ମିଡିଅମ୍
ପ୍ଲାଟିନମ୍ଆ, ସୋଟେକ୍ ସନ୍ ଗ୍ରୋଥ୍ ଆବୋଡ୍
ସଞ୍ଜୀବ ଶ୍ରୀବାସ୍ତବ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ
ପ୍ରାୟ ୩୭ ବର୍ଷ ପୂର୍ବେ ସ୍ଥାପିତ ଆସୋଟେକ୍ ଗ୍ରୁପ୍ ହେଉଛି ଭାରତର ଏକ ଅଗ୍ରଣୀ ରିଅଲ୍ ଇଷ୍ଟେଟ୍ ଡେଭଲପର୍, ଯାହା ଗୁଣବତ୍ତା, ଉଦ୍ଭାବନ ଏବଂ ଗ୍ରାହକଙ୍କ ସନ୍ତୋଷ ପାଇଁ ନିଜର ପ୍ରତିବଦ୍ଧତା ପାଇଁ ଜଣାଶୁଣା । ୪୫ରୁ ଅଧିକ ସଫଳ ପ୍ରକଳ୍ପ ସହ କମ୍ପାନି ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଓଡ଼ିଶାରେ ଆବାସିକ, ବାଣିଜ୍ୟିକ ଏବଂ ମିଶ୍ରିତ ବ୍ୟବହୃତ ସମ୍ପତ୍ତି ସୃଷ୍ଟି କରିବାରେ ଅଗ୍ରଣୀ ଭାବେ ନିଜକୁ ପ୍ରତିଷ୍ଠିତ କରିଛି। ଆସୋଟେକ୍ ଗ୍ରୁପ୍ ଏହାର ଅଭିନବ ଆଭିମୁଖ୍ୟ ଏବଂ ସ୍ଥାୟୀ ଡିଜାଇନ୍ ନୀତି ମାଧ୍ୟମରେ କ୍ରମାଗତ ଭାବରେ ନୂତନ ଶିଳ୍ପ ମାନଦଣ୍ଡ ସ୍ଥିର କରେ । ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସଞ୍ଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ କମ୍ପାନି ଗୁରୁଗ୍ରାମ, ଭୁବନେଶ୍ୱର, ନୋଏଡା, ଗ୍ୱାଲିୟର ଏବଂ ରାୟପୁରରେ ଏକାଧିକ ନୂତନ ପ୍ରକଳ୍ପ ଆରମ୍ଭ କରିବାକୁ ଯୋଜନା କରିଛି। ଆସୋଟେକ୍ ଗ୍ରୁପ୍ ୨୦୨୬-୨୭ ଆର୍ଥିକ ବର୍ଷ ସୁଦ୍ଧା ୯୦୦୦ କୋଟି ଟଙ୍କାର ମୋଟ କାରବାର ମୂଲ୍ୟ (ଜିଟିଭି) ହାସଲ କରିବାକୁ ଲକ୍ଷ୍ୟ ରଖିଛି, ଯାହା ସ୍ଥାନୀୟ ଅର୍ଥନୀତିରେ ଯୋଗଦାନ ଦେବା ସହିତ ଭାରତରେ ରିଅଲ ଇଷ୍ଟେଟ୍ର ଭବିଷ୍ୟତ ଗଠନ ଏବଂ ଜୀବନଧାରଣମାନରେ ଉନ୍ନତି ଆଣିବା ପାଇଁ ଏହାର ସମର୍ପଣକୁ ପ୍ରତିଫଳିତ କରୁଛି।
ଗୋଲ୍ଡ
ପ୍ରାଇମ୍ ଆଗ୍ରୋ ଫୁଡ୍ ପ୍ରୋସେସିଂ
ସନ୍ଦୀପ ଗୁହା ରାୟ ପ୍ରତିଷ୍ଠାତା
ପ୍ରାଇମ୍ ଆଗ୍ରୋ ଫୁଡ୍ ପ୍ରୋସେସିଂ ପ୍ରାଇଭେଟ୍ ଲିମିଟେଡ୍ ୨୦୦୨ ମସିହାରେ ପ୍ରତିଷ୍ଠା ହୋଇଥିଲା। ସନ୍ଦୀପ ଗୁହା ରାୟ ଏହାକୁ ସ୍ଥାପନ କରିଥିଲେ। ଓଡ଼ିଶାରୁ ନିଜର ଯାତ୍ରା ଆରମ୍ଭ କରିଥିବା ପ୍ରାଇମ୍ ଆଗ୍ରୋ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ଏକ ଘରେ ଘରେ ପରିଚିତ ନାମରେ ପରିଣତ ହୋଇପାରିଛି। କମ୍ପାନି ୩୫୦ରୁ ଅଧିକ ପ୍ରକାର ଉତ୍ପାଦ ପ୍ରସ୍ତୁତ କରୁଛି। କମ୍ପାନି ଲକ୍ଷ ଲକ୍ଷ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରି ସେମାନଙ୍କ ରୋଷେଇ ଓ ସ୍ବାଦର ଅଭିଳାଷକୁ ପୂରଣ କରୁଛି। ପ୍ରାଇମ୍ ଆଗ୍ରୋ ପକ୍ଷରୁ ସସ୍, ଆଚାର, ନମ୍କିନ୍, ମସଲା ଓ ଗୃହୋପକରଣ ଯତ୍ନ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ଗୁଣାତ୍ମକ ମାନ ଓ ନବସୃଜନ ପ୍ରତି ପ୍ରତିବଦ୍ଧତା ସହ କମ୍ପାନି ଏହି ଉତ୍ପାଦଗୁଡ଼ିକୁ ପ୍ରସ୍ତୁତ କରୁଛି। ଖାଦ୍ୟ ପ୍ରକ୍ରିୟାକରଣରେ ଉଚ୍ଚତର ମାନକୁ ବଜାୟ ରଖି ଏବଂ ସୁଲଭତାକୁ ସୁନିଶ୍ଚିତ କରି ପ୍ରାଇମ୍ ଆଗ୍ରୋ ଏକ ବ୍ରାଣ୍ଡ୍ ଭାବେ ଲୋକପ୍ରିୟତା ହାସଲ କରିଛି ଯାହା ସ୍ବାଦ ଓ ଭରସା ସହିତ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ହୋଇ ରହିଛି। କମ୍ପାନିର ଅତୁଟ ପ୍ରତିବଦ୍ଧତା ପାଇଁ ଏହା ଏକ ଜାତୀୟ ବ୍ରାଣ୍ଡ୍ ଭାବେ ପ୍ରତିଷ୍ଠିତ ହୋଇପାରିଛି ଯାହାର ପୂର୍ବ ଭାରତରେ ଦୃଢ଼ ଉପସ୍ଥିତି ରହିଛି ।
ସିଲ୍ଭର
କଳିଙ୍ଗ ହସ୍ପିଟାଲ୍
ଡ. ଶୀତ କଣ୍ଠ ଦାଶ ଅଧ୍ୟକ୍ଷ
କଳିଙ୍ଗ ହସ୍ପିଟାଲ୍ ହେଉଛି ଓଡ଼ିଶାର ପ୍ରଥମ କର୍ପୋରେଟ୍ ହସ୍ପିଟାଲ୍ ଏବଂ ଗୁଣାତ୍ମକ ସେବା ପାଇଁ ଏହା ଏକ ବିଶ୍ବସନୀୟ ନାମରେ ପରିଣତ ହୋଇଛି। ୧୯୯୭ ପରଠାରୁ ଏହା ଅତ୍ୟାଧୁନିକ ମେଡିକାଲ୍ ସମାଧନ ପ୍ରଦାନ କରିବା ସହ ରୋଗୀ କୈନ୍ଦ୍ରିକ ସେବାଭ୍ୟାସକୁ ସୁଦୃଢ଼ କରୁଛି। ଏବେ କଳିଙ୍ଗ ହସ୍ପିଟାଲ ଓଡ଼ିଶାବାସୀଙ୍କ ପାଇଁ ସମବେଦନାର ସହ ସୁଲଭ ସ୍ୱାସ୍ଥ୍ୟସେବାର ସଂଜ୍ଞା ପୁନଃନିର୍ଦ୍ଧାରଣ କରି ଏକ ପରିବର୍ତ୍ତନମୂଳକ ଯାତ୍ରା ଆରମ୍ଭ କରିଛି। ଡ.ଶୀତ କଣ୍ଠ ଦାସ ଏହାର ଅଧ୍ୟକ୍ଷ ରହିଛନ୍ତି। ତାଙ୍କ ନେତୃତ୍ବରେ ହସ୍ପିଟାଲ୍ ପରିଚାଳିତ ହେଉଛି। ସ୍ୱଚ୍ଛତା ଏବଂ ପ୍ରକୃତ ବାର୍ତ୍ତାଳାପ ଆମ ଆଭିମୁଖ୍ୟର କେନ୍ଦ୍ରବିନ୍ଦୁ ଅଟେ କାରଣ ଆମେ ସୁଲଭ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାକୁ ଚେଷ୍ଟା କରୁଛୁ ଯାହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ ବୋଲି କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି। କଳିଙ୍ଗ ହସ୍ପିଟାଲରେ ଆମେ ରୋଗୀଙ୍କୁ ପ୍ରକୃତ ଯତ୍ନ ସହ ସେବା କରିବା ପାଇଁ ଉତ୍ସର୍ଗୀକୃତ। ଆମେ ଯତ୍ନ ପ୍ରଦାନକାରୀ ଏବଂ ଲୋକଙ୍କ ମଧ୍ୟରେ ଏକ ଦୃଢ଼ ବିଶ୍ୱାସର ବନ୍ଧନ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ହସ୍ପିଟାଲ୍ ପକ୍ଷରୁ କୁହାଯାଇଛି।
ସ୍ମଲ୍
ଗୋଲ୍ଡ, ଶକ୍ତି ବ୍ୟାପାର
ଲିପ୍ସା ହଂସ ନିର୍ଦ୍ଦେଶିକା
ଚାନ୍ଦିଭଣ୍ଡାର ହେଉଛି ଓଡ଼ିଶାର ସବୁଠାରୁ ବଡ଼ ସ୍ୱତନ୍ତ୍ର ରୁପା ରିଟେଲ୍ ଶୃଙ୍ଖଳା ଯାହା ରାଜ୍ୟରେ ଗ୍ରାହକଙ୍କୁ ଖାଣ୍ଟି ରୁପା ସପିଂ ଅନୁଭୂତି ପ୍ରଦାନ କରିବା ଲକ୍ଷ୍ୟରେ ୨୦୧୩ରେ ସ୍ଥାପିତ ହୋଇଥିଲା। ଭୁବନେଶ୍ବରରୁ ଏହାର ଯାତ୍ରା ଆରମ୍ଭ ହୋଇଥିଲା। ଅଳଙ୍କାର, କଳାକୃତି, ଡାଇନୱେର, ଆକ୍ସେସରିଜ୍, ପୂଜା ସାମଗ୍ରୀ, ସୋପିସ୍ ଏବଂ କର୍ପୋରେଟ୍ ଉପହାର ଭଳି ବିଭିନ୍ନ ବର୍ଗର ଉତ୍ପାଦ ସହିତ ଆମେ ସମସ୍ତଙ୍କୁ ଏକ ଉନ୍ନତ ବିକ୍ରି ଅନୁଭୂତି ପ୍ରଦାନ କରିବା ଉପରେ ଧ୍ୟାନ ଦେଉଛୁ। କାରିଗରୀ, ଡିଜାଇନ୍, ଶୁଦ୍ଧତା ଏବଂ ଗ୍ରାହକ ସେବା ପ୍ରତି ଆମର ପ୍ରତିବଦ୍ଧତା ଅତୁଟ ରହିଛି, ଯାହା ଆମକୁ ସ୍ୱତନ୍ତ୍ର ରୁପା ଉତ୍ପାଦ ଚାହୁଥିବା ଲୋକଙ୍କ ପାଇଁ ପସନ୍ଦର ଗନ୍ତବ୍ୟସ୍ଥଳରେ ପରିଣତ କରିଛି। ପାରମ୍ପରିକ କାରିଗରୀକୁ ସମସାମୟିକ ଡିଜାଇନ୍ ସହିତ ମିଶ୍ରଣ କରୁଥିବା କାଳଜୟୀ ରୁପା ଗହଣା ଓ ସାମଗ୍ରୀ ପ୍ରଦାନ କରିବା ସହ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ନିଜର ସୋରୁମ୍ ଖୋଲି ଚାନ୍ଦିଭଣ୍ଡାର ନିଜର ଉପସ୍ଥିତି ଜାହିର କରିପାରିଛି।
ଗୋଲ୍ଡ, କସ୍ତୁରୀ ଫ୍ଲୋର୍ ମିଲ୍
ଏ ସୁରେଶ ଚନ୍ଦ୍ର ପାତ୍ର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ
କସ୍ତୁରୀ ବ୍ରାଣ୍ଡ୍ର ଯାତ୍ରା ୧୯୯୫ ମସିହାରେ ଆରମ୍ଭ ହୋଇଥିଲା। ମାତ୍ର ୬୦୦୦ ଟଙ୍କାରୁ ଏହି ଯାତ୍ରା ହୋଇଥିଲା। ଏକ ଛୋଟ ଅଟା ଚକି ଦୋକାନରୁ ଏବେ ଏହା ଏକ ବ୍ରାଣ୍ଡ୍ରେ ପରିଣତ ହୋଇପାରିଛି। କମ୍ପାନି ପାଖରେ ଏବେ ଏକାଧିକ ମାନୁଫାକ୍ଚରିଂ ୟୁନିଟ୍ ରହିଛି ଯେଉଁଥିରେ ଅତ୍ୟାଧୁନିକ ମେସିନ୍ ବ୍ୟବହାର କରାଯାଇଛି। ଏହା ଓଡ଼ିଶାର ସବୁଠୁ ଗୁଣାତ୍ମକ ମାନର ଛତୁଆ ଉତ୍ପାଦନ କରୁଛି। ଉତ୍ପାଦନ ପ୍ରକ୍ରିୟାରେ ମାନବ ହସ୍ତକ୍ଷେପ ଦରକାର ପଡ଼ୁନାହିଁ। ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ ଓ ହ୍ୟାଣ୍ଡସ୍ଫ୍ରି ଉପାୟରେ ଉତ୍ପାଦନ କରାଯାଉଛି। କସ୍ତୁରୀ ଫ୍ଲୋର୍ ମିଲ୍ ହେଉଛି ଭାରତର ପ୍ରଥମ ସ୍ବୟଂକ୍ରିୟ ଛତୁଆ ଉତ୍ପାଦନକାରୀ ସଂସ୍ଥା। କମ୍ପାନିର ପ୍ରତିଷ୍ଠାତା ନିଜ ମା’ଙ୍କ ନାମରେ ବ୍ରାଣ୍ଡ୍ ନାମ କସ୍ତୁରୀ ରଖିଛନ୍ତି। ତାଙ୍କ ମା’ ପ୍ରସ୍ତୁତ କରିଥିବା ରେସିପି ଏହି ବ୍ରାଣ୍ଡ୍କୁ ଗଢ଼ିବାରେ ସହାୟକ ହୋଇଛି। କସ୍ତୁରୀ ଛତୁଆ ହେଉଛି ଏକ ସମ୍ପୂର୍ଣ୍ଣ ଭୋଜନର ଉପଯୁକ୍ତ ଉଦାହରଣ ଯେଉଁଥିରେ ମଲ୍ଟିଗ୍ରେନ୍ ପୁଷ୍ଟି ରହିଛି ଯାହା ଆଜିର ବ୍ୟସ୍ତବହୁଳ ଆଧୁନିକ ଦୁନିଆ ପାଇଁ ଜରୁରୀ।
ସିଲ୍ଭର, ଓଡ଼ିଶା ପ୍ଲାଷ୍ଟୋ ପାଇପ୍ସ
କୌଶଲ ପୋଦ୍ଦାର ପରିଚାଳନା ନିର୍ଦ୍ଦେଶକ
୧୯୯୪ ମସିହାରେ ପିଭିସି ପାଇପ୍ ଉତ୍ପାଦନ ଉଦ୍ଦେଶ୍ୟରେ ଓଡ଼ିଶା ପ୍ଲାଷ୍ଟୋ ପ୍ରତିଷ୍ଠା କରାଯାଇଥିଲା। କମ୍ପାନିର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି କୌଶଲ ପୋଦ୍ଦାର। ବର୍ତମାନ ଏହା ହଜାର ହଜାର ପରିବାରର ପିଭିସି, ୟୁପିଭିସି, ସିପିଭିସି, ଏସ୍ଡବ୍ଲୁଆର ପାଇପ୍ ଏବଂ ଫିଟିଂସ୍ର ପ୍ଲମ୍ବିଙ୍ଗ ଏବଂ ବୋରୱେଲ ଆବଶ୍ୟକତାକୁ ପୂରଣ କରୁଛି। ତିନି ଦଶନ୍ଧିରୁ ଅଧିକ ସମୟର ଇତିହାସ ସହିତ କମ୍ପାନିର ଯାତ୍ରା ଉନ୍ନତ ପିଭିସି ପାଇପ ବ୍ୟବସ୍ଥା, ଉଦ୍ଭାବନ, ପ୍ରଯୁକ୍ତି ବିଦ୍ୟା ଉନ୍ନତୀକରଣ, ଉତ୍ପାଦ ସଂଯୋଜନ ଏବଂ ଗ୍ରାହକ ସନ୍ତୁଷ୍ଟି ଦିଗରେ ଅଭିବୃଦ୍ଧି, ସମ୍ପ୍ରସାରଣ, ସମର୍ପଣ ଏବଂ ଉତ୍ସାହ ପ୍ରତି ସମର୍ପିତ ରହିଛି। କୃଷି, ଆବାସିକ ଏବଂ ବାଣିଜ୍ୟିକ ପ୍ରକଳ୍ପଗୁଡ଼ିକରେ ବ୍ୟବହାର ପାଇଁ ଆଧୁନିକ ପ୍ଲମ୍ବିଂ, ସାନିଟାରି, ବୋରୱେଲ୍ , ଡ୍ରେନେଜ୍ ସମାଧାନ, ଗରମ ଏବଂ ଥଣ୍ଡା ଜଳ ଆପ୍ଲିକେସନ୍ ଉତ୍ପାଦନରେ କମ୍ପାନିର ବିଶେଷତା ରହିଛି।
ସିଲ୍ଭର, ହରିପ୍ରିୟା ରିଫ୍ରାକ୍ଟୋରିଜ୍
ବିଭୁ ପ୍ରସାଦ ସାହୁ, ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ
ହରିପ୍ରିୟା ରିଫ୍ରାକ୍ଟୋରିଜ ପ୍ରାଇଭେଟ ଲିମିଟେଡ (ଏଚ୍ଆର୍ପିଏଲ୍) ହେଉଛି ଏକ ଷ୍ଟାର୍ଟଅପ ସଂସ୍ଥା। ୨୦୧୯ ମସିହାରେ ଏହି କମ୍ପାନି ଆରମ୍ଭ ହୋଇଥିଲା। କେବଳ ଇସ୍କାତ କାରଖାନାକୁ ସର୍ବୋତ୍କୃଷ୍ଟ ମାନର ତାପଜ ସାମଗ୍ରୀ ବା ଥର୍ମାଲ ଇନସୁଲେଟର ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହା ଗଠନ କରାଯାଇଛି। ବିଭୁ ପ୍ରସାଦ ସାହୁଙ୍କ ଦ୍ବାରା କଳାହାଣ୍ଡି ଜିଲ୍ଲାର ଏମ୍ ରାମପୁରରେ ଏହି ସଂସ୍ଥା ଆରମ୍ଭ କରାଯାଇଛି। ଶ୍ରୀ ସାହୁ ରାଇସ୍ ହସ୍କ ଆସ୍ ବା ଧାନ ଚଷୁ ପାଉଁଶରୁ ଥର୍ମାଲ ଇନସୁଲେଟର ଉତ୍ପାଦନ ଚିନ୍ତାଧାରା ରଖିଛନ୍ତି, ଯାହାକୁ ଭାରତ ଏବଂ ଭାରତ ବାହାରେ ଇସ୍ପାତ କାରଖାନାରେ ବ୍ୟବହାର କରାଯାଇ ପାରିବ। ଏହା ଜରିଆରେ ବିପୁଳ ପରିମାଣର ବିଦେଶୀ ମୁଦ୍ରା ମଧ୍ୟ ସଂଗ୍ରହ କରାଯାଇ ପାରିବ। ଏଥିସହିତ ବର୍ଜ୍ୟବସ୍ତୁରୁ ସଂପତ୍ତି ସୃଷ୍ଟି କରିବା ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ। ରାଇସ୍ ମିଲ୍ଗୁଡ଼ିକରୁ ବାହାରୁଥିବା ରାଇସ୍ ହସ୍କ ଆସ୍ ଯେଭଳି ପରିବେଶ ପ୍ରଦୂଷଣ ନକରି ସଂପତ୍ତିରେ ପରିଣତ ହେବ ତାହା ଉପରେ ସଂସ୍ଥା ଗୁରୁତ୍ବ ଦେଉଛି।
ବିଚାରକ ସ୍ବତନ୍ତ୍ର, କମ୍ପ୍ୟୁଟର ଲ୍ୟାବ୍
ସନ୍ତୋଷ କୁମାର ସାହୁ, ସିଇଓ ତଥା ମ୍ୟାନେଜିଂ ପାର୍ଟନର
ଦେଶର ବିଜ୍ନେସ୍ ପ୍ରୋସେସ୍ ଆଉଟ୍ସୋର୍ସିଂ(ବିପିଓ)/ନଲେଜ୍ ପ୍ରୋସେସ୍ ଆଉଟସୋର୍ସିଂ (କେପିଓ) ବ୍ୟବସାୟ କ୍ଷେତ୍ରରେ ଓଡ଼ିଶାର କମ୍ପ୍ୟୁଟର ଲାବ୍ ପ୍ରାଇଭେଟ୍ ଲିମିଟେଡ୍ର ସ୍ବତନ୍ତ୍ର ସ୍ଥାନ ରହିଛି। ୧୯୯୦ ମସିହାରେ କଟକରୁ ଆରମ୍ଭ ହୋଇଥିବା ଏହି ସଂସ୍ଥା ଆଜି ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ସରକାରୀ ପ୍ରକଳ୍ପଗୁଡ଼ିକୁ ଉତ୍ତମମାନର ସେବା ଯୋଗାଇ ଦେଉଛି। ଲୋକଙ୍କୁ ଇ-ଗଭର୍ଣ୍ଣାନ୍ସ ସେବା ପ୍ରଦାନ କ୍ଷେତ୍ରରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗ୍ରାହକଙ୍କୁ ବିପିଓ ସେବା ଯୋଗାଇ ଦେଇ କମ୍ପାନି ସେମାନଙ୍କ ପରିଚାଳନା ଦକ୍ଷତା ବଢ଼ାଇବା ସହିତ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସହାୟକ ହେଉଛି। ଆଇଟି ସେବାରେ ୩୨ ବର୍ଷ ପୂରଣ କରିବାର ମାଇଲଖୁଣ୍ଟ ଏହି ସଂସ୍ଥା ହାସଲ କରିଛି। ସରକାର ଏବଂ ଲୋକଙ୍କ ମଧ୍ୟରେ ଥିବା ଦୂରତାକୁ ସଂସ୍ଥା କମାଇଛି। ଅନେକ ପ୍ରକଳ୍ପ ସଫଳତାର ସହିତ ସଂପୂର୍ଣ୍ଣ କରି ବହୁ ସ୍ବୀକୃତି ହାସଲ କରିଛି। ନିରନ୍ତର ପ୍ରଚେଷ୍ଟା ଫଳରେ କମ୍ପାନି ଭୁବନେଶ୍ବରର ଇନଫୋସିଟି ଠାରେ ୩୦ ହଜାର ବର୍ଗଫୁଟ ଅଞ୍ଚଳରେ କମ୍ପ୍ୟୁଟର ଲାବ୍ ଟାୱାର ସ୍ଥାପନ କରିଛି।
ଇମର୍ଜିଂ/ ଷ୍ଟାର୍ଟଅପ୍
ପ୍ଲାଟିନମ୍, ସ୍କାଏ ରାଇଡର୍ ଇଲେକ୍ଟ୍ରିକ୍
ନିହାର ପଣ୍ଡା, ସିଇଓ ଓ ପରିଚାଳନା ନିର୍ଦ୍ଦେଶକ
ସ୍କାଏ ରାଇଡର୍ ଇଲେକ୍ଟ୍ରିକ୍ ପ୍ରାଇଭେଟ୍ ଲିମିଟେଡ୍ ହେଉଛି ଏକ ଇଲେକ୍ଟ୍ରିକ୍ ଯାନ (ଇଭି) ବିନିର୍ମାଣ ଷ୍ଟାର୍ଟଅପ୍। ଏହାକୁ ୨୦୨୦ ମସିହାରେ ସ୍ଥାପନ କରାଯାଇଥିଲା। ଉଭୟ ଇନ୍ଡୋର ଓ ଅନ୍-ରୋଡ୍ ପ୍ରୟୋଗ ପାଇଁ ସ୍ଥାୟୀ ପରିବହନ ସମାଧାନ କରିବା ଲକ୍ଷ୍ୟ ନେଇ କମ୍ପାନି କାର୍ଯ୍ୟ କରୁଛି। ବର୍ତ୍ତମାନ କମ୍ପାନି ୧୫ଟି ଡିଲର୍ ନେଟ୍ୱର୍କକୁ ନେଇ କାର୍ଯ୍ୟ କରୁଛି। ସେଗୁଡ଼ିକ କମ୍ପାନିର ଗାଡ଼ିଗୁଡ଼ିକୁ ବିତରଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ରାସ୍ତାରେ କମ୍ପାନିର ୨୦୦୦ ପାଖାପାଖି ଗାଡ଼ି ଚାଲୁଛି। ଏଥି ସହିତ ଏହା ସଫଳତାର ସହ ଅନ୍ତର୍ଜାତୀୟ ବଜାରକୁ ଅନେକ ଗାଡ଼ି ରପ୍ତାନି କରିଛି। ରାଜ୍ୟର ଏକମାତ୍ର ଇଲେକ୍ଟ୍ରିକ୍ ଗାଡ଼ି କମ୍ପାନି ହୋଇଥିବାରୁ ଏହା ନିଜକୁ ଗର୍ବିତ ମନେ କରୁଛି।
ଗୋଲ୍ଡ, ମୁନିକୋ ଫୁଡ୍ସ
ସତ୍ୟବ୍ରତ ମୁନି, ପ୍ରତିଷ୍ଠାତା ଓ ସିଇଓ
ବ୍ରହ୍ମପୁରରେ ଗଢ଼ି ଉଠିଛି ଅଗ୍ରଣୀ ତଥା ଲୋକପ୍ରିୟ କମ୍ପାନି ମୁନିକୋ ଫୁଡ୍ସ। ଏହା ‘ଅମୃତସ୍ୟ ଭୋଜନମ୍’ ଦର୍ଶନ ଉପରେ ବିଶ୍ବାସ ରଖି କାରବାର କରୁଛି। କମ୍ପାନି ବିଶ୍ବାସ କରୁଛି ଯେ ଉଲ୍ଲେଖନୀୟ ପୋଷକ ତତ୍ତ୍ବ ଏବଂ ଚମତ୍କାର ସ୍ବାଦ ହେଉଛି ଉତ୍ତମ ସ୍ବାସ୍ଥ୍ୟ ବଜାୟ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କମ୍ପାନିର ପ୍ରମୁଖ ଉତ୍ପାଦ ହେଉଛି ‘ଗଟ୍ଜୀ’ ଯାହା ହେଉଛି ଭାରତର ପ୍ରଥମ ମିଲେଟ୍ ଆଧାରିତ ପ୍ରୋ ବାୟୋଟିକ୍ ଡ୍ରିଙ୍କ୍ ଯେଉଁଥିରେ କୌଣସି ପ୍ରକାର ସୁଗାର (ମିଠା) କିମ୍ବା ସଂରକ୍ଷକ ବ୍ୟବହାର କରାଯାଇନାହିଁ। ମହାପ୍ରଭୁ ଜଗନ୍ନାଥଙ୍କ ପାରମ୍ପରିକ ଭୋଜନ ସମେତ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟରୁ ଏହା ଅନୁପ୍ରାଣିତ ହୋଇଛି। ଗଟ୍ଜୀ ହେଉଛି ସ୍ବାସ୍ଥ୍ୟ ସଚେତନ ନବସୃଜନର ପ୍ରତୀକ ଯାହା ପାଚକ ଲାଭ ପ୍ରଦାନ କରୁଥିବା ବେଳେ ୱେଲ୍ନେସ୍ ପ୍ରସାର କରୁଛି। ଆଧୁନିକ ଗ୍ରାହକମାନଙ୍କୁ ମିଲେଟ୍ର ଶକ୍ତି ସହିତ ଯୋଡ଼ୁଥିବା ମୁନିକୋ ଫୁଡ୍ସ ଏକ ସୁସ୍ଥକର ଓ ସ୍ଥାୟୀ ଜୀବନଶୈଳୀର ପ୍ରସାର କରିବାକୁ ଲକ୍ଷ୍ୟ ରଖିଛି। କମ୍ପାନିର ସଫଳତାର ଏକ ଅବିଚ୍ଛେଦ୍ୟ ଅଂଶ ହେଉଛନ୍ତି ସ୍ଥାନୀୟ ଚାଷୀ।
ସିଲ୍ଭର, ମା ଦୁର୍ଗା ଏସ୍ଏଚ୍ଜି ପିକିଲ୍ ମେକିଂ ୟୁନିଟ୍
ମୋନାଲିସା ଗାନ୍ଧୀ, ପ୍ରେସିଡେଣ୍ଟ୍
ବାରିପଦା ଜିଲ୍ଲା ସଦର ମହକୁମା ଅଞ୍ଚଳର ମୋନାଲିସା ଗାନ୍ଧୀ ୨୦୧୪ ମସିହାରେ ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ। ୨୦୨୧ମସିହାରେ ରାଜ୍ୟ ସରକାରଙ୍କ ସହାୟତାରେ ଆଚାର ଉତ୍ପାଦନ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ୧୦ଟି ଜିଲ୍ଲାରେ ଥିବା ଆହାର କେନ୍ଦ୍ରକୁ ଆଚାର ଯୋଗାଉଛି। ୩୦ ଜଣ ମହିଳାଙ୍କୁ ଏହି ଗୋଷ୍ଠୀ ନିଯୁକ୍ତି ଦେଇଛି, ଯେଉଁମାନେ ଆଚାର ଉତ୍ପାଦନ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମିସନ୍ ଶକ୍ତିର ପ୍ରଶିକ୍ଷଣ ଓ ସହଯୋଗରେ ଏହା ବାସ୍ତବ ରୂପ ନେଇଛି । ପ୍ରତ୍ୟକ୍ଷ ରୋଜଗାର ବ୍ୟତୀତ ଏହା ପରୋକ୍ଷରେ ଅନେକ ଲୋକଙ୍କୁ ଜୀବିକା ପ୍ରଦାନ କରିଛି।
ବିଚାରକ ସ୍ବତନ୍ତ୍ର, ଚକୋଲାକା
ଶାନ୍ତା ଓ ରୀତା ବଳିଆରସିଂହ, ସହ ପ୍ରତିଷ୍ଠାତା
ଦୁଇ ଭଉଣୀ ରୀତା ଓ ଶାନ୍ତା ବଳିୟାରସିଂହଙ୍କ ଦ୍ବାରା ୨୦୨୧ ମସିହାରେ ଚକୋଲାକା ବ୍ୟବସାୟ ଆରମ୍ଭ ହୋଇଛି। କିନ୍ତୁ ଏହା ବ୍ୟବସାୟଠାରୁ ଅଧିକ କିଛିରେ ପରିଣତ ହୋଇଛି। ଚକୋଲାକା ହେଉଛି କୋକୋଆ ବିନ୍ସରୁ ବାର୍, ମିଲେଟ୍ ଚକୋଲେଟ୍, ଟଫଲ୍ସ ଏବଂ ଓଡ଼ିଶାର ନିଜସ୍ବ ଉତ୍ପାଦିତ ସାମଗ୍ରୀ ଯଥା ହଳଦୀ, କଫି ଏବଂ ମସଲାକୁ ବ୍ୟବହାର କରି ବ୍ଲେଣ୍ଡେଡ୍ ଚକୋଲେଟ୍ ତିଆରି କରୁଥିବା ରାଜ୍ୟର ପ୍ରଥମ ସଂସ୍ଥା। ଭୁବନେଶ୍ବରର ଆଇଆର୍ସି ଭିଲେଜ୍ରେ ସଂସ୍ଥାର ଏକ ମିଲେଟ୍ ଭିତ୍ତିକ ବେକେରି ରହିଛି। ଏଠାରେ ଜଙ୍କ ଫୁଡ୍କୁ ସ୍ବାସ୍ଥ୍ୟକର ଖାଦ୍ୟରେ ପରିଣତ କରିବାର ଅଭିଳାଷ ସଂସ୍ଥା ରଖିଛି। ଉତ୍କଳ ଆଲୁମିନାର କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମ ଅଧୀନରେ ରାୟଗଡ଼ାର ଟିକିରିରେ ତଫସିଲଭୁକ୍ତ ଜନଜାତିର ମହିଳାଙ୍କ ପାଇଁ ଏକ ରୋଷ୍ଟେଡ୍ ମିଲେଟ ପଫ୍, ନମକିନ୍ ଏବଂ ମିକ୍ସର ୟୁନିଟ୍ ସ୍ଥାପନ କରିଛି। ପଣସ ମଞ୍ଜିରୁ ଚକୋଲେଟ୍ ପ୍ରସ୍ତୁତ ପାଇଁ ଆଇଆଇଟି ଭୁବନେଶ୍ବର ଅଧୀନରେ ଏହାର ଇନକ୍ୟୁବେସନ ଚାଲିଛି।