ମହାଭାରତରେ ବାଳକ ଅଭିମନ୍ୟୁଙ୍କ ଦ୍ୱାରା ଚକ୍ରବ୍ୟୁହ ଭେଦ ଏକ ଅଦ୍ଭୁତ ଘଟଣା । ପିତାମହ ଭୀଷ୍ମଙ୍କ ଶରଶଯ୍ୟା ପ୍ରାପ୍ତ କରିବା ପରେ କୌରବ ଦଳର ସେନାପତି ହେଲେ ଗୁରୁ ଦ୍ରୋଣାଚାର୍ଯ୍ୟ । ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଦୁର୍ଯ୍ୟୋଧନ ପ୍ରତିଦିନ ଉସକାଇବାରେ ଲାଗିଲେ । ଏହାପରେ ଦ୍ରୋଣ କହିଲେ , ‘କାଲି ଯୁଦ୍ଧରେ ନିଶ୍ଚିତ ଜଣେ ପାଣ୍ଡବର ବଧ ହେବ ।’ ଏଥିପାଇଁ ଦ୍ରୋଣାଚାର୍ଯ୍ୟ ଚକ୍ରବ୍ୟୁହ ରଚନା କରିଲେ । ଏହି ଚକ୍ରବ୍ୟୁହ ଭେଦିବାର କଳା କେବଳ ଅର୍ଜୁନଙ୍କୁ ଜଣାଥିଲା । ସେଦିନ ଅର୍ଜୁନ ଭଗବାନ କୃଷ୍ଣଙ୍କୁ ସାଥିରେ ନେଇ ସଂସପ୍ତ କୋଶ ଦୂରରେ ଯୁଦ୍ଧ କରିବାକୁ ଯାଇଥିଲେ ।
ଯୁଦ୍ଧରେ ଚକ୍ରବ୍ୟୁହ ରଚନା ଖବର ପାଇବା ମାତ୍ରେ ପାଣ୍ଡବ ଶିବିରରେ ଭାଳେଣି ପଡ଼ିଲା । ଯୁଧିଷ୍ଠର ସବୁଠୁଁ ବେଶି ଚିନ୍ତାରେ ପଡ଼ିଲେ। କାରଣ ଅର୍ଜୁନଙ୍କ ବ୍ୟତୀତ ଚକ୍ରବ୍ୟୁହ ଭେଦ କରିବା ଅନ୍ୟ କାହାକୁ ଜଣା ନ ଥିଲା । ଏହି ଖବର ପାଇବା ମାତ୍ରେ ଅର୍ଜୁନଙ୍କ ପୁତ୍ର ଅଭିମନ୍ୟୁ ଯୁଧିଷ୍ଠରଙ୍କ ପାଖକୁ ଦୌଡ଼ି ଦୌଡ଼ି ଆସିଲେ । ସେ କହିଲେ ‘ ପିତା , ମୁଁ ଏହି ଚକ୍ରବ୍ୟୁହ ଭେଦ କରିବାକୁ ସକ୍ଷମ ।’ ଏକଥା ଶୁଣି ଧର୍ମରାଜ ବିସ୍ମିତ ହେଲେ ଓ ପଚାରିଲେ , ‘ ପୁତ୍ର ! ତୁମେ ଏହି ବିଦ୍ୟା କାହାଠୁଁ ଶିଖିଲ? ’
ଅଭିମନ୍ୟୁ ଏହାର ଉତ୍ତରରେ କହିଲେ ଯେ ଯେତେବେଳେ ସେ ମାତା ଗର୍ଭରେ ଥିଲେ, ସେତେବେଳେ ପିତା ଅର୍ଜୁନ ମାତା ସୁଭାଦ୍ରାଙ୍କୁ ଚକ୍ରବ୍ୟୁହ ଭେଦ କରିବାର ଉପାୟ ବତାଇଥିଲେ । ସେତେବେଳେ ସେ ସବୁ କଥା ଶୁଣିଥିଲେ । ସେ ଚକ୍ରବ୍ୟୁହର ଛଅଟି ଦ୍ୱାର ଭାଙ୍ଗିବାର କୌଶଳ ଶୁଣିଥିଲେ, ମାତ୍ର ସପ୍ତମ ବେଳକୁ ମାତା ନିଦ୍ରା ଦେବୀଙ୍କ କୋଳକୁ ଚାଲି ଯାଇଥିଲେ । ଏଣୁ ସେ ସପ୍ତମ ଦ୍ୱାରା ଭେଦିବା ଜାଣି ନ ଥିବା କହିଥିଲେ । ଏକଥା ଶୁଣି ଭୀମ ଉତ୍ସାହିତ ହୋଇ କହିଲେ ଯେ ଅଭିମନ୍ୟୁ ଚକ୍ରବ୍ୟୁହର ଛଅଟି ଦ୍ୱାର ଭେଦି ଦେଲେ , ଶେଷ ଦ୍ୱାରଟିକୁ ସେ ଗଦାରେ ଭାଙ୍ଗି ଦେବେ ।
ଧର୍ମରାଜ ଯୁଧିଷ୍ଠର ଅଭିମନ୍ୟୁଙ୍କ କଥାରେ ସନ୍ତୁଷ୍ଟ ତ ହେଲେ, ମାତ୍ର ସେ ଖୁବ୍ ଭାରି ଗଳାରେ ଓ ମନରେ ଯୁଦ୍ଧ ପାଇଁ ଅନୁମତି ଦେଲେ ।