ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ। ଦକ୍ଷିଣ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶର ଭକ୍ତଙ୍କ ମଧ୍ୟରେ ରହିଛି ମା’ଙ୍କ ପ୍ରତି ଅଗାଢ଼ ବିଶ୍ବାସ ଓ ଭକ୍ତି। ଥରେ ଦର୍ଶନ କରି ମାନସିକ କଲେ ତାହା ପୂରଣ ହେବାର ବିଶ୍ବାସ ରହିଛି। ରାଜାଙ୍କଠାରୁ ଆରମ୍ଭ କରି ପ୍ରଜା; ସଭିଏଁ ମା’ଙ୍କ ଆଶୀର୍ବାଦ ଲାଭ କରିଥିବାର ଜନଶ୍ରୁତି ରହିଛି। ରାୟଗଡ଼ାର ମଧ୍ୟଭାଗରେ ମା’ଙ୍କ ମନ୍ଦିର ଥିବାରୁ ମଝିଘରିଆଣୀ ନାମରେ ଏହି ପୀଠ ନାମିତ ହୋଇଛି। 

Advertisment

ଚୈତ୍ର ପର୍ବ ଓ ଦଶହରା ନବରାତ୍ର ପୂଜା ମା’ଙ୍କ ଦୁଇଟି ମୁଖ୍ୟ ପର୍ବ। ଚୈତ୍ର ପର୍ବରେ ମନ୍ଦିର ପୂଜକ ନିଆଁ ଉପରେ ଚାଲିବା ସହ କଣ୍ଟା ଦୋଳି ଉପରେ ବସି ଝୁଲନ୍ତି। ସେହିପରି ଦଶହରା ନବରାତ୍ର ପୂଜା ଆରମ୍ଭ ପୂର୍ବରୁ ମା’ଙ୍କ ଖଣ୍ଡା ପୂଜା ହୁଏ। ବର୍ଷତମାମ ଅଦୃଶ୍ୟ ଭାବେ ରଖାଯାଇଥିବା ୫ଟି ଖଣ୍ଡା ମଧ୍ୟରୁ ଗୋଟିଏ ଖଣ୍ଡାକୁ ଦଶହରାରେ ତହସିଲ ଅଫିସ୍ ପରିସରରେ ପୂଜା କରାଯାଇଥାଏ। ଚଳନ୍ତି ପ୍ରତିମା ଭାବେ ମା’ଙ୍କ ଖଣ୍ଡା ପୂଜା ପାଉଥିବାରୁ ଦୈବ ଦୁର୍ବିପାକ, ମହାମାରୀର ପ୍ରାଦୁର୍ଭାବ ପଡ଼ୁନଥିବା ବିଶ୍ୱାସ ରହିଛି। ମହାଷ୍ଟମୀ ପୂଜାରେ ମା’ ଚାମୁଣ୍ଡା ରୂପେ ପୂଜା ପାଇଥାନ୍ତି। ଆବାହମାନ କାଳରୁ ମା’ଙ୍କ ପୀଠରେ ବଳିପ୍ରଥା ପ୍ରଚଳିତ ଥିବାରୁ ମହାଷ୍ଟମୀ ରାତିରେ ଜାନିପଥର ନିକଟରେ ଗୋଟିଏ ଛେଳିକୁ ପୂଜା କରି ଛାଡ଼ି ଦିଆଯାଇଥାଏ। ଛେଳି ସ୍ବତଃପ୍ରବୃତ୍ତ ଭାବେ ମା’ଙ୍କ ସମ୍ମୁଖକୁ ଆସିବା ପରେ ବଳି ଦିଆଯାଇଥାଏ। 
କିମ୍ବଦନ୍ତୀ ଅନୁଯାୟୀ, ରାଜା ଭୈରବ ଦେବଙ୍କ ମୃତ୍ୟୁ ପରେ ବିଶ୍ୱନାଥ ଦେବ ଶାସନ ଭାର ଗ୍ରହଣ କରିଥିଲେ। ବିଶ୍ୱନାଥ ଦେବ ନିଜକୁ ‘ନଉଣା ଗଜପତି’ ଭାବେ ଘୋଷଣା କରିଥିଲେ। ରାଜାଙ୍କ ଇଷ୍ଟଦେବୀ ଥିଲେ ନାରାୟଣୀ। ଦୀର୍ଘ ଦିନ ରାଜାଙ୍କର କୌଣସି ସନ୍ତାନ ନ ହେବାରୁ ରାଜ ପରିଷଦର ଜ୍ୟୋତିଷ ତିନି ଥର ରାଜଧାନୀ ପରିବର୍ତ୍ତନ କଲେ ସନ୍ତାନ ଲାଭ ହେବ ବୋଲି ଭବିଷ୍ୟବାଣୀ କରିଥିଲେ।

ଫଳରେ ରାଜା ନନ୍ଦପୁରରୁ ଜୟପୁର, ଜୟପୁରରୁ ରାୟଗଡ଼ାକୁ ରାଜଧାନୀ ସ୍ଥାନାନ୍ତର କରିଥିଲେ। ପରିବର୍ତ୍ତିତ ରାଜଧାନୀକୁ ଇଷ୍ଟଦେବୀ ମା’ ନାରାୟଣୀ ବିଜେ ହେବା ସହ ରାୟଗଡ଼ାର ମଧ୍ୟଭାଗରେ ଅବସ୍ଥାନ କରିଥିବାରୁ ମା’ ମଝିଘରିଆଣୀଙ୍କ ନାମରେ ସେ ପରିଚିତ। ରାଜାଙ୍କର ୧୦୮ ରାଣୀ ଥିବା ସତ୍ତ୍ବେ ସେ ଅପୁତ୍ରିକ ଥିବାରୁ ରାଜାଙ୍କ ମୃତ୍ୟୁ ପରେ ସମସ୍ତ ରାଣୀ ସତୀ ହେବା ଲକ୍ଷ୍ୟରେ ମା’ଙ୍କ ଅନୁମତି ଭିକ୍ଷା କରି ରାଜାଙ୍କ ଚିତାଗ୍ନିରେ ଝାସ ଦେଇଥିଲେ। ୧୦୮ ରାଣୀ ଗୋଟିଏ କୁଣ୍ଡରେ ଝାସ ଦେଇଥିବାରୁ ମନ୍ଦିର ଉତ୍ତର ପାର୍ଶ୍ୱରେ ଥିବା କୁଣ୍ଡ ସତୀକୁଣ୍ଡ ନାଁରେ ନାମିତ। କୁଣ୍ଡ ଚର୍ତୁପାର୍ଶ୍ୱରେ ବୃକ୍ଷରୋପଣ କଲେ କୌଣସି ଗଛ ବଞ୍ଚୁନଥିବାରୁ ତାହା ସତୀକୁଣ୍ଡର ବିଶେଷତ୍ବକୁ ପ୍ରତିପାଦିତ କରିଛି। ସେହିପରି ମନ୍ଦିର ନିକଟସ୍ଥ ରେଳ ଲାଇନ୍‌ କଡ଼ରେ ଛୋଟ ଛୋଟ ପଥର ଗଦା ନିକଟରେ ଥିବା ବିରାଟ ଶିଳାଖଣ୍ଡ ଜାନିପଥର ନାମରେ ପରିଚିତ। ଏହି ରାସ୍ତା ଦେଇ ଗଲା ବେଳେ ଛୋଟ ପଥରଖଣ୍ଡ ଜାନିପଥର ନିକଟରେ ଉତ୍ସର୍ଗ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ମା’ଙ୍କ ଆଠ ଭଉଣୀ ପାଇକସାହି ଓ ବ୍ରାହ୍ମଣସାହି ଶେଷଭାଗରେ ପୂଜା ପାଉଥିବାରୁ ପ୍ରତିଦିନ ରାତିରେ ଅଶ୍ୱାରୋହ ହୋଇ ମା’ଙ୍କୁ ଭେଟିବାକୁ ଯାଇଥାନ୍ତି। ବିଳମ୍ବିତ ରାତିରେ ଘୋଡାର ଟାପୁ ଶବ୍ଦ ଶୁଣିଥିବା ପୁରୁଖା ଲୋକମାନେ କହିଛନ୍ତି।