଧିକ ପରିବା କମ ନେଇ ଏମିତି ତାଙ୍କ ନଜରକୁ ଆସି ନାହିଁ। ଏ ନେଇ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ଆହାର ଜିଲ୍ଲା ନୋଡାଲ ଅଫିସର ରାଧାମୋହନ ବେହେରା କହିଛନ୍ତି।

କେନ୍ଦୁଝରରେ ଆହାର ଯୋଜନା କେମିତି? : ମାନକୁ ନେଇ ଅସନ୍ତୋଷ

କେନ୍ଦୁଝର : ସରକାରଙ୍କ ବହୁଳ ପ୍ରଚାରିତ ‘ଆହାର’ ଯୋଜନା କେବଳ ସରକାରଙ୍କ ଅର୍ଥରେ ଚାଲୁ ନାହିଁ। କେନ୍ଦୁଝର ଜିଲ୍ଲାର ବିଭିନ୍ନ କମ୍ପାନି ପ୍ରଦତ୍ତ ଅର୍ଥରେ ଭାତ ଡାଲି ଯୋଜନା ଚାଲିଥିବା ଜାଣିବାକୁ ମିଳିଛି। ତେବେ ଏଠାରେ ଦିଆଯାଉଥିବା ଭାତ ଡାଲିର ମାନକୁ ନେଇ ଅଧିକାଂଶ ଉପଭୋକ୍ତା ଅସନ୍ତୋଷ ପ୍ରକାଶ କରୁଥିଲେ ବି ପ୍ରତିବାଦ କରିବାର ବାଟ ନାହିଁ।

କେନ୍ଦୁଝର ଜିଲ୍ଲାରେ ୨୦୧୬ ମସିହାରେ ଆରମ୍ଭ ହୋଇଛି ଆହାର ଯୋଜନା। କେନ୍ଦୁଝର ସହରରେ ଥିବା ମୁଖ୍ୟ ଚିକିତ୍ସାଳୟ, ଯୋଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଶାସ୍ତ୍ରୀନଗର ସମେତ ବଡ଼ବିଲ ଏବଂ ଆନନ୍ଦପୁରରଠାରେ ଆହାର କେନ୍ଦ୍ର ରହିଛି। କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଥିବା ଆହାର କେନ୍ଦ୍ର ୨୦୧୬ ମସିହା ଏପ୍ରିଲ୍‌ ମାସ ୭ ତାରିଖରେ ଆରମ୍ଭ ହୋଇଥିବା ବେଳେ ଯୋଡ଼ାରେ ଥିବା ଦୁଇଟି ଆହାର କେନ୍ଦ୍ର ଓ ବଡ଼ବିଲଠାରେ ଥିବା ଆହାର କେନ୍ଦ୍ର ୨୦୧୬ ମସିହା ଏପ୍ରିଲ୍‌ ୧୬ ତାରିଖରେ ଏବଂ ଆନନ୍ଦପୁରଠାରେ ଥିବା ଆହାର କେନ୍ଦ୍ର ୨୦୧୬ ମସିହା ଜୁନ୍‌ ୨୯ ତାରିଖରେ ଆରମ୍ଭ ହୋଇଥିଲା।

କେନ୍ଦୁଝର ଆହାର କେନ୍ଦ୍ରରେ ୫ଶହ ଜଣଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ହୋଇଥିବା ବେଳେ ଯୋଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରରେ ୪ ଶହ, ଯୋଡ଼ା ଶାସ୍ତ୍ରୀ ନଗରରେ ୩ ଶହ, ବଡ଼ବିଲଠାରେ ୪୫୦, ଆନନ୍ଦପୁରଠାରେ ୩ ଶହ ମିଲ୍‌ ବ୍ୟବସ୍ଥା ରହିଛି। ଯୋଡ଼ା, ବଡ଼ବିଲ ଏବଂ କେନ୍ଦୁଝରଠାରେ ଥିବା ମୋଟ ୪ଟି ଆହାର କେନ୍ଦ୍ର ପାଇଁ ପରିଚାଳନା ଦାୟିତ୍ୱରେ ଥିବା ମାନା ଟ୍ରଷ୍ଟକୁ ମାସିକ ୬,୪୩ ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥାଏ। ସେହିପରି ଆନନ୍ଦପୁର ଆହାର କେନ୍ଦ୍ର ଚଳାଉଥିବା ନିବସ୍‌ ଅନୁଷ୍ଠାନକୁ ମାସିକ ୧,୯୭, ୫୦୦ ଟଙ୍କା ଆର୍ଥିକ ସହାୟତା ଦିଆଯାଇଥାଏ। ଏହା ବ୍ୟତୀତ ଜିଲ୍ଲା ଆହାର ସୋସାଇଟି ପକ୍ଷରୁ ଏହି ଆହାର କେନ୍ଦ୍ର ପାଇଁ ଆବଶ୍ୟକ ସମସ୍ତ ଉପକରଣ ଏବଂ ଭିତ୍ତିଭୂମି ଯୋଗାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଏହି ଆହାର କେନ୍ଦ୍ର ପାଇଁ କେନ୍ଦୁଝର ଜିଲ୍ଲାର ବିଭିନ୍ନ କମ୍ପାନି ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଆହାର କେନ୍ଦ୍ର ପାଇଁ ରୁଙ୍ଗ୍‌ଟା ମାଇନ୍ସ୍‌ ୧୦ ଲକ୍ଷ ଟଙ୍କା ଯୋଗାଇ ଥିବା ବେଳେ ମିଡ୍‌ ଇଷ୍ଟ ଇଣ୍ଟିଗ୍ରେଟେଡ୍‌ ଷ୍ଟିଲ୍‌ ୫ ଲକ୍ଷ, ଓଏମ୍‌ସି ୧୦ ଲକ୍ଷ, ଓଏମ୍‌ସି ଶୁଆକାଟି ୧୦ ଲକ୍ଷ, ଓଏମ୍‌ସି ଦୈତାରୀ ୧୦ ଲକ୍ଷ, ଏସାର୍‌ ଷ୍ଟିଲ୍‌ ଦେଢ଼ ଲକ୍ଷ ଏବଂ ଏସେଲ୍‌ ମାଇନିଂ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦେଇଛି। ସେହିପରି ରାଜ୍ୟ ଆହାର ସୋସାଇଟିରୁ ୧ କୋଟି ୪୬ ଲକ୍ଷ ୨୫ ହଜାର ଟଙ୍କାର ସହାୟତା ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୩ କୋଟି ୯୩ ଲକ୍ଷ ୮୦ ହଜାର ଟଙ୍କାର ସହାୟତା ମିଳିଛି।

ତେବେ କଥା ଉଠୁଛି, ଅନେକ ସମୟରେ କେନ୍ଦୁଝର ଜିଲ୍ଲାରେ କାମ କରୁଥିବା ବିଭିନ୍ନ କମ୍ପାନି ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଭିତ୍ତିଭୂମି ବିକାଶ ପାଇଁ ସିଏସ୍‌ଆର ପାଣ୍ଠିରୁ ଅର୍ଥ ଖର୍ଚ କରିବାକୁ କୁଣ୍ଠିତ ହେଉଥିବା ବେଳେ ସରକାରଙ୍କ ଏହି ଆହାର ଯୋଜନାର ‘ ଭାତ ଡାଲି’ ପାଇଁ ହାତ ଖୋଲି ଦେବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର