‘ହିନ୍ଦ୍‌ ସ୍ୱରାଜ’ରେ ଜୟ ହିନ୍ଦ୍‌

ବିଜୟ ନାୟକ

ବିଧତାରେ ପରିପୂର୍ଣ୍ଣ ଭାରତବର୍ଷ ପରି ଏକ ବିଶାଳ ଦେଶକୁ ଇ˚ରେଜ ସରକାର ପ୍ରଥମେ ଏକତାର ରଜ୍ଜୁରେ ବାନ୍ଧି ରଖିବାକୁ ସକ୍ଷମ ହୋଇଥିଲେ ବୋଲି ଅନେକ ବୁଦ୍ଧିଜୀବୀ ମତ ଦିଅନ୍ତି। ସେମାନେ ପୁଣି ମତ ଦିଅନ୍ତି ଯେ ରେଳ ଯୋଗାଯୋଗ ଓ ସାରା ଭାରତରେ ଏକ ପ୍ରକାର ଆଇନକାନୁନର ପ୍ରଚଳନ ଏକତାର ଏହି ରଜ୍ଜୁକୁ ସଶକ୍ତ କରିଥିଲା। ପୁନଶ୍ଚ ସ˚ଯୋଗର ଭାଷା ଭାବରେ ଭାରତକୁ ଯୋଡ଼ିବାରେ ଇ˚ରେଜିର କିଛି କମ୍‌ ଭୂମିକା ନଥିଲା। ସ˚କ୍ଷେପରେ କହିଲେ, ଉଭୟ ଇ˚ରେଜ ଓ ଇ˚ରେଜୀ ଭାରତୀୟ ଜାତୀୟତାର ପ୍ରାରମ୍ଭିକ ବିନ୍ଧାଣୀ ବୋଲି ଅନେକ ବିଶ୍ବାସ କରନ୍ତି। ଏପରିକି ଆଧୁନିକ ପରିଭାଷାରେ ଭାରତୀୟ ମହାଜାତି ବ୍ରିଟିସ୍ ଜାତିର ଯେ ଅବଦାନ, ଏହା କହିବାକୁ କତିପୟ ପଣ୍ତିତ ମଧ୍ୟ ପଶ୍ଚାତ୍‌ପଦ ହୁଅନ୍ତି ନାହିଁ।

ବିବିଧତାର ଅନ୍ୟନାମ ଯେ ଭାରତବର୍ଷ ଏଥିରେ ଦ୍ବିମତ ନାହିଁ। ଏଠାରେ ଭାଷାର ବିବିଧତା ତ ବେଶଭୂଷାରେ ବିବିଧତା। ଭାରତରେ ଭାଷା, ଉପଭାଷାର ସ˚ଖ୍ୟା ଶହେରୁ ଊଣା ହେବନାହିଁ। ବେଶଭୂଷା ତ ସହସ୍ରାଧିକ। ଚାଲି ଚଳଣି, ରଙ୍ଗଢଙ୍ଗ, ଆଚାର ବ୍ୟବହାରରେ ଭାରତୀୟମାନଙ୍କ ଭିନ୍ନତା ମଧ୍ୟ ସୁସ୍ପଷ୍ଟ। ପୁନଶ୍ଚ ଭାରତୀୟମାନଙ୍କ ଶାରୀରିକ ଗଠନ ବି ଏକାପ୍ରକାର ନୁହେଁ। କେଉଁ ଅଞ୍ଚଳର ଅଧିବାସୀମାନେ ଡେଙ୍ଗା ତ ଆଉ କେଉଁଠି ବାଙ୍ଗରା। ଖାଦ୍ୟପାନୀୟ କଥା ନକହିବା ଭଲ। ଅସ˚ଖ୍ୟ ପ୍ରକାର ଖାଦ୍ୟ ଖାଆନ୍ତି ଭାରତୀୟମାନେ। ଏଠାରେ ବି ଧର୍ମିୟ ବିଭିନ୍ନତାର ତୁଳନା ନାହିଁ। ଭାରତରେ କିଏ ‘ଜୟଶ୍ରୀରାମ’ କହେ ତ କିଏ କହେ ‘ଆଲ୍ଲା ହୋ ଆକବର’। କାହା ତୁଣ୍ତରେ ପୁଣି ‘ବୁଦ୍ଧ˚ ଶରଣ˚ ଗଚ୍ଛାମି’। ସେମିତି ଭାରତ ଭୂଖଣ୍ତର ବିବିଧତା ମଧ୍ୟ ବିଚିତ୍ର। ଏଠାରେ ‘ଚେରାପୁଞ୍ଜି’ ପରି ବୃଷ୍ଟିବହୁଳ ଅଞ୍ଚଳ ସହିତ ‘ଥର’ ପରି ବୃଷ୍ଟି ବିରଳ ଇଲାକା ମଧ୍ୟ ଅବସ୍ଥିତ। ଏଠାରେ କେଉଁଠି ଶୀତ ଲହରି ତ ଆଉ କେଉଁଠାରେ ଗ୍ରୀଷ୍ମପ୍ରବାହ। ଗୋଟିଏ ସ୍ଥାନରେ ତୁଷାର ଝଡ଼ ହେଲା ବେଳକୁ ଅନ୍ୟ ସ୍ଥାନରେ ଧୂଳିଝଡ଼। ଉତ୍ତରରେ ଏଠି ଗହମ ତ ଦକ୍ଷିଣରେ ଧାନଚାଷ। ପୂର୍ବରେ ପନିପରିବା ତ ପଶ୍ଚିମରେ ନାନାଦି ଫଳର ପ୍ରାଚୁର୍ଯ୍ୟ। କେଉଁଠି ମାଛ ତ କେଉଁଠି ମହୁମାଛି ଚାଷ। ଏପରି ଭୌଗୋଳିକ ବିବିଧତା ପାଇଁ ଭାରତକୁ ବିଶ୍ବର କ୍ଷୁଦ୍ର ପ୍ରତିରୂପ ମଧ୍ୟ କୁହାଯାଏ। ଏତିକିରେ ଭାରତର ବିବିଧତା ସୀମିତ ନୁହେଁ। ପ୍ରାଚୀନ ଭାରତ ଥିଲା ଶତାଧିକ ରାଜ୍ୟରେ ବିଭକ୍ତ। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଯୁଦ୍ଧ, ତିକ୍ତତା ଓ ବିଭେଦ ଥିଲା ଏକ ନିତିଦିନିଆ ବ୍ୟାପାର। ତେଣୁ ଭାରତର ରାଜ୍ୟଗୁଡ଼ିକର ସୀମାରେ କେବେ ସ୍ଥିରତା ନଥିଲା। ପୁଣି ଅନେକ ଗୁଡ଼ିଏ ରାଜବ˚ଶ ଶଠତା ଓ ଷଡ଼୍‌ଯନ୍ତ୍ର ପାଇଁ ପ୍ରସିଦ୍ଧି ଲାଭ କରିଥିଲେ। ପୃଥ୍ବୀରାଜ ଓ ଜୟଚନ୍ଦ୍ର ଉପାଖ୍ୟାନ ପରି ବିଶ୍ବାସଘାତକ ଉପାଦାନ ଭାରତ ଇତିହାସରେ ବିରଳ ନୁହେଁ, ବିରଳ କିନ୍ତୁ ସମଗ୍ର ଭାରତକୁ ଶାସନ କରିଥିବା ଚକ୍ରବର୍ତ୍ତୀ ସମ୍ରାଟ ମାନଙ୍କ ଦୃଷ୍ଟାନ୍ତ।

ଆଧୁନିକ ପଣ୍ତିତମାନେ ତେଣୁ ଭାରତବର୍ଷର ଐକ୍ୟ ଓ ଅଖଣ୍ତତାର ପର˚ପରା ଉପରେ ସନ୍ଦେହ ପ୍ରକଟ କରନ୍ତି ଏବ˚ ନୂଆ ଭାରତର ନକ୍‌ସା ଇ˚ରେଜ ଜାତିର ହାତଗଢ଼ା ବୋଲି ମାନି ନିଅନ୍ତି। ମହାତ୍ମା ଗାନ୍ଧୀ କିନ୍ତୁ ଏକଥା ମାନନ୍ତି ନାହିଁ। ମହାତ୍ମାଙ୍କ ମୌଳିକତା ଉପରେ ଆସ୍ଥା ରଖିଥିବା କତିପୟ ବିଦ୍ବାନ ମଧ୍ୟ ଭାରତର ଜାତୀୟତା ସ˚ରଚନାରେ ବ୍ରିଟିସ୍ ଜାତିର ଶାସକୀୟ ସାମର୍ଥ୍ୟ ଓ ବଦାନ୍ୟତାକୁ ଅସ୍ବୀକାର କରନ୍ତି।

ଫରାସୀ ରାଷ୍ଟ୍ରନେତା ମହାଯୋଦ୍ଧା ନେପୋଲିଅନ୍‌ ବୋନାପାର୍ଟ ବ୍ରିଟିସ୍ ଜାତିର ଏକ ହାସ୍ୟାସ୍ପଦ ସ˚ଜ୍ଞା ପ୍ରଦାନ କରିଛନ୍ତି। ସେ ଇ˚ରେଜମାନଙ୍କୁ ‘ଏ ନେସନ୍‌ ଅଫ୍‌ ସପ୍‍କିପର୍ସ’ ଭାବରେ ବର୍ଣ୍ଣନା କରିଛନ୍ତି। ଇ˚ରେଜମାନଙ୍କ ସ୍ବଭାବକୁ ଆହୁରି ଶାଣିତ ଦୃଷ୍ଟିରେ ଦେଖିଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରମୁଖ୍ୟ କ୍ରୁଗର। ଚନ୍ଦ୍ରପୃଷ୍ଠରେ ସୁନା ଅଛି କି ବୋଲି ଥରେ ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ଚନ୍ଦ୍ରରେ ସୁନା ନାହିଁ କାରଣ ସେଠାରେ ସୁନା ଥିଲେ ତାହା ଇ˚ରେଜମାନଙ୍କ ସାମ୍ରାଜ୍ୟଭୁକ୍ତ ହୋଇସାରିଥା’ନ୍ତା। ଭାରତରେ ବି ଇ˚ରେଜମାନେ ବେପାରୀ ଜାତି ଭାବେ ଖ୍ୟାତ ଥିଲେ। ‘ଏତେ ଦିନେ ସିନା ଗଲା ଜଣା, ରାଜା ନୁହଁନ୍ତି ଏ ବେପାରୀ ଅଟନ୍ତି, କୋଇଲି ନୁହଁନ୍ତି କାଠହଣା’, ଇ˚ରେଜମାନଙ୍କ ପ୍ରତି କଟାକ୍ଷରେ ପରିପୂର୍ଣ୍ଣ ଏହି ଗୀତ ସ୍ବାଧୀନତା ସ˚ଗ୍ରାମ ସମୟରେ ଖୁବ ଲୋକପ୍ରିୟ ଥିଲା ଓଡ଼ିଶାରେ।

ସାରା ପୃଥିବୀରେ ହାଟ ବସାଇବାକୁ ଚାହୁଁଥିବା ଇ˚ରେଜ ଜାତି ଗୋଟେ ମହାଜାତିର ଚିତ୍ର ଆଙ୍କିବାକୁ କ’ଣ ସମର୍ଥ?

ଏହି ପରିପ୍ରେକ୍ଷୀରେ ଜନୈକ ପାଠକଙ୍କ ପ୍ରଶ୍ନ ଏବ˚ ତଦୁପରି ମହାତ୍ମା ଗାନ୍ଧୀଙ୍କ ଉତ୍ତର ଏଠାରେ ପ୍ରଣୀଧାନଯୋଗ୍ୟ। ସ˚ପାଦକ-ପାଠକ ସମ୍ବାଦ ଢାଞ୍ଚାରେ ଲିଖିତ ‘ହିନ୍ଦ୍‌ ସ୍ବରାଜ’ରେ ଏହି ପ୍ରସଙ୍ଗ ବର୍ଣ୍ଣିତ ହୋଇଛି। ପ୍ରଶ୍ନ ଥିଲା ଯେ ଇ˚ରେଜମାନଙ୍କ ଯୋଗୁ ଭାରତରେ ଜାତୀୟତାର ନୂତନ ଉଦ୍ଦୀପନା ସୃଷ୍ଟି ହୋଇନାହିଁ କି? ଗାନ୍ଧୀଜୀଙ୍କ ଉତ୍ତର ଥିଲା ସଳଖ- ଏପରି ମାନସିକତା ଏକ ଭ୍ରମ। ଭାରତ ଏକ ଜାତି ନୁହେଁ ବୋଲି ଇ˚ରେଜମାନେ ହିଁ ଭାରତୀୟମାନଙ୍କୁ ଶିଖାଇଛନ୍ତି। ପୁଣି ଶିଖାଇଛନ୍ତି ଯେ ଆଗାମୀ ଶତାବ୍ଦୀ ଶତାବ୍ଦୀ ଧରି ଚେଷ୍ଟା କଲେ ମଧ୍ୟ ଭାରତ ଏକ ଜାତି ବା ନେସନ୍‌ ହୋଇ ପାରିବ ନାହିଁ। ପ୍ରକୃତପକ୍ଷେ, ଭାରତକୁ ଇ˚ରେଜମାନଙ୍କ ଆଗମନର ବହୁପୂର୍ବରୁ ଭାରତବର୍ଷ ଏକ ଜାତି ଭାବରେ ତିଷ୍ଠି ରହିଥିଲା। ପୂର୍ବରୁ ଭାରତ ଏକ ଜାତି ଭାବରେ କାହିଁକି ଓ କିପରି ତିଷ୍ଠି ରହିଥିଲା ମହାତ୍ମା ଗାନ୍ଧୀ ପ୍ରାଞ୍ଜଳ ଭାବରେ ତା’ର ଅବତାରଣା କରିଛନ୍ତି।

ଗାନ୍ଧୀଜୀଙ୍କ ବିଚାରରେ ସବୁ ଭାରତବାସୀ, ସେ କାଶ୍ମୀର ନିବାସୀ ହୁଅନ୍ତୁ କି ହୁଅନ୍ତୁ ମଣିପୁର ଅଧିବାସୀ, ଏକ ପ୍ରକାର ଚିନ୍ତାଚେତନାରେ ଉଦ୍‌ବୁଦ୍ଧ ହୁଅନ୍ତି, ପୁଣି ସମସ୍ତଙ୍କ ଜୀବନର ଶୈଳୀ ମଧ୍ୟ ଏକପ୍ରକାର। ଚିନ୍ତାଧାରା ଓ ଜୀବନଧାରାର ସମାନତା ହିଁ ଗୋଟିଏ ଜାତିର ମୂଳଦୁଆ। ଏହି ଭିିତ୍ତିରେ ଭାରତ ଏକ ଜାତି ଭାବରେ କାଳେକାଳେ ତିଷ୍ଠି ରହିଛି। ଭାରତ ଗୋଟିଏ ଜାତି ହୋଇ ନଥିଲେ, ତାକୁ ଇ˚ରେଜମାନେ ଗୋଟିଏ ସାମ୍ରାଜ୍ୟରେ ପରିଣତ କରିପାରିଥା’ନ୍ତେ କି? ଏପରି ଓଲଟା ପ୍ରଶ୍ନ କରନ୍ତି ମହାତ୍ମା ଗାନ୍ଧୀ। କହନ୍ତି ମଧ୍ୟ ଯେ ଏହି ଅଖଣ୍ତ ଜାତିକୁ ପରବର୍ତ୍ତୀ ସମୟରେ ଖଣ୍ତଖଣ୍ତ କରି ଦେଇଥିଲେ ଇ˚ରେଜମାନେ।

ଏହି ପ୍ରସଙ୍ଗରେ ତୀର୍ଥାଟନ ଓ ଭାରତ ଭ୍ରମଣର ପ୍ରାଚୀନ ପର˚ପରା କଥା ମଧ୍ୟ ଉଲ୍ଲେଖ କରନ୍ତି ମହାତ୍ମା ଗାନ୍ଧୀ। ପାଦରେ ଚାଲିଚାଲି ନ ହେଲେ ଶଗଡ଼ ବା ସବାରିରେ ପୁରାକାଳରେ ଲୋକମାନେ ଭାରତ ଭ୍ରମଣ କରୁଥିଲେ। ଅଜସ୍ର ସମୟ ବ୍ୟୟ ଓ ଅକଥନୀୟ କ୍ଳାନ୍ତି ସତ୍ତ୍ବେ ସେମାନେ ଭାରତର ବିପୁଳତାକୁ ଦେଖୁଥିଲେ, ପରସ୍ପର ଭାଷା ବୁଝିବାକୁ ଚେଷ୍ଟା କରୁଥିଲେ ଏବ˚ ନିଜନିଜ ବାଗରେ ଭାରତବର୍ଷର ଆତ୍ମାକୁ ଅନ୍ବେଷଣ କରୁଥିଲେ। ଏପରି ପର˚ପରା ଅନ୍ୟତ୍ର ଅଛି କି? ଗାନ୍ଧୀଜୀଙ୍କୁ ଏହା ଖୁବ୍‌ ଭଲ ଲାଗିଥିଲା। ଭଲ ଲାଗିଥିଲା ଆମ ପୂର୍ବଜମାନଙ୍କର ବିଭିନ୍ନ ଧାମ ପ୍ରତିଷ୍ଠା। ଗାନ୍ଧୀଜୀଙ୍କ ମତରେ ଆମ ପୂର୍ବଜମାନେ ଜାଣିଥିଲେ ଯେ ଘରେ ବସି ଈଶ୍ବରଙ୍କୁ ଆରାଧନା କରାଯାଇପାରିବ, ଭକ୍ତି ମାଧ୍ୟମରେ ନିଜ ଘର ଭିତରେ ପବିତ୍ର ଗଙ୍ଗା ପ୍ରବାହିତ କରାଯାଇପାରିବ। ତଥାପି ସେମାନେ ଦକ୍ଷିଣରେ ରାମେଶ୍ବର, ପୂର୍ବରେ ଜଗନ୍ନାଥ ଏବ˚ ଉତ୍ତରରେ ହରିଦ୍ବାର ପରି ତୀର୍ଥକ୍ଷେତ୍ରମାନ ପ୍ରତିଷ୍ଠା କରିଥିଲେ। ଭାରତୀୟମାନେ ତୀର୍ଥାଟନରେ ସାରା ଭାରତ ବୁଲନ୍ତୁ ବୋଲି ମଧ୍ୟ ଚାହୁଁଥିଲେ। ସେମାନେ ଏପରି କରିବାର ଉଦ୍ଦେଶ୍ୟ ଥିଲା ମହତ। ଭାରତୀୟମାନଙ୍କ ହୃଦୟରେ ଜାତୀୟ ଭାବନା ସ୍ପନ୍ଦିତ କରିବା ଥିଲା ସେହି ମହାନୁଭବ ମାନଙ୍କର ଆନ୍ତରିକ ଅଭିଳାଷ। ଖାଲି ତୀର୍ଥ କଲେ କ’ଣ ଜାତୀୟତାଭାବ ଉଦ୍ରେକ ହେବ? ନା। ପ୍ରକୃତି କିପରି ଭାରତକୁ ଏକ ଅବିଭାଜ୍ୟ, ଅପ୍ରତିମ ଭୂଖଣ୍ତ କରି ଗଢ଼ି ତୋଳିଛି, ତାହା ଦେଖିଲେ ଲୋକମାନଙ୍କ ମଧ୍ୟରେ ଜାତୀୟ ଚେତନା ସ୍ବତଃ ସୃଷ୍ଟି ହେବ। ଆମ ପୂର୍ବଜମାନଙ୍କର ଏହି ଅନନ୍ୟ ଅନୁପ୍ରେରଣା ସେକାଳରେ ବିଶ୍ବର ଅନ୍ୟାନ୍ୟ ଅ˚ଶରେ ଅଜଣା ଥିଲା।

ମହାତ୍ମା ଗାନ୍ଧୀ ଆହୁରି କହନ୍ତି ଯେ ଭାରତର ଗାଁଗଣ୍ତାରେ ରହୁଥିବା ଅପାଠୁଆ ଲୋକମାନେ ଭାରତ ଏକ ନୁହେଁ ବୋଲି କେବେ ବି ଭାବନ୍ତି ନାହିଁ। ଏମିତି ଭାବନ୍ତି କିନ୍ତୁ ଇ˚ରେଜୀ ପଢ଼ୁଆ ଶିକ୍ଷିତମାନେ। ଏପରିକି ସେମାନେ ଯୁକ୍ତି କରନ୍ତି ଯେ ଭାରତ ପରି ଗୋଟିଏ ଜାତି ଭିତରେ ଅନେକ ଜାତି ଲୁଚିରହିଛନ୍ତି। କିନ୍ତୁ ଦୁଇଜଣ ଇ˚ରେଜ ଲୋକ ସିନା ଏକାଠି ହୋଇପାରନ୍ତି ନାହିଁ, ହେଲେ କୋଟିକୋଟି ଭାରତୀୟ ଗୋଟିଏ ଜାତି ଭାବରେ ଏକତ୍ରିତ ହୋଇପାରନ୍ତି। ସେମାନେ ତ କାହିଁ କେଉଁ ଅନାଦି କାଳରୁ ଏକାଠି ରହିଆସୁଛନ୍ତି, ଏକାପ୍ରକାର ଜୀବନ ବୁଛନ୍ତି।

ଭାରତର ଜାତୀୟତା ସ˚ପର୍କରେ ପାଠକଙ୍କର ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଥିଲା ସ˚ପାଦକଙ୍କୁ ଅର୍ଥାତ୍‌ ଗାନ୍ଧୀଜୀଙ୍କୁ। ସେହି ପ୍ରଶ୍ନର ସାରା˚ଶ ହେଉଛି, ଭିନ୍ନ ଭିନ୍ନ ଧର୍ମାବଲମ୍ବୀ ରହୁଥିବା ଦେଶରେ ଗୋଟିଏ ଜାତୀୟତା ସମ୍ଭବ କି? ଗାନ୍ଧୀଜୀଙ୍କ ଉତ୍ତର ଥିଲା ସକାରାତ୍ମକ ଏବ˚ ଅକାଟ୍ୟ ଥିଲା ତାଙ୍କ ଯୁକ୍ତି।

ଧର୍ମ ଯେ ଜାତୀୟତାର ଆଧାର ନୁହେଁ ଏ ବିଷୟରେ କାହାରି ମନରେ ଦ୍ବିଧା ରହିବା ଉଚିତ ନୁହେଁ। ଗାନ୍ଧୀଜୀଙ୍କ ମତରେ ଭାରତରେ ବିଭିନ୍ନ ଧର୍ମାବଲମ୍ବୀ ଲୋକମାନେ ରହୁଥିବାରୁ, ଭାରତ ଯେ ଗୋଟିଏ ଜାତି ନୁହେ, ତା’ନୁହେଁ। ବହିରାଗତ ଲୋକମାନେ ବା ବିଦେଶୀମାନେ ଗୋଟିଏ ଜାତିକୁ ଧ୍ବ˚ସ କରିପାରନ୍ତି ନାହିଁ। ବର˚ ସେମାନେ ଜାତି ସହିତ ମିଳିତ ହୋଇଯାଆନ୍ତି। ଜାତୀୟତା ମହାସ୍ରୋତରେ ବିନ୍ଦୁ ପାଲଟିଯା’ନ୍ତି କାଳକ୍ରମେ। ସବୁ ଜାତି ଓ ଧର୍ମକୁ ନିଜ ଭିତରେ ବହନ କରିବାର ଅମିତ ଶକ୍ତି ରହିଛି ଭାରତବର୍ଷ ନିକଟରେ। ମୋଗଲ/ପଠାଣମାନେ ଶହଶହ ବର୍ଷଧରି ଭାରତରେ ଶାସନ କରିଛନ୍ତି। ପ୍ରତାପଶାଳୀ ମୋଗଲମାନେ ଭାରତକୁ ମୋଗଲରେ ପରିଣତ କରି ପାରିନାହାନ୍ତି। ବର˚ ମୋଗଲମାନେ ଭାରତୀୟ ହୋଇଯାଇଛନ୍ତି। ସ˚ଖ୍ୟାଗରିଷ୍ଠ ହିନ୍ଦୁମାନେ ବର୍ଷବର୍ଷ ଧରି ମୋଗଲ ହୁକୁମତକୁ ଆଦରି ନେଇଛନ୍ତି, ମୋଗଲମାନେ ହିନ୍ଦୁ ସ˚ଖ୍ୟାଗରିଷ୍ଠତାକୁ ଗ୍ରହଣ କରିଛନ୍ତି। ଏହି ପ୍ରକ୍ରିୟା ଭାରତୀୟ ଜାତୀୟତାକୁ ପୁଷ୍କଳ କରିଛି। ଏପରି ସହନଶୀଳ ପରିବେଶରେ ହିଁ ଗୋଟିଏ ଦେଶ ଜାତିର ରୂପନିଏ।

ଗାନ୍ଧୀ ବିଚାରରେ ଜାତୀୟତାବୋଧ କାହା ଧର୍ମରେ ହସ୍ତକ୍ଷେପ କରେନାହିଁ। ଭାରତ କେବଳ ହିନ୍ଦୁଙ୍କର ନୁହେଁ କି ମୁସଲମାନଙ୍କର ନୁହେଁ। ହିନ୍ଦୁ, ମୁସଲମାନ, ପାର୍ସି, ଖ୍ରୀଷ୍ଟିଆନ, ଯେଉଁମାନେ ଭାରତବାସୀ, ସେମାନେ ମହାଭାରତୀୟତାର ଅ˚ଶବିଶେଷ। ସେମାନେ ଐକ୍ୟ ଓ ଭ୍ରାତୃତ୍ବ ବନ୍ଧନରେ ସଦା ଉଚ୍ଚକିତ ହେବା ଚାହି। ଭାରତରେ ଅଥବା ବିଶ୍ବର କେଉଁ ଅ˚ଶରେ ବି ଧର୍ମ ଓ ଜାତୀୟତା ଏକ ନୁହେଁ ବୋଲି ଗାନ୍ଧୀଜୀ ସ୍ପଷ୍ଟ କରନ୍ତି।

ବିଶେଷତଃ ହିନ୍ଦୁ ଓ ମୁସଲମାନମାନେ ଦୀର୍ଘକାଳ ଧରି ପରସ୍ପର ପ୍ରତି ଶ୍ରଦ୍ଧା ଓ ସହଯୋଗ ପ୍ରଦର୍ଶନ ପୂର୍ବକ ଭାରତବର୍ଷରେ ବସବାସ କରି ଆସୁଛନ୍ତି। ଏହି ସହଯୋଗ ଓ ସହାବସ୍ଥାନ ହିଁ ସାଂପ୍ରଦାୟିକ ସଦ୍‌ଭାବ ଓ ଜାତୀୟ ସ˚ହତିର ମୂଳମନ୍ତ୍ର। ହିନ୍ଦୁମାନେ ମୁସଲମାନ ଶାସକ ଏବ˚ ମୁସଲମାନମାନେ ହିନ୍ଦୁ ଶାସକଙ୍କ ଅଧୀନରେ ସ୍ବଚ୍ଛନ୍ଦରେ ଜୀବନ ନିର୍ବାହ କରନ୍ତି। ବିଭିନ୍ନ ଧାର୍ମିକ ଅବସରରେ ମଧ୍ୟ ମିଳିମିଶି ଉତ୍ସବାଦି ପାଳନ କରନ୍ତି। ସମ୍ଭବତଃ ଏହି ନିଆରା ଭ୍ରାତୃଭାବ ଇ˚ରେଜମାନଙ୍କ ଦୃଷ୍ଟିକଟୁ ହୋଇଥିଲା। ୧୮୫୭ ମସିହାରେ ସ˚ଘଟିତ ପ୍ରଥମ ଭାରତୀୟ ମୁକ୍ତି ସ˚ଗ୍ରାମରେ ହିନ୍ଦୁ-ମୁସଲମାନ ଏକତା ଶୀର୍ଷରେ ପହଞ୍ଚିଥିଲା। ସେହି ଘଟନା ଠାରୁ ଇ˚ରେଜମାନଙ୍କ ମନରେ ଛନକା ପଶିଥିଲା। ଭାରତର ଦୁଇ ମୁଖ୍ୟ ସ˚ପ୍ରଦାୟ ମଧ୍ୟରେ କଳହକୁ ସ୍ଥାୟୀ ନକଲେ ସେମାନଙ୍କ ଆସନ ଯେ ଅସ୍ଥାୟୀ ହୋଇଯିବ! ସେଥିପାଇଁ ଇ˚ରେଜ ଶାସନ ହିନ୍ଦୁ-ମୁସଲମାନ ବିବାଦକୁ ଉସ୍କାଇଥିଲା। ସାମୟିକ ତଥା ଆକସ୍ମିକ ଝଗଡ଼ାଝାଣ୍ଟିକୁ ସ୍ଥାୟୀ ରୂପ ଦେବା ପାଇଁ ପ୍ରଯତ୍ନ କରିଥିଲା। ଫଳରେ ହିନ୍ଦୁ-ମୁସଲମାନଙ୍କ ମଧ୍ୟରେ ବନ୍ଦ ହୋଇଯାଇଥିବା ବିବାଦ ପୁଣି ମୁଣ୍ତଟେକିଥିଲା।

ରେଳ ଯୋଗାଯୋଗ ଭାରତର ଦୂରଦୂରାନ୍ତରେ ଶୋଷଣ ପାଇଁ ମୂଳତଃ ଉଦ୍ଦିଷ୍ଟ ଥିଲେ ମଧ୍ୟ ଭାରତକୁ ସ୍ଥୂଳ ଭାବରେ ଯୋଡ଼ିଥିଲା। କିନ୍ତୁ ଭାରତବର୍ଷର ଆତ୍ମାକୁ କରିଥିଲା ଖଣ୍ତବିଖଣ୍ତ। ନିଃସନ୍ଦେହରେ ଇ˚ରେଜୀ ଭାରତରେ ସ˚ଯୋଗ ଭାଷାର ଭୂମିକା ନିର୍ବାହ କରିଥିଲା ଯାହା ଏଯାବତ୍‌ ଅନେକା˚ଶରେ ଅବ୍ୟାହତ ରହିଛି। କିନ୍ତୁ ତଦ୍ଦ୍ବାରା ସୁସମୃଦ୍ଧ ଭାରତୀୟ ଭାଷାଗୁଡ଼ିକ ନଷ୍ଟଭ୍ରଷ୍ଟ ହୋଇଗଲେ। ଇ˚ରେଜୀ ପୁଣି ଶିକ୍ଷାର ମାଧ୍ୟମ ହେବା ଫଳରେ ଭାରତର ଛାତ୍ରଛାତ୍ରୀମାନଙ୍କର ସ୍ବାଭାବିକ ବିକାଶ ବାଧାପ୍ରାପ୍ତ ହେଲା। ଏହି ତଥାକଥିତ ସ˚ଯୋଗ ଭାଷା ଭାରତୀୟମାନଙ୍କୁ ନିଜ ସ˚ସ୍କୃତିରୁ ବୃନ୍ତଚ୍ୟୁତ କଲା ମଧ୍ୟ। ସେହିପରି ଏକ ପ୍ରକାର ଆଇନ ପ୍ରଚଳନ ଦ୍ବାରା ଭାରତ ଯୋଡ଼ିହେବା ଦୂରର କଥା ଛିଡ଼ି ଛିଡ଼ିଗଲା। ଏ ସ˚କ୍ରାନ୍ତରେ ଗୋଟିଏ ଉଦାହରଣ ପ୍ରସଙ୍ଗର ଗୁରୁତ୍ବକୁ ସହଜରେ ବଖାଣି ପାରିବ। ସୀମିତ ମତଦାନ ପ୍ରଥାରେ ସେତେବେଳେ ଯେଉଁ ନିର୍ବାଚନ କରାଯାଉଥିଲା ସେଥିରେ ଜାତି ଓ ସ˚ପ୍ରଦାୟଭିତ୍ତିକ ପ୍ରତିନିଧିତ୍ବ ଭାରତକୁ ଧର୍ମ ଓ ଜାତି ଆଧାରରେ ଶତଧା ବିଭକ୍ତ କରିଥିଲା। ଭାରତର ସହନଶୀଳ ପର˚ପରାକୁ ବର୍ବରତା ଆଡ଼କୁ ଠେଲି ଦେଇଥିଲା। ‘ଡିଭାଇଡ୍‌ ଆଣ୍ତ ରୁଲ୍‌’ରୁ ଇ˚ରେଜ ଶାସନ ଆରମ୍ଭ ହୋଇ ‘ଡିଭାଇଡ୍‌ ଆଣ୍ତ କ୍ବିଟ୍‌’ରେ ଶେଷ ହୋଇଥିଲା। ଏସବୁ ଜାଣି ମଧ୍ୟ ଭାରତୀୟ ମହାଜାତିକୁ ଏକ ଧୂର୍ତ୍ତବେପାରୀ ଜାତି ଗଢ଼ିଥିଲା ବୋଲି ଭାରତର ଅନେକ ବିଦ୍ବାନ କାହିଁକି ବିଶ୍ବାସ କରନ୍ତି କେଜାଣି? ତେବେ ଭାରତୀୟ ପୁନର୍ନବା ସର୍ବପ୍ରଥମେ ଏହି ମହନୀୟ ମହାଜାତିର ପୁନରାବିଷ୍କାର ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲା। ପୁନଶ୍ଚ ଏହି ପ୍ରୟାସକୁ ସ˚କଳ୍ପରେ ରୂପାନ୍ତରିତ କରିଥିଲା ଭାରତୀୟ ମୁକ୍ତି ସ˚ଗ୍ରାମ। କିନ୍ତୁ ଦୀର୍ଘ ବିଦେଶୀ ଶାସନ ଓ ସୁଦୀର୍ଘ ସୁପ୍ତି ଯୋଗୁଁ ଭାରତୀୟ ମହାଜାତୀୟତାର ମାତୃମୂର୍ତ୍ତି ଦେହରେ ଜମାଟ ବାନ୍ଧିଥିଲା ପ୍ରସ୍ତପ୍ରସ୍ତ ଅଳନ୍ଧୁ। ଭୟ, ଭ୍ରାନ୍ତି, ଅଶିକ୍ଷା ଓ ଅନଟନ ହେତୁ ଭାରତୀୟମାନଙ୍କ ଚକ୍ଷୁ ହୋଇଥିଲା ପରଳଗ୍ରସ୍ତ। ମହାଜାତୀୟତାର ସୁବର୍ଣ୍ଣ ପ୍ରତିମାକୁ ମାଟିରୁ ତୋଳି ଆଣି ଅଳନ୍ଧୁମୁକ୍ତ କରିଥିଲେ ମହାତ୍ମା ଗାନ୍ଧୀ। ପରଳମୁକ୍ତ କରିଥିଲେ ଆତ୍ମ ବିସ୍ମ଼ୃତ ଓ ଇତିହାସ-ବିମୁଖ କୋଟି କୋଟି ଭାରତୀୟଙ୍କୁ। ଫଳରେ ପ୍ରମୂର୍ତ୍ତ ହୋଇଥିଲା ମହାଜାତୀୟତା, ଦୀପ୍ୟମାନ ହୋଇଥିଲା ଏ ମହାଜାତି।

ଭି.ଏ. ୯/୨, ୟୁନିଟ୍‌-୨
ଭୁବନେଶ୍ବର-୭୫୧୦୦୯

ସମ୍ବନ୍ଧିତ ଖବର