ନୂଆଦିଲ୍ଲୀ: ରାତି ପାହିଲେ ଦିଲ୍ଲୀରେ ପଡିବ ଭୋଟ୍ । ଆସନ୍ତାକାଲି ଇଭିଏମରେ ସିଲ୍ ହେବ ନେତାଙ୍କ ଭାଗ୍ୟ । ଲୋକଙ୍କ ଭୋଟ୍ ହିଁ କାଲି ନିର୍ଦ୍ଧାରଣ କରିବ ଦିଲ୍ଲୀରେ କିଏ ଗଢିବ ସରକାର । ଖଣ୍ଡିଏ ଭୋଟ୍ ଗୋଟେ ଗୋଟେ ଦଳକୁ ସରକାର କରିବାରେ ସାହାଯ୍ୟ କରିପାରେ, ଖଣ୍ଡିଏ ଭୋଟ୍ ପାଇଁ ବି ସରକାର ଗଢିବାର ସ୍ବପ୍ନ ହୁଏତ କାହା ପାଇଁ ଭାଙ୍ଗିଯାଇପାରେ । ଆସନ୍ତାକାଲି ଭୋଟ୍ ଥିବାରୁ ଗତକାଲି ସରିଛି ପ୍ରଚାର । ଆଉ ନିଜ ନିଜ ଦଳର ପ୍ରସ୍ତୁତି ଏବଂ ଲୋକଙ୍କ ଗ୍ରହଣୀୟତାକୁ ଆଖିରେ ରଖି ଦିଲ୍ଲୀ ଦଖଲର ଆକଳନ ବି କରୁଛନ୍ତି ଭିନ୍ନ ଭିନ୍ନ ଦଳ । ଆଉ ସେହି ପ୍ରଚାର ବେଳେ ହିଁ ଦିଲ୍ଲୀ ଦଖଲର ଇସାରା ଆଉ ଦୃଢୋକ୍ତି ପ୍ରକାଶ କରିଛନ୍ତି କେଜ୍ରିୱାଲ୍ ।
ଗତକାଲି ଆପ୍ ସଂଯୋଜକ ଅରବିନ୍ଦ କେଜ୍ରିଓ୍ୱାଲ ତାଙ୍କ ଦଳ ଏଥର ଦିଲ୍ଲୀରେ ୫୫ରୁ ଅଧିକ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏନେଇ ଏବେ ଆରମ୍ଭ ହୋଇଛି ରାଜନୀତି । କୁହାଯାଏ, ଦିଲ୍ଲୀରେ ସରକାର ବିରୋଧୀ ହାଓ୍ୱାକୁ ଖୁବ୍ ଭଲରେ ପଢିପାରନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ଯେଉଁ କାରଣରୁ ଏଥର ନିର୍ବାଚନରେ ତାଙ୍କର ସିଟ୍ ସଂଖ୍ୟା ପୂର୍ବ ନିର୍ବାଚନ ଅପେକ୍ଷା କମିବ ବୋଲି ସେ ଖୁଲମ୍ ଖୁଲା କହୁଛନ୍ତି । ଗତ ଦୁଇଟି ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନ ଜିତି ସରକାର ଗଢିଥିଲେ ବି, ଏଥର ଏହି ସଂଖ୍ୟା ୫୫ରେ ରହିବ ବୋଲି କେଜ୍ରିଓ୍ୱାଲ କହିଛନ୍ତି ।
୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପକୁ ୬୨ ଆସନ ମିଳିଥିଲା, ଆଉ ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ହେଲେ ଏଥର କିନ୍ତୁ ଏହି ସଂଖ୍ୟା ୫୫ ହେବ ବୋଲି ନିଜେ କହିଛନ୍ତି କେଜ୍ରିଓ୍ୱାଲ, ଖାଲି ସେତିକି ନୁହେଁ ଦିଲ୍ଲୀର ମାଆ ଭଉଣୀ ଚାହିଁଲେ ଏହି ସଂଖ୍ୟା ୬୦ ଛୁଇଁବ ବୋଲି ମଧ୍ୟ ସେ କହିଛନ୍ତି । ହେଲେ ଏହି ସଂଖ୍ୟା ଯେ, ତାଙ୍କ ପୂର୍ବ ସଂଖ୍ୟାଠୁ କମ୍, ତା ମଧ୍ୟ ସୂଚେଇ ଦେଇଛନ୍ତି କେଜ୍ରିଓ୍ୱାଲ । ଏହା ପୂର୍ବରୁ ମଧ୍ୟ ଏକ ନିର୍ବାଚନୀ ରାଲିରେ କେଜ୍ରିଓ୍ୱାଲ କହିଥିଲେ, ଆଜି କାଲି ଅନେକ ଲୋକ କହୁଛନ୍ତି ଯେ, ଆମ୍ ଆଦମୀ ପାର୍ଟିର ସରକାର ତ ହେବ, ହେଲେ ପୂର୍ବ ଅପେକ୍ଷା ସିଟ୍ କମ୍ ହେବ । କିଛି ଲୋକ ଆମ୍ ଆଦମୀ ପାର୍ଟି ୪୫ରୁ ୫୦ ସିଟ୍ ଜିତିବ ବୋଲି ଭବିଷ୍ୟବାଣୀ କରୁଥିବା କହିଥିଲେ କେଜ୍ରିଓ୍ୱାଲ ।
ତେବେ ବିଜେପି ଏଥର ଦିଲ୍ଲୀରେ ସତ୍ତାକୁ ଫେରିବାକୁ ନିଜର କଳ ବଳ କୌଶଳ ଲଗାଇ ଦେଇଛି । ଏମିତି କି, ଆପର କିଛି ବିଧାୟକ ମଧ୍ୟ ଦଳରୁ ଇସ୍ତଫା ଦେଇ ପଦ୍ମ ଧରିଛନ୍ତି । ତେଣୁ ଏଥର ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେପି ଚାଣକ୍ୟ ଅମିତ ଶାହା ଯାହାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରି ପ୍ରଚାରରେ ଲଗେଇଛି ଦଳ । ରୋଡ୍ ସୋ’ଠୁ ଆରମ୍ଭ କରି, ନିର୍ବାଚନୀ ରାଲି ମଧ୍ୟ କରିଛନ୍ତି ବିଜେପିର ତମାମ ନେତୃବୃନ୍ଦ ।
ଭୋଟ୍ ପଡିବା ପୂର୍ବରୁ ଆସିଛି ସି-ଭୋଟର ସର୍ଭେ । ଏହି ସର୍ଭେ ମୁତାବକ, ଦିଲ୍ଲୀର ୪୩.୯ ପ୍ରତିଶତ ଲୋକ ବର୍ତ୍ତମାନର ସରକାର ଉପରେ ନାରାଜ୍ ଅଛନ୍ତି , ଆଉ କେଜ୍ରିଓ୍ୱାଲ ସରକାରକୁ ବଦଳାଇବାକୁ ଚାହୁଁଛନ୍ତି । ଅନ୍ୟପଟେ ୧୦.୯ ପ୍ରତିଶତ ଲୋକ ବର୍ତ୍ତମାନର ସରକାର ଉପରେ ନାରାଜ୍ ଥିଲେ, ବି ସରକାର ବଦଳାଇବାକୁ ଚାହୁଁନାହାଁନ୍ତି । ସେହିପରି ୩୮.୩ ପ୍ରତିଶତ ଲୋକ ବର୍ତ୍ତମାନର ସରକାର ଉପରେ ଖୁସି ଅଛନ୍ତି, ଆଉ ସତ୍ତାରେ ପରିବର୍ତ୍ତନ କରିବାକୁ ଚାହୁଁନାହାଁନ୍ତି ।